ଗୋଦାବରୀଶ ମିଶ୍ର

 

 

 

 

 

 

 

 

 

ଗୋଦାବରୀଶ ମିଶ୍ର

ପ୍ରଫେସର୍ ମନୋରଞ୍ଜନ ପ୍ରଧାନ

 

ପ୍ରାଗ୍‍ଭାଷ

 

ଓଡ଼ିଶା ସାହିତ୍ୟ ଏକାଡେମୀପକ୍ଷରୁ ପ୍ରସ୍ତୁତ ଜୀବନୀ ଓ ପ୍ରତିଭା-ପ୍ରକାଶ ଗ୍ରନ୍ଥମାଳା ଅନୁକ୍ରମରେ ଏବେ ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ପ୍ରବୀଣ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା ସମ୍ବଳିତ ଏହି ମନୋଗ୍ରାଫ୍-ଟି ଆତ୍ମପ୍ରକାଶ କରିବାକୁ ଯାଉଅଛି । ଏହି ଗ୍ରନ୍ଥଟିରେ ଗୋଦାବରୀଶଙ୍କ ସାମଗ୍ରିକ ସାହିତ୍ୟ ସୃଷ୍ଟିକୁ ବିସ୍ତୃତଭାବେ ଆକଳନ କରି ଯଥାସମ୍ଭବ ସାରମର୍ମକୁ ସ୍ଥାନିତ କରିଛନ୍ତି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର୍ ମନୋରଞ୍ଜନ ପ୍ରଧାନ ।

ପଣ୍ଡିତ ଗୋଦାବରୀଶ ମିଶ୍ର କଲିକତା ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ଉପାଧ୍ୟୁତର ଶିକ୍ଷା ସମାପ୍ତିପରେ ଓଡ଼ିଆ ଜାତିର ସେବା କରିବାପାଇଁ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରେରଣାରେ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ପଦକୁ ଆଦରରେ ଗ୍ରହଣ କରିନେଇ ମାତୃଭୂମିର ସେବା ନିମନ୍ତେ ଜୀବନକୁ ଉତ୍ସର୍ଗ କରିଥିଲେ । ତ୍ୟାଗ, ସେବା ଓ ସାଧନାର ଏହି ଯଶସ୍ୱୀ ସାଧକ ପଣ୍ଡିତ ଗୋଦାବରୀଶ ଓଡ଼ିଆ ଜାତିର ଚିରନମସ୍ୟ । ବକୁଳ ବନର ରମଣୀୟ ପ୍ରାକୃତିକ ପରିବେଶ, ଶାଳିଆ ନଈ ଓ ଅତି ମନୋରମ ଘଣ୍ଟଶିଳା ପାହାଡ଼ର ବୃକ୍ଷଲତା ଭଳି ସବୁଜ ପ୍ରକୃତି, ଚିଲିକା ହ୍ରଦର ନୈସର୍ଗିକ ଶୋଭା ତାକୁ ସମ୍ମୋହିତ କରିଥିଲା ଫଳରେ ତାଙ୍କ ଲେଖନୀର ରୂପାୟିତ ହୋଇଥିଲା ଅମୃତମୟୀ କବିତାର ଛଳ ଛଳ ଧାରା, ଯାହା ଓଡ଼ିଆ ସାହିତ୍ୟକୁ ବହୁ ରଙ୍ଗରେ ରଙ୍ଗାୟିତ କରିପାରିଛି ।

ପଣ୍ଡିତ ଗୋଦାବରୀଶ ଜଣେ ଆର୍ଦଶ ଗୁରୁ, ଶିକ୍ଷାବିଦ, ନିସ୍ୱାର୍ଥପର ଜନସେବକ, ପ୍ରବୀଣ ରାଜନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଏକନିଷ୍ଠ ସାଧକ ଭାବରେ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ମଣ୍ଡନ କରିଛନ୍ତି । ସାତଦଶନ୍ଧି କାଳ (୧୮୮୬ - ୧୯୫୬) ବ୍ୟାପ୍ତ ତାଙ୍କ କର୍ମମୟ ଜୀବନକାଳ ମଧ୍ୟରେ ଓଡ଼ିଆ ସାରସ୍ୱତ ଜଗତକୁ ଏହି ଧୂରୀଣ ସାଧକ ସ୍ଵକୀୟ ଦାନଦ୍ୱାରା ଯେପରି ସମୃଦ୍ଧ କରିଯାଇଛନ୍ତି, ତାହା ଅତୁଳନୀୟ । ରୋମାଣ୍ଟିକ ଭାବଧାରା ସମ୍ମୋହିତ ତାଙ୍କର କାନ୍ତକୋମଳ, ଭାବପୂର୍ଣ୍ଣ ମଧୁମୟ ଗାଥା ଓ ଗୀତିକବିତାମାନ ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଛି । କବି ପ୍ରାଣର ଅନନ୍ତ ବିସ୍ତୃତି, ମାନବଜୀବନର ଉଦାରତା, ମଣିଷପଣିଆର ଐଶ୍ୱର୍ଯ୍ୟ ଓ ଉରୁଙ୍କ ଜୀବନାଦଶରେ ସମୁଜ୍ଵଳ ତାଙ୍କର କାବ୍ୟସାହିତ୍ୟ ଅନନ୍ୟ ଓ ଅତୁଳନୀୟ । ଓଡ଼ିଆ ସାହିତ୍ୟର ଅଧିକାଂଶ ବିଭାଗରେ ସେ ଲେଖନୀ ଚାଳନା କରି ନିଜ ସାରସ୍ୱତ ଦକ୍ଷତାର ପରିଚୟ ପ୍ରଦାନ କରିଯାଇଛନ୍ତି ।

 

ଏହି ସ୍ୱଜାତିପ୍ରେମୀ, କର୍ମଯୋଗୀ, ସ୍ୱାଭିମାନୀ, ଅନନ୍ୟ ସାରସ୍ୱତ ସାଧକଙ୍କ ସୃଷ୍ଟି ଓ କୃତି ସମ୍ପର୍କରେ ରଚିତ ଉକ୍ତ ମନୋଗ୍ରାଫଟି ଓଡ଼ିଶାର ବିଦଗ୍ଧ ସୁଧୀସମାଜ ତଥା ପାଠକମାନଙ୍କର ସମୁଚିତ ଶ୍ରଦ୍ଧା ଲାଭ କଲେ ଏକାଡେମୀର ସ୍ଵପ୍ନ ସାର୍ଥକ ଓ ଫଳବତୀ ହେବ ।

 

ଚନ୍ଦ୍ରଶେଖର ଦାସବର୍ମା

ସଂପାଦକ

Image

 

ଅଗ୍ରଲେଖ

 

ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ସାଥୀ ପଣ୍ଡିତ ଗୋଦାବରୀଶ ମିଶ୍ର ଅନନ୍ୟ ପ୍ରତିଭାର ଅଧିକାରୀ । ଜନ୍ମରୁ ଯୌବନ ପର୍ଯ୍ୟନ୍ତ ଦାରିଦ୍ର୍ୟ ସହିତ ଅବିଛିର୍ଣ୍ଣ ସଂଗ୍ରାମ କରି ଆପଣାର ସାଧନା ବଳରେ ନିଜର ବ୍ୟକ୍ତିତ୍ୱ ଗଠନ କରି ପାରିଥିଲେ । ଜଣେ ମେଧାବୀ ଛାତ୍ର ଭାବରେ ସେ ବିଭିନ୍ନ ସ୍କୁଲ ଓ କଲେଜମାନଙ୍କରେ ପରିଚିତ କେବଳ ନଥିଲେ, ତତ୍ ସହିତ ସମାଜସେବାରେ ମଧ୍ୟ ସଂପୃକ୍ତ ଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହିତ ପ୍ରଥମ ସାକ୍ଷାତ୍‍ରୁ ହିଁ ସେ ବ୍ୟକ୍ତିତ୍ଵ ପ୍ରତି ଅନ୍ତରର ଶ୍ରଦ୍ଧା ନିବେଦନ କରିଥିଲେ । ଉଚ୍ଚ ଚାକିରିର ପ୍ରଲୋଭନକୁ ତ୍ୟାଗ କରି ଗୋପବନ୍ଧୁଙ୍କ ସଶ୍ରଦ୍ଧ ଆହ୍ୱାନକ୍ରମେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କଲେ । ସେହି ସମୟରୁ ଅର୍ଥାତ୍ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକର ଆରମ୍ଭରୁ ହିଁ ତାଙ୍କର ସାରସ୍ଵତ ପ୍ରତିଭାର ବିଶେଷ ବିକାଶ ହେଲା । ସେ ଶିକ୍ଷକତା ସହିତ କବିତା ଓ ଗଳ୍ପ ଲେଖିଲେ । ଲେଖିଲେ ମଧ୍ୟ ଉପନ୍ୟାସ, ନାଟକ, ନାନା ପ୍ରବନ୍ଧ ଓ ଶିଶୁ ସାହିତ୍ୟ । ଜଣେ ପରିପୂର୍ଣ୍ଣ ସାହିତ୍ୟିକ ଭାବେ ସେ ମାନ୍ୟତା ଲାଭକଲେ । ସତ୍ୟବାଦୀ ବନବିଦ୍ୟାଳୟରୁ ବିଦାୟ ନେଇ ସେ ଓଡ଼ିଶାର ବିଛିନ୍ନାଞ୍ଚଳ ସିଂହଭୂମିରେ ଓଡ଼ିଶା ଜାଗରଣ ପାଇଁ କାର୍ଯ୍ୟକଲେ । ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ନବଓଡ଼ିଶାର ମନ୍ତ୍ରୀହେଲେ ।ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲା, ସ୍ଵାଧୀନତା ପରେ ଗଣତନ୍ତ୍ର ପରିଷଦର ନେତା ହେଲେ କିନ୍ତୁ ଜୀବନବ୍ୟାପୀ ସାରସ୍ୱତ ସାଧନାରୁ ସେ ବିରତ ହୋଇ ନଥିଲେ । ବିପୁଳ ତାଙ୍କର ରଚନା । ସର୍ବତ୍ର ଅଛି ମାନବ ସଂପ୍ରୀତି, ମାଟି ମନସ୍କତା ଓ ଜାତୀୟତାବୋଧ ।

ତାଙ୍କ କୃତି ଓ କୃତିତ୍ୱ ସଂପର୍କରେ ଏକ ସୂଚନାତ୍ମକ ପରିଚିତି ଗ୍ରନ୍ଥ ପ୍ରଣୟନ କରିବା ପାଇଁ ମତେ ଓଡ଼ିଶା ସାହିତ୍ୟ ଏକାଡେମୀର କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ । ସେ ଅନୁରୋଧ ସାଦରେ ଗ୍ରହଣ କରି ଏହି କ୍ଷୁଦ୍ର ପୁସ୍ତିକାଟି ପ୍ରସ୍ତୁତ କରିଛି । କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାନୁସାରେ ଏହାକୁ ଯଥାସମ୍ଭବ ସରଳ ସାବଲୀଳ କରିବା ସଙ୍ଗେ ସଙ୍ଗେ ତତ୍ତ୍ୱଧର୍ମୀ ବା ଗବେଷଣାଧର୍ମୀ କରିନାହିଁ । ସାଧାରଣ ପାଠକଙ୍କର ଏହି ପୁସ୍ତିକା ଶ୍ରଦ୍ଧା ଅର୍ଜନ କରିପାରିଲେ ଓ ପଣ୍ଡିତ ଗୋଦାବରୀଶଙ୍କର ବ୍ୟକ୍ତିତ୍ୱ ସହିତ କିଞ୍ଚିତ ପରିଚିତ ଲାଭ କରିପାରିଲେ ମୁଁ ନିଜକୁ ଧନ୍ୟ ମନେ କରିବି ।

 

ମନୋରଞ୍ଜନ ପ୍ରଧାନ

Image

 

ସୂଚୀପତ୍ର

 

ପ୍ରଥମ ପରିଚ୍ଛେଦ

ଗୋଦାରୀଶଙ୍କ ବ୍ୟକ୍ତିତ୍ଵର ବିକାଶ : ଗୋପବନ୍ଧୁ ଓ ସତ୍ୟବାଦୀ

ଦ୍ୱିତୀୟ ପରିଚ୍ଛେଦ

ଜୀବନ ଓ ସାଧନା : ଶିକ୍ଷାର୍ଥୀ ଜୀବନ, ଶିକ୍ଷକ ଜୀବନ, ସମାଜସେବୀ ଜୀବନ, ରାଜନୀତିକ ଜୀବନ, ପାରିବାରିକ ଜୀବନ, ସାହିତ୍ୟ ସାଧନାର ପୃଷ୍ଠଭୂମି

ତୃତୀୟ ପରିଚ୍ଛେଦ

ସାରସ୍ଵତ ପ୍ରତିଭାର ଆକଳନ : କବି ଗୋଦାବରୀଶ, କବିତା ବିଭାଗ : ଗୀତିକବିତା ଗାଥାକବିତା, ସମ୍ବୋଧଗୀତିକା, ଚତୁର୍ଦ୍ଦଶପଦୀ କବିତା, ଶୋକଗୀତିକା, କବିତାର ଉପାଦାନ : ମାନବ ବନ୍ଦନା, ଜାତୀୟତା, ପ୍ରକୃତି ପ୍ରାଣତା, ପ୍ରେମ ଭାବନା, ଇତିହାସବୋଧ

ଚତୁର୍ଥ ପରିଚ୍ଛେଦ

ନାଟ୍ୟକାର ଗୋଦାବରୀଶ, ପୁରୁଷୋତ୍ତମ ଦେବ, ପୁରୁଷୋତ୍ତମ ଦେବ ନାଟକର ସ୍ୱାତନ୍ତ୍ର୍ୟ, ମୁକୁନ୍ଦ ଦେବ, ମୁକୁନ୍ଦ ଦେବ ନାଟକର ସ୍ୱାତନ୍ତ୍ର୍ୟ, ନାଟକର ରୂପବିଭବ : ଜାତୀୟତାବୋଧ, ମାନବତାବାଦ, ମଞ୍ଚୋପଯୋଗିତା

ପଞ୍ଚମ ପରିଚ୍ଛେଦ

ଗାଳ୍ପିକ ଗୋଦାବରୀଶ, ସାମାଜିକ ସଂସ୍କାରମୂଳକ ଗଳ୍ପ, ପାରିବାରିକ ସମସ୍ୟାଧର୍ମୀ ଗଳ୍ପ, ପ୍ରଣୟ ପ୍ରଧାନ ଗଳ୍ପ, ରାଜନୀତିକ ଚେତନାଧର୍ମୀ ଗଳ୍ପ, ଚରିତ୍ର ପ୍ରଧାନ ଗଳ୍ପ

ଷଷ୍ଠ ପରିଚ୍ଛେଦ

ଔପନ୍ୟାସିକ ଗୋଦାବରୀଶ, ଘଟାନ୍ତର, ଅଭାଗିନୀ, ଅଠର ଶହ ସତର, ନିର୍ବାସିତ, ଆହରଣରେ ସମୀକରଣ, ଇତିହାସର ପଦଧ୍ୱନି, ଜାତୀୟତାବୋଧ

ସପ୍ତମ ପରିଚ୍ଛେଦ

ପ୍ରାବନ୍ଧିକ ଗୋଦାବରୀଶ, ଜାତୀୟ ରାଜନୀତିକ ସମସ୍ୟା ସଂବଳିତ ପ୍ରବନ୍ଧ, ଜୀବନୀ ମୂଳକ ପ୍ରବନ୍ଧ, ବିଶ୍ଲେଷଣାତ୍ମକ ବା ବର୍ଣ୍ଣନାଧର୍ମୀ ପ୍ରବନ୍ଧ, ଲେଖକ ଜୀବନର ସ୍ମୃତି ଓ ଅନୁଭୂତି ମୂଳକ ପ୍ରବନ୍ଧ, ଓଡ଼ିଶା ସଂକ୍ରାନ୍ତୀୟ ବିବୃତ୍ତି ମୂଳକ ପ୍ରବନ୍ଧ, ଭାଷଣ ଓ ଅଭିଭାଷଣଧର୍ମୀ ପ୍ରବନ୍ଧ, ସ୍ନେହ ଓ କର୍ତ୍ତବ୍ୟ ଉପରେ ଆଧାରିତ ପ୍ରବନ୍ଧ, ଶିଶୁ ମନରେ ଆଦର୍ଶ, କୌତୂହଳ ଓ ଜିଜ୍ଞାସା ଉଦ୍ରେକକାରୀ ପ୍ରବନ୍ଧ, ଆତ୍ମଜୀବନୀ, ଉପସଂହାର

Image

 

ପ୍ରଥମ ପରିଚ୍ଛେଦ

ଗୋଦାବରୀଶଙ୍କ ବ୍ୟକ୍ତିତ୍ୱର ବିକାଶ ଗୋପବନ୍ଧୁ ଓ ସତ୍ୟବାଦୀ

 

ଗୋଦାବରୀଶ ମିଶ୍ରଙ୍କ (୧୮୮୬ - ୧୯୫୬) ବ୍ୟକ୍ତିତ୍ଵର ବିକାଶ ସତ୍ୟବାଦୀ ବନବିଦ୍ୟାଳୟ ଓ ତହିଁର ନିର୍ମାତା ଶିକ୍ଷକ ଗୋପବନ୍ଧୁଙ୍କ ସଂସର୍ଗ ଯୋଗୁଁ ଘଟିଥିଲା । ୧୯୦୯ ମସିହାରେ ଏହି ବିଦ୍ୟାଳୟର ଜନ୍ମ । ମାତ୍ର ଏହା ପୂର୍ବରୁ ଗୋପବନ୍ଧୁ ଇଂଲଣ୍ଡର ଇଟନ୍‌, ଓ ହାରୋ ଏବଂ ୧୮୭୯ ମସିହାରେ ମହାରାଷ୍ଟ୍ରର ସାତଜଣ ଉଚ୍ଚଶିକ୍ଷିତ, ସ୍ଵାଧୀନତାପ୍ରେମୀ ଯୁବଶକ୍ତିଙ୍କ ପ୍ରତିଷ୍ଠିତ ଡେକାନ୍‌ ଏଜୁକେଶନ ସୋସାଇଟି ସମ୍ପର୍କରେ ଅବହିତ ହୋଇଥିଲେ । ଶ୍ରୀ ଗୋପାଳ କୃଷ୍ଣ ଗୋଖଲେଙ୍କଦ୍ଵାରା ପ୍ରତିଷ୍ଠିତ ଫର୍ଗୁସନ କଲେଜର ଉଦ୍ଦେଶ୍ୟ ସମ୍ପର୍କରେ ‘ନ୍ୟୁ ଇଣ୍ଡିଆ ନାମକ’ ଇଂରାଜୀ ଖବର କାଗଜରୁ ପଢ଼ିଥିଲେ । ଏତେବେଳକୁ ଗୋପବନ୍ଧୁ ପୁରୀ ଜିଲ୍ଲାସ୍କୁଲର ଛାତ୍ର ଥିଲେହେଁ ପୁରୀର ପ୍ରଖାତ ଦେଶସେବୀ ମୁକ୍ତାର ରାମ ଚନ୍ଦ୍ର ଦାସଙ୍କ ପ୍ରେରଣାରେ ଭାରତୀୟ ଜାତୀୟ ଜୀବନର ଉନ୍ନତି କଳ୍ପେ ଓଡ଼ିଶାବାସୀଙ୍କୁ ଅନୁପ୍ରାଣିତ କରିବା ପାଇଁ ସେହିପରି ଗୋଟିଏ ଶିକ୍ଷା ସଂଗଠନ ଗଢ଼ିବାର ପରିକଳ୍ପନା କଲେ । ୧୯୦୩-୦୪ ବେଳକୁ ସେ ରେଭେନ୍ସା କଲେଜରୁ ବି.ଏ, ପାସ୍‌କରି କଲିକତାରେ ଓକିଲାତି ପଢ଼ିବାକୁ ଗଲେ । କଲିକତାରେ ପଢ଼ୁଥିବାବେଳେ ମଝିରେ ମଝିରେ ଯେବେ ଛୁଟି ହୁଏ, ସେ ଭୁବନେଶ୍ୱର ଚାଲିଆସନ୍ତି । ପୁରୀ ଜିଲ୍ଲାର ପଣ୍ଡିତ ବାସୁଦେବ ରଥ, କାବ୍ୟତୀର୍ଥ ଭୁବନେଶ୍ୱରଠାରେ ‘ବିଦ୍ୟାଭୂଷଣ ଟୋଲ’ ନାମକ ଏକ ସଂସ୍କୃତ ବିଦ୍ୟାଳୟରେ ଶିକ୍ଷକ ଥିଲେ । ସେ ଥିଲେ ରାମଚନ୍ଦ୍ର ଦାସଙ୍କର ଅତି ଘନିଷ୍ଠ ବନ୍ଧୁ । ବାସୁଦେବଙ୍କ ମାଧ୍ୟମରେ ଗୋପବନ୍ଧୁ ରାମଚନ୍ଦ୍ରଙ୍କର ଆପଣାର ହୋଇ ତାଙ୍କ ସହିତ ମିଶି ସଂସ୍କୃତ ଟୋଲରେ ଛୁଟିଦିନମାନଙ୍କରେ ନାନା ଆଲୋଚନା କରୁଥିଲେ । ଛାତ୍ରମାନଙ୍କ ସହିତ କେଦାର ଗୌରୀ ପୁଷ୍କରିଣୀରେ ସ୍ନାନ କରିବା, ଲିଙ୍ଗରାଜ ଦେବଙ୍କୁ ଦର୍ଶନ କରିବା ଛଡ଼ା ସଂସ୍କୃତ ଟୋଲରେ ବସି ଓଡ଼ିଶାରେ ଆଧୁନିକ ଇଂରାଜୀ ଶିକ୍ଷା ପ୍ରବର୍ତ୍ତନ କରି ଯୁବଶକ୍ତିକୁ ଶିକ୍ଷିତ ଓ ସଙ୍ଗଠିତ କରିବାପାଇଁ ଗୋଟିଏ ଇଂରାଜୀ ସ୍କୁଲ ପ୍ରତିଷ୍ଠା କରିବା କଥା ବିଚାର କରୁଥିଲେ । ଏହି ସମୟରେ ବଙ୍ଗଦେଶର ବିପ୍ଲବୀ ଯୁବକମାନଙ୍କ ଗଠିତ ‘ଅନୁଶୀଳନ ସମିତି’ର ସଭ୍ୟ ଥିବା ଶଶିଭୂଷଣ ରାୟ ଚୌଧୁରୀ ପୂରୀରେ ଆସି ଅଜ୍ଞାତବାସ କରୁଥିଲେ । ସ୍ଵଦେଶୀ ଆନ୍ଦୋଳନ ଓ ସନ୍ତ୍ରାସବାଦୀ ଯୁବଗୋଷ୍ଠୀର ସଭ୍ୟଥିବାରୁ ଏହାଙ୍କୁ ପୋଲିସ୍‌ ତଲାସ କରୁଥିଲେ । ଘଟଣା ଚକ୍ରରେ ଏହାଙ୍କ ସହିତ ଗୋପବନ୍ଧୁଙ୍କର ପରିଚୟ ହେଲା ଓ ଉଭୟ ଭୁବନେଶ୍ୱରରେ କିଛି ସମୟ କଟାଇଲେ । ଭୁବନେଶ୍ୱର ନିକଟସ୍ଥ ସୁନ୍ଦରପଦା ଗ୍ରାମର ପଣ୍ଡିତ ସୁଦର୍ଶନ ନନ୍ଦଙ୍କର ପଣ୍ଡିତ ବାସୁଦେବ ରଥଙ୍କ ସହିତ ବନ୍ଧୁତା ଥିଲା । ଏମାନେ ସଂସ୍କୃତ ପଣ୍ଡିତ ଥିଲେ ହେଁ ଆଧୁନିକ ଶିକ୍ଷା ଓ ଶିଷକତା ସମ୍ପର୍କରେ ବେଶ୍‌ ଅବଗାହୀ ଥିଲେ । ଫଳରେ ଏ ଦୁହିଙ୍କ ପରାମର୍ଶ କ୍ରମେ ଗୋପବନ୍ଧୁ, ରାମଚନ୍ଦ୍ର ଦାସ ଓ ଶଶିଭୂଷଣ ରାୟ ଚୌଧୁରୀ ଭୁବନେଶ୍ୱରଠାରେ ‘ଏକାମ୍ର ଏକାଡ଼େମୀ’ ନାମରେ ଏକ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କଲେ । ଶଶିଭୂଷଣ ଏଥିରେ ପ୍ରଧାନ ଶିକ୍ଷକରୂପେ କାର୍ଯ୍ୟକଲେ, ମାତ୍ର କିଛି ଦିନ ପରେ ଛଦ୍ମବେଶୀ ବିପ୍ଲବୀ ଯୁବକ ଶଶିଭୂଷଣଙ୍କ ସଂପର୍କରେ ସରକାରଙ୍କ ଗୋଇନ୍ଦା ପୋଲିସ ଜାଣିପାରି ତାଙ୍କ ବିରୋଧରେ ଓ ବିଦ୍ୟାଳୟର କର୍ମକର୍ତ୍ତାଙ୍କ ସମ୍ପର୍କରେ ଗୁପ୍ତ ରିପୋର୍ଟ ପ୍ରସ୍ତୁତ କରିବା ଜାଣି ଶଶିଭୂଷଣ ଏଠାରୁ ଅନ୍ତର୍ଦ୍ଧାନ ହୋଇ ଚାଲିଗଲେ ।

ଏକାମ୍ର ଏକାଡ଼େମୀ ମୁରବୀ ଓ ସୁପରିଚାଳନା ଅଭାବରୁ ଭାଙ୍ଗିଗଲା । ସାମୟିକ ଭାବରେ ଶିକ୍ଷାନୁରାଗୀ ଗୋପବନ୍ଧୁ ଭାଙ୍ଗି ପଡ଼ିଲେ ମଧ୍ୟ ନିଷ୍ଠା ଓ ଆଗ୍ରହ ଫଳରେ ସେ ନୀଳକଂଠ ଦାସ, ହରିହର ଦାସ, ଅନନ୍ତ ମିଶ୍ର, ଜଗନ୍ନାଥ ମହାପାତ୍ର ଏବଂ ପରେ କୃପାସିନ୍ଧୁ ମିଶ୍ର ଓ ବ୍ରଜ ସୁନ୍ଦର ଦାସଙ୍କ ସହିତ ଆଲୋଚନା କରି ମହାରାଷ୍ଟ୍ରର ‘ଦାକ୍ଷିଣାତ୍ୟ ଶିକ୍ଷା ସମିତି’ ଭଳି ଓତିଶାରେ ‘ବିଶ୍ଵ ଶିକ୍ଷା ସମିତି’ ନାମରେ ଏକ ଅନୁଷ୍ଠାନ ଗଢ଼ିବାର ପରିକଳ୍ପନା କଲେ ଏବଂ ବଙ୍ଗଳାରେ ଶ୍ରୀ ଅରବିନ୍ଦ ପ୍ରବର୍ତ୍ତିତ ସ୍ଵଦେଶୀ ଆନ୍ଦୋଳନ ଓ ବନ୍ଦେ ମାତରମ୍‌ ଆନ୍ଦୋଳନ ମାଧ୍ୟମରେ ଯୁବଶକ୍ତିକୁ ସଙ୍ଗଠିତ କରିବା ପାଇଁ ସଂକଳ୍ପ ନେଲେ । ଏମାନେ କଲେଜ ଛାତ୍ର ଥିଲେ ମଧ୍ୟ ସଂକଳ୍ପକୁ ବାସ୍ତବାୟିତ କରିବା ପାଇଁ ଅବସର ସମୟରେ ଦେଶରେ ସ୍ୱଦେଶୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ଓ ଯୁବକମାନଙ୍କୁ ଶିକ୍ଷାଦେବା ସଙ୍ଗେ ସଙ୍ଗେ ଆଖଡ଼ାରେ ଶାରୀରିକ ବ୍ୟାୟାମ ଓ ଲାଠିଖେଳ ପ୍ରଭୃତି ଶିଖାଇଲେ । ଏପରିକି ଗେରୁଆ ଲୁଗା ଓ କୁରୁତା ପିନ୍ଧି ମୁଣ୍ଡରେ ଗେରୁଆ ଠେକା ବାନ୍ଧି ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ବୁଲି ଯୁବକମାନଙ୍କୁ ସଙ୍ଗଠିତ ଏବଂ ଅନୁପ୍ରାଣିତ କରାଇବାରେ ଲାଗିଲେ । ଏତିକିବେଳେ ଏମାନେ ପ୍ରତିଜ୍ଞା କଲେ ସତ୍ୟବାଦୀରେ ଗୋଟିଏ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବେ । ସେଠାରେ ଜାତୀୟ ପଦ୍ଧତିରେ ଶିକ୍ଷା ଦିଆଯିବ ଓ ଯୁବକମାନେ ଇଂରାଜୀ ଶିକ୍ଷା ମଧ୍ୟ ଲାଭ କରିବେ । ଭକ୍ତକବି ମଧୁସୂଦନ ରାଓ ଏହାକୁ ସମର୍ଥନ ଜଣାଇଲେ । ୧୯୦୭ ମସିହାରେ ଗୋପବନ୍ଧୁ କଲିକତାରୁ ଓକିଲାତି ପାଶ୍‌ କରି ମୟୂରଭଞ୍ଜ ନିକଟବର୍ତ୍ତୀ ନୀଳଗିରି ରାଜ୍ୟରେ ତାଙ୍କ ‘ବିଶ୍ୱ ଶିକ୍ଷା ସମିତି’ ଆନୁକୂଲ୍ୟରେ ଗୋଟିଏ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନୀଳଗିରି ରାଜାଙ୍କ ସାହାଯ୍ୟ ପାଇଥିଲେ ଓ ସ୍କୁଲ ପ୍ରତିଷ୍ଠା ହେବାପରେ ସେ ଏହାର ପ୍ରଧାନ ଶିକ୍ଷକ, ହରିହର ଓ ବାଲେଶ୍ଵରର ଉମାଚରଣ ଦାସ ଏହାର ସହଶିକ୍ଷକ ରହିଲେ । ମାତ୍ର ଚାରିମାସ ପରେ ଗୋପବନ୍ଧୁ ଏହାକୁ ଛାଡ଼ିଦେଇ ଚାଲି ଆସିଲେ ଓ ଉମାଚରଣ ଦାସ ଏହାର ପ୍ରଧାନ ଶକ୍ଷକ ହେଲେ-। ୧୯୦୯ ମସିହାରେ ଗୋପବନ୍ଧୁ, ହରିହର ଦାସ, ନୀଳକଂଠ ଦାସ ଏବଂ ଶ୍ରୀରାମଚନ୍ଦ୍ରପୁରର ଗୋପବନ୍ଧୁଙ୍କ ବନ୍ଧୁ ଗୋପୀନାଥ ଦାସ ସତ୍ୟବାଦୀରେ ଗୋଟିଏ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କଳ୍ପନା କଲେ ଓ ସେହିବର୍ଷ ଅଗଷ୍ଟ ମାସ ୧୨ ତାରିଖରେ ଏହା ସାକାର ରୂପ ଗ୍ରହଣ କଲା । ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ମୂଳରେ ଗୋପବନ୍ଧୁଙ୍କର ନିଷ୍ଠା ଓ ତ୍ୟାଗ ଅସୀମ । ପ୍ରଥମେ ଏ ବିଦ୍ୟାଳୟରେ ୧୯ଜଣ ଛାତ୍ର ନାମ ଲେଖାଇଲେ । ବର୍ଷା ଦିନେ ସାକ୍ଷୀଗୋପୀନାଥଙ୍କ ମନ୍ଦିର ଚତ୍ୱରରେ ଓ ଅନ୍ୟଦିନମାନଙ୍କରେ ମନ୍ଦିରର ବଗିଚାରେ ଥିବା ଛୁରିଅନା ଓ ବକୁଳ ଗଛମୂଳରେ ବିଦ୍ୟାଳୟର ଶ୍ରେଣୀ ଚାଲୁରହିଲା । ଏହା ପୂର୍ବରୁ ଗୋଦାବରୀଶ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବାବେଳେ ଶଶିଦା’ଙ୍କ ପାଖରେ ଗୋପବନ୍ଧୁଙ୍କୁ ଦେଖିଥିଲେ ଓ ତାଙ୍କୁ ଗୋପବନ୍ଧୁଙ୍କ ବକ୍ତୃତା ଶୁଣିବାର ସୁଯୋଗ ମିଳିଥିଲା । ବକ୍ତୃତାର ଶୈଳୀ ଓ ଯୁକ୍ତିବାଦିତା ତଥା ସ୍ଵଦେଶ ପ୍ରେମର ଉଦ୍‌ଘୋଷଣାରେ ଗୋଦାବରୀଶ ଉଦ୍‌ବୁଦ୍ଧ ହୋଇଥିଲେ ନିଜ ଭବିଷ୍ୟତ କର୍ମପନ୍ଥା ସମ୍ପର୍କରେ ଜଣାଇ ସେ ଗୋପବନ୍ଧୁଙ୍କୁ ମଧ୍ୟ ଚିଠି ଲେଖୁଥିଲେ ଓ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ଭବିଷ୍ୟତ ସ୍ଥିର କରୁଥିଲେ ।

୧୯୧୩ ମସିହାରେ ଗୋଦାବରୀଶ ଅର୍ଥନୀତିରେ ଏମ୍‌.ଏ.ପାଶ୍‌ କରିବାପରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗ ଦିଅନ୍ତୁ ବୋଲି ଗୋପବନ୍ଧୁ ଚାହୁଁଥିଲେ । ଏହାକୁ ଏଡ଼ାଇ ନପାରି ଅନ୍ୟ ଚାକିରିର ମୋହ ତ୍ୟାଗକରି ଗୋଦାବରୀଶ ୧୯୧୩ ରେ ଏଥିରେ ଯୋଗଦେଲେ । ପୂର୍ବରୁ ଆଚାର୍ଯ୍ୟ ହରିହର ଓ ନୀଳକଂଠ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଗୋଦାବରୀଶ ବିଦ୍ୟାଳୟର ଶିକ୍ଷକ ଭାବରେ ଯୋଗଦେବାପରେ ଗୋପବନ୍ଧୁଙ୍କ ତ୍ୟାଗ ଓ କଷ୍ଟକଥା ସବୁ ଜାଣିଲେ, ଦୁଃଖରେ ହତବାକ୍‌ହେବା ସହିତ ଆନନ୍ଦରେ ଆତ୍ମହରା ହେଲେ । ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ନିଜକୁ ସେହିପରି ହେବାକୁ ଚେଷ୍ଟାକଲେ । ଯଥାର୍ଥରେ ଗୋପବନ୍ଧୁଙ୍କ ଜୀବନାଦର୍ଶ ଗୋଦାବରୀଶଙ୍କ ଭବିଷ୍ୟତ ଜୀବନର ନିୟାମକ ହେଲା । ନିଜେ ଗରିବ, କପର୍ଦ୍ଦକ ଶୂନ୍ୟ ହୋଇଥିଲେ ହେଁ ଗୋପବନ୍ଧୁଙ୍କ ସହିତ ଥିବାବେଳେ ନିଜକୁ ସବୁଠାରୁ ଧନୀଶ୍ରେଣୀର ବୋଲି ସେ ମଣନ୍ତି । ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱର ଅମଳିନ ସ୍ପର୍ଶ ତାଙ୍କୁ ମହାନ୍‌ କରିଥିବାରୁ ଗୋଦାବରୀଶ ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ଲେଖିଛନ୍ତି - ‘ଗୋପବନ୍ଧୁ ଏ ଭବ ପାରାବାରରେ ମୋ କ୍ଷୁଦ୍ର ଜୀବନର କର୍ଣ୍ଣଧାର । ମୋ ପ୍ରାଣର ଉପାସ୍ୟ ଦେବତା । ଦୁର୍ବଳ ମୁହୂର୍ତ୍ତ ମାନଙ୍କରେ ଆଜି ସୁଦ୍ଧା ମୁଁ ତାଙ୍କରି ମୂର୍ତ୍ତି ଆଖି ଆଗରେ କଳ୍ପନାରେ ରଖି ସାନ୍ତ୍ୱନା ପାଏ । ଗୋପବନ୍ଧୁଙ୍କ ପରି ସୁହୃଦ, ପଥ ପ୍ରଦର୍ଶକ ଓ ଦର୍ଶନ-ଗୁରୁ ନିତାନ୍ତ ବିରଳ ।’ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରେ ପରିଣତ ବୟସର ଅଭିବ୍ୟକ୍ତି ଭାବରେ ଗୋଦାବରୀଶ ଗର୍ବର ସହିତ ଲେଖିଛନ୍ତି ‘ମଣିଷ ଜୀବନ ସର୍ବସ୍ୱ ହରାଇ, ଦାଣ୍ଡର ଭିକାରୀ ହେବ ତ, ହେବ ଗୋପବନ୍ଧୁଙ୍କ ପରି ପୁରୁଷଙ୍କ ସାଙ୍ଗରେ ପଡ଼ି ।’ ସତ୍ୟବାଦୀ ବନ ବିଦ୍ୟାଳୟର ଉଦ୍ଦେଶ୍ୟ ଥିଲା ଅତ୍ୟନ୍ତ ମହାନ୍‌ । ପ୍ରାଚ୍ୟ ସଭ୍ୟତା ଓ ସଂସ୍କୃତିର ଭିତ୍ତି ଉପରେ, ଆଧୁନିକ ଶିକ୍ଷ। ମାଧ୍ୟମରେ ଦେଶର ଯୁବକ ଓ ଛାତ୍ରଛାତ୍ରୀମାନେ କିପରି ସୁଶିକ୍ଷିତ, ସୁସଂଗଠିତ, ଶୃଙ୍ଖଳିତ ଅଥଚ ନିଃସ୍ୱାର୍ଥପର, ସ୍ୱଦେଶପ୍ରେମୀ, ସେବାପରାୟଣ ତଥା ସୁସ୍ଥସବଳ, କର୍ମଠ, କର୍ତ୍ତ୍ୟବ୍ୟପରାୟଣ ହେବେ ଓ କଳା କୌଶଳ, କାରିଗରୀ ଶିଳ୍ପ କ୍ଷେତ୍ରରେ ତାଲିମପ୍ରାପ୍ତ, ଚରିତ୍ରବାନ ସୁନାଗରିକରୂପେ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଜୀବନରେ ପ୍ରତି ଭାର ବିକାଶ କରି ପାରିବେ, ସେହି ଦୃଷ୍ଟିରୁ ଏହି ବିଦ୍ୟାଳୟର ପାଠ୍ୟକ୍ରମ, ଶିକ୍ଷା ବ୍ୟବସ୍ଥାର ଅନୁକୂଳ ଥିଲା । ମଣିଷ ମନରୁ କୁସଂସ୍କାର ଦୂରକରି ଏକତା ଓ ମାନବିକତାର ବିକାଶ ପାଇଁ ତରୁଣ ମାନଙ୍କର କିପରି ଆଗ୍ରହ ସୃଷ୍ଟି ହେବ ସେଥି ପାଇଁ ବ୍ୟବସ୍ଥା କରାଯାଉଥିଲା । ସେହି ଲକ୍ଷ୍ୟରେ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତ୍ର ଭୋଜନ, ଏକତ୍ର ବସବାସ ଓ ଏକତ୍ର କୃଷି ଏବଂ ଶିଳ୍ପ କ୍ଷେତ୍ରରେ ଶ୍ରମଦାନ ଦ୍ଵାରା ନିଜକୁ ଓ ଦେଶକୁ ଉପକୃତ କରାଇବାର ପଣ କରୁଥିଲେ । ଏଣୁ ବିଦ୍ୟାଳୟର ଆଦର୍ଶରୁ ଏହା ସ୍ପଷ୍ଟ ଯେ, ଏହା ଥିଲା ମଣିଷ ତିଆରି ଏକ କାରଖାନା । ଯୁବକ ଗୋଦାବରୀଶ ଗୋପବନ୍ଧୁ ଓ ବନବିଦ୍ୟାଳୟର ଆଦର୍ଶକୁ ପୁଞ୍ଜି କରି ସମଗ୍ର ଜୀବନ ବିତାଇଦେବାକୁ ଚେଷ୍ଟା କରିଥିଲେ । ଏଣୁ ତାଙ୍କ ଜୀବନର ମହତ୍‌ ଆକାଂକ୍ଷା ଅଚିରେ ପୂରଣ ହୋଇ ପାରିଛି । ସତ୍ୟବାଦୀ ବନବିଦ୍ୟାଳୟକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଆଭିମୁଖ୍ୟ ପରବର୍ତ୍ତୀ ସମୟରେ ଏକ ଯୁଗାଦର୍ଶ ଭାଵରେ ବିବେଚିତ । ଏହାର ଭାରତୀୟତାବୋଧ, ଇତିହାସ ପ୍ରତି ଦୃଷ୍ଟିଭଂଗୀ, ସାମାଜିକ ଆବେଦନ, ସାଂସ୍କୃତିକ ଚେତନା, ମାନବତାବାଦ, ଜାତୀୟତାବାଦ ଆଦି ଥିଲା ଏଠା ସାଧକଙ୍କର ମୁଖ୍ୟ ଉଦ୍ଦେଶ୍ୟ ।

ଊନବିଂଶ ଶତାବ୍ଦୀର ଶେଷ ପାଦରେ ବଙ୍କିମଚନ୍ଦ୍ରଙ୍କ ‘ବନ୍ଦେ ମାତରମ୍‌’ ଥିଲା ମହାଭାରତୀୟ ଜାତୀୟତା ବୋଧର ବୀଜମନ୍ତ୍ର । ଗୋପବନ୍ଧୁ ଓଡ଼ିଶାରେ ଥିଲେ ଏହି ଚେତନାର ଅଗ୍ରଦୂତ । ଉତ୍କଳ ଜନନୀର ସେବାକୁ ମହାମନ୍ତ୍ର ରୂପେ ଗ୍ରହଣ କରି ମହାଭାରତୀୟ ଭାବରେ ଅନୁପ୍ରାଣିତ ହେବାପାଇଁ ଗୋପବନ୍ଧୁଙ୍କ ଆହ୍ୱାନରେ ଅନ୍ୟ ଯେଉଁ ଚାରିଜଣ ରଥୀ ଆଗେଇ ଆସିଥିଲେ ସେମାନେ ହେଲେ ନୀଳକଂଠ, ଗୋଦାବରୀଶ, କୃପାସିନ୍ଧୁ ଓ ହରିହର ପ୍ରମୁଖ । ଏମାନଙ୍କ ଉତ୍କଳ ପ୍ରୀତି ମହାଭାରତୀୟ ଭାବଧାରାରୁ ଭିନ୍ନ ନଥିଲା । ଉତ୍କଳର ଭାଷା, ସାହିତ୍ୟର ଉନ୍ନତି ଲାଗି ବିହିତ ପଦକ୍ଷେପ ସହିତ ଜାତି ଗଠନ ପାଇଁ ଉତ୍କଳ ସମ୍ମିଳନୀ ଯେଉଁ ଭୂମିକା ପାଳନ କରିଥିଲା ‘ସତ୍ୟବାଦୀ’ ପତ୍ରିକା ଥିଲା ତାର ଆହ୍ୱାନ । ଇତିହାସ ପ୍ରତି ଥିବା ନିରପେକ୍ଷ ଦୃଷ୍ଟିଭଙ୍ଗୀ ସତ୍ୟବାଦୀ ସାଧକଙ୍କର ଅନ୍ୟତମ ସୁବିଚାର । ଏମାନେ ପ୍ରାଚୀନ କିମ୍ବଦନ୍ତୀ ଓ ଇତିହାସକୁ ଅନୁସରଣ କରି ଜଡ଼ ଓ ସୁପ୍ତ ଜାତିକୁ ଦେଇଛନ୍ତି ବଞ୍ଚିବାର ପ୍ରେରଣା । ଦେଶବାସୀଙ୍କୁ ଜାଗ୍ରତ କରାଇଛନ୍ତି ଅତୀତର ବୀରପୁରୂଷଙ୍କ ଦେଶପ୍ରେମର ଉଦାହରଣ ଦେଇ । ଇତିହାସର ପୃଷ୍ଠଭୂମିରେ ଆଧାରିତ ଗୋଦାବରୀଶଙ୍କ ‘ପୁରୁଷୋତ୍ତମ ଦେବ’ ଓ ‘ମୁକୁନ୍ଦ ଦେବ’ ନାଟକ ଓଡ଼ିଶା ଇତିହାସର ଗୌରବମୟ ଘଟଣାର ମୂକସାକ୍ଷୀ ସଦୃଶ । ନୀଳକଂଠଙ୍କ ‘କୋଣାର୍କେ’ କାବ୍ୟ ଓ କୃପାସିନ୍ଧୁଙ୍କର ‘କୋଣାର୍କ’ ଗଦ୍ୟ ଇତିହାସ ସମର୍ଥିତ । ସମାଜର ଉନ୍ନତିକଳ୍ପେ ସତ୍ୟବାଦୀ ସ୍ରଷ୍ଟାଗଣଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ଏହି ଚିନ୍ତାଧାରାରେ ଦେଶବାସୀଙ୍କ ପାଇଁ ନିଃସ୍ଵାର୍ଥ ସେବାକରିବା ଲାଗି ସତ୍ୟବାଦୀ ବିଦ୍ୟାଳୟର ପ୍ରତିଷ୍ଠା ଓ ଏହାର ଫଳସ୍ଵରୂପ ଗୋପବନ୍ଧୁଙ୍କର ମାନବ ସେବା ହୋଇ ଯାଇଥିଲା ସତ୍ୟବାଦୀ ଚେତନାର ଅନ୍ୟତମ ଆଦର୍ଶ । ଶିକ୍ଷା ଓ ସଂସ୍କୃତିଚେତା ସତ୍ୟବାଦୀର ସାଧକଗଣ ଦେଶ ମିଶ୍ରଣ ଆନ୍ଦୋଳନ ଜରିଆରେ ଆଞ୍ଚଳିକ ମନୋଭାବକୁ ଦୂର କରିବାକୁ ଆହ୍ଵାନ ଦେଉଥିଲେ-। ଅସ୍ପୃଶ୍ୟତା ନିବାରଣ, ସୂତା କାଟିବା, ହିନ୍ଦୁ ମୁସଲମାନ ଏକତା ପ୍ରତିଷ୍ଠା ପ୍ରତି ସଚେତନ ରହି ସାଂସ୍କୃତିକ ଜାଗରଣ ପ୍ରତି ସଚେତନ ଥିଲେ ଏମାନେ । ସତ୍ୟବାଦୀ ବନବିଦ୍ୟାଳୟର ଉଦ୍ଦେଶ୍ୟ ଥିଲା ବିଶ୍ଵଧର୍ମର ପ୍ରତିଷ୍ଠା ଓ ସ୍ୱଦେଶ ସଂସ୍କୃତି ପ୍ରତି ଶ୍ରଦ୍ଧା ନିବେଦନ । ପଣ୍ଡିତ ଗୋପବନ୍ଧୁଙ୍କର ‘ଧର୍ମପଦ’ ଭୀରତୀୟ ସଂସ୍କୃତି ଆଧାରିତ ଏକ କାବ୍ୟ । ବାଳକ ଧର୍ମପଦର ଜୀବନୋତ୍ସର୍ଗ ଓ ମନ୍ଦିରର ସୌନ୍ଦର୍ଯ୍ୟ ପ୍ରତିଷ୍ଠା ଚିନ୍ତାଧାରା ଭାରତୀୟ ସଂସ୍କୃତିର ପରମ୍ପରାକୁ ଚେତାଇ ଦିଏ । ନୀଳକଂଠ ଓ ଗୋଦାବରୀଶଙ୍କ ସାଂସ୍କୃତିକ ଚେତନା ମଧ୍ୟରେ ସହାନୁଭୂତି ଓ ସମ୍ବେଦନା ନେଇଛି ଗୁରୁତ୍ଵପୂର୍ଣ୍ଣ ଭୂମିକା । ଦୟା, ପ୍ରେମ, କ୍ଷମା ପ୍ରଦର୍ଶନରେ ସତ୍ୟବାଦୀ ସ୍ରଷ୍ଟାଗଣ ଥିଲେ ଅନନ୍ୟ । ଅନ୍ୟଭାବରେ, ମନୁଷ୍ୟ ଜୀବନରେ ମାନବିକତା ସୁଲଭ ପ୍ରେମ ପ୍ରୀତିର ସୁବାସ ପରିସ୍ପୁଟନ ପାଇଁ ଏମାନେ ଥିଲେ ବ୍ରତୀ । ଗୋପବନ୍ଧୁ ଗୃହବନ୍ଧନରୁ ମୁକ୍ତ ହୋଇ ଓଡ଼ିଶାର କୋଟି କୋଟି ନିର୍ଯ୍ୟାତିତ ଓ ଦୁଃଖୀମାନଙ୍କର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ମତରେ- ‘ଜନସେବା ହିଁ ଈଶ୍ୱର ସେବା । ଜୀବେ ଦୟା ହିଁ ବିଧାତାଙ୍କର ପୂଜ୍ୟ ।’ ମାନବିକ ମହତ୍ତ୍ୱର ଐଶ୍ୱର୍ଯ୍ୟ ଗୋଦାବରୀଶଙ୍କ କାବ୍ୟକବିତାରେ ପ୍ରତୁଳ । କେତେବେଳେ ତାଙ୍କ କବିତା ବ୍ୟକ୍ତିମୁଖୀ ମାନବିକତାର ଆଦର୍ଶରେ ମହୀୟାନ ତ କେତେବେଳେ ପୁଣି ମାନବିକତାର ମହାବିସ୍ତାରରେ ବିଶ୍ଵ ପ୍ରୀତିର ଭାବରେ ସମୁଜ୍ଜଳ-

Image

 

ଗୋଦାବରୀଶ ମିଶ୍ର

ଦ୍ୱିତୀୟ ପରିଚ୍ଛେଦ

ଜୀବନ ଓ ସାଧନା

 

୧୮୮୬ ମସିହା ଅକ୍ଟୋବର ମାସ ୨୬ ତାରିଖରେ ପୂରୀ ଜିଲ୍ଲା ବାଣପୁର ଥାନା ଶ୍ରୀନିବାସପୁର ଶାସନର ଗୋଟିଏ ବ୍ରାହ୍ମଣ ପରିବାରରେ ଗୋଦାବରୀଶ ମିଶ୍ରଙ୍କର ଜନ୍ମ । ତାଙ୍କ ପିତାଙ୍କ ନାମ ଲିଙ୍ଗରାଜ ମିଶ୍ର ଓ ମାତାଙ୍କ ନାମ ଅପ୍‌ସରା ଦେବୀ । ଗୋଦାବରୀ ସ୍ନାନ ଯୋଗବେଳେ ତାଙ୍କ ପିତା ମାତା ସେଠାରେ ସ୍ନାନକରି ପୁତ୍ରଟିଏ ପାଇଁ ମାନସିକ କରିଆସିଥିଲେ । ଏହା ପରେ ପରେ ଗୋଦାବରୀଶଙ୍କ ଜନ୍ମ । ୧୮୮୫ ମସିହାରେ ଏହି ସ୍ନାନଯୋଗ ପଡ଼ିଥିବାରୁ ତାଙ୍କ ଜନ୍ମ ମସିହାକୁ ୧୮୮୬ ବୋଲି ଧରାଯାଇଥାଏ । ଜାତକ ଗଣନାରୁ ଏହା ନିର୍ଦ୍ଧାରିତ ନୁହେଁ । କାରଣ ଗାଦାବରୀଶଙ୍କୁ ୧୮ ବର୍ଷ ବୟସବେଳେ ସେ ଜାତକ ଚିରି ଫିଙ୍ଗି ଦେଇଥିଲେ । ଏହାଙ୍କ ପିଲାଦିନର ନାମ ଥିଲା ଗୋଦାବରୀ । ପରେ ଶିକ୍ଷାବିଭାଗ ପରିଦର୍ଶକ ମଧୁସୂଦନ ରାଓଙ୍କ ନିର୍ଦ୍ଦେଶକ୍ରମେ ଏହି ବାଳିକା ନାମ ‘ଗୋଦାବରୀ’ ଶେଷରେ ‘ଶ’ ଯୋଗ କରିଦିଆଯିବାରୁ ସେ ହେଲେ ଗୋଦାବରୀଶ । ପିଲାଦିନେ ଗୋଦାବରୀଶ ଅତ୍ୟନ୍ତ ଭୟାଳୁ ଥିଲେ । ଅନ୍ଧାରକୁ ସେ ଭୟ କରନ୍ତି । ସାମାନ୍ୟ ଅନ୍ଧାରୁଆ ରାସ୍ତାରେ ମଧ୍ୟ ସେ ଯାଇପାରନ୍ତି ନାହିଁ । ସବୁବେଳେ ଲୋକଙ୍କ ଦେହ ସହିତ ନିଜ ଦେହକୁ ଲଗାଇ ବସନ୍ତି । ଚତୁର୍ଦ୍ଦିଗରେ ଭୂତର ଛାୟାମୂର୍ତ୍ତି ଦେଖିବାପରି ଅନୁଭବ କରନ୍ତି । ଏମିତିକି ପ୍ରାପ୍ତ ବୟସରେ ମଧ୍ୟ ସେ ଚେଷ୍ଟାକରି ଶ୍ମଶାନ ରାସ୍ତାରେ ଯାଇପାରନ୍ତି ନାହିଁ । ଡର ସହିତ ଲାଜ ମଧ୍ୟ ତାଙ୍କ ସହଚର ଥିଲ। । ଚଉଷଠି ବର୍ଷ ବୟସରେ ମଧ୍ୟ ଏହାକୁ ଛାଡ଼ିପାରିନଥିଲେ । ଜନ୍ମରୁ ଦରିଦ୍ର ଗୋଦାବରୀଶ ବହୁ ସମୟରେ ଭୋକ ଉପାସରେ ରହି ମଧ୍ୟ ଲଜ୍ୟାଯୋଗୁଁ କାହାରିଠୁ ଖାଇବା ପାଇଁ ସାହାଯ୍ୟ ମାଗି ପାରୁନଥିଲେ । ଅନେକ ସମୟରେ ବନ୍ଧୁମାନଙ୍କର କୃପା ପାତ୍ର ହେଉଥିବାରୁ ସେ ଧୂଆଁ ପରି ଭିତରେ ଭିତରେ କୁହୁଳୁ ଥିଲେ ।

ଜୀବନ ସ୍ମୃତି ଲେଖିବାକୁ ଯାଇ ଗୋଦାବରୀଶ ତାଙ୍କ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ବହିଟିରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ବର୍ଣ୍ଣନା କରିଛନ୍ତି । ଭାଗ୍ୟବଳରେ ବଞ୍ଚିଯାଇଥିବା ତିନି ଚାରୋଟି ଘଟଣା ଅତ୍ୟନ୍ତ ସ୍ମରଣୀୟ । ପ୍ରଥମଟି ତାଙ୍କ ଦୁଇବର୍ଷ କାଳର ଘଟଣା । ଥରେ ଶୀତରାତିରେ ମାଆ ଅପ୍‌ସରା ଦେବୀ କୋଳରେ ଧରି ନିଆଁ ପୋଉଁଥିଲେ । କେତେବେଳେ ନିଦ ଲାଗିଯାଇଛି ସେ ଜାଣିପାରି ନାହାନ୍ତି । ହଠାତ ନିଦ ଭାଙ୍ଗିଗଲା ବେଳକୁ ଶିଶୁ ଗୋଦାବରୀଶ କୋଳରୁ ଯାଇ ଚୁଲିରେ ପଡ଼ିବାକୁ ଯାଉଥିବାର ସେ ଦେଖିଲେ । ଏହାକୁ ମନେ ପକାଇ ଗୋଦାବରୀଶ ସରସ ଭଙ୍ଗୀରେ ଲେଖିଛନ୍ତି ‘ଏବେ ବେଳେବେଳେ ମୋର ମନେହୁଏ’ ସେଦିନ ପ୍ରକୃତରେ ଖସି ପଡ଼ିଥିଲେ ବୋଧହୁଏ ଭଲ ହୋଇଥାଆନ୍ତା । ଅନେକ କହିଥାନ୍ତେ, ସୁନା ମୁଣ୍ଡାଏ ନିଆଁରେ ପଡ଼ିଗଲା । ଏବେ ଦିନେ ନା ଦିନେ ନିଆଁରେ ପଡ଼ିବାକୁ ହେବ । ସେତେବେଳେ ମୁଁ ନିଜେ ପଡ଼ିବି ନାହିଁ, ଆଉ ଲୋକେ ମୋତେ ନେଇ ଅହ୍ୟାରେ ଗୋବର ଘଷି ପକାଇଲା ପରି ହୁଏତ ଫିଙ୍ଗିଦେବେ । ‘ପୁରୀ-ସମୁଦ୍ର ସ୍ନାନର ଘଟଣାଟି ମଧ୍ୟ ଉଲ୍ଲେଖନୀୟ । ବି.ଏ. ପାଶ୍‌ ପରେ କେତେଦିନ ପାଇଁ ସେ ସମୁଦ୍ରକୂଳ କଡ଼ର ଆଶ୍ରମରେ ରହିଥିଲେ । ଜଣେ ବନ୍ଧୁଙ୍କ ସାଙ୍ଗରେ ପ୍ରତିଦିନ ସମୁଦ୍ରକୁ ଗାଧୋଇବାକୁ ଯାଉଥିଲେ । ଯେଉଁଦିନ ସେ ପୁରୀରୁ ଚାଲିଯିବା କଥା ସେଇଦିନ ବନ୍ଧୁଙ୍କ ଅନୁରୋଧରେ ପୁରୀରେ ରହିଲେ ଓ ତହିଁ ଆରଦିନ ସମୁଦ୍ରକୁ ସ୍ନାନ କରିବାକୁ ଗଲେ । ଅଣ୍ଟାଏ ପାଣିରେ ସ୍ନାନ କରୁଥିବାବେଳେ ହଠାତ୍‌ ସେ ଅନୁଭବ କଲେ ତାଙ୍କ ପାଦତଳୁ ବାଲି ସରିଯାଉଛି ଓ ସେ ସ୍ରୋତରେ କୂଳକୁ ନ ଆସି ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି । ବନ୍ଧୁଙ୍କର ଅବସ୍ଥା ଆହୁରି ବିପଦପୂର୍ଣ୍ଣ । ସ୍ରୋତର ପ୍ରତିକୂଳରେ ଗୋଦାବରୀଶ ପହଁରି କୂଳକୁ କେମିତି ଆସିଲେ ସେ ଜାଣି ନାହାନ୍ତି, କିନ୍ତୁ ବନ୍ଧୁଙ୍କୁ ଦେଖି ସଙ୍ଗେ ସଙ୍ଗେ ନିଜ ଲୁଗାଫେର ପକାଇ ସେ ଉବୁଟୁବୁ ଅବସ୍ଥାରୁ କୌଣସି ମତେ ଉଦ୍ଧାରିଲେ ଓ ଦୁହେଁ କୂଳରେ ଯାଇ ମୁର୍ଦ୍ଦାର ପରି ପଡ଼ିଗଲେ । ଅନ୍ୟ ଘଟଣାଟି ତାଙ୍କ କଲିକତାରେ ପଢ଼ାବେଳର । ମେସ୍‌ରେ ରହିଥାନ୍ତି । ପ୍ରତିଦିନ ପ୍ରାୟ ଅନ୍ଧାରରେ ପାଇଖାନା ଯାଆନ୍ତି । ଦିନେ ବନ୍ଧୁ ବାଧ୍ୟ କଲାରୁ ଲଣ୍ଠନ ସଂଗରେ ନେଇ ଯାଇ ଦେଖିଲେ ପାଇଖାନା ପାଦ ରଖିବା ଯାଗାରେ ନାଗ ସାପଟିଏ ଚେକା ବାନ୍ଧି ରହିଥିଲା । ଏହା ଦେଖି ଭୟରେ ତାଙ୍କ ହାତରୁ ଲଣ୍ଠନଟା ଖସିପଡ଼ିଲା । ଚତୁର୍ଥ ଘଟଣାଟି ଘଟିଥିଲା ସତ୍ୟବାଦୀର ଶିକ୍ଷକ ଗୋଦାବରୀଶଙ୍କର ଭାଗ୍ୟରେ । ସେ ରକ୍ତ ଆମାଶୟ ଭୋଗୁଥାନ୍ତି । ଜନୈକ ଛାତ୍ରଠାରୁ ଅଫିମ ମିଶା କବିରାଜି ଔଷଧଖାଇ ମୃତପ୍ରାୟ ହୋଇଗଲେ । ନିରୁପାୟ ହୋଇ ପଣ୍ଡିତ ନୀଳକଂଠ ଅତି ଆକୁଳ ଚିତ୍ତରେ ହୋମିଓପ୍ୟାଥି ଆର୍ସେନିକ ତାଙ୍କ ତଣ୍ଟିରେ ଢାଳିଦେଲେ । ବିଷକୁ ବିଷ କାଟିଦେବାରୁ ସେ ବଞ୍ଚିଗଲେ । ଏଣୁ କୁହାଯାଇପାରେ, ଭଗବାନଙ୍କ ଶୁଭେଚ୍ଛା ତାଙ୍କୁ ବଞ୍ଚାଇ ରଖିଥିଲା କେତେକ ମହତ୍ତର କାର୍ଯ୍ୟ ସାଧନ ନିମନ୍ତେ ।

ଗୋଦାବରୀଶ ବାଲ୍ୟକାଳରୁ ଦୁଃଖ କଷ୍ଟରେ ବଢ଼ିଥିଲେ । ପିତା ଲିଙ୍ଗରାଜ ମିଶ୍ର ଜଣେ ପଣ୍ଡିତ ନଥିଲେ, ତାଙ୍କର ଭୂ ବୃତ୍ତି ମଧ୍ୟ ବିଶେଷ ନଥିଲା । ଦେବ-ଦେବୀ ପୂଜାରୁ ଦୈନନ୍ଦିନ ମିଳୁଥିବା ଦକ୍ଷିଣା ମାତ୍ରକୁ ସମ୍ବଳକରି ସେ କୁଟୁମ୍ବ ପ୍ରତିପୋଷଣ କରୁଥିଲେ । ନିଜ ଗୁଣର ପ୍ରସାର ଯୋଗୁଁ ସାମାନ୍ୟ ଯାହା ପାଉଥିଲେ ସେଥିରେ ବହୁକଷ୍ଟରେ ଗୁଜରାଣ ମେଣ୍ଟାଉଥିଲେ । ପରଦିନ ପାଇଁ ସଂଚୟ ମନୋବୃତ୍ତି ନଥିଲା । ଏତେବେଳେ ସେ ଥିଲେ ସନ୍ନ୍ୟାସୀ, ମାତ୍ର ଗୃହୀ । ଅଭାବୀ ଗୃହୀଟିର ମୁଣ୍ଡରେ ଦେହରେ ତେଲ ଟିକିଏ ବାଜୁନଥିଲା । ମୁଣ୍ଡବାଳ ସବୁ ଜଟାଥିଲା । ମୁହଁର ହନୁହାଡ଼ ବାହାରି ପଡ଼ିଥିଲା । ପରିଧେୟ ଥିଲା ସାମାନ୍ୟ ଖଣ୍ଡେ ଗେରୁଆ ଗାମୁଛା ମାତ୍ର । ଠାକୁର ପୂଜା ସହିତ ଅନ୍ୟ କର୍ମଟି ଥିଲା ବଗଳାମୁଖୀ ମନ୍ତ୍ରରେ ଜ୍ଵର, ବାନ୍ତି ଇତ୍ୟାଦି ଝାଡ଼ି ଭଲ କରିବା । ଗୋଦାବରୀଶଙ୍କ ଗୋସାଇଁ ମାଆ ମଧ୍ୟ ଲୁଣ ମନ୍ତୁରାଇ ପେଟବ୍ୟଥା ଦୂର କରିପାରୁଥିଲେ । ଏସବୁର ପ୍ରଭାବରେ ସେ ମଧ୍ୟ ଉତ୍ତର ଦାୟାଦ ଭାବରେ ଯୌବନରେ କିଛି କିଛି ଚିକିତ୍ସା କରୁଥିଲେ-। ବାଣପୁରର ଦରିଦ୍ର ପରିବାରରେ ତାଙ୍କର ଜନ୍ମ । ବାଲ୍ୟ ଓ କୈଶୋର ଜୀବନ ଦାରିଦ୍ର୍ୟ ଭିତରେ ଗତିଶୀଳ । ତଥାପି ପରିଣତ ବୟସରେ ଦାରିଦ୍ର୍ୟକୁ ସେ ଭ୍ରୁକ୍ଷେପ କରିନଥିଲେ । ସ୍ୱଭାବତଃ ଲଜ୍ଜାଶୀଳ ଥିଲେ ହେଁ ଭୀରୁ ନଥିଲେ । ବରଂ ଏଇ ଲଜ୍ଜା ମଧ୍ୟ ଦେଇ ତାଙ୍କ ବ୍ୟକ୍ତିତ୍ୱର ହୋଇଥିଲା ବିକଚ ବିକାଶ । ବାଣପୁର ଓ ଚିଲିକା ଅଞ୍ଚଳର ପ୍ରାକୃତିକ ପରିବେଶ ମଧ୍ୟରେ ତାଙ୍କ ଜୀବନ ଧୀରେ ଧୀରେ ବିକାଶଲାଭ କରିବାକୁ ଲାଗିଲା । ବିଦ୍ୟା ପ୍ରତି ମମତ୍ଵବୋଧ ଓ ଅଧ୍ୟୟନର ଆନ୍ତରିକତାରେ ଏହି ଜୀବନର ହେଲା ମହିମାମୟ ଦୀପ୍ତିର ପ୍ରକାଶ । ପାରିବାରିକ ଅସ୍ଵଚ୍ଛଳତା ମଧ୍ୟରେ ସେ ଲାଭ କରୁଥିଲେ ସ୍ଵର୍ଗୀୟ ମମତା । ତାହାହିଁ ତାଙ୍କୁ ମଣିଷ ପରି ମଣିଷ ହେବାରେ ସାହାଯ୍ୟ କରିଥିଲା ।

ଶିକ୍ଷାର୍ଥୀ ଜୀବନ :–

ଗାଁ ଚାଟଶାଳୀର ଅବଧାନ ଗିରିଧର ମହାନ୍ତିଙ୍କ ଠାରୁ ଆରମ୍ଭ ହୋଇଥିଲା ଗୋଦାବରୀଶଙ୍କ ଶିକ୍ଷା । ପ୍ରାଥମିକ ପର୍ଯ୍ୟାୟରେ ସେ ଭଲ ପଢ଼ାପଢ଼ି କରୁନଥିଲେ । ତେଣୁ ଅବଧାନଙ୍କ ବେତ ମାଡ଼ ସହ ତାଙ୍କର ବେଶ ପରିଚୟ ଥିଲା । ଅନ୍ୟାନ୍ୟ ଖରାପ ପିଲାଙ୍କ ତୁଳନାରେ ସେ ଅଧିକ ମାଡ଼ ଖାଉଥିଲେ ସୁଦ୍ଧା କେବେ ପ୍ରତିବାଦ ବା ହିଁସା ମନୋଭାବ ପୋଷଣ କରୁନଥିଲେ । ସେ ବହି ଅପେକ୍ଷା ଅବଧାନଙ୍କ ମୁହଁରୁ ଶୁଣି ଶୁଣି ବେଶି ମନେ ରଖୁଥିଲେ । ଗୋଦାବରୀଶ ପୁରୀ ଜିଲ୍ଲାରେ ଉଚ୍ଚ ପ୍ରାଥମିକ ପରୀକ୍ଷା ଦେଇ ପ୍ରଥମ ସ୍ଥାନ ଅଧିକାର କରି ବୃତ୍ତି ପାଇଥିଲେ ହେଁ ଉଚ୍ଚତର ଶିକ୍ଷା ପାଇବା ତାଙ୍କ ପକ୍ଷରେ ସ୍ଵପ୍ନର ବିଷୟ ହୋଇଥିଲା । ଏହାର ଦେଢ଼ବର୍ଷ ପୂର୍ବରୁ ବାଲ୍ୟ ବିବାହ ପ୍ରଥା ଅନୁସାରେ ତାଙ୍କର ବିବାହ ହୋଇସାରିଥିଲା । ଏଣୁ ପୋଥିରେ ଡୋରି ବନ୍ଧାହେଲା ଭାବି ସେ ବାଣପୁରର ମଧ୍ୟଓଡ଼ିଆ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ସାରିବା ପରେ ଅନ୍ୟ କିଛି ବ୍ୟବସ୍ଥା ହେଇ ନ ପାରିବାରୁ ସମୟ ଅତିବାହିତ କରିବା ପାଇଁ ସେହି ସ୍କୁଲରେ ଯାଇ ବସୁଥିଲେ । ବାପାଙ୍କ ଇଚ୍ଛା ମୁତାବକ ଗୋଦାବରୀଶଙ୍କ ପରୀକ୍ଷାଫଳ ହୋଇ ନ ଥିବାରୁ ସେ ଇଂରାଜୀ ନ ପଢ଼ାଇବା ପାଇଁ ସ୍ଥିର କରି ସଂସ୍କୃତ ପ୍ରତି ଆଗ୍ରହୀ ହେଲେ ଓ ଚଣ୍ଡୀପୂଜା, ଗଙ୍ଗାଷ୍ଟକ ଆଦି ପଢ଼ି ଗୋଦାବରୀଶ ଅନ୍ୟ କୌଣସି ଆଡ଼େ ନଯାଉ ବୋଲି ସେ ଚାହିଁଲେ । ଗୋଦାବରୀଶ ନିଭୃତରେ ସେ ସବୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିପ୍ରତି ତାଙ୍କର ଆନ୍ତରିକତା ବା ନିଷ୍ଠା ନଥିଲା ।

ସେ ସମୟରେ ଏନ୍‌ଟ୍ରାନ୍‌ସ୍‌ ପରୀକ୍ଷା ଥିଲା ବର୍ତ୍ତମାନର ମେଟ୍ରିକ୍ୟୁଲେସନ୍‌ ସଙ୍ଗେ ସମାନ ଓ ଏନ୍‌ଟ୍ରାନ୍‌ସ୍‌ ପାଶ୍‌କଲେ ସମାଜରେ ଶିକ୍ଷିତ ବୋଲି ଗଣା ଯାଉଥିଲେ । ବାଣପୁରରେ ଏତେବେଳେ ଯାଏ ଜଣେ ମାତ୍ର ବ୍ୟକ୍ତି ଏନ୍‌ଟ୍ରାନସ୍‌ ପାଶ୍‌ କରିଥିଲେ । ଗୋଦାବରୀଶଙ୍କ ଆଖିରେ ଏହା କଳ୍ପନାର ରଂଗ ବୋଳୁଥିଲା ସତ, ମାତ୍ର ବାସ୍ତବ କ୍ଷେତ୍ରରେ ତାହା ଥିଲା ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ । ତଥାପି ଲୋକମାନେ ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ତାଙ୍କ ଘରେ କହନ୍ତି, ଟିକେ ଦୟା ରଖିଥିବଟି ।’ ଅଭାବ ଅସୁବିଧା ହେତୁ ଗୋଦାବରୀଶ ଆଉ ପାଠ ନପଢ଼ି ପାରିବାର ସଂଭାବନା ସ୍ପଷ୍ଟ ଦେଖି ପାରୁଥିବାବେଳେ, ଖୋରଧା ତହସିଲଦାର ସ୍କୁଲ୍‌ ପରିଦର୍ଶନରେ ଆସି ଶିକ୍ଷକଙ୍କଠାରୁ ସବୁ ଶୁଣି ପୁରୀର ରାମକୃଷ୍ଣ ବୋଷଙ୍କ ନିକଟକୁ ଖଣ୍ଡିଏ ଚିଠି ଗୋଦାବରୀଶଙ୍କ ହାତରେ ଦେଇ ତାଙ୍କୁ ଭେଟିବା ପାଇଁ ପରାମର୍ଶ ଦେଲେ । ରାମକୃଷ୍ଣ ବୋଷ ଚିଠିଟି ପଢ଼ିସାରି ଗୋଦାବରୀଶଙ୍କ ହାତରେ ପାଞ୍ଚ ଟଙ୍କା ଦେଇ କହିଲେ ଆଉ ଭବିଷ୍ୟତରେ ମୋ ପାଖକୁ ସାହାଯ୍ୟ ପାଇଁ ଆସିବନି । ଗୋଦାବରୀଶ ଦୁଃଖିତ ହେଲେ, ମାତ୍ର କୌଣସି ମତେ ପୂରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ବାପା ନିଜ ପୈତୃକ ଜମିରୁ କିଛି ବିକ୍ରିକରି ଅଷ୍ଟମ ଓ ନବମ ଶ୍ରେଣୀ ଚଳାଇଲେ । ବାର୍ଷିକ ପରୀକ୍ଷାରେ ସେ ଦ୍ୱିତୀୟଶ୍ରେଣୀ ଲାଭ କଲାରୁ କିଛି ପୁରସ୍କାର ପାଇଲେ । ରାମକୃଷ୍ଣ ବୋଷ ପୁରସ୍କାର ସଭାରେ ଉପସ୍ଥିତ ରହି ଗୋଦାବରୀଶଙ୍କୁ ପଢ଼ା ଖର୍ଚ୍ଚ ବାବଦରେ ମାସିକ ପାଞ୍ଚଟଙ୍କା ସାହାଯ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେବାରୁ ତାଙ୍କ ପାଠପଢ଼ା ଚାଲୁ ରହିଲା ।

ପୁରୀ ଜିଲ୍ଲା ସ୍କୁଲରେ ଗୋଦାବରୀଶଙ୍କ ପ୍ରଧାନ ଶିକ୍ଷକ ଥିବା ସୁସାହିତ୍ୟିକ, ସ୍ଵନାମଧନ୍ୟ ଚନ୍ଦ୍ରମୋହନ ମହାରଣାଙ୍କ ଶୁଭେଚ୍ଛାରୁ ସେ କଟକରେ କଲେଜ ଶିକ୍ଷା ଆରମ୍ଭ କଲେ । ପ୍ରବେଶିକା ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀ ମିଳିଥିବାରୁ ସେ ମଧ୍ୟ ମାସିକ ଦଶ ଟଙ୍କା ବୃତ୍ତିପାଇଲେ ଏଇ ବର୍ଷ ତାଙ୍କର ଦୂର୍ବାକ୍ଷତ ହୋଇଥିବାରୁ ସ୍ତ୍ରୀ ପୈତୃକ ଘରେ ରହିଲେ ମାତ୍ର ଘରର ଅନ୍ୟ ତିନିଜଣଙ୍କୁ ଚଳାଇ ନିଜେ ପାଠ ପଢ଼ିବା ଅସମ୍ଭବ ଥିବାରୁ ଚନ୍ଦ୍ରମୋହନ ମହାରଣାଙ୍କ ପୁଅର ଗୃହ ଶିକ୍ଷକ ରହି ଖାଇବା ଓ ରହିବାଟିକୁ ବ୍ୟବସ୍ଥା କରିଥିଲେ । ୧୯୧୮ରେ ଗୋଦାବରୀଶ ଏଫ୍‌.ଏ ପରୀକ୍ଷାରେ ମଧ୍ୟ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ୧୦ ଟଙ୍କା ବୃତ୍ତି ପାଇଲେ ଓ ଏକା କୋଠରୀରେ ନୀଳକଂଠଙ୍କ ସହ ରହି ସମାଜ ସେବା କଲେ, ବନ୍ୟାଞ୍ଚଳକୁ ଯାଇ ଦୁର୍ଗତମାନଙ୍କୁ ସାହାଯ୍ୟ ବାଣ୍ଟିଲେ, ହଇଜା ରୋଗୀଙ୍କ ସେବାକଲେ ଓ ରାଜନୈତିକ ଚର୍ଚ୍ଚାରେ ଯୋଗଦେଲେ । ଏହା ପୂର୍ବରୁ ସନ୍ତ୍ରାସବାଦୀ ଆନ୍ଦୋଳନର ସ୍ଵଦେଶୀ ନେତା ଶଶିଭୂଷଣ ରାୟଚୌଧୁରୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଶଶିଭୂଷଣ ଶଶିଦା’ ନାମରେ ଖ୍ୟାତ ଥିଲେ । ଦେଶପ୍ରେମୀ ତଥା ଇଂରେଜ ବିରୋଧୀ ସନ୍ତ୍ରାସବାଦୀ ଦଳର ସେ ଥିଲେ ଅନ୍ୟତମ ପ୍ରମୁଖ ପରିଚାଳକ । ଶିକ୍ଷିତ ଯୁବକମାନଙ୍କ ମନରେ ସେବା ମନୋଭାବ ସହ ଉଗ୍ର ଦେଶପ୍ରେମ ପ୍ରତି ପ୍ରେରଣା ଜନ୍ମାଇବା ତାଙ୍କର ଥିଲା ଉଦ୍ଦେଶ୍ୟ ଓ ଆଦର୍ଶ । ଗୋଦାବରୀଶ ଓ ନୀଳକଂଠଙ୍କ ଚରିତ୍ର ଓ ଗୁଣବତ୍ତାରୁ ସେମାନଙ୍କୁ ଉପଯୁକ୍ତ ମନେକରି ସେମାନଙ୍କର ଉପଦେଷ୍ଟା ଭାବରେ ଗଣ୍ୟ ହୋଇଥିଲେ ସେ । ଶଶିଦା’ଙ୍କ ବ୍ୟକ୍ତିତ୍ୱ ଓ ଉନ୍ନତ ଆଚରଣରେ ଉଦ୍‌ବୁଦ୍ଧ ନୀଳକଂଠ ଓ ଗୋଦାବରୀଶ ସମସ୍ତ ବାଧାବନ୍ଧନକୁ ଅତିକ୍ରମ କରି ଦେଶସେବାକୁ ନିଜର ବ୍ରତ ଭାବରେ ଆଦରି ନେଇଥିଲେ । କଲେଜରେ ପଢ଼ିବା ବେଳେ ଗୋଦାବରୀଶ ଗୋପବନ୍ଧୁଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ଲାଭକଲେ । ତାଙ୍କଠାରୁ ଫରାସୀ ରାଷ୍ଟ୍ରବିପ୍ଳବ ଓ ଇଟାଲୀୟ ସ୍ୱାଧୀନତାର କାହାଣୀ ସବୁ ଶୁଣିଲେ । ନିଶାର୍ଦ୍ଧରେ ତରୁଣ ଆଗ୍ରହୀ ଛାତ୍ର ‘ୟଙ୍ଗ ଉତ୍କଳ ଆସୋସିଏସନ୍‌’ ବା ତରୁଣ ଉତ୍କଳ ସଂଘର ସଦସ୍ୟ ଗଣ ଗୋପବନ୍ଧୁଙ୍କୁ ତାଙ୍କ ବସାଘରେ ଭେଟି ତାଙ୍କ ବକ୍ତୃତା ଶୁଣୁଥିଲେ । ସେହି ସ୍ମରଣୀୟ ଘଟଣା ସବୁକୁ ମନେପକାଇ ଗୋଦାବରୀଶ ଲେଖିଛନ୍ତି, ରାତିସାରା ପ୍ରାଣ ଛଟପଟ ନୁଏ, ହୃଦୟ ମନ୍ଥି ହୋଇଯାଏ । ଗୋପବନ୍ଧୁ ବାବୁଙ୍କ ମୁହଁର ଲାବଣ୍ୟ, କଥାର ମାଧୁରୀ, ହସର ସାରଲ୍ୟ, ଆଖିର ଜ୍ୟୋତି, କପାଳର ତେଜ ଓ ଯୁକ୍ତିର ଗାରିମା ସରଳ, ତେଜୀୟାନ ତରୁଣ ପ୍ରାଣକୁ ଚୁମ୍ବକ ପରି ଟାଣିନିଏ । ସେହିଦିନରୁ ସେ ଦେଶ ସେବା ପାଇଁ ସଂଗ୍ରାମୀ କରିବାକୁ ଶପଥ ନିଅନ୍ତି ।

ବି.ଏ ପାଶ୍‌ପରେ ଗୋଦାବରୀଶ ଏମ୍‌.ଏ ଓ ଓକିଲାତି ଏକ ସଂଗେ ପଢ଼ିବା ପାଇଁ କଲିକତାରେ ରହିଲେ । ଏତେବେଳକୁ ସତ୍ୟବାଦୀ ବିଦ୍ୟାଳୟର ମୂଳଦୁଆ ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା । ଏହି ଯୋଜନା ଅନୁଯାୟୀ ନୀଳକଂଠ ଦର୍ଶନରେ, କୃପାସିନ୍ଧୁ ଇତିହାସରେ ଓ ଗୋଦାବରୀଶ ଅର୍ଥନୀତିରେ ଏମ୍‌.ଏ ପଢ଼ିଲେ । ଗୋପବନ୍ଧୁ ଦାସ ମୟୂରଭଞ୍ଜ ରାଜ ସରକାରଙ୍କର ଓକିଲ ଭାବେ ନିଯୁକ୍ତି ପାଇ ବାରିପଦାରେ ରହୁଥିଲେ ହେଁ ଏ ସମସ୍ତ କର୍ମଯୋଜନାର ବ୍ୟବସ୍ଥାପକ ରହିଥିଲେ ।

କଲିକତାରେ ଏମ୍‌. ଏ ପଢ଼ିବା ସମୟରେ ଗୋଦାବରୀଶଙ୍କ ଓଡ଼ିଆ ସ୍ଵାଭିମାନ ବେଶ୍‌ ଜାଗ୍ରତ ହୋଇଥିଲା । ବଙ୍ଗ ପ୍ରଦେଶରୁ ଓଡ଼ିଶା ଓ ବିହାର ସ୍ଵତନ୍ତ୍ର ହେବା ପୂର୍ବରୁ ବଙ୍ଗାଳୀମାନେ ଓଡ଼ିଆଙ୍କୁ ହୀନ ଦୃଷ୍ଟିରେ ଦେଖି ତାତ୍ସଲ୍ୟବ୍ୟଞ୍ଜକ ‘ଉଡ଼େ’ ଶବ୍ଦରେ ଡାକୁଥିଲେ । କଲିକତା ରଙ୍ଗମଞ୍ଚରେ ଓଡ଼ିଆ ଚାକରଙ୍କୁ ନେଇ ହାସ୍ୟକର ଅଭିନୟ ପରିବେଷଣ କରୁଥିଲେ । ଏସବୁକୁ ଦେଖି ନୀଳକଂଠ ଓ ଗୋଦାବରୀଶ ରହୁଥିବା ପଞ୍ଚାନନ ଘୋଷ, ୯ ନମ୍ବର ଗଳିର ଘରଟିରେ ଓଡ଼ିଆ ଜାଗରଣ କେନ୍ଦ୍ରଟିଏ ଗଢ଼ିଲେ । ଏ ଦୁହିଁଙ୍କ ନେତୃତ୍ୱରେ ବହୁ ଓଡ଼ିଆ ଯୁବକ ଶପଥନେଇ ସ୍ୱାଭିମାନର ଅଭ୍ୟୁଦୟ ପାଇଁ ଲାଗି ପଡ଼ିଲେ ।

ବିହାର-ଓଡ଼ିଶା ଗୋଟିଏ ପ୍ରଦେଶରେ ପରିଣତ ହୋଇ ଓଡ଼ିଆମାନଙ୍କର ସମ୍ମାନ ବୃଦ୍ଧିରେ ସାହାଯ୍ୟ କଲା । ଠିକ୍‌ ଏତିକିବେଳେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ମୟୂରଭଞ୍ଜ ମହାରାଜ ଶ୍ରୀରାମଚନ୍ଦ୍ର ଭଂଜ ପୃଥିବୀ ପ୍ରଦକ୍ଷିଣରୁ ଫେରି ଆସିଥିଲେ । ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ମଧୁସୂଦନ ଦାସ କଲିକତାରେ ଏକ ସଭାର ଆୟୋଜନ କରାଇଲେ ଓ ଗୋଦାବରୀଶ ଏଥିପାଇଁ କଠିନ ପରିଶ୍ରମ କରିଥିଲେ । ବଙ୍ଗଳା ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଏ ସଭାକୁ ନିମନ୍ତ୍ରିତ ହୋଇ ଆସିଥିଲେ । ଗୋଦାବରୀଶ ଏଥିରେ ଓଡ଼ିଆ ଭାଷାରେ ଏକ ଦୀର୍ଘ, ମର୍ମସ୍ପର୍ଶୀ ଭୀଷଣ ପ୍ରଦାନ କରିଥିଲେ । ଏହାପରେ ବଙ୍ଗାଳୀମାନଙ୍କର ଓଡ଼ିଆମାନଙ୍କ ପ୍ରତି ଥିବା ହୀନ ମନୋଭାବ ଦୂର ହୋଇଥିଲା ।

କଲିକତାରେ ଏମ୍‌.ଏ ପଢ଼ୁଥିବା ସମୟରେ ଗୋଦାବରୀଶ ସ୍ଵଦେଶୀ ଆନ୍ଦୋଳନ, ଓଡ଼ଆ ଭାଷା ସଂସ୍କୃତିର ମହତ୍ତ୍ୱ ଆଦି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟସ୍ତ ରହିଲେ । ଫଳରେ ଏମ୍‌.ଏ ପରୀକ୍ଷ। ଫଳ ତାଙ୍କୁ ନିରାଶକଲା । ଆଶାନୁରୂପ ନମ୍ବର ନରଖି ପାରିଥିବାରୁ ସେ ଦୁଃଖକଲେ । ନୀଳକଂଠ ଏମ୍‌.ଏ ପଢ଼ିସାରି ଆସି ସତ୍ୟବାଦୀରେ ଯୋଗଦେଲେ, ମାତ୍ର ସରକାରଙ୍କକ ନିୟମ ଅନୁସାରେ ଗୋଦାବରୀଶ ଓକିଲାତିର ଛାତ୍ରରାବରେ ସେଠାରେ ଆଉ ବର୍ଷେ ଅଧିକ ରହିଲେ । ଏହି ସମୟରେ ତାଙ୍କୁ ତିରିଶି ଟଙ୍କା ବୃତ୍ତି ସହ ଦୁଇଜଣ ବି.ଏ ପରିକ୍ଷାର୍ଥୀଙ୍କୁ ଟିଉସନ୍‌ ବାବଦରେ ମାସକୁ ନବେ ଟଙ୍କା ମିଳୁଥିଲା । ଆର୍ଥିକ ଉନ୍ନତି ସହ ମୂକ ବିଦ୍ୟାଳୟର ଜଣେ ଶିକ୍ଷକ ପଦପାଇଁ ସେ ନିଯୁକ୍ତିର ସୁଯୋଗ ପାଇଲେ । ସେହିବର୍ଷ ତାଙ୍କୁ କୃଷି ଟ୍ରେନିଂ ପାଇଁ ବିଲାତ ପଠାଇବାକୁ ସ୍ଥିର ହେଲା । ଏହା ତାଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ବୋଲି ସେ ମନେକଲେ ସତ, ମାତ୍ର ତାଙ୍କର କେତେକ ହିତୈଷୀଙ୍କ ପରାମର୍ଶରେ ସେ ଏ ସମ୍ପର୍କରେ ଅନୁମତି ପାଇଁ ଗୋପବନ୍ଧୁଙ୍କୁ ଚିଠି ଲେଖିଲେ । କିନ୍ତୁ ଗୋପବନ୍ଧୁ ବାବୁ କଲିକତାରେ ମୂକ-ବଧିର ସ୍କୁଲରେ ଶିକ୍ଷକ ନରହି ଓଡ଼ିଶାର ଲକ୍ଷ ଲକ୍ଷ ମୂକ-ବଧିର ଜନତାର ସେବା କରିବାକୁ ପରାମର୍ଶ ଦେଇ ତାଙ୍କୁ ଚିଠିର ଉତ୍ତର ଦେଲେ । ଫଳରେ ମୂକ-ବଧିର ବିଦ୍ୟାଳୟର ନିଯୁକ୍ତିକୁ ଅଗ୍ରାହ୍ୟ କରି ଗୋଦାବରୀଶ ସତ୍ୟବାଦୀ ବିଦ୍ୟାଳୟରେ ଯୋଗଦେବାକୁ ସ୍ଥିର କଲେ । ଏମ୍‌.ଏ ଓ ଆଇନ ପାଠ୍ୟ ବୃତ୍ତି ଶେଷ ହେଲା ଓ ସେ ୧୯୧୩ ମସିହା ଏପ୍ରିଲ୍‌ମାସ ଶେଷ ସପ୍ତାହରେ କଲିକତା ଛାଡ଼ି ସତ୍ୟବାଦୀ ବିଦ୍ୟାଳୟରେ ଯୋଗଦେବାବୁ ହାଓଡ଼ା ଷ୍ଟେସନରେ ପୁରୀ ଏକ୍ସପ୍ରେସ ଗାଡ଼ି ଧରିଲେ । ସାକ୍ଷୀଗୋପାଳ ଷ୍ଟେସନ୍‌ରୁ ତାଙ୍କୁ ପାଛୋଟି ନେବା ପାଇଁ ପ୍ରାୟ ପଚାଶ ଜଣ ଛାତ୍ରଙ୍କୁ ଧରି ଉପସ୍ଥିତ ଥିଲେ ନୀଳକଂଠ ଦାସ ଓ ହରିହର ଦାସ । ଏମାନଙ୍କର ଉଦ୍ଦେଶ୍ୟ ସଂପର୍କରେ ଅବହିତ ନଥିବା ଗୋଦାବରୀଶ ପ୍ରଶ୍ନ କରିଥିଲେ, ‘କଣ କେଉଁଆଡ଼େ ଯିବାପାଇଁ ଆସିଛନ୍ତି’ ? ନୀଳକଂଠ ପ୍ରମୁଖ ହାସ୍ୟଛଳରେ କହିଥିଲେ- ‘ଆପଣ ଯେଉଁଆଡ଼େ ଯିବେ ଆମେ ସେଇଆଡ଼େ ଯିବୁ ।’ ଏ ପ୍ରକାର ଅଭ୍ୟର୍ଥନାରେ ଅଭିଭୂତ ହୋଇଥିଲେ ଗୋଦାବରୀଶ ।

ବାଣପୁର ପ୍ରାଥମିକ ସ୍କୁଲ୍‌ରୁ ପୁରୀ ଜିଲ୍ଲାସ୍କୁଲ ଏବଂ ସେଠାରେ କଟକ କଲେଜ ଦେଇ ଅବଶେଷରେ କଲିକତାରେ ଏମ୍‌. ଏ ଓ ଓକିଲାତି ପଢ଼ି ଗୋଦୀବରୀଶ ପୁଣି ନିଜର ଜନ୍ମ ମାଟିକୁ ଫେରି ଆସିଛନ୍ତି । ଏହି ସମୟ ମଧ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ଆସି ଲୋକ ଚରିତ୍ର ଅଧ୍ୟୟନ କରିବା ସହିତ ନିଜ ଅଧ୍ୟୟନ ପ୍ରତି ନିଷ୍ଠା ଦେଖାଇଛନ୍ତି ସେ । ନିଷ୍ଠା ଓ ସତତା ଯୋଗୁଁ ସେ ଉଚ୍ଚଶିକ୍ଷା ଲାଭ କରିଛନ୍ତି, ବିଦେଶ ଯିବାର ସୁଯୋଗ ପାଇଛନ୍ତି । କିନ୍ତୁ ଗ୍ରହଣ କରିଛନ୍ତି ଦେଶପ୍ରାଣ ଗୋପବନ୍ଧୁଙ୍କ ସାଗ୍ରହ ଅନୁରୋଧକୁ । ସବୁକିଛି ପ୍ରଲୋଭନର ଦ୍ଵାର ବନ୍ଦ କରିଦେଇ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ବନବିଦ୍ୟାଳୟରେ ସେ ଶିକ୍ଷକତା କରିଛନ୍ତି ମାତ୍ର ସାମାନ୍ୟ କେତୋଟି ଟଙ୍କାର ଦରମାରେ-। ତଥାପି ମନରେ କୌଣସି ଗ୍ଲାନି ନ ରଖି ଦେଶ ମାତୃକାର ସେବା ପାଇଁ ତ୍ୟାଗମନ୍ତ୍ରରେ ଦୀକ୍ଷିତ ହେଲେ । ଯେଉଁ ଜ୍ଞାନାର୍ଜନ କରିଥିଲେ ତାହା ତାଙ୍କୁ ପରବର୍ତ୍ତୀ ଜୀବନରେ ଦେଇଛି ପ୍ରଚୁର ଖ୍ୟାତି । ସେ ପରିଣତ ହୋଇଛନ୍ତି ଆଦର୍ଶ ବାଦୀ, ଜାତିପ୍ରାଣ ସାହିତ୍ୟିକରେ । ଛାତ୍ର ଜୀବନର ଅନୁଭୂତି ହିଁ ତାଙ୍କୁ ବରେଣ୍ୟ ଶିକ୍ଷକରେ ପରିଣତ କରିଛି । ଗୋପବନ୍ଧୁ, ନୀଳକଂଠ, ଶଶିଦା’, ଚନ୍ଦ୍ର ମୋହନ ମହାରଣା ଓ ତାଙ୍କ କଲେଜ ଜୀବନର ଅଧ୍ୟାପକଗଣ ତାଙ୍କ ଜୀବନର

ପ୍ରସ୍ତୁତି ପର୍ବରେ ଯେଉଁ ପ୍ରଭାବ ପକାଇଥିଲେ ସେ ସବୁ ମିଶି ତାଙ୍କୁ ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ୱରେ ପରିଣତ କରିଦେଲା । ସେ ଛାତ୍ରରୁ ଶିକ୍ଷକ ଓ ଶିକ୍ଷକରୁ ହେଲେ ସମାଜସେବୀ ।

ପରିଣତ ଜୀବନରେ ଜାତୀୟ କଂଗ୍ରେସର ବରିଷ୍ଠ ସଦସ୍ୟ, ମନ୍ତ୍ରୀ ଓ ଗଣତନ୍ତ୍ର ପରିଷଦର ସୂତ୍ରଧର ଆସନରେ ଆସୀନ ହୋଇଥିବା ଗୋଦାବରୀଶଙ୍କ ଜୀବନରେ ବିଭିନ୍ନ ସମୟରେ ଆସିଥିଲା ନାନା ଦୁର୍ଦ୍ଦଶା । ଏକାଦଶ ଶ୍ରେଣୀରେ ପଢ଼ୁଥିବା ବର୍ଷ ରଥଯାତ୍ରାରେ ପୁରୀରେ ପ୍ରବଳ ଲୋକଭିଡ଼ ହେବା ସାଙ୍ଗକୁ ମାଡ଼ି ଆସିଲା ହଇଜା । ଯାତ୍ରୀମାନେ ମରି ରାସ୍ତାକଡ଼ରେ ଶୋଇଗଲେ । ଗୋପବନ୍ଧୁ ଓ ନୀଳକଂଠଙ୍କ ସହ ମିଶି ଗୋଦାବରୀଶ ହଇଜା ରୋଗୀଙ୍କ ସେବାରେ ଲାଗି ପଡ଼ିଥିଲେ । ଏହା ଜାଣି ତାଙ୍କ ବାପା ଏକମାତ୍ର ପୁତ୍ରକୁ ସେଥିରୁ ନିବର୍ତ୍ତାଇବା ପାଇଁ ସେଠାକୁ ଧାଇଁ ଆସିଲେ । ମାତ୍ର ପୁଅ ଏହା ନମାନିବାରୁ ବାପା ମନଦୁଃଖରେ ବାଣପୁର ଫେରିଗଲେ । ଏହାର ତିନିଦିନ ପରେ ତାଙ୍କ ପାଖକୁ ଖବର ଆସିଲା, ସେ ଆଉ ନାହାନ୍ତି । ଘରେ ପହଞ୍ଚିବା ପରେ ଗୋଦାବରୀଶଙ୍କୁ ଥରୁଟିଏ ମାତ୍ର ଚାହିଁଦେଇ ତାଙ୍କ ମାଆ ଅପ୍‌ସରା ଦେବୀ ସବୁଦିନ ପାଇଁ ସଂସାରରୁ ବିଦାୟ ନେଇଗଲେ । ଅଳ୍ପବୟସ୍କା ସାନ ଭଉଣୀଟି ହଇଜା କବଳରୁ ରକ୍ଷା ପାଇ ଯାଇଥିଲେ ସୁଦ୍ଧା ରୁଗ୍‌ଣ ହୋଇ ରହିଲା । ଏଣିକି ଗୋଦାବରୀଶଙ୍କ ଏକାନ୍ତ ଆପଣାର ହୋଇ ରହିଲେ ତିନୋଟି ଅସହାୟ ପ୍ରାଣୀ ଯଥାକ୍ରମେ; ଅନ୍ଧୁଣୀ ବୁଢ଼ୀମା, ରୁଗ୍‌ଣା ସାନଭଉଣୀ ଓ ଦଶବର୍ଷ ତଳୁ ବାହା ହୋଇଥିବା ଅଥଚ ଶାଶୁ ଘରକୁ ଆସି ନଥିବା ତାଙ୍କ ପତ୍ନୀ, ପଡ଼ିଶାଘରର ଝିଅ ଶ୍ରୀମତୀ ଅମ୍ବିକା ଦେବୀ । ଏମାନଙ୍କ ପ୍ରତିପୋଷଣ ପାଇଁ ସମସ୍ୟା ହୋଇ ଉଠିବାରୁ ଗୋଦାବରୀଶ ବିଚଳିତ ହେଲେବି ପଥଚ୍ୟୁତ ହେଲେ ନାହିଁ । ମାଆ ବାପାଙ୍କ ମୃତ୍ୟୁର ଦୁଇବର୍ଷ ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ରୁଗ୍‌ଣା ସାନ ଭଉଣୀଟି ମୃତ୍ୟୁ ବରଣକଲା । ବାରମ୍ବାର ମୃତ୍ୟୁକୁ ନିକଟରୁ ଦେଖିଥିବା ଗୋଦାବରୀଶ ଅଭିଜ୍ଞ ବ୍ୟକ୍ତିରେ ପରିଣତ ହେଲେ ଓ ଜୀବନର ସକଳ ଦୁର୍ଦ୍ଦଶା, ସଂକଟ, ସଂଘର୍ଷକୁ ମୁକାବିଲା କରିବା ପାଇଁ ଶକ୍ତି ଓ ସାହସ ଅର୍ଜନ କଲେ ।

ଶିକ୍ଷକ ଜୀବନ :–

ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗଦେବାପରେ ବନ ବିଦ୍ୟାଳୟର ଉନ୍ନତିକଳ୍ପେ ଗୋଦାବରୀଶ ଖୁବ୍‌ ଉତ୍ସାହର ସହ ମାତି ଯାଇଥିଲେ । ଗୋପବନ୍ଧୁଙ୍କ ନେତୃତ୍ୱରେ ଓ ନିର୍ଦ୍ଦେଶରେ ସମଗ୍ର ବିଦ୍ୟାଳୟ ପରିସର କର୍ମମୁଖର ହେବା ସହିତ ଛାତ୍ରମାନଙ୍କର ଵିଦ୍ୟାଭାସ, ଚରିତ୍ରଗଠନ ପ୍ରତି ସଚେତନ ରହିଲେ ଗୋଦାବରୀଶ । ଅଧ୍ୟାପନା କାର୍ଯ୍ୟ ପାଇଁ ତାଙ୍କୁ ମଧ୍ୟ ପରିଶ୍ରମ ଜାରି ରଖିବାକୁ ହେଉଥିଲା । ଏଇ ସତ୍ୟବାଦୀରେ ଥିବାବେଳେ ଗୋପବନ୍ଧୁ ଓ ନୀଳକଂଠଙ୍କ ପ୍ରଚେଷ୍ଟାରୁ ପ୍ରକାଶିତ ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ଉନ୍ନତି ନିମନ୍ତେ ଗୋଦାବରୀଶ ଚେଷ୍ଟା କରିବା ସହିତ ‘ସମାଜ’ ସଂବାଦ ପତ୍ରର ପ୍ରକାଶ ପାଇଁ ମଧ୍ୟ ସେ ଶ୍ରମ ଓ ସାଧନା କରିଥିଲେ ।

ଶିକ୍ଷାଦାନରେ ଶିକ୍ଷକ ଗୋଦାବରୀଶଙ୍କ ଏକାଗ୍ରତା ଛାତ୍ର ଗୋଦାବରୀଶଙ୍କ ଠାରୁ ଥିଲା ଅଧିକ । ଜୀବନର ବହୁ ଲୋଭନୀୟ ପ୍ରଲୋଭନକୁ ସେ ତ୍ୟାଗକରି ଶିକ୍ଷକତାକୁ ଗ୍ରହଣ କରିଥିଲେ-। ଏହା ଥିଲା ତାଙ୍କର ଏକ ବୈପ୍ଲବିକ ପଦକ୍ଷେପ । ଛାତ୍ରମାନଙ୍କୁ ଦେଶ ସେବାରେ ବ୍ରତୀ ହେବାପାଇଁ ନାନା ଉଦ୍‌ବୋଧନ ମୂଳକ ବକ୍ତୃତା ଦେବା ସହ ବିଦ୍ୟାଳୟରେ ‘କୁଳ ସମ୍ମିଳନୀ’ ର ଆୟୋଜନ ସେ କରାଉଥିଲେ । ଏଥିରେ ‘ଗୁରୁଶିଷ୍ୟ’, ‘ଆଦର୍ଶ ଶିକ୍ଷକ’, ‘ମାନବ ସେବା’, ‘ଶିକ୍ଷା’, ସମ୍ପର୍କରେ, ଆଲୋଚନା କରାଯାଉଥିଲା । ଶିକ୍ଷକ କବି ଗୋଦାବରୀଶ କୁଳ ସମ୍ମିଳନୀରେ ବହୁ ଆଦର୍ଶ କଥା କହି ଛାତ୍ରମାନଙ୍କର ମନ ପ୍ରାଣକୁ ସ୍ପନ୍ଦିତ କରିଦେଉଥିଲେ । କେବଳ ଯେ ଗୋଦାବରୀଶ ଆଦର୍ଶ ଶିକ୍ଷା ଦାନ କରୁଥିଲେ ତାହାନୁହେଁ, ବରଂ ଅଭିଭାବକର ଦାୟିତ୍ଵ ବହନ କରିବା ସଂଗେ ସଂଗେ ଛାତ୍ରମାନଙ୍କ ପ୍ରତି ମାଆର ମମତା ଓ କଠୋରତା ପ୍ରଦାନ କରୁଥିଲେ । ଏସବୁ ଥିଲା ବାଲ୍ୟ ଜୀବନର ପ୍ରଭାବ । ତାଙ୍କରି କଥାରେ ‘ମୋ ଅବଧାନ ପାଠଶାଳାରେ ମୋତେ ମାରନ୍ତି, କିନ୍ତୁ ନଦୀରେ ପାଣି ବେଶି ହେଲେ, ମୋତେ କାନ୍ଧରେ ବସାଇ ପାରି କରାଇ ଦିଅନ୍ତି । ଖରାଦିନେ ଦି’ପହରରେ ବାଟରେ ତାତିଲା ବାଲିରେ ମୁଁ ତାଙ୍କ ପିଠିରେ ଲାଉହୋଇ ପାରିହୁଏ ।’

ଛାତ୍ରଟି ମଣିଷ ପରି ମଣିଷ ହୋଇ ମଣିଷକୁ ଚିହ୍ନ, ସମ୍ବେଦନଶୀଳତା ପ୍ରକାଶ କରୁ ଏହା ଥିଲା ତାଙ୍କ ଶିକ୍ଷାର ମହତ୍‌ ଲକ୍ଷ୍ୟ । ଥରେ ଗ୍ରୀଷ୍ମଦିନେ ସତ୍ୟବାଦୀ ନିକଟସ୍ଥ ଏକ ଗ୍ରାମରେ ନିଆଁଲାଗି ଯାଇଥିଲା । ଗୋଦାବରୀଶ ଛାତ୍ରମାନଙ୍କୁ ନେଇ ନିଆଁ ଲିଭାଇବାର କୌଶଳ ଶିକ୍ଷା ଦେବ। ସହିତ ବିପଦବେଳେ ଅସହାୟକୁ ସାହାଯ୍ୟ କରିବାପାଇଁ ଛାତ୍ରଙ୍କୁ ଶିକ୍ଷା ଦେଉଥିଲେ । ଗୋଦାବରୀଶ ଓ ଛାତ୍ରମାନଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଫଳରେ ନିଆଁ ଲିଭି ଯାଇଥିଲା । ସତ୍ୟବାଦୀର ମନୋରମ ଦୃଶ୍ୟ, ପ୍ରାଣ ପ୍ରତିମ ଛାତ୍ରଙ୍କ ପ୍ରତି ଥିବା ମମତ୍ଵବୋଧ ଯୋଗୁଁ ତାଙ୍କ ଶିକ୍ଷାଦାନ ପ୍ରଣାଳୀ ନବୀନ ରୂପରେ ବିକଶିତ ହେଉଥିଲା । ଶିକ୍ଷକତାର ୩ ବର୍ଷ ପରେ ଗୋଦାବରୀଶ ଦଶମାସ ପାଇଁ ବି.ଟି ଟ୍ରେନିଂ ପାଇଁ ଗଲେ । ସେଠାରେ ରହିବା ସମୟତକ ସେ ଛାତ୍ରମାନଙ୍କୁ ନାନା ଉପଦେଶଦେଇ ପତ୍ର ଲେଖିଥିଲେ। ପ୍ରତ୍ୟେକ ପତ୍ରରେ ଥାଏ ପରମୁଖାପେକ୍ଷୀତାର ଅପକାରିତା ବିଷୟରେ ଉପଦେଶ । ନୈତିକତା ତଥା ଆତ୍ମନିର୍ଭରଶୀଳତା ଉପରେ ଥାଏ ଅଧିକ ଗୁରୁତ୍ଵ । ତାଙ୍କ ପତ୍ରଗୁଡ଼ିକର ଉନ୍ନତ ଉପଦେଶ ହେତୁ ଆଦର୍ଶଛାତ୍ର ପାଇଁ ଥିଲା ଏକାନ୍ତ ପ୍ରେରଣାପ୍ରଦ । ଶ୍ରେଣୀର ମନିଟର ସେ ଚିଠିଗୁଡ଼ିକୁ ଅନ୍ୟମାନଙ୍କୁ ପଢ଼ି ଶୁଣାଇ ଦିଅନ୍ତି । ସତ୍ୟବାଦୀରେ ଛଅ ବର୍ଷ ଶିକ୍ଷକତା କରିବା ପରେ ଗୋଦୀବରୀଶଙ୍କୁ ସିହଂଭୂମିର ଚକ୍ରଧରପୁରକୁ ଗୋପବନ୍ଧୁଙ୍କ ଇଚ୍ଛାମତେ ପଠାଗଲା । ଏଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରସାର କରିବା ସଙ୍ଗେ ସଙ୍ଗେ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତାର ଜାଗରଣ ଆଣିବା ଥିଲା ତାଙ୍କର ସର୍ବପ୍ରଧାନ କର୍ତ୍ତବ୍ୟ । ସେ ଓଡ଼ିଆ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବା ସହିତ ଓଡ଼ିଆ ଜାଗରଣ ନିମନ୍ତେ ଲାଗିପଡ଼ିଲେ ମଧ୍ୟ ତାଙ୍କର ପ୍ରିୟ ସତ୍ୟବାଦୀ ଓ ଛାତ୍ରମାନଙ୍କୁ ଭୁଲି ପାରିନଥିଲେ ।

ଗୋଦାବରୀଶଙ୍କ ଶିକ୍ଷକ ଜୀବନ ତ୍ୟାଗ ଓ ଆଦର୍ଶର ଜୀବନ । ନିଜେ ଜଣେ ଦରିଦ୍ର ଛାତ୍ର ଭାବରେ ଯେଉଁ ଅନୁଭୂତି ଲାଭ କରିଥିଲେ ତାହାକୁ ସେ ଶିକ୍ଷକ ଜୀବନରେ ଭୁଲିନଥିଲେ । ତେଣୁ ସେ ଛାତ୍ରର ଅଧିକାଂଶ ଦାୟିତ୍ୱକୁ ନିଜେ ବହନ କରି ନେଉଥିଲେ । ଛାତ୍ରର ସୁଖ ଦୁଃଖରେ ସେ ଆନନ୍ଦ ଓ ଦୁଃଖ ଅନୁଭବ କରୁଥିଲେ । ରୁଗ୍‌ଣ, ଶଯ୍ୟାଶାୟୀ ଛାତ୍ର ନିକଟରେ ବସି ରହିଥିଲେ-। ତାଙ୍କ ଆଦର୍ଶ ଥିଲା, ଛାତ୍ରର ଚରିତ୍ରଗଠନ ଓ ଭବିଷ୍ୟତ ପାଇଁ ତାକୁ ପ୍ରସ୍ତୁତ କରିବା । ଏହି ଆଦର୍ଶ ତାଙ୍କୁ ମହାନ୍‌କରିଛି । ଶିକ୍ଷକର ଅନୁଭୂତି ହିଁ ତାଙ୍କୁ ଦରଦୀ କବି ଓ ଲେଖକରେ ପରିଣତ କରିଦେଇଛି ।

ସମାଜସେବୀ ଜୀବନ :–

ସତ୍ୟବାଦୀ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଥିଲା ସେବା । ସମାଜ ସେବା ଗୋପବନ୍ଧୁ, ନୀଳକଂଠ, ଗୋଦାବରୀଶଙ୍କ ଆଦର୍ଶ । ଶିବ ଜ୍ଞାନରେ ଜୀବ ସେବା, ନିରନ୍ନ ଜନତା ମୁଖରେ ଅନ୍ନଦାନ, ରୋଗୀ ସେବା, ନିରାଶ୍ରୟକୁ ଆଶ୍ରୟଦାନ, ଅନ୍ୟର ଦୁଃଖ କଷ୍ଟଦେଖି ତା ପ୍ରତି କର୍ତ୍ତବ୍ୟ ସମ୍ପାଦନ, ଦୟାର ସଞ୍ଜୀବନୀମନ୍ତ୍ର ଉଚ୍ଚାରଣ ଦ୍ୱାରା ପ୍ରକୃତ ସେବା ପ୍ରକାଶ ପାଇଥାଏ । ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ସମାଜ ସେବୀ ଭାବରେ ନିଜକୁ ପ୍ରତିଷ୍ଠା କରିଥିଲେ ମଧ୍ୟ ‘ସେବା’ ଥିଲା ତାଙ୍କର ବଂଶଗତ ଗୁଣ । ତାଙ୍କ ପିଲାଦିନେ ସେ ଦେଖିଥିଲେ ତାଙ୍କ ବାପା ବଗଳାମୁଖୀ ମନ୍ତ୍ରରେ ଝାଡ଼ି କେମିତି ଜ୍ଵର, ବସନ୍ତ ଆଦି ରୋଗ ଭଲ କରି ଅନେକଙ୍କର ଉପକାର କରିଥିଲେ । ବୁଢ଼ୀମା’ କେମିତି ଲୁଣ ମନ୍ତୁରାଇ ବହୁ ଲୋକଙ୍କର ପେଟବଥା ଦୂର କରୁଥିଲେ । ସୁତରାଂ ପୂର୍ବ ପୁରୁଷଙ୍କ ବଂଶାନୁଗତ ପ୍ରଭାବରୁ ଗୋଦାବରୀଶଙ୍କ ଅନ୍ତର୍ନିହିତ ସେବା ଗୁଣ ବିକଶି ଉଠିଥିଲା । ଏଣୁ ନିଜେ ମେସ୍‌ମରିଜିମ ଶିଖି ରୋଗୀ ସେବା କରୁଥିଲେ । ପୁରୀ ଜିଲ୍ଲା ସ୍କୁଲର ଛାତ୍ର ଥିବାବେଳେ ଗୋଦାବରୀଶଙ୍କ ଆତ୍ମବିକାଶର ପରିପୂର୍ଣ୍ଣା ଆସିଥିଲା ଶଶୀଦା’ ଓ ଗୋପବନ୍ଧୁଙ୍କ ସଂସ୍ପର୍ଶ ହେତୁ । ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଗୋପବନ୍ଧୁଙ୍କ ପ୍ରେରଣାରେ ସେ ଆଠ ଦିନଧରି ମରଣମୁଖୀ ହଇଜା ରୋଗୀଙ୍କ ସେବା କରିଥିଲେ । ତାଙ୍କ ପିତା ଏଥିରୁ ନିବର୍ତ୍ତାଇ ଥିଲେ ମଧ୍ୟ ସେ ମାନି ନଥିଲେ । ୧୯୦୭ ରେ ବନ୍ୟାର ପ୍ରଳୟଙ୍କରୀ ତାଣ୍ଡବନୃତ୍ୟରେ ଓଡ଼ିଶାର ସମଗ୍ର ଉପକୂଳ ଅଞ୍ଚଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଥିଲା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଏକ ସଙ୍ଗରେ ବନ୍ୟାର ପ୍ରକୋପ ଥିଲା ପ୍ରବଳ । ବିଲାତର ଜଣେ ସାମ୍ବାଦିକ ଭାରତ ଦର୍ଶନରେ ଆସି ଓଡ଼ିଶାର ବନ୍ନ୍ୟା ଅଞ୍ଚଳ ଦେଖି ସ୍ତମ୍ବିତ ହୋଇଥିଲେ । ସେ ମଧୁସୂଦନ, ଗୋପବନ୍ଧୁ ଓ ଗୋଦାବରୀଶଙ୍କ ସେବାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଓ ସେମାନଙ୍କ ପ୍ରତି ତାଙ୍କ ଅନ୍ତରରୁ ମୁଗ୍ଧ ଅଭିନନ୍ଦନ ଝରି ପଡ଼ିଥିଲା ।

ସତ୍ୟବାଦୀର ଶିକ୍ଷକତା ହିଁ ତାଙ୍କୁ ପରିଣତ କରିଦେଲ। ଜଣେ ଆଦର୍ଶ ସେବକରେ । ରୋଗଗ୍ରସ୍ତ ଛାତ୍ରମାନଙ୍କ ସେବା କରିବାରେ ସେ ଥିଲେ ଅଦ୍ୱିତୀୟ ଶିକ୍ଷକ । ସୁଦୂର ଢେଙ୍କାନାଳରୁ ସତ୍ୟବାଦୀରେ ଆସି ପଢ଼ୁଥିବା ଛାତ୍ର ବଂଶୀ, ବିସୂଚିକା ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥବା ସମୟରେ ଶିକ୍ଷକ ଗୋଦାବରୀଶ ତା ନିକଟରେ ବସି ଶୁଶ୍ରୁଷା କରିଥିଲେ । କିନ୍ତୁ ଦୈବର କ୍ରୁର ନିୟମରେ ଛାତ୍ରଟି ବିକଶିତ ହେବା ଆଗରୁ ଅକାଳରେ ଝଡ଼ିପଡ଼ିଲା । ପ୍ରିୟ ଛାତ୍ର ବଂଶୀର ଶବକୁ ନିଜ କାନ୍ଧରେ ବୋହିନେଇ ଶ୍ମଶାନରେ ନିଜ ହାତରେ ଚିତା ଜଳାଇଥିଲେ ସେ । ଦୁଃଖରେ ମର୍ମାହତ କବି, ଶୂନ୍ୟହାତ ଓ ଶୂନ୍ୟମନରେ ଛାତ୍ରାବାସକୁ ଫେରିଲେ । ଅସ୍ଥିର ମନରେ କାଳାତିପାତ କରୁଥିବା ସମୟରେ ବଂଶୀ ପ୍ରତି ଅନ୍ତରର ଶ୍ରଦ୍ଧା ନିବେଦନ କରି ଲେଖିଲେ କବିତା ‘ନିମିଷକ ଦେଖା’ । ପରେ ପରେ ଆଉ ଦୁଇଟି କବିତା ‘ହୋଇଥାନ୍ତ ଯେବେ’ ଓ ‘ଥାଅ ବାବୁ’ ମଧ୍ୟ ଲେଖିଥିଲେ । ସତ୍ୟବାଦୀରେ ମତାନ୍ତର ହେତୁ ଗୋପବନ୍ଧୁ ଗୋଦାବରୀଶଙ୍କ ସିଂହଭୂମି ଯିବାକୁ ଅନୁରୋଧ କଲେ । ସତ୍ୟବାଦୀ ବିଦ୍ୟାଳୟ ଛାଡ଼ିବାପରେ ଗୋଦାବରୀଶ ସିଂହଭୂମିର ବିଛିନ୍ନ ଅଞ୍ଚଳରେ ରହି ନାନା ସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ପରବର୍ତ୍ତୀ କାଳରେ ସେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରୀତ୍ଵକୁ ରାଜଭୋଗର ମାଧ୍ୟମ ଭାବରେ ଗ୍ରହଣ ନ କରି ଦେଶ ସେବାକୁ ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି । ଏକଥା ସେ ତାଙ୍କ ଆତ୍ମଜୀବନୀରେ ସ୍ପଷ୍ଟ ଭାବରେ ବ୍ୟକ୍ତ କରି କହିଛନ୍ତି- ଏହି ସବୁ ଭିତରେ ମୁଁ ସେବାର ଜୀବନ ଗଢ଼ିବାକୁ ଚେଷ୍ଟା କରିଛି । ଯେତେବେଳେ ଯାହା ମୋ ବିବେକକୁ ଠିକ୍‌ବୋଲି ଦିଶିଛି, ମୁଁ ତହିଁରୁ ଆଙ୍ଗୁଳେ ଟଳି ନାହିଁ ବୋଲି ସାହସରେ କହିପାରେ । ଅବଶ୍ୟ ସାଧାରଣ କାର୍ଯ୍ୟକ୍ଷେତ୍ରରେ କୌଣସି ଦଳ ଭିତରେ ଥିବାବେଳେ ଦଳର ସମୂହ ସୁବିଧା ଲାଗି କେତେକ ଘଟଣାରେ ମୋତେ ଆଖିବୁଜି ଦେବାକୁ ହୋଇଛି । ସେପରି ନ କଲେ ରାଜନୀତି ହୁଏ ନାହିଁ । ସେଥିପାଇଁ ଆଗରେ ଯୁଧିଷ୍ଠିରଙ୍କର ଅଶ୍ଵତ୍‌ଥାମା ମୃତ ସମ୍ବାଦ ପ୍ରକାଶ କରିବା ଦୃଷ୍ଟାନ୍ତ ରହିଛି । ସମୂହ ହିତ ନିମନ୍ତେ ଯେଉଁ ମିଥ୍ୟା ବା ଅନ୍ୟାୟର ଆଶ୍ରୟ ନିଆଯାଏ, ତାର ନାମ ରାଜନୀତିକ ଭାଷାରେ ମିଥ୍ୟା ବା ଅନ୍ୟାୟ ନୁହେଁ, ତାହା ଚାଣକ୍ୟ ନୀତି । ଦେଶ ଓ ଜାତିର ସେବା କରିବାକୁ ବାହାରି ମୁଁ ଅନୁରୋଧ ବା ଉପରୋଧ କିମ୍ବା ବ୍ୟକ୍ତିଗତ ଲାଭ ନିମନ୍ତେ କର୍ତ୍ତବ୍ୟରୁ ଟଳିଛି କମ୍‌ ।’

ଗୋଦାବରୀଶ ଥିଲେ ଜଣେ ଯଥାର୍ଥ ଜନ ସେବୀ, ସମାଜ ସେବୀ ଓ ଦେଶସେବୀ । ମାନବ ସେବା ହିଁ ତାଙ୍କ ହୃଦୟରେ ସୃଷ୍ଟି କରିଥିଲା ସମ୍ବେଦନଶୀଳ ମାନବିକତା । ଏହି ମାନବିକ ସମ୍ବେଦନା ତାଙ୍କୁ ଜଣେ ଦରଦୀ କବିରେ କେବଳ ପରିଣତ କରିଦେଇ ନଥିଲା ବରଂ ଆଦର୍ଶ ସମାଜ ସେବକଭାବେ ପରିଚିତ କରାଇଥିଲା । ଗୋପବନ୍ଧୁଙ୍କ ମାନବସେବାରେ ସେ ପ୍ରଭାବିତ ହୋଇ ମଣିଷ ସେବାକୁ ଜୀବନର ବ୍ରତ କରିନେଇଥିଲେ । ମଣିଷ ସେବାରୁ ତାଙ୍କର ସୃଷ୍ଟି ହୋଇଥିଲା ଦେଶ ସେବା । ତେଣୁ ଜୀବନର ସକଳ ପ୍ରଲୋଭନକୁ ଏଡ଼ାଇ ମଣିଷକୁ ଆପଣାର କରିନେଇଥିଲେ ସେ ।

ର।ଜନୀତିକ ଜୀବନ :–

ପ୍ରାଚୀନ ଭାରତର ରାଜନୀତି-ନିୟମକୁ ବିଶ୍ଵାସ କରି ଗୋଦାବରୀଶ ରାଜନୀତିରେ ଯୋଗ ଦେଇଥିଲେ । ଏଥିପାଇଁ ମୂଳତଃ ଗେ।ପବନ୍ଧୁ ଓ ଶଶିଦା’ ଥିଲେ ତାଙ୍କର ପ୍ରେରଣାଦାତା । ୧୯୨୦ ମସିହାରେ ଚକ୍ରଧରପୁରରେ ଥିବା ବେଳେ ସେଠାରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପ୍ରଦତ୍ତ ଭାଷଣ ଥିଲା ଗୋଦାବରୀଶ ପ୍ରଥମ ରାଜନୀତିକ ଭାଷଣ । ଏହି ସମୟରେ ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ତରଫରୁ ଅସହଯୋଗର ଆହ୍ଵାନ ସମଗ୍ର ଭାରତରେ ଖେଳିଗଲା । ଗୋପବନ୍ଧୁ, ନୀଳକଂଠ ଓ ଗୋଦାବରୀଶ ଆଦିଙ୍କ ବହୁ ଶ୍ରମ ଓ ସ୍ନେହରେ ଗଢ଼ାଯାଇଥିବା ବିଦ୍ୟାଳୟ ସରକାରୀ ମଞ୍ଜୁରୀ ପାଇବାକୁ ଗଲାବେଳେ ତାହାକୁ ଗ୍ରହଣ କରାଗଲା ନାହିଁ । ଢୋଲପୁର ଶାନ୍ତିନିକେତନ ବିଦ୍ୟାଳୟ ଢାଞ୍ଚାରେ ପ୍ରସ୍ତାବ ଦେବାକୁ କୁହାଗଲା । ଏଥିରେ ସବୁଠାରୁ ବେଶୀ କଷ୍ଟ ପାଇଥିଲେ ଗୋଦାବରୀଶ । ମାତ୍ର ତାଙ୍କର ଏ କଷ୍ଟ ବେଶୀ ଦିନ ରହିନଥିଲା । ବିଦ୍ୟାଳୟଟି ଜାତୀୟ ବିଦ୍ୟାଳୟ ଘୋଷିତ ହେବାପରେ ଗୋଦାବରୀଶ କଂଗ୍ରେସଦଳ ଓ ତାହାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ । ଅସହଯୋଗ ଆନ୍ଦୋଳନ ଚଳାଇବା ପାଇଁ ଚେଷ୍ଟାକରି ମଧ୍ୟ ସେ ପାରୁନଥିଲେ । ସରକାରୀ କଳ ଏହା ବିରୋଧରେ ସକ୍ରିୟ ହୋଇଉଠିଥିଲା । ପ୍ରଥମେ ପ୍ରଥମେ ସଭାସମିତି କରିବା ଓ ସେଥିପାଇଁ ଚାନ୍ଦା ଆଦାୟ କରିବା କାର୍ଯ୍ୟ କିଛିଦିନ ଚାଲିଲା । ମାତ୍ର ବତ଼ ବଡ଼ ଧନୀ ଲୋକମାନେ ସରକାରଙ୍କୁ ବିରୋଧ କରିବାର ଶକ୍ତି ହରାଇ ସଭାସମିତି ରେ ଯୋଗଦେଲେ ନାହିଁ କି ଆର୍ଥିକ ସାହାଯ୍ୟ ମଧ୍ୟ କଲେ ନାହିଁ । ଗୋଦାବରୀଶଙ୍କ ଅତି ଆପଣାର ପ୍ରଭାବଶାଳୀ ବ୍ୟକ୍ତିମାନେ ମଧ୍ୟ ଆଉ ଧରାଛୁଆଁ ଦେଲେନାହିଁ । ତଥାପି ୧୯୨୧ ମସିହା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସଭାକରି ସେ ଲୋକମାନଙ୍କୁ ସ୍ୱରାଜ ବାର୍ତ୍ତାରେ ଉଦ୍‌ବୁଦ୍ଧ କରାଇବାକୁ ଲାଗିଲେ । ପୁଲିସ୍‌ଗୁପ୍ତ ରିପୋର୍ଟରେ ତାଙ୍କୁ ବନ୍ଦୀକରିବା ପାଇଁ ନିର୍ଦ୍ଦେଶ ଥିଲେ ହେଁ ତାଙ୍କର ଲୋକପ୍ରିୟତାକୁ ଭୟକରି ତତ୍କାଳୀନ ଗୋରା କମିଶନର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିପାରିଲେ ନାହିଁ ।

ସିଂହଭୂମି ଜିଲ୍ଲାର ପ୍ରତ୍ୟେକଟି ଗ୍ରାମରେ ସେ ବୁଲି ବୁଲି କଂଗ୍ରେସର ବାର୍ତ୍ତା ପ୍ରଚାର କରିଥିଲେ । ବେଳେ ବେଳେ ଗୋପବନ୍ଧୁ ଯାଇ ଗୋଦାବରୀଶଙ୍କ ସହିତ ମିଶି ଏ କାର୍ଯ୍ୟ କରୁଥିଲେ-। ଓଡ଼ିଆମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ଲାଗି ସେ ମେ’ ମାସର ପ୍ରଚଣ୍ଡ ଉତ୍ତାପରେ ମଧ୍ୟ ଚକ୍ରଧରପୁର ହାଇସ୍କୁଲର ଛାତ୍ର ଓ ତାଙ୍କର ସହକର୍ମୀ ଗତିକୃଷ୍ଣ ବାବୁଙ୍କୁ ଧରି ବିଭିନ୍ନ ସ୍ଥାନରେ ସଭାସମିତି କରୁଥିଲେ । ଏମାନଙ୍କର ଏହି କର୍ମ ଦେଖି ଇଂରେଜ ସରକାର ସ୍କୁଲକୁ ଆଉ ଭତ୍ତା ଦେଲେ ନାହିଁ । ଗୋଦାବରୀଶ ତାଙ୍କ ବଂଧୁବର୍ଗଙ୍କ ସହିତ ରେଳ ଷ୍ଟେସନକୁ ଯାଇ ଯାତ୍ରୀମାନଙ୍କଠାରୁ ପଇସା ମାଗି ଆଣୁଥିଲେ, ସେଥିରୁ ଯାହା ମିଳୁଥିଲା ତାହା କର୍ମୀମାନଙ୍କ ଓଳିଏ ଖାଇବାକୁ ହେଉ ନଥିଲେ ମଧ୍ୟ ସେମାନେ ବଡ଼ ଉତ୍ସାହର ସହିତ କଂଗ୍ରେସର ପ୍ରଚାରରେ ମାତିଥିଲେ । ଏହି ସମୟରେ ଭାଷା ଭିତ୍ତିରେ ପ୍ରଦେଶ ଗଠନ କରିବା ପାଇଁ କଂଗ୍ରେସ ସ୍ଥିରକଲା । ଜନସଂଖ୍ୟା ଦୃଷ୍ଟିରୁ ସିଂହଭୂମି ଓଡ଼ିଶାରେ ମିଶିବାକଥା, କିନ୍ତୁ କଂଗ୍ରେସ ନେତାମାନେ ଏକମତ ନହେବାରୁ ସେମାନଙ୍କଠାରୁ ପୋଷ୍ଟକାର୍ଡ଼ ମାଧ୍ୟମରେ ଲିଖିତ ମତ ନିଆଯାଇଥିଲା । ବିହାର ଓ ଓଡ଼ିଶାର ନେତାମାନଙ୍କ ମତକୁ ଗ୍ରହଣ କରି କମିଟି ସ୍ଥିର କଲା ସିଂହଭୂମି ଓଡ଼ିଶାରେ ମିଶିବ । ମାତ୍ର ଡ. ରାଜେନ୍ଦ୍ର ପ୍ରସାଦଙ୍କ ମତକୁ ଗ୍ରହଣ କରି ମୋତିଲାଲ ନେହେରୁ ଅହମଦାବାଦ କଂଗ୍ରେସ ଅଧିବେଶନରେ ସିଂହଭୂମିକୁ ବିହାରରେ ମିଶାଇଥିବାରୁ ଗୋଦାବରୀଶ ଖୁବ୍‌ କଷ୍ଟ ପାଇଥିଲେ । ରାଜନୀତିକ ପରିବର୍ତ୍ତନରେ ଚକ୍ରଧରପୁର ଓଡ଼ିଆମାନଙ୍କ ଅବସ୍ଥା ଭିନ୍ନ ରୂପନେଲା । ଏହାର ପ୍ରତିକାର ପାଇଁ ଗୋଦାବରୀଶ, ମଧୁସୂଦନ, କନିକାରାଜା ଓ ବ୍ରଜସୁନ୍ଦର ଦାସଙ୍କୁ ଚିଠି ଲେଖିଲେ ୧୯୨୨ ମସିହାରେ । କୌଣସି ଉତ୍ତର ନପାଇ ପତ୍ନୀ ଓ ପୁତ୍ରକନ୍ୟାଙ୍କ ସମେତ ନିରାଶ ହୋଇ ବାଣପୁରକୁ ଫେରିଆସିଲେ । ବାଣପୁରରେ ରହି ସେ ସରକାରଙ୍କ ସମବାୟ ବିଭାଗ ସହାୟତାରେ ଦଶ ଜଣ ସଦସ୍ୟଙ୍କୁ ନେଇ ‘କୃଷକ ସମବାୟ ସମିତି’ ଓ ଏକ ବୟନ ସମିତି ଗଢ଼ିଲେ । ସୂତାକଟା ଓ ଲୁଗାବୁଣା ଆଦି କାର୍ଯ୍ୟ ଚାଲିଲା । ଦୁଇଟି ସମବାୟ ସମିତି ଓ ଗୋଟିଏ ସମବାୟ ବ୍ୟାଙ୍କର କର୍ମକର୍ତ୍ତା ହିସାବରେ ଗୋଦାବରୀଶ ସଭାପତି ହେବାରୁ ସରକାରୀ ଅଫିସର ତଥା ପୁଲିସ୍‌କର୍ମଚାରୀ ସନ୍ଦେହ କରେ। କ୍ରମେ ଗୋଦାବରୀଶ ଏ ସବୁଥିରୁ ଓହରିଗଲେ । ମାତ୍ର ବିଧିର ବିଧାନ ଅନ୍ୟ ରକମର ଥିଲା । ଘଟଣାକ୍ରମେ ସେ ବିହାର-ଓଡ଼ିଶା ବିଧାନ ସଭାକୁ ସଦସ୍ୟ ଭାବରେ ନିର୍ବାଚିତ ହେଲେ ୧୯୨୪ ମସିହାରେ । ତାଙ୍କର ବିଜ୍ଞ ଓ ବିଚାରବନ୍ତ ତଥା ଗଠନମୂଳକ ପରାମର୍ଶ ଯୋଗୁଁ ଅନେକ ସମସ୍ୟାର ସନ୍ତୋଷଜନକ ସମାଧାନ ଘଟିଥିଲା। ମାତ୍ର ୧୯୨୭ରେ ସେ ମଠ-ମନ୍ଦିର ଆଇନ୍‌ ପେସ୍‌ କରି ଅନେକଙ୍କର ଚକ୍ଷୁଶୂଳ ହୋଇଥିଲେ ।

୧୯୩୬ ମସିହାରେ ଦୀର୍ଘ ଦିନର ଆନ୍ଦୋଳନ ପରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । ଷାଠିଏ ଜଣ ସଦସ୍ୟଙ୍କୁ ନେଇ ବିଧାନସଭାର ଏକ ବୈଠକ ରେଭେନସା କଲେଜ ହଲରେ ବସିଲା-। ପୁରୀରୁ ଗୋଦାବରୀଶ କଂଗ୍ରେସ ପକ୍ଷରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ଲାଟ୍‌ସଭାରେ ତାଙ୍କ ଇଂରାଜୀ ବକ୍ତୃତା ଏତେ ଚମତ୍କାର ହେଲା ଯେ ଇଂରେଜ ଲୋକମାନେ ମଧ୍ୟ ମୁଣ୍ଡ ତଳକୁ କରିଦେଇଥିଲେ । କଂଗ୍ରେସର ପ୍ରାଦେଶିକ ସଭାପତି ଭାବରେ ନୀଳକଂଠ ଓ ସମ୍ପାଦକ ଭାବରେ ଗୋଦାବରୀଶଙ୍କ ପ୍ରତିଷ୍ଠାକୁ ସହ୍ୟ କରିନପାରି କେତେକ ଦଳ ଭିତରେ ବିଭେଦ ଆଣିବାକୁ ଚେଷ୍ଟା କରିଥିଲେ । ଫଳରେ ଦଳରେ ବିପଦ ସୃଷ୍ଟି ହୋଇଥିଲା ।

୧୯୩୬ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବାପରେ କିଛିଦିନ ମନ୍ତ୍ରୀମଣ୍ଡଳ ଶାସନ ଚାଲିଲା ଓ ପରେ ଲାଟ୍‌ଶାସନ ମଧ୍ୟ ଚାଲିଥିଲା ପ୍ରାୟ ଅଢ଼େଇ ବର୍ଷ । ପାରଳାର ଗଜପତି ମହାରାଜାଙ୍କୁ କେନ୍ଦ୍ରକରି ମନ୍ତ୍ରୀ ଶାସନ ଚାଲିଲା ୧୯୪୧ ନଭେମ୍ବରରୁ ୧୯୪୪ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ । ଗୋଦାବରୀଶ ହେଲେ ଅର୍ଥ ଓ ଶିକ୍ଷାମନ୍ତ୍ରୀ । ଗୋଦାବରୀଶ ଓ ପାରଳାର ମହାରାଜାଙ୍କର ସଫଳ ଚେଷ୍ଟା ଓ କାମନାରେ ଓଡ଼ିଶାରେ ଉତ୍କଳ ବିଶ୍ୱବିଦ୍ୟାଳୟ, ମେଡ଼ିକାଲ କଲେଜ ଓ ହାଇକୋର୍ଟ୍‌ ପ୍ରତିଷ୍ଠା ହେଲା । ଗୋଦାବରୀଶ ମନ୍ତ୍ରୀ ଭାବରେ ପ୍ରତିଶ୍ରୁତି ଅପେକ୍ଷା କାର୍ଯ୍ୟଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ୧୯୪୭ରେ ଦେଶ ସ୍ଵାଧୀନ ହେବାପରେ ଓ ଷଢ଼େଇକଳା, ଖରସୁଆଁ ବିହାରକୁ ଚାଲିଯିବାରୁ ସେ ଦୁଃଖରେ ନୀଳକଂଠ ଦାସଙ୍କ ସହ ମିଶି ସ୍ଵାଧୀନ ଜନସଂଘ ନାମରେ ଗୋଟିଏ ରାଜନୀତିକ ଦଳ ଗଢ଼ିଥିଲେ । ୧୯୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ହେଲା । ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ନିଜର ସମ୍ବିଧାନ ପ୍ରଣୟନ କରିଥିବାରୁ ପ୍ରାଦେଶିକ ବିଧାନସଭା ଓ ପରିଷଦ ଆଦିରେ ମଧ୍ୟ ନିର୍ବାଚନ ହେଲା । ଓଡ଼ିଶା ବିଧାନସଭା ପାଇଁ ଗୋଦାବରୀଶ ବାଣପୁରର କୃଷ୍ଣପ୍ରସାଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଲେ । ଦୀର୍ଘ ବର୍ଷ ଧରି ଯେଉଁ କଂଗ୍ରେସର ଗୁଣଗାନ କରିଆସୁଥିଲେ ତାର ବିରୋଧୀ ଆସନରେ ବସିଲେ ସେ । ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠ ହୋଇ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ଗଠନ କରିଥିଲା । ବିରୋଧୀ ଦଳରେ ଥିଲେ ନୀଳକଂଠ, ଗୋଦାବରୀଶ ଓ ଆଉ ଅଣତିରିଶ ଜଣ । ବିରୋଧୀଦଳରେ ଥିବାବେଳେ ଗୋଦାବରୀଶ ସରକାରଙ୍କର ଜନଶୃଙ୍ଖଳା ରକ୍ଷା ଆଇନ (୧୯୫୨), ଉପମନ୍ତ୍ରୀଙ୍କର ଦରମା ବିଲ୍‌ (୧୯୫୨), ଓଡ଼ିଆ ମାଧ୍ୟମିକ ଶିକ୍ଷା ବିଲ୍‌ (୧୯୫୪) ପ୍ରଭୃତି ଆଲୋଚିତ ହେବାବେଳେ ଯେଉଁ ମନ୍ତବ୍ୟ ଉପସ୍ଥାପନା କରୁଥିଲେ ସେ ସବୁ ସତ୍ୟ ଓ ତଥ୍ୟ ମୂଳକ ଥିଲା । ଭୂକର ଖଜଣା ଛାଡ଼ ସଂପର୍କରେ ଚାଷୀର ଫସଲକୁ ସରକାର ଉପଯୁକ୍ତ ମୂଲ୍ୟଦେଇ କିଣିଲେ ଚାଷୀ ଅଧିକ ଫସଲ ଅମଳ ପାଇଁ ଇଚ୍ଛା ବଢ଼ାନ୍ତା ଓ ରାଜସ୍ଵରେ ରିହାତି ପାଇଲେ ସେ ମଧ୍ୟ କମ୍‌ଦାମରେ ତାକୁ ଦେଇପାରନ୍ତା, ଆଦି ନାନା ଯୁକ୍ତି ଦେଇ ସରକାରଙ୍କୁ ବୁଝାଉଥିଲେ । ସରକାରୀ ଭାଷା ବିଲ୍‌ ସମ୍ପର୍କରେ ବିଧାନସଭାରେ ଦେଇଥିବା ବକ୍ତବ୍ୟ ଏବେ ମଧ୍ୟ ପ୍ରଣିଧାନର ବିଷୟ ହୋଇ ରହିଛି।

ପ୍ରଦେଶଗୁଡ଼ିକର ସୀମା ନିର୍ଣ୍ଣୟ କରିବାପାଇଁ ଭାରତ ସରକାର ଏକ ଉଚ୍ଚ କମିଶନ ବସାଇଥିଲେ । ୧୯୫୫ ମସିହା ଶେଷରେ ରାଜ୍ୟ ପୁନର୍ଗଠନ କମିଟିର ରିପୋର୍ଟ ପ୍ରକାଶ ପାଇଲା-। ଭାଷା ଭିତ୍ତିରେ ରାଜ୍ୟସବୁ ସ୍ଵୀକୃତି ଲାଭ କଲା । ଷଢ଼େଇକଳା ଓ ଖରସୁଆଁରେ ଓଡ଼ିଆ ଭାଷା ଅଧିକ ଥିବାରୁ ତାହା ଗୋଦାବରୀଶଙ୍କ ନେତୃତ୍ଵରେ ଓଡ଼ିଶାରେ ମିଶିଥିଲା । ସିଂହଭୂମିର ଦୁଃଖ ସେ ଭୁଲିଯାଇଥିଲେ । ମାତ୍ର ୧୯୫୫ର ରିପୋର୍ଟ ଅନୁସାରେ ଷଢ଼େଇକଳା ଓ ଖରସୁଆଁ ବିହାରର ସୀମା ଭିତରକୁ ଚାଲିଗଲା । ଏହା ଗୋଦାବରୀଶଙ୍କ ଜୀବନର ଥିଲା ଅନ୍ୟତମ ଚରମ ଦୁଃଖ । ୧୯୫୬ ମସିହାରେ ଉତ୍କଳ ସମ୍ମିଳନୀ ଓ ଓଡ଼ିଶା ସରକାର ଉଭୟ ଓଡ଼ିଆ ଭାଷା ଭାଷୀ ସବୁ ଅଞ୍ଚଳକୁ ଓଡ଼ିଶାରେ ମିଶାଇବା ଲାଗି ଯୁକ୍ତି ପ୍ରମାଣ ସହ ସରକାରଙ୍କୁ ସ୍ମାରକ ପତ୍ର ଦେଲେ । ଓଡ଼ିଶା ରାଜ୍ୟ ସୀମାକୁ ଯଥାର୍ଥ ମର୍ଯ୍ୟାଦା ଦେବାପାଇଁ ସମଗ୍ର ଓଡ଼ିଶାରେ ଆନ୍ଦୋଳନ ତେଜିଉଠିଲା-। ଗୋଦାବରୀଶ, ପାଟଣା ମହାରାଜା ଓ ସାରଙ୍ଗଧର ଦାସ କଟକରେ ସତ୍ୟାଗ୍ରହ ଆନ୍ଦୋଳନ କରି ଗିରଫହେଲେ । ବିଶେଷ କରି, ରାଜ୍ୟର ବିଭିର୍ଣ୍ଣ ଅଞ୍ଚଳରେ ଯେଉଁ ପ୍ରବଳ ଜନ-ଆନ୍ଦୋଳନ ତେଜି ଉଠିଥିଲା, ତାହାର ନେତୃତ୍ୱ ନେଇଥିଲେ ଗୋଦାବରୀଶ । କମିଶନରଙ୍କ ରିପୋର୍ଟକୁ ବିରୋଧକରି, ସୀମା ନିର୍ଦ୍ଧାରଣକୁ ସ୍ୱୀକାର ନ କରିବାପାଇଁ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ସଭା ସମିତିମାନ କରାଇଥିଲେ । ବିଧାନସଭାର ସଦସ୍ୟମାନେ ଏହାର ପ୍ରତିବାଦରେ ଇସ୍ତଫା ଦେବାକୁ ସେ ଆହ୍ଵାନ ଦେଲେ । ଛାତ୍ର ଓ ଜନସାଧାରଣଙ୍କ ସଭାରେ ତାଙ୍କ ଓଜସ୍ୱିନୀ ଭାଷଣରେ ଏହି ଆନ୍ଦୋଳନ ତୀବ୍ରତର ହେଲା। ପୁରୀ ରେଳ ଷ୍ଟେସନରେ ଛାତ୍ରମାନେ ଧାରଣା ଦେଇ ରେଳ ଚଳାଚଳ ବନ୍ଦ କରିଦେବାରୁ ପୁଲିସ୍‌ଗୁଳିଚାଳନା କଲେ ଓ ତହିଁରେ ବେଙ୍ଗପାଣିଆର ମୃତ୍ୟୁ ହେଲା । କଟକ ଆକାଶବାଣୀ ଠାରେ ଆନ୍ଦୋଳନରତ ଛାତ୍ରମାନଙ୍କ ମଧ୍ୟରୁ ସୁନୀଲ୍‌ଦେ ମଧ୍ୟ ପୁଲିସ୍‌ ଗୁଳିରେ ଶହିଦ୍‌ ହେଲେ, ଏବଂ ଅନ୍ୟ କେତେକ ବ୍ୟକ୍ତି ଆହତ ହୋଇଥିଲେ । ଗୋଦାବରୀଶ ଆଦି କେତେ ଜଣ ମୁଖ୍ୟ ସେହି ଆନ୍ଦୋଳନରେ ନେତୃତ୍ଵ ନେଇ ୧୯୫୬ ମସିହାରେ ଦୁଇ ତିନି ମାସ ପାଇଁ ଜେଲ୍‌ ଭୋଗିଲେ । ଜେଲ୍‌ରେ ଥିବା ସମୟରେ ଉଭୟ ମାନସିକ ଓ ଶାରୀରିକ ଚାପରେ ତାଙ୍କର ସତୁରୀ ବର୍ଷର ସଂଗ୍ରାମୀ ଶରୀର ଭାଙ୍ଗିପଡ଼ିଲା । ଜେଲ୍‌ରୁ ମୁକ୍ତିପାଇ ଫେରିବା ପରେ ସେ କିଛିଦିନ ପାଇଁ ଭୁବନେଶ୍ୱରରେ ଚିକିତ୍ସିତ ହେଲେ, ମାତ୍ର ସେଥିରୁ ଭଲ ହୋଇ ପାରିଲେ ନାହିଁ । ଏହାପରେ ତାଙ୍କର ଜ୍ୱରରୋଗ ଲାଗିରହିଲା । ପଛକୁ ବାହାରିଲା - ରକ୍ତଚାପ, ପୁଣି ବହୁମୂତ୍ର ରୋଗ । ଶେଷରେ ସେ କଟକ ଶ୍ରୀରାମଚନ୍ଦ୍ର ଉଞ୍ଜ ମେଡ଼ିକାଲ ହାସପାତାଲକୁ ଯାଇ ନର୍ସିଂହୋମରେ ଭର୍ତ୍ତି ହେଲେ । ବହୁମୂତ୍ର ଟିକିଏ କମିଲେ ମଧ୍ୟ ଅନ୍ୟ ଦୁଇଟି କମିଲା ନାହିଁ ଏବଂ ସେଥିରେ ସେ ୧୯୫୬ ମସିହା ଜୁଲାଇ ୨୬ତାରିଖ ଗୁରୁବାର ଦିନ ଶେଷ ନିଶ୍ୱାସ ତ୍ୟାଗ କଲେ। ମୃତ୍ୟୁବେଳକୁ ସେ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ ଓ କର୍ମକ୍ଷେତ୍ରରୁ ଅବସର ନେଇନଥିଲେ ।

ଗୋଦୀବରୀଶଙ୍କ ମୃତ୍ୟୁରେ ସମଗ୍ର ଓଡ଼ିଶା ଓ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଅଧିବାସୀମାନେ ଶୋକରେ ମର୍ମାହତ ହୋଇଥିଲେ । ଶେଷକୃତ୍ୟ ପାଇଁ ତାଙ୍କ ମରଶରୀରକୁ ସତ୍ୟବାଦୀ ନିଆ ଯାଇଥିଲା । ସେଠାରେ ବାଣପୁରବାସୀ ଉପସ୍ଥିତ ହୋଇ ଶବକୁ ବାଣପୁର ନେବାପାଇଁ ଜିଦ୍‌ କରିଥିଲେ । ନାନା ଯୁକ୍ତିତର୍କପରେ ଶେଷରେ ତାଙ୍କର ଚିତାଭସ୍ମ ବାଣପୁର ପଠାଇବା ପାଇଁ ସ୍ଥିର ହେଲା । ମାତ୍ର ଶୋକାକୁଳ ଜନତାଙ୍କ ନିଷ୍ପତ୍ତି ଅନୁସାରେ ଶେଷକୃତ୍ୟ ସତ୍ୟବାଦୀ ବକୁଳବନ ଶ୍ମଶାନରେ ହୋଇଥିଲା । ବର୍ତ୍ତମାନ ତାହା ପଞ୍ଚସଖାଙ୍କ ସମାଧି ସହ ସତ୍ୟବାଦୀ ପୁଣ୍ୟଭୂମିରେ ପରିଣତ । ଗୋଦାବରୀଶଙ୍କ ନିଃସ୍ୱାର୍ଥ କର୍ମ୍ମପ୍ରବଣତା, ନିରବଚ୍ଛିନ୍ନ ସାଧନା, ଜାତୀୟ ଜୀବନର ଆହ୍ୱାନ ଓଡ଼ିଆଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ ।

ପାରିବାରିକ ଜୀବନ :–

ପାରିବାରିକ ଜୀବନରେ ଗୋଦାବରୀଶଙ୍କ ବାପା ସଂସାରୀ ଥିଲେ ସତ ମାତ୍ର ସନ୍ୟାସୀ ପରି ଜୀବନଯାପନ କରୁଥିଲେ । ଯେଉଁଦିନ ଯାହା ଉପାର୍ଜନ କରନ୍ତି ସେହିଦିନ ସେଥିରେ ଚଳନ୍ତି । ଆଗାମୀ କାଲି ପାଇଁ ସେ ସଂଚୟ କରିପାରୁନଥିଲେ କି ସେ ମନୋବୃତ୍ତି ମଧ୍ୟ ତାଙ୍କର ନଥିଲା । ତେଣୁ ସେ ସର୍ବଦା ଦରିଦ୍ର ଜୀବନଯାପନ କରୁଥିଲେ । ଗୋଦାବରୀଶଙ୍କ ବାଲ୍ୟକାଳରେ ଅନେକ ସମୟ ତାଙ୍କ ଘରେ ଚୁଲି ଜଳେ ନାହିଁ । ପଡ଼ୋଶୀଘରେ ସନ୍ଧ୍ୟାରେ କାହିଁକି ଚୁଲି ଜଳୁଛି ବୋଲି ଜାଣିବା ପାଇଁ ସେ ମାଆଙ୍କୁ ପ୍ରଶ୍ନ କରନ୍ତେ ମାଆ ନାନା ଉତ୍ତରରେ ତାଙ୍କୁ ଭୁଲେଇ ଦିଅନ୍ତି । ଗୋଦାବରୀଶ ବାପା ମାଆଙ୍କର ଆକାଂକ୍ଷିତ ଏକମାତ୍ର ସନ୍ତାନ ଥିବାରୁ ଘରର ଭଲ ଖାଦ୍ୟ ତାଙ୍କୁ ଖାଇବାକୁ ଦିଆଯାଏ । ବାପା ଗଣ୍ଡେ ଗଣ୍ଡେ ଭାତ ଖାଆନ୍ତି । ବୋଉ ଓ ବୁଢ଼ୀମା ଅନେକ ସମୟରେ ମାଣ୍ଡିଆ ଜାଉ ଓ ପେଜ ଖାଇଥାନ୍ତି । ପର୍ବପର୍ବାଣୀରେ ତାଙ୍କ ଘରେ ପାଟି ସୁଆଦିଆ ଯାହା ଟିକିଏ ହୁଏ । ଅଭାବରୁ ରକ୍ଷା ପାଇବା ପାଇଁ ତାଙ୍କ ବୋଉ ପଡ଼ିଶା ଘର ଗୃହିଣୀଙ୍କଠାରୁ ଚାଉଳ ଧାର ଆଣୁଥିଲେ । ସାତ ଆଠ ବର୍ଷରେ ଚାଉଳର ଧାର ଟଙ୍କା ଦୁଇଶହରୁ ଅଧିକ ହେବାରୁ ପରିଶୋଧର ଉପାୟ ଧନରେ ନୁହେଁ ଜନରେ ହେଲା । ଅର୍ଥାତ୍‌ ଗୋଦାବରୀଶଂକୁ ତାଙ୍କ ଝିଅକୁ ବିବାହ ଦିଆଗଲା । ସେତେବେଳେ ଗୋଦାବରୀଶଙ୍କ ବୟସ ଦଶବର୍ଷ ଓ କନ୍ୟାର ବୟସ ନଅବର୍ଷ ଛଅ ମାସ । ପିଲାଦିନେ ଧୂଳିଖେଳରେ ଏ ଦୁହେଁ ବରକନ୍ୟା ହୋଇ ଖେଳ ଖେଳୁଥିଲେ । ପିଲାଟି ଦିନରୁ ଅଭାବରେ ବଢ଼ିଥିବା ଗୋଦାବରୀଶ ବାପାଙ୍କ ସହିତ କିଛିଦିନ ପାଇଁ ପୂଜାରୀ ସାଜିଥିଲେ । ବିଦ୍ୟାଳୟ ଶିକ୍ଷା ଆରମ୍ଭରେ ତାଙ୍କୁ ଅନେକ ସମୟ ଉପାସରେ ରହିବାକୁ ପଡ଼ୁଛି । ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇ ତାଙ୍କୁ ମାସକୁ ଚାରିଟଙ୍କାରେ ଚଳିବାକୁ ପଡ଼ିଲା । ସବୁବେଳେ ଏତିକିରେ ହୁଏ ନାହିଁ । ଏଣୁ ହଷ୍ଟେଲରେ ରୋଷେଇ ପାଇଁ ଚାଉଳ ପଡ଼ିବା ପୂର୍ବରୁ ଅନ୍ୟତ୍ର ଖାଇବେ ବୋଲି କହି ଚାଲିଯାଇଛନ୍ତି । ସମୁଦ୍ରକୂଳର ପବନରେ ତାଙ୍କର କ୍ଷୁଧା ନିବାରଣ ହୁଏ । ଅର୍ଥାଭାବରୁ ପିଲାଦିନେ ସେ ମିଠା ଦୋକାନ ଆଡ଼କୁ ଚାହୁଁ ନଥିଲେ । ଥରେ ଗୋଟିଏ ପଇସା ନେଇ ସିଂହଦ୍ଵାର ନିକଟସ୍ଥ ମିଠା ଦୋକାନୀକୁ ମିଠା ଖାଇବା ପାଇଁ ମାଗିବାରୁ ସେ ପୁରି ଗୋଟିଏ ଦେଇଥିଲା । ଗୋଦୀବରୀଶ ମିଠା ଲାଗିବକି ନାହିଁ ପଚାରିବାରୁ ସେ ତହିଁରେ ସିରା ଟିକିଏ ଢାଳି ଦେଇଥିଲା । ବହୁଦିନ ପରେ ସେ ବୁଝିଥିଲେ ସେତେବେଳେ ଯାହା ଖାଇଥିଲେ ତାହା ପୁରିଟିଏ ଥିଲା ଓ ତହିଁରେ ଢାଳି ଦିଆଯାଇଥିବା ତରଳ ପଦାର୍ଥ ଟିକକ ଥିଲା ରସଗୋଲାର ରସ ।

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ ଥରେ ଅଷ୍ଟମଶ୍ରେଣୀର ଛାତ୍ର ଉଦୟନାଥର ଗୋଟିଏ ଅଧୁଲି ଖସି ପଡ଼ିଥିଲା ଓ ତାକୁ ଗୋଦାବରୀଶ ନେଇ ଯାଇଥିଲେ । ଯେତେବେଳେ ଉଦୟନାଥଙ୍କ ସହିତ କଟକ କଲେଜରେ ତାଙ୍କର ଦେଖାହେଲା ସେ ତାଙ୍କୁ ଅଧୁଲିଟି ଫେରସ୍ତ ଦେଇ କ୍ଷମା ପ୍ରାର୍ଥନା କରିବା ସହିତ କାନ୍ଦିଥିଲେ । ଅଭାବ ଯୋଗୁଁ କିଛି ସମୟପାଇଁ ତାଙ୍କର ସ୍ୱଭାବ ନଷ୍ଟ ହେଇଥିଲା ସତ, ମାତ୍ର ଗୋଦାବରୀଶଙ୍କ ପ୍ରାୟଶ୍ଚିତ ତାଙ୍କୁ ମହାନ୍‌ କରିଥିଲା । ପ୍ରଭାସ ଚନ୍ଦ୍ର ନାମକ ବନ୍ଧୁର ଦୁଇଖଣ୍ଡ ବହିକୁ ଚୋରେଇ ତହିଁରୁ ତା ନାମକୁ ସମ୍ପୂର୍ଣ୍ଣ ଲିଭେଇ ଦେଇ ନିଜର କରିଦେଇଥିବା ଗୋଦାବରୀଶ ପରେ ପ୍ରଭାସ ଚନ୍ଦ୍ରକୁ ବହି ଫେରେଇବା ବେଳେ ଅଭାବ ଅସୁବିଧା କଥା କହିବାରୁ ସେ ତାଙ୍କୁ କ୍ଷମା କରିଦେଇଥିଲେ । ନବମ ଶ୍ରେଣୀ, ଗୋଦାବରୀଶଙ୍କ ଜୀବନର ଏକ ସଙ୍କଟାପନ୍ନ ସମୟ ଥିଲା । ଛାତ୍ରାବାସରେ ଧନୀ ପିଲାମାନେ ଲଣ୍ଠନ ବ୍ୟବହାର କରୁଥିଲେ, ଗରିବ ପିଲାମାନେ ଡିବିରି ଜାଳୁଥିଲେ । ଗୋଦାବରୀଶଙ୍କ ଭାଗ୍ୟରେ ପଡ଼ିଥିଲା ଡିବିରି । ମାତ୍ର ସେଥିରେ ସେ ଭଲ ପଢ଼ିପାରୁ ନଥିଲେ । ସଂଧ୍ୟାରୁ ନିଦରେ ଶୋଇ ଯାଉଥିଲେ । ବେଳେବେଳେ କେତେଜଣ ବନ୍ଧୁଙ୍କ କୁଶିକ୍ଷାରେ ପଡ଼ି ଅନେକ ସମୟ ଯାଇ ସମୁଦ୍ର କୂଳରେ ବୁଲି ବୁଲି ଆସି ଶୋଇ ଯାଆନ୍ତି । ପରଦିନ ସକାଳୁ ଉଠି ତାସ୍‌ ଖେଳନ୍ତି । ଏସବୁ ଦୁର୍ଗୁଣ ସତ୍ତ୍ଵେ ଶିକ୍ଷକମାନଙ୍କ ମୁହଁରୁ ଶୁଣି ଯାହା ମନେ ରଖନ୍ତି ତହିଁରେ ପାଶ୍‌ କରନ୍ତି । ଶଶିଦା’ ତାଙ୍କୁ ଏହି କୁସଙ୍ଗରୁ ନିବୃର୍ତ୍ତ କରାଇ ସୁପଥର ମାର୍ଗ ଦର୍ଶାଇଥିଲେ । ଅଭାବୀ ଗୋଦାବରୀଶ ଖଣ୍ଡିଏ ଲୁଗାରୁ ଦୁଇଖଣ୍ଡ ପିନ୍ଧିବାକୁ ପାଇନାହାନ୍ତି । ଗାମୁଛା ଖଣ୍ଡେ ମଧ୍ୟ ତାଙ୍କର ନଥିଲା । ଗାମୁଛାକୁ ପ୍ରତିଦିନ ଧୋଇବାକୁ ପଡ଼ିବ ବୋଲି ସେ ପ୍ରତିଦିନ ଗାଧୋଉ ନଥିଲେ । ରବିବାର ଦିନ ସକାଳେ ସମୁଦ୍ରରେ ଗାଧୋଇ ଲୁଗାର ଗୋଟିଏ କାନି ପିନ୍ଧନ୍ତି ଏବଂ ଅନ୍ୟ କାନିଟି ପବନରେ ଶୁଖାଇ ଛାତ୍ରାବାସକୁ ଫେରନ୍ତି । ସବୁଦିନ ନ ଗାଧୋଉଥିବାରୁ ତାଙ୍କ ଦେହରୁ ଗନ୍ଧ ବାହାରେ ଓ ଆତ୍ମଗ୍ଲାନି ଯୋଗୁଁ ସେ ଅନ୍ୟମାନଙ୍କ ସହିତ ମିଶିପାରନ୍ତି ନାହିଁ । ତା ସହିତ ଅପରିଷ୍କାର ଯୋଗୁଁ କାଛୁ, କୁଣ୍ଡିଆ ଆଦି ଚର୍ମରୋଗ ହୁଏ । ସାଙ୍ଗ ପିଲାମାନେ ତାଙ୍କଠାରୁ ଦୂରେଇ ରହୁଥିଲେ ।

ପାରିବାରିକ ଜୀବନରେ ଅଭାବର ଘନଘଟା ସହିତ ଦୁଃଖ ପ୍ରାୟ ତାଙ୍କୁ ଭୋଗିବାକୁ ପଡ଼ିଛି । ଏକାଦଶ ଶ୍ରେଣୀରେ ବାପା ଓ ମାଆଙ୍କ ମୃତ୍ୟୁ ତାଙ୍କ ଅଧିକ ଅଭାବୀ କରିଥିଲା ସତ, କିନ୍ତୁ ଅଭିଜ୍ଞ ମଧ୍ୟ କରିଥିଲା । ଗୋଦାବଦରୀଶଙ୍କ ପାଇଁ ତାଙ୍କ ବୁଢ଼ୀମା’ଙ୍କର ଥିବା ତ୍ୟାଗ ଅପରିସୀମ । ସ୍ନେହ ଓ ଆଦର ହେତୁ ସେ କୌଣସି ଭଲ ଜିନିଷ ନଖାଇ ନାତିକୁ ଦେଇଦିଅନ୍ତି । ଦିନେ ଗୋଦାବରୀଶଙ୍କ ବାପା ଦୁଇଟି କଦଳୀ ଆଣି ମାଆଙ୍କୁ ଦିଅନ୍ତେ ସେ ଦୁଇଟି ଯାକ କଦଳୀ ଛଡ଼େଇଦେଇ ନାତି ହାତକୁ ବଢ଼େଇ ଦେଲେ ଓ ଚୋପା ଦୁଇଟିକୁ ପାକୁଆ ପାଟିରେ ପାକୁଳି କରି ଖାଇଦେଲେ । ଗୋଦାବରୀଶଙ୍କ ଭାଷାରେ ‘ଏହା ହେଉଛି ଦୁଃଖୀ ଘରର କରୁଣ କାହାଣୀ ।’ ବାପା ମାଆଙ୍କୁ ହରାଇ ସେ ପୁରୀ ଫେରି ଆସିଲେ । ହେଲେ ଚଳିବେ କିପରି ? ରାମକୃଷ୍ଣ ବାବୁଙ୍କ କୃପାରୁ ମିଳୁଥିବା ପାଞ୍ଚଟଙ୍କାରୁ ସେ ୧ଟଙ୍କା ଘରକୁ ପଠାଇଲେ ଦୁଇଜଣ ଚଳିବା ପାଇଁ ଓ ନିଜେ ୪ଟଙ୍କାରେ ଚଳିଲେ । ରବିବାର ଦିନ ସକାଳେ ଘର ଦୁଆର ବନ୍ଦକରି ଝରକାବାଟେ ଧୋବାକୁ ଲୁଗା ଦିଅନ୍ତି ଓ ଧୋବାଠାରୁ ସଜ ଲୁଗା ଓପରଓଳିକୁ ମିଳିବା ପରେ ସଂଜବେଳକୁ ଘରୁ ବାହାରନ୍ତି-। ତାଙ୍କର ଖଣ୍ଡିଏ ମୋଟା ଲୁଗାରୁ ଦୁଇଖଣ୍ଡ ନଥିଲା । ମେସ୍‌ଖର୍ଚ୍ଚ ଦେଇ ନପାରି ଛାତ୍ରାବାସର କୋଠରୀ ଛାଡ଼ି ଅଦରକାରୀ ରୋଷେଇ ଘରେ ଖାଲି ପଟାରେ ମୁଣ୍ଡତଳେ ଇଟା ଦେଇ ଶୋଇଲେ-। ଏହା ଶୁଣି ଦ୍ୱିତୀୟ ପ୍ରଧାନ ଶିକ୍ଷକ ମାଖନଲାଲ ଗାଙ୍ଗୁଲି ଦେଖିବାକୁ ଯିବାରୁ ଗୋଦାବରୀଶ ଅଯଥାରେ ତାଙ୍କୁ ବ୍ୟସ୍ତ ନ କରିବାପାଇଁ ଅନ୍ୟଠାରୁ ସତରଞ୍ଜି ଓ ମାଣ୍ତି ଆଣି ଦେଖାଇଥିଲେ । ପରେ ଅବଶ୍ୟ ମାଖନ ଲାଲ ବାବୁ ଏସବୁ ଜାଣିପାରି ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ । ଚନ୍ଦ୍ରମୋହନ ବାବୁଙ୍କ ଘରେ ତାଙ୍କ ପୁଅକୁ ଟିଉସନ୍‌ କଲେ । ଏ ବାବଦରେ ଖାଇବା ରହିବାର ବ୍ୟବସ୍ଥା ଚନ୍ଦ୍ରମୋହନ ବାବୁ କରିଦେବା ଜାଣି ସେ ପ୍ରସ୍ତାବ ଗ୍ରହଣ କଲେ । ଅବସ୍ଥା ଚକ୍ରରେ ତାଙ୍କୁ ଚନ୍ଦ୍ରମୋହନ ବାବୁଙ୍କ ଘରେ ଅନେକ ସମୟ ରୋଷେୟାର କାମ କରିବାକୁ ପଡ଼ିଲା-। ହାତରେ ହଳଦୀ ରଂଗ ଲାଗିଥିବାର ଦେଖି ସାଙ୍ଗମାନେ ଚିଡ଼େଇଲେ, ଏଥି ସହିତ ଚନ୍ଦ୍ରମୋହନ ବାବୁଙ୍କ ପୁଅ ରଜନୀ ମଧ୍ୟ ତାଙ୍କୁ ରୋଷେୟା ଗୋଦାବରୀଶ ଡାକିବାରୁ ସେ ଦୁଃଖ ପାଇଲେ । କିନ୍ତୁ ଛାଡ଼ି ଆସିପାରିବାର ଉପାୟ ନଥାଏ । ଲୋଭରେ ପଡ଼ି ଦିନେ ତାଙ୍କ ଘରେ ଘଡ଼ିରୁ ମେଞ୍ଚାଏ ଘିଅ ଖାଇ ଦେବାବେଳେ ଚନ୍ଦ୍ରମୋହନ ବାବୁଙ୍କ ଦ୍ୱାରା ଧରାପଡ଼ିଥିବା ଘଟଣା ତାଙ୍କୁ ଅନୁତପ୍ତ କରାଇଥିଲା । ଅବଶ୍ୟ ଶଶିଦା’ଙ୍କୁ ସେ ଏ କଥା ଜଣାଇଥିଲେ । ଚନ୍ଦ୍ରମୋହନ ବାବୁଙ୍କ ଘରେ ବିନା ମଶାରୀରେ ଶୋଉଥିବାର ଦେଖି ମହାରଣା ବାବୁଙ୍କ ବନ୍ଧୁ ଇଶାନ ବାବୁ ତାଙ୍କ ପାଇଁ ଖଣ୍ଡିଏ ମଶାରୀ କିଣି ଆଣିଥିଲେ । ଏହି ଅଭାବ ସମୟରେ ସେ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ସେବା କରିବାକୁ ଯାଇଥିଲେ-। ହଇଜା କବଳରୁ ରକ୍ଷା ପାଇ ରୋଗିଣା ହୋଇ ବଞ୍ଚିଥିବା ତାଙ୍କ ଭଉଣୀଟି ପୁଣି ରୋଗବ୍ୟାଧିରେ ପଡ଼ିଲା । ଅଭାବ ଅନଟନ ଯୋଗୁଁ ଗୋଦାବରୀଶ ତାର ଯତ୍ନ ଠିକ୍‌ ଭାବରେ ନେଇ ପାରିଲେ ନାହିଁ-। ସାମାନ୍ୟ ସମ୍ବଳ ମଧ୍ୟରେ ଡାକ୍ତର ଆଣି ଆସିବାବେଳକୁ ସେ ଇହ ସଂସାରରୁ ବିଦାୟ ନେଇ ସାରିଥିଲା । ବାକି ରହିଲେ ଅନ୍ଧୁଣୀ ବୁଢ଼ୀମା ଓ ସ୍ତ୍ରୀ । କଟକରେ ଚନ୍ଦ୍ରମୋହନ ବାବୁଙ୍କ ବସାରେ ରହି ଗୋଦାବରୀଶ ଦଶଟଙ୍କା ବୃତ୍ତିରୁ କଲେଜ ବେତନ ଚାରିଟଙ୍କା ଦେଇ ହାତଖର୍ଚ୍ଚ ପାଇଁ ଟଙ୍କାଏ ରଖି ବାକି ପାଞ୍ଚଟଙ୍କା ଘରକୁ ମନିଅର୍ଡ଼ର କରୁଥିଲେ । ଏଫ.ଏ. ପାଶ୍‌ କଲାପରେ ବି.ଏ. ପଢ଼ିବା ବେଳେ ଅର୍ଥାଭାବରୁ ସେ ଠିକ୍‌ ସମୟରେ ପରିବାର ପାଖକୁ ଟଂକା ପଠାଇ ପାରୁ ନଥିଲେ ଏଣୁ ସେମାନେ ମଧ୍ୟ ଦିନେ ଖାଇ ଅନ୍ୟଦିନକ ଉପାସରେ ରହିବା ଅଭ୍ୟାସ କରିଦେଇଥିଲେ । ଅଭାବକୁ ଭୁଲିଯିବା ଭଳି କେତୋଟି ସୁଦିନ ଆସିଥିଲା ଗୋଦାବରୀଶ ଏମ୍‌.ଏ.ପଢ଼ିବାବେଳେ । ଏକକାଳୀନ ଚାରିମାସର ବୃତ୍ତି ଖଣ୍ଡିଏ ଶହେ ଟଙ୍କା ସେ ପ୍ରଥମେ ଜୀବନରେ ଦେଖିଲେ । ସେଥିରେ କୋଇଲା ଗୁଣ୍ଡଧରି ସେ ଦାନ୍ତ ଘଷିଲେ । ସତ୍ୟବାଦୀ ବିଦ୍ୟାଳୟରୁ ବିଦାୟବେଳେ ଜଣେ ରାଜା ଦେଇଥିବା ଦୁଇଖଣ୍ତ ପାଟକୁ ସେ ଅନ୍ୟବେଳେ ନ ପିନ୍ଧି ପାଇଖାନାକୁ ଗଲାବେଳେ ପିନ୍ଧିଲେ । କେହି ଅଭାବରେ ପଡ଼ି ଟଙ୍କା ଧାର ମାଗିଲେ ସେ ଅନ୍ୟଠାରୁ କରଜ ଆଣି ଦେଉଥିଲେ-। ଖାଇବାକୁ ମାଗିଲେ ନିଜ ଖାଦ୍ୟରୁ ଦେଉଥିଲେ । ଉଦାର ପ୍ରକୃତିର ବିକାଶରେ ତାଙ୍କ ଜୀବନ ଧନ୍ୟ ହେଲା ବୋଲି ଭାବିଲେ । ବାସ୍ତବିକ ଏସବୁ ଗୁଣକୁ ସେ ବାପାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଥିଲେ ।

ଏମ୍‌.ଏ. ପଢ଼ିବାପରେ ତାଙ୍କ ଅଭାବ ଲାଘବ ହେବ ବୋଲି ସେ ମନେକଲେ ଯେତେବେଳେ ମୂକ ବଧିର ବିଦ୍ୟାଳୟର ଶିକ୍ଷକ ହେବାର ସୁଯୋଗ ଲାଭକଲେ । ମାତ୍ର ଗୋପବଂଧୁଙ୍କ ଅନୁରୋଧକୁ ଏଡ଼ାଇ ନପାରି ଆର୍ଥିକ ଅବସ୍ଥାରେ ସ୍ଵଚ୍ଛଳତା ଆଣିବା ପରିବର୍ତ୍ତେ ଅଧିକ ତ୍ୟାଗ କରି ବିନା ମୂଲ୍ୟରେ ସତ୍ୟବାଦୀର ଶିକ୍ଷକତାକୁ ଗ୍ରହଣ କଲେ । ଛଅ ବର୍ଷ ମଧ୍ୟରେ ଅଭାବ ଓ ଅଭିଜ୍ଞତାକୁ ପୁନଃ ସହଚର କରି ଗୋଦାବରୀଶ ସିଂହଭୂମିର ଚକ୍ରଧରପୁରକୁ ଗଲେ । ଏଠାରେ ଶିକ୍ଷକତା ସଙ୍ଗେ ସଙ୍ଗେ ରାଜନୀତିର କ୍ଷେତ୍ର ପ୍ରସ୍ତୁତ କଲେ ଓ ତହିଁରେ ସକ୍ରିୟ ଅଂଶ ଗ୍ରହଣ କରି ସରକାର ବରୋଧୀ ହେଲେ । ସରକାର ସ୍କୁଲକୁ ଆର୍ଥିକ ଅନୁଦାନ ବନ୍ଦ କରିଦେବାରୁ ତିନିଥରରୁ ଥରେ ଖାଇବାକୁ ପାଇଲେ । ତଥାପି ବିଛନ୍ନାଞ୍ଚଳକୁ ଓଡ଼ିଶାରେ ମିଶାଇବା ପାଇଁ କରିଥିବା ପଣରୁ ସେ ଓହରି ଯାଇନଥିଲେ ସତ, କିନ୍ତୁ କୌଣସି ଆଡ଼ୁ ସାହାଯ୍ୟ ନ ପାଇ ସେ ଶେଷରେ ବାଧ୍ୟହୋଇ ଟେବୁଲ୍‌, ଚୌକି, ଗାଇ, ବାଛୁରୀ, ଏପରିକି ଶେଷରେ କେତେକ ଅଦରକାରୀ ଲୁଗାପଟା ଓ କମ୍ବଳ ବିକ୍ରି କରି ଅନନ୍ୟୋପାୟ ହୋଇ ସ୍ତ୍ରୀ ଓ ପିଲାଙ୍କୁ ଧରି ବାଣପୁରକୁ ଫେରିଗଲେ । ବାଣପୁରରେ ମଧ୍ୟ ଏକା ପ୍ରକାରର ଅବସ୍ଥା ଭୋଗ କରିବାକୁ ପଡ଼ିଲା । ମାଆଙ୍କ ଶ୍ରାଦ୍ଧରେ ଚାଉଳ ମାଣେ ଦେଇ ନପାରି ସେ ଆତ୍ମହରା ହୋଇଛନ୍ତି । ଏହାପରେ ସେ ଦୈନିକ ‘ଆଶା’ର ସମ୍ପାଦକ ଶଶୀଭୂଷଣ ରଥଙ୍କ ସାହଚର୍ଯ୍ୟରେ ବ୍ରହ୍ମପୁର ଆସି ଗଞ୍ଜାମ ଷ୍ଟୋର୍‌ରେ ବହି ପ୍ରକାଶ କଲେ । ପ୍ରତି ପୃଷ୍ଠାକୁ ଦୁଇଟଙ୍କା ବାବଦରେ ଗୋଦାବରୀଶ ଦୁଇହଜାର ଟଙ୍କା ପାଇଥିଲେ ମଧ୍ୟ ତାଙ୍କ ଅଭାବ ଦୂର ହୋଇ ନଥିଲା । ତାଙ୍କ ସାହିତ୍ୟିକ ଜୀବନରେ ଦାରିଦ୍ର୍ୟର ଅଗ୍ନି ପରୀକ୍ଷା ଏହିଠାରୁ ଆରମ୍ଭ ହେଲା । ଅଭାବରେ ରହି ମଧ୍ୟ କୃପାସିନ୍ଧୁଙ୍କ ଅନୁରୋଧରେ ଚାଳିଶଟଙ୍କା ଦରମାରେ ପୁନରାୟ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା ପାଇଁ ସେ ରାଜି ହୋଇନଥିଲେ । ଘୋର ଅଭାବ ଅସୁବିଧା ମଧ୍ୟରେ ଗୋଦାବରୀଶ ଆପଣାର ପରିବାର ବୃତ୍ତିରୁ ସାଧନାପଥକୁ ଗତିକରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଉଚ୍ଚଶିକ୍ଷା ଲାଭକରି ବ୍ୟକ୍ତିତ୍ଵ ଗଠନ କରିଛନ୍ତି । ଜନତାକୁ ଭଲ ପାଇ ଜନନାୟକ ହୋଇଛନ୍ତି । ମଣିଷ ପ୍ରତି ଥିବା ତାଙ୍କ ସମ୍ବେଦନଶୀଳ ପ୍ରକୃତି ତାଙ୍କୁ ଦରଦୀ କବି ଓ ସୁସାହିତ୍ୟିକର ଆସନ ପ୍ରଦାନ କରିଛି ।

ସାହିତ୍ୟ ସାଧନାର ପୃଷ୍ଠଭୂମି :–

ଲେଖକ ବା ସାହିତ୍ୟିକଙ୍କର ଦୁଇଟି ଦୃଷ୍ଟି ଥାଏ । ଗୋଟିଏ ତୈଜସଦୃଷ୍ଟି, ଓ ଅନ୍ୟଟି ବୈଶ୍ୱାନର ଦୃଷ୍ଟି । ସ୍ଥୂଳଦୃଷ୍ଟିରେ ସେ ଯାହାକୁ ଦେଖନ୍ତି ଦିବ୍ୟଦୃଷ୍ଟିରେ ତାହାକୁ ଗଭୀର ଭାବରେ ନିରୀକ୍ଷଣ କରନ୍ତି । ଏହି ଦୁଇ ଦୃଷ୍ଟିର ସମନ୍ୱୟରେ ଲେଖକଙ୍କ ଭାବସତ୍ତାରେ ତୃତୀୟ ଚକ୍ଷୁର ହୁଏ ଉନ୍ମେଷ । ବାହାରର ବସ୍ତୁରୂପ ଲେଖକଙ୍କ ହୃଦୟରେ ଭାବ ରୂପରେ ପରିଣତ ହୋଇଥାଏ ଏବଂ ସେହି ଭାବ ରୂପ ହୁଏ ସାହିତ୍ୟର ପ୍ରାଣ ପ୍ରବାହ । ଅବଶ୍ୟ ଏଥିପାଇଁ ଯେ ବହୁ ଅଧ୍ୟୟନ ଆବଶ୍ୟକ ତାହା ନୁହେ, କିନ୍ତୁ ବହୁ ଅଧ୍ୟୟନ ଦ୍ଵାରା ସାହିତ୍ୟ ସୃଷ୍ଟି ହୁଏ ବାସ୍ତବ ଓ ବ୍ୟାପକ । ବିଶ୍ଵ ସାହିତ୍ୟରେ ବହୁ ସାହିତ୍ୟିକ ଅଛନ୍ତି ଯେଉଁମାନଙ୍କର ଶିକ୍ଷାଦୀକ୍ଷା ଅତ୍ୟନ୍ତ କମ୍‌ । କିନ୍ତୁ ଈଶ୍ଵରଦତ୍ତ ପ୍ରତିଭା ବଳରେ ସେମାନେ ଉଚ୍ଚକୋଟୀର ହୋଇପାରିଛନ୍ତି । କେତେକ ସାହିତ୍ୟିକ ଉଚ୍ଚଶିକ୍ଷାଓ ଜ୍ଞାନ ଲାଭକରି ସାହିତ୍ୟ ସୃଷ୍ଟି କରିଥିବା ମଧ୍ୟ ଦେଖାଯାଏ ।

ଗୋଦାବରୀଶ ଉଚ୍ଚଶିକ୍ଷିତ । ଅର୍ଥନୀତିରେ ଏମ୍‌.ଏ. ପାଶ୍‌ କରିଥିଲେହେଁ କବିତ୍ୱ ଥିଲା ତାଙ୍କର ସହଜାତ । ଏହି ସହଜାତ ପ୍ରତିଭା ବଳରେ ସେ ଅନେକ ସାହିତ୍ୟ ସୃଷ୍ଟି କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେ ବାଣପୁରର ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନରେ ସେ ବାପା ମାଆ ବଢ଼ୀମା’ ତଥା ଗ୍ରାମର ଅନ୍ୟ ଗୁରୁଜନମାନଙ୍କ ସ୍ନେହ ଭାଜନ ହୋଇପାରିଥିଲେ ନିଜର ସୁଗୁଣ ଯୋଗୁଁ ଗ୍ରାମ୍ୟ ଜୀବନ, ଗ୍ରାମ୍ୟ ପରିବେଶ, ପ୍ରାକୃତିକ ଦୃଶାବଳୀ, ଯଥା, ଘଣ୍ଟିଶିଳା ଓ କାଳିଜାଇ ପାହାଡ଼, ଚିଲିକା ହ୍ରଦର ରମଣୀୟ ପରିବେଶ, ଆଦି ତାଙ୍କର କିଶୋର ପ୍ରାଣର କଳ୍ପନା ଶକ୍ତିକୁ ପ୍ରଖର କରିଥିଲା । ଅନ୍ୟ ପକ୍ଷରେ ତାଙ୍କର ଦାରିଦ୍ର୍ୟ ପୀଡ଼ିତ ପାରିବାରିକ ଜୀବନ ତାଙ୍କ ମନରେ ସୃଷ୍ଟି କରିଥିଲା ମାନବିକ ସମ୍ବେଦନାବୋଧ । ଅଙ୍ଗେ ଲିଭାଇଥିବା ଦୁଃଖ ଓ ଦୈନ୍ୟ ତାଙ୍କ ଭିତରେ ଆତ୍ମ ପ୍ରକାଶ ପାଇଁ ସୃଷ୍ଟି କରିଥିଲା ମାନବିକ ସମ୍ବେଦନାବୋଧ ସୃଷ୍ଟି କରିଥିଲା ଦୁର୍ବାର ପ୍ରେରଣା । ନିବିଡ଼ ବେଦନାବୋଧରୁ କବିତ୍ୱର ଘଟିଥିଲା ସ୍ପୁରଣ । ସତ୍ୟବାଦୀର ଶିକ୍ଷକ ଥିଲାବେଳେ ଗୋପବନ୍ଧୁଙ୍କ ସଂସ୍ପର୍ଶରେ ଆସି ଗୋଦାବରୀଶଙ୍କର ଯେଉଁ ବ୍ୟକ୍ତିତ୍ଵର ପରାକାଷ୍ଠା ପ୍ରକାଶ ପାଇଥିଲା ତାହାରି ବଳରେ ସେ ଛାତ୍ରମାନଙ୍କୁ ଆନ୍ତରିକ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖୁଥିଲେ । ଛାତ୍ରର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇ ସେମାନଙ୍କର ସ୍ନେହଭାଜନ ହେଲେ । ସେମାନଙ୍କୁ ଅନାବିଳ ଭାବରେ ଭଲ ପାଇବାହିଁ ତାଙ୍କୁ ଆଦର୍ଶ ଶିକ୍ଷକରେ ପରିଣତ କରିଦେଲା । ଛାତ୍ରମାନଙ୍କର ଦୁଃଖ, ରୋଗ ଓ ଅସହାୟତା ତାଙ୍କ ଦରଦୀ ପ୍ରାଣକୁ ବ୍ୟଥିତ କଲା । ଛାତ୍ରର ମୃତ୍ୟୁରେ ଅଶ୍ରୁ ବିସର୍ଜନ କଲେ । ଗୋଦାବରୀଶ ସିଂହଭୂମିରେ ବାସକରିବା ସମୟରେ ବିଖଣ୍ଡିତ ଉତ୍କଳ ଜନନୀ ପ୍ରତି ଆସକ୍ତ ହେଲେ । ଦେଶର ସେବାପାଇଁ ଅଗ୍ରସର ହୋଇ ନାନା ସମାଜସେବାମୂଳକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କଲେ-। ଅତୀତ ଉତ୍କଳର କିମ୍ବଦନ୍ତୀ ଓ ଇତିହାସକୁ ସେ ଅନୁଶୀଳନ କଲେ । ଉତ୍କଳର ଦୁର୍ଦ୍ଦଶାକୁ ଉପଲ୍‌ବଧି କରି ଉତ୍କଳୀୟ ଜାତୀୟତାରେ ଝାସଦେଲେ । ଅତଏବ ଗୋଦାବରୀଶଙ୍କ ସାହିତ୍ୟ-ସୃଷ୍ଟି ପ୍ରେରଣାର ଉତ୍ସଭାବେ ପ୍ରାକୃତିକ ପରିବେଶ, ପାରିବାରିକ ଜୀବନର ଅଶୁଳ କାହାଣୀ, ଉତ୍କଳୀୟ ଜନ ଜୀବନର ଦାରିଦ୍ର୍ୟ ଓ ଲାଞ୍ଛନା, ଶିକ୍ଷକ ଓ ଛାତ୍ରର ସ୍ନେହ ସମ୍ପର୍କ, ମାନବିକ ସମ୍ବେଦନାବୋଧକୁ ଗ୍ରହଣ କରା ଯାଇପାରେ । ଏସବୁ ବ୍ୟତୀତ ଗୋଦାବରୀଶଙ୍କ ବିଭୁପ୍ରେମ ମଧ୍ୟ ଅନେକ କବିତାକୁ ଅମରତ୍ୱ ପ୍ରଦାନ କରେ । ବହୁ ଝଡ଼ଝଂଜା ମଧ୍ୟଦେଇ ଅତିବାହିତ ହୋଇଥିବା ତାଙ୍କ ଜୀବନ ତାଙ୍କୁ କେବଳ ସାହିତ୍ୟ ରଚନା ପାଇଁ ଉଦ୍‌ବୁଦ୍ଧ କରିନଥିଲା, ତାଙ୍କ ପ୍ରାଣସତ୍ତାର ମଧ୍ୟ ସେହି ସାହିତ୍ୟ ହୋଇଯାଇଥିଲା ମାର୍ମିକ ଆଲେଖ୍ୟ । ଏଣୁ ସେ ନିରବଚ୍ଛିନ୍ନ ଭାବରେ କବିତା, ନାଟକ, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧାଦି ରଚନାକରି ଜଣେ ସଫଳ ସାହିତ୍ୟିକ ହୋଇପାରିଛନ୍ତି । ତାଙ୍କ ସାହିତ୍ୟ ଓ ତାଙ୍କ ଜୀବନ ଯେପରି ହୋଇଯାଇଛି ଏକ ଏବଂ ଅଭିନ୍ନ । ପ୍ରାୟ ଅଧିକାଂଶ ଗଳ୍ପ, କବିତା, ଉପନ୍ୟାସ ଓ ନାଟକ ଭିତରେ ତାଙ୍କର ଜାତୀୟ ଜୀବନ ପ୍ରତି ଥିବା ମମତା ସତେଯେପରି ଭାସ୍ଵର ହୋଇ ଉଠିଛି । ମାଟି ଓ ମଣିଷକୁ ଭଲପାଇବା, ଜାତିର ଇତିହାସ ଓ କିମ୍ବଦନ୍ତୀ ପ୍ରତି ଶ୍ରଦ୍ଧା ନିବେଦନ କରି ତା’ଭିତରୁ ଜାତୀୟ ପ୍ରାଣ ସତ୍ତାକୁ ଆବିଷ୍କାର କରିବା, ଜାତିର ଅନ୍ତର ଭିତରେ ସ୍ଵାଭିମାନକୁ ଉଦୀପ୍ତ କରିବା, ଜାତିର କଲ୍ୟାଣ ପାଇଁ ସ୍ଵାର୍ଥ ତ୍ୟାଗ କରିବା ଇତ୍ୟାଦି ନାନା ଭାବ ତାଙ୍କ ସାହିତ୍ୟର ହୋଇଗଲା ମର୍ମବାଣୀ ।

Image

 

ତୃତୀୟ ପରିଚ୍ଛେଦ

ସାରସ୍ଵତ ପ୍ରତିଭାର ଆକଳନ

କବି ଗୋଦାବରୀଶ

 

ପୂର୍ବରୁ କହିଛି ଗୋଦାବରୀଶଙ୍କ କବି ପ୍ରତିଭାର ଉନ୍ମେଷ ପ୍ରକୃତି ପ୍ରୀତି, ପାରିବାରିକ ଜୀବନଦୁର୍ଦ୍ଦଶା, ସମ୍ବେଦନଶୀଳ ମୀନବପ୍ରୀତି, ଛାତ୍ର ସମାଜ ପ୍ରତି ସୃଷ୍ଟି ହୋଇଥିବା ମମତ୍ଵବୋଧ, ଉତ୍କଳର ଇତିହାସ ଓ କିମ୍ବଦନ୍ତୀ ପ୍ରତି ଅନୁରକ୍ତି ଚ୍ଛିନ୍ନମସ୍ତା ଉତ୍କଳର ଦୁର୍ଭାଗ୍ୟ ଯୋଗୁଁ ଘଟିଥିଲା । ଏହାହିଁ ତାଙ୍କ ସାରସ୍ଵତ ପ୍ରତିଭାକୁ କଲା ବ୍ୟାପ୍ତ ଓ ସୁଦୂରପ୍ରସାରୀ ।

ପ୍ରକୃତିର ମଧୁର ମୂର୍ଚ୍ଛନାରେ ବିହ୍ଵଳ ହୋଇ କବି ବାଣପୁରର ପାହାଡ଼ ଜଂଗଲ, ଚିଲିକାର ଅପୂର୍ବ ପକ୍ଷୀରାଜି ଇତ୍ୟାଦି ଦର୍ଶନ କରି ବାଲ୍ୟ ଜୀବନର ଦୁଃଖକୁ ଭୁଲି ଯାଉଥିଲେ । ପୁରୀରେ ପଢ଼ୁଥିବା ବେଳେ ସମୁଦ୍ରର କଳରବ, ଢେଉର ଉତ୍ତାଳ ତରଂଗ ଓ କଲିକତା ରହଣି କାଳରେ ନଅ ନମ୍ବର ପଞ୍ଚାନନ ଘୋଷ ଗଳି, ଛୋଟ ଅପନ୍ତରା ହେଲେ ମଧ୍ୟ ତାହାର ଅଗଂଣାର ଫୁଲ ଗୋଦାବରୀଶଙ୍କ କବି ଜୀବନର ଆଦ୍ୟ ପ୍ରସ୍ତୁତି କେନ୍ଦ୍ର ବୋଲି ସେ ନିଜେ ସ୍ଵୀକାର କରି ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରେ କହିଛନ୍ତି, ‘ମୋର ମନେହୁଏ ମୋ କଳିକା ଓ କିଶଳୟ ସେହି ତରୁବରର ଝଡ଼ା ଶୁଖିଲା ସମ୍ପାଦରୁ ସଂଗୃହୀତ ହୋଇଥିବ ।’ ସତ୍ୟବାଦୀ ବନ ବିଦ୍ୟାଳୟର ରହଣି (୧୯୧୩, ଏପ୍ରିଲ ୨୯-୧୯୧୯, ଫେବୃୟାରୀ ୦୭) ତାଙ୍କ ସାଧନା ଓ ସ୍ରଷ୍ଟା ପ୍ରାଣର ଶ୍ରେଷ୍ଠ କ୍ଷେତ୍ର । ସତ୍ୟବାଦୀର ପ୍ରାକୃତିକ ଶୋଭାପୂର୍ଣ୍ଣ ମଧୁର ଆବେଷ୍ଟନୀ, ଆମ୍ବ, ନଡ଼ିଆ, ବକୁଳ, ଛୁରୀଅନା, ଭ୍ରମର, କୋଇଲି ଆଦିଙ୍କ ଅପୂର୍ବ ଶୋଭା ଏବଂ ସହୃଦୟ ସହକର୍ମୀ ଓ ଅନ୍ତେବାସୀ ଛାତ୍ରଗଣ ଗୋଦାବରୀଶଙ୍କ ହୃଦୟରେ କବିତ୍ୱର ସ୍ଫୁରଣ ଘଟାଇବାରେ ସହାୟକ ହୋଇଥିଲେ । ଫଳରେ ଏସବୁ ସ୍ମୃତି, ଅନୁଭୂତି, ଦୃଶ୍ୟ ତାଙ୍କ ହୃଦୟର ଆବେଗରେ ରସାଣିତ ହୋଇ କାବ୍ୟ କବିତା, ଗଳ୍ପ ଉପନ୍ୟାସ ଆଦିରେ ପ୍ରକାଶ ପାଇ ପାଠକୀୟ ଶ୍ରଦ୍ଧା ଅର୍ଜନ କଲା ।

କବିତାର ବିଭାଗ : ଗୀତିକବିତା

ଗୋଦାବରୀଶ ମୁଖ୍ୟତଃ ଗୀତିକବି । ଗୀତହିଁ ତାଙ୍କ କବିତାର ପ୍ରାଣ । ମନ୍ମୟତା ଓ ଗୀତିମୟତା ସହିତ ଅନୁଭୂତିର ଅପୂର୍ବ ସମାବେଶ ସଂଘଟିତ ହୋଇଛି ତାଙ୍କ କବିତାରେ । କବିପ୍ରାଣର ଆବେଗ ଓ ଉଚ୍ଚ୍ୱାସ, ସହଜ, ସୁନ୍ଦର, ସାବଲୀଳ, ନିରାଡ଼ମ୍ବର ଭାବରେ ପ୍ରକାଶ ପାଇଛି ‘କଳିକା’ ଓ ‘କିଶଳୟ’ରେ । ପ୍ରାଣର ଆଶା-ନିରାଶା, ସ୍ନେହ-ସହାନୁଭୂତି, ଦୁଃଖ-ସୁଖର ବ୍ୟକ୍ତିଗତ ଚିତ୍ର ଏହି ଗୀତିକବିତାମାନଙ୍କୁ ସାରସ୍ଵତ ସଂପଦରେ ପରିଣତ କରିଛି । ନାନା ଅଭାବ ଅସୁବିଧା ମଧ୍ୟରେ ଜୀବନ ଅତିବାହିତ କରିଥିଲେ ମଧ୍ୟ ତାଙ୍କ କବି ମନର ‘ଲିରିକାଲ୍‌’ ଦିଗଟି କେବେହେଲେ ମଉଳି ଯାଇନଥିଲା । ଦାରିଦ୍ର୍ୟ ଯୋଗୁଁ ଛାତ୍ର ଅବସ୍ଥାରେ ସେ ସମବୟସ୍କ ବନ୍ଧୁମାନଙ୍କ ସହିତ ମିଶି ନପାରି କଲେଜ ବଗିଚାର ସବୁଜ ଘାସରେ ଶୋଇଯାଆନ୍ତି । ଏଥିପାଇଁ ତାଙ୍କ ବନ୍ଧୁମାନେ ଥଟ୍ଟାରେ ତାଙ୍କୁ ୱାଡ଼ସ୍‌ୱାର୍ଥ କହନ୍ତି । ଭଗବାନଙ୍କ ଆଶୀର୍ବାଦରୁ ଏହି ଥଟ୍ଟା ତାଙ୍କୁ ଦିନେ ବାସ୍ତବରେ ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ କବି ଭାବରେ ପରିଚିତ କରାଇଥିଲା । ଆନ୍ତରିକତା ପୂର୍ଣ୍ଣ ଅନୁଭୂତି ଗୀତିକବିତାର ପ୍ରାଣ । ମଣିଷର ଦୁଃଖ, ଯାତନା, ଦାରିଦ୍ୟ ଓ ମୃତ୍ୟୁ ଗୋଦାବରୀଶଙ୍କୁ ବ୍ୟଥିତ କରୁଥିଲା । ଏହି ଆବେଗରେ ପତିତ ହୋଇ ସେ ତାଙ୍କ ଅନୁଭୂତିକୁ ପ୍ରକାଶ କରିଛନ୍ତି ନାନା କବିତା, ଗଳ୍ପ, ଉପନ୍ୟାସ ଇତ୍ୟାଦିରେ ଯାହା ବ୍ୟକ୍ତିସ୍ଵାତନ୍ତ୍ର୍ୟର ଦୃଷ୍ଟାନ୍ତ ବହନ କରିଥିଲେ ମଧ୍ୟ ମାନବିକତାର ଭାବଧାରେ ଭାସ୍ଵର । ଗୋଦାବରୀଶଙ୍କ ଗୀତିକବିତାକୁ ତିନିଭାଗରେ ବିଭକ୍ତ କରି ଡ. ଜାନକୀବଲ୍ଲଭ ମହାନ୍ତି ଏଗୁଡ଼ିକୁ ଗାଥାତ୍ମକ, ଆତ୍ମାନୁଭୂତିମୂଳକ ଓ ବିଦେଶୀ ଭାବାନୁକରଣାତ୍ମକ ବୋଲି କହିଛନ୍ତି । କିନ୍ତୁ ଯଥାର୍ଥରେ ଆତ୍ମାନୁଭୂତିମୂଳକ କବିତା ଗୁଡ଼ିକର ଗୀତିଧର୍ମିତା ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଛି । ଗାଥା, ଚତୁର୍ଦ୍ଦଶପଦୀ କବିତା ଓ ସମ୍ବୋଧଗୀତିରେ କବିଙ୍କ ପ୍ରାଣର ଉଚ୍ଛ୍ୱାସ ଅବଶ୍ୟ ରହିଛି, କିନ୍ତୁ ଏଗୁଡ଼ିକ ସ୍ଵତନ୍ତ୍ର ବିଭାଗାନ୍ତର୍ଭୁକ୍ତ ହୋଇଥିବାରୁ ଭିନ୍ନ ଭାବରେ ଆଲୋଚନାର ଅପେକ୍ଷା ରଖେ । ସତ୍ୟବାଦୀର ସାଧକ ଗୋପବନ୍ଧୁଙ୍କ ସେବା ଓ ମାନବିକତା, ଦେଶପ୍ରାଣତା ଓ ଜାତୀୟତା, ପ୍ରକୃତି ଓ ଈଶ୍ଵରାନୁଭବ ହେଉଛି ଗୋଦାବରୀଶଙ୍କ ଗୀତିକବିତାର ଆଦର୍ଶ, ମାତ୍ର ବ୍ୟକ୍ତିଗତ ଅନୁଭୂତିର କମନୀୟତାରେ ଏଗୁଡ଼ିକ ପ୍ରକାଶିତ ହୋଇଥିବାରୁ, ସ୍ଵତନ୍ତ୍ର ମଧ୍ୟ । ବାଲ୍ୟ, ତରୁଣ ଓ ପ୍ରୌଢ଼ ଜୀବନର ସ୍ମୃତିଚାରଣ କରି ଗୋଦାବରୀଶ ବ୍ୟକ୍ତିଗତ ଅନୁଭୂତିର ସ୍ପର୍ଶରେ ପ୍ରତ୍ୟେକଟି ଗୀତିକବିତାକୁ ରୂପାୟନ କରିଛନ୍ତି । କିଶଳୟ, କଳିକା, ଚୟନିକା, କୁସୁମ, କବିତାୟନ, ଗୀତାୟନ, ଗୀତିଗୁଚ୍ଛ ଇତ୍ୟାଦି କବିତାପୁସ୍ତକ ଗୁଡ଼ିକରେ ସଙ୍କଳିତ ଗୀତିକବିତା ଗୁଡ଼ିକ ଗୋଦାବରୀଶଙ୍କୁ ଜଣେ ସଫଳ ଗୀତିକବି ଭାବରେ ପ୍ରତିଷ୍ଠା ଦିଏ ।

ଗୋଦାବରୀଶଙ୍କ ଆତ୍ମନିଷ୍ଠା କବିତା ଗୁଡ଼ିକରେ ତାଙ୍କ ବ୍ୟକ୍ତିଗତ ଜୀବନର କରୁଣ ଓ ଦୁଃଖାବହ ଅନୁଭୂତିର ମର୍ମସ୍ପର୍ଶୀ କାହାଣୀ ଜୀବନ୍ତ ଭାବେ ଚିତ୍ରିତ । ନିଜ ବାପା, ମାଆ, ଭଉଣୀ ଓ ବୁଢ଼ୀମାଆଙ୍କ ମୃତ୍ୟୁ ଓ ତାହାର ତିକ୍ତ ସ୍ମୃତିଚାରଣରେ ଅନେକ ଗୀତିକବିତା ସାର୍ଥକ । ‘କବିତାୟନ’ ପିଣ୍ଡଦାନ କବିତାଟିରେ କବି ତାଙ୍କ ମାଆଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ପାଇଁ ଯାହା ଭାବିଛନ୍ତି ତାହାର ମାର୍ମିକ ଅଭିବ୍ୟକ୍ତି ଏଥିରେ ପ୍ରକାଶିତ । ଗରିବ ଗୋଦାବରୀଶ ଅନେକ ସମୟରେ ଖାଇବାକୁ ପାଇ ନାହାନ୍ତି । ତାଳ ଜାଉ ଖାଇ ଜୀବନ ବିତାଉଛନ୍ତି । ମାଆଙ୍କ ଶ୍ରାଦ୍ଧଦିନରେ ସାମାନ୍ୟ ତଣ୍ଡୁଳ ସେ ସଂଗ୍ରହ କରି ନପାରି ଅଚ୍ଛବ ବାଳକ ଠାରୁ ପୋଡ଼ା ତାଳ ଆଣି ପିଣ୍ଡଦାନ କରିଛନ୍ତି । କବିତାଟିର ଗୀତିଧର୍ମିତା ଯେକୌଣସି ପାଠକ ପ୍ରାଣକୁ ଗଭୀର ଭାବରେ ସ୍ପନ୍ଦିତ କରେ । ଏକ ଭିକାରୁଣୀ ବୁଢ଼ୀକୁ ଦେଖି କବି ଆପଣାର ବୃଦ୍ଧା ମାତାମହୀଙ୍କୁ ସ୍ମରଣକରି ଅନୁଶୋଚନା ପୂର୍ବକ ଲେଖିଛନ୍ତି :–

‘କୁଟୀର କୋଣକୁ ତାର କେଥିଲା ମୋ ବିନେ ?

କେତେ ନିର୍ଯ୍ୟାତନା ମୁହିଁ ଦେଇନି ଜୀବନେ ।

କାନେ ନାହିଁ ଶୁଣାଇଛି ‘ବୁଢ଼ୀମାଆ’ ଡାକ

ନାତି ହୋଇ ଦିନେ ତାର ମାଡ଼ି ନାହିଁ ପାଖ ।

ତା ଶୂନ୍ୟ କୋଳଟି ଦିନେ ନାହିଁ ମୁଁ ପୁରାଇ

କିଶୋର ବୟସ ସାରା ପ୍ରବାସେ କଟାଇ ।’

(ବୈତରଣୀ ତୀରେ, ପୃଷା-୨୩୪)

ସତ୍ୟବାଦୀ ବନବିଦ୍ୟାଳୟର ମୁକ୍ତ ପରିବେଶ ଓ ତହିଁରେ ସରଳମନା ଛାତ୍ରମାନଙ୍କୁ ଦେଖି ଗୋଦାବରୀଶ, ଆନନ୍ଦରେ ବିହ୍ଵଳ ହୋଇପଡନ୍ତି । ସେମାନଙ୍କ ସୁଖ ଦୁଃଖରେ କବି ଅନେକ କବିତା ରଚନା କରି ସେମାନଙ୍କୁ ଶୁଣାଇବା ସହିତ ଆତ୍ମତୃପ୍ତି ଲଭନ୍ତି । ଛାତ୍ରମାନଙ୍କ ଗହଣରେ ସବୁବେଳେ ରହି ରହି ସେ ଯେଉଁ ଆନନ୍ଦ ପାଆନ୍ତି ତାହା ତାଙ୍କ ପାଇଁ ଅଚିନ୍ତନୀୟ । କବିଙ୍କ ମନରେ ଅଶାନ୍ତି ଦେଖାଦିଏ ଯେତେବେଳେ ଛାତ୍ରମାନେ ଅବକାଶ ସମୟରେ ନିଜ ନିଜର ଘରକୁ ଦୀର୍ଘଦିନ ପାଇଁ ଚାଲିଯାଆନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ, ଛାତ୍ରମାନଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ମଧୁମୟ । ଏହି ସବୁ ଅନୁଭୂତିର ଚିତ୍ର ମଧ୍ୟ କବିଙ୍କ ବହୁ କବିତାରେ ଅଭିବ୍ୟକ୍ତ ଲାଭ କରିଛି । ଛାତ୍ରମାନଙ୍କର ଜନସେବା, ପରିଭ୍ରମଣ, ପୂଜା ଓ ଉତ୍ସବପାଳନ, ଅସୁସ୍ଥତା ଅଥବା କେଉଁ ଛାତ୍ରର ଅପମୃତ୍ୟୁ କବିଙ୍କ ସ୍ନେହାତୁର ହୃଦୟ କିପରି ବେଦନା-ବିଧୁର କରି ତୋଳିଛି ତାହା ମଧ୍ୟ ବହୁ କବିତାରେ ବର୍ଣ୍ଣିତ । ଅବକାଶ ସମୟରେ ଛାତ୍ରମାନଙ୍କୁ ବନବିଦ୍ୟାଳୟ ପରିସରରେ ନଦେଖି କବି ଅନ୍ତରର ଭାବକୁ ବ୍ୟକ୍ତ କରିଛନ୍ତି–

କାହିଁଗଲ ବାବୁ,

ଆଜି ତେଜି ଏ ସକଳ

କେବେ ପୁଣି ତୁମେ ସଂଗେ ଭେଟିବାର ମୋର ?

(କେବେ ପୁଣି, ପୃଷା-୧୬୪)

ଅବକାଶ ପରେ ଛାତ୍ରମାନଙ୍କ ଆଗମନରେ କବି ଉଲ୍ଲସି ଉଠନ୍ତି ଓ ଆବେଗୋଚ୍ଛ୍ୱଳ ହୃଦୟରେ କବିତା ଲେଖନ୍ତି । ଗୋଦାବରୀଶଙ୍କ ବ୍ୟତୀତ ଅନ୍ୟ କୌଣସି ଓଡ଼ିଆ କବିଙ୍କ ରଚନାରେ ଏଭଳି ଛାତ୍ର ବତ୍ସଳତା ଓ ତଜ୍ଜନିତ ମାର୍ମିକ ଅନୂଭବର ଚିତ୍ର ବିରଳ । ଛାତ୍ରମାନଙ୍କ ବ୍ୟତୀତ, ଅସହାୟ ଭିକାରୀ, ପ୍ରତିବେଶୀ, ପଙ୍ଖା ଟାଣୁଥିବା କିଶୋର ବାଳକ, ଆଦିବାସୀ ଓ ହରିଜନ ମହିଳା ପ୍ରଭୃତିଙ୍କ ପ୍ରତି ଗୋଦାବରୀଶଙ୍କର ସ୍ନେହାନୁବଦ୍ଧ ଓ ସଂବେଦନଶୀଳ ଦୃଷ୍ଟି ବହୁ କବିତାରେ ରୂପାୟିତ । ‘ଭିକାରୀ’ କବିତାରେ କବିଙ୍କର ଅନ୍ତଦୃଷ୍ଟି ଅତ୍ୟନ୍ତ ମାର୍ମିକ ଭାବେ ସ୍ଥାନିତ । କବି ଲେଖିଛନ୍ତି :–

‘ଦୁଆରୁ ଦୁଆରେ ମାଗି ମାଗି ଯାଉ,

ବଖାଣି ହରଷଭରେ,

ଦୁଃଖୀ ପରାଣର ଯେ ଗୂଢ଼ବାରତା

ରହିଛି ଏ ମହି ତଳେ ।

 

ଚାଉଳ ମୁଠିକ ପାଇଁରେ ଭିକାରୀ

ହେଉ ଏତେ ହୀନିମାନ

ସରାଗେ ମୁଠାଏଦେଲେ ଜଣେ ରୋଷେ

ନିଠୁରେ ଅନାଏ ଆନ ।’

(ଭିକାରୀ, ପୃଷା - ୧୪୧)

ଏପରିକି ମୃଗ ଶାବକ, କୁକୁର, ବାଛୁରୀ ପ୍ରଭୃତି ମାନବେତର ପରାଣୀମାନଙ୍କ ପ୍ରତି ମଧ୍ୟ ଗଭୀର ଆନ୍ତରିକତା ତାଙ୍କର ଅନେକ କବିତାରେ ଉତ୍କୀର୍ଣ୍ଣ ।

ଗାଥାକବିତା :–

‘ଆଲେଖିକା’ ଓଡ଼ିଆ ସାହିତ୍ୟରେ ପ୍ରଥମ ପ୍ରକାଶିତ ଗାଥା ସଙ୍କଳନ । ଏହା ବ୍ୟତୀତ ‘ଗୀତିଗୁଚ୍ଛ’ରେ ଗଡ଼ରକ୍ଷା, ଉପବାସ ଓ ମୁଁ ଚଷାପୁଅ ଏବଂ ଗୋଦାବରୀଶ ଗ୍ରନ୍ଥାବଳୀର ଚତୁର୍ଥ ଖଣ୍ଡରେ ‘ହେ ଧରଣୀଧର’ ଗାଥା ସନ୍ନିହିତ । ମୋଟ୍‌ରେ କବିଙ୍କ ଗାଥାକବିତା ସଂଖ୍ୟା ଚଉଦ ଓ ଏଗୁଡ଼ିକୁ ବିଷୟବସ୍ତୁ ଦୃଷ୍ଟିରୁ ସାଧାରଣତଃ ତିନିଗୋଟି ଭାଗରେ ବିଭକ୍ତ କରାଯାଇପାରେ ।

(୧) ଇତିହାସ ଭିତ୍ତିକ (୨) କିମ୍ବଦନ୍ତୀ ଭିତ୍ତିକ (୩) ରୂପକଥା ଭିତ୍ତିକ ।

(୧)

ଇତିହାସ ଭିତ୍ତିକ ଗାଥା : ଅଭିରାମ ସିଂହ, ଉପବାସେ, ପଦ୍ମାବତୀ, ଅର୍ଜୁନ ସିଂହ, ଦୁଃଖିଧନ, କଳାପାହାଡ଼, ବିକ୍ରମ ସିଂହ ଓ ଧରଣୀଧର ।

(୨)

କିମ୍ବଦନ୍ତୀ ଭିତ୍ତିକ ଗାଥାକବିତା : କାଳିଜାଈ, ମାମୁଁ ଭଣଜା, ସାକ୍ଷୀଗୋପାଳ, ଗାଲମାଧବ ଓ ଗଡ଼ରକ୍ଷା ।

(୩)

ରୂପକଥା ଭିତ୍ତିକ ଗାଥାକବିତା : ମୁଁ ଚଷାପୁଅ ।

ଏଗୁଡ଼ିକର ସୃଷ୍ଟି ଅମୂଳକ କି କପୋଳକଳ୍ପିତ ନୁହେଁ । ଏଥିରେ ରହିଛି ବହୁ ପ୍ରାଚୀନ ମୂଲ୍ୟବାନ ଘଟଣା, ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା, ତ୍ୟାଗ ତପସ୍ୟା, ଉତ୍‌ଥାନ ପତନ ଓ ଅଭ୍ୟୁଦୟ ବିଲୟର ଅକ୍ଷୟ ଚିତ୍ର । କବି କେବଳ ଓଡ଼ିଶାର ପ୍ରାଚୀନ କୀର୍ତ୍ତି କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହେଉନଥିଲେ, ଏହାର ପ୍ରତ୍ୟେକ ଧୂଳିକଣା, ଅଣୁ ପରମାଣୁ ଓ ସ୍ୱାଧୀନତା ରକ୍ଷା ନିମନ୍ତେ ଜୀବନ ଉତ୍ସର୍ଗ କରିଥିବା ବୀରଙ୍କ ପ୍ରତି ନତମସ୍ତକ ହୋଇଛନ୍ତି । ଅଭିରାମ ସିଂହ, ଅର୍ଜୁନ ସିଂହ, ବିକ୍ରମ ସିଂହ ଓ ଧରଣୀଧର ପ୍ରମୁଖଙ୍କ ବ୍ୟକ୍ତିତ୍ୱ, ସେମାନଙ୍କର ଶୌର୍ଯ୍ୟ, ବୀର୍ଯ୍ୟ, ବୀରତ୍ୱ ସାହସିକତା, ସ୍ୱଦେଶପ୍ରେମ ଓ ବଂଶାଭିମାନ ଆଗାମୀ ବଂଶଧରମାନଙ୍କ ପାଇଁ ଉତ୍ସାହ ଓ ଉଦ୍ଦୀପନାର ଉତ୍ସ ହୋଇରହିଛି । ‘କାଳିଜାଇ’ ଓ ‘ମୁଁ ଚଷାପୁଅ’ ଦୁଇଟି ପାରିବାରିକ ଗାଥାକବିତା । କାଳିଜାଇର ସଲିଳ ସମାଧି ପାଠକକୁ କାରୁଣ୍ୟର ଦାବାନଳ ଭିତରକୁ ଠେଲି ଦେବାବେଳେ ‘ଚଷାପୁଅ’ର ମୃତ୍ୟୁ ରୂପକଥାକୁ ମନେ ପକାଇଥାଏ। କାଳ୍ପନିକ ଭିତ୍ତିଉପରେ ନିର୍ମିତ ଦୁଇଟି ଗାଥାର ସାମ୍ୟ ପାଠକ ମନକୁ କରୁଣ ରସାପ୍ଲୁତ କରିବାରେ ସକ୍ଷମ ହୋଇପାରିଛି । ପବନ ଓ ବର୍ଷାପରେ କାଳିଜାଇର ଅନୁପସ୍ଥିତିରେ ଚିଲିକାର ଦୃଶ୍ୟ ବର୍ଣ୍ଣନା କରିବା ସହିତ ନାଉରୀର ମନସ୍ତତ୍ତ୍ୱକୁ ଅତୀବ ଚମତ୍କାର ଭାବେ କବି ବର୍ଣ୍ଣନା କରି ଲେଖିଛନ୍ତି :–

‘ମେଘ ଚାଲିଗଲା ମେଘର ବାଟେ ରେ

ବତାସି ହୋଇଲା ଥିର,

ପଡ଼ିଗଲା ଖରା ନିର୍ମଳ ହୋଇ ଲୋ

ପାଣି ହୁଏ କଳ କଳ ।

ବାପା ପଚାରନ୍ତି ଖୋଜି ନାଉରିରେ

‘ଝିଅ ମୋର ଗଲା କାହିଁ ?’

ବୁଜି ଆଖି ଠିଆ ନାଉରି ନିଜେ ଲୋ

ତୁଣ୍ଡ ତା ଫିଟଇ ନାହିଁ ।

ଚିଲିକା ପାଣିରେ ଦୋଳୁଛି ଲହରୀ

ବୋହୁଛି ଶୀତଳ ବାଆ,

ସୋରି ସୋରି ଖରା ଢଳିଯାଉଛି ଲୋ

ଖେଳୁଛି ସହସ୍ର ନାଆ ।

ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି

ମନେ କି ଅଛି ତା ଧୋକା ?

ପାଣି ତଳେ ଛାଇ ବୁଲି ଯାଉଛି ଲୋ,

ଜାଇଟି ନାହିଁଛି ଏକା ।’

(କାଳିଜାଇ, ପୃଷା - ୨୭୦)

ସାକ୍ଷୀଗୋପାଳ, ଗାଲମାଧବ ଓ ଗଡ଼ରକ୍ଷାରେ ଓଡ଼ିଶାର କିମ୍ବଦନ୍ତୀ ଅତ୍ୟନ୍ତ ସାବଲୀଳ ଭାବରେ ଚିତ୍ରିତ । ‘ସାକ୍ଷୀଗୋପାଳ’ରେ ଦେବତା ମଣିଷ ପାଇଁ କିପରି ସାକ୍ଷ୍ୟ ଦିଏ, ତାର ଛବି ଅଙ୍କିତ । ‘ଗାଲମାଧବ’ ଗାଥାରେ କାମିନୀ କାଞ୍ଚନ ଲୋଭରୁ ନିବୃତ୍ତ ହେଲେ ସିଦ୍ଧି ଆସେ - କଥାଟି ପ୍ରତିପାଦିତ । ‘ଗଡ଼ରକ୍ଷା’ରେ ଓଡ଼ିଶା ଯୁବକର ଶୌର୍ଯ୍ୟ ସହିତ ବୀର ସ୍ତ୍ରୀର ମହିମାକୁ ବର୍ଣ୍ଣନା କରିଛନ୍ତି । ସ୍ଵାମୀ ଓ ସ୍ତ୍ରୀ ଶତ୍ରୁପକ୍ଷଙ୍କ ସହିତ ଲଢ଼ାଇ କରି ଶେଷରେ ସ୍ଵାମୀପାଇଁ ସ୍ତ୍ରୀର ପ୍ରାଣଦେବା ଘଟଣା ମାଧ୍ୟମରେ ନାରୀ ଜାତିର ମହନୀୟତା ପରିପ୍ରକାଶିତ । ପତିକୁ ଶର ସଂଧାନରେ ସାହାଯ୍ୟ କରିବାବେଳେ ଶତ୍ରୁର ବର୍ଚ୍ଛାଘାତରେ ପୀଡ଼ିତା ସ୍ତ୍ରୀର ସାହସିକତାକୁ ଦର୍ଶାଇ କବି ଲେଖିଛନ୍ତି :–

 

ଶୁଣନ୍ତେ ଯୁବତୀ ବିଜୁଳି ସଞ୍ଚାରେ

ପତି ଆଗେ ଭଭା ହୋଇଲା ଯାଇ,

ପତି ତା ସେକାଳେ ଟାଣୁଥିଲା ଧନୁ

ପତ୍ନୀ ଶର ଖଞ୍ଜଦେବାର ପାଇଁ ।

ଅଲକ୍ଷିତେ ଆସି ବର୍ଚ୍ଛା ନିଦାରୁଣ

ଭେଦିଲା ଯୁବତୀ-ବକ୍ଷ କୋମଳ,

‘ଗଲି, ପ୍ରାଣେଶ’ସେ କହିହେଲା ତୁନି

ଭୂତଳେ ପଡ଼ିଲା ଢଳି ସତ୍ଵର ।

(ଗଡ଼ରକ୍ଷା, ପୃଷ୍ଠା - ୪୩୨-୪୩୩)

ଏହି ଦୃଷ୍ଟିରୁ ବିଚାରକଲେ ଗୋଦାବରୀଶଙ୍କ ଗାଥାଗୁଡ଼ିକରେ ବର୍ଣ୍ଣନାତ୍ମକ ଶୈଳୀ ଓ ଗୀତିଧର୍ମୀ ଅଭିବ୍ୟକ୍ତିର ମଣିକାଞ୍ଚନ ସଞ୍ଜୋଗ ପରିଲକ୍ଷିତ । ପାଶ୍ଚାତ୍ୟ ଗାଥା ଧର୍ମର ଲକ୍ଷଣ ଏଗୁଡ଼ିକର ଭାବ ଓ ଭାଷାରେ ନଥିଲେ ହେଁ ସାଧାରଣ ପାଠକର ମନକୁ ଛୁଇଁବା ଭଳି ଛାଞ୍ଚ ଓ ଘୋଷା ଏହି କବିତା ଗୁଡ଼ିକରେ ସ୍ଥାନିତ । ଗୋଦାବରୀଶ ଉଚ୍ଚଶିକ୍ଷିତ ଥିବାରୁ ପ୍ରାଚ୍ୟ ପାଶ୍ଚାତ୍ୟ ଉଭୟ ଗାଥାର ଅନ୍ତଃସ୍ଵରକୁ ଆତ୍ମସାତ କରି ନିଜ ଗାଥା କବିତାମାନ ରଚନା କରିଛନ୍ତି ।

ଗୋଦାବରୀଶଙ୍କ ଗାଥାଗୀତଗୁଡ଼ିକ ପ୍ରାଣଧର୍ମରେ ମନ୍ମୟ ଅଥଚ ଉପସ୍ଥାପନାରେ ବସ୍ତୁନିଷ୍ଠ । ପୁରାଣ, ଇତିହାସ ଓ ଲୋକଗାଥାରୁ ଆହୁତ ଅନେକ କବିତାରେ ସେ ଗାଥାର କବି ନହଁନ୍ତି । ବରଂ ସେ ଗୀତିକାର ଓ ପ୍ରାଣର କବି । କବିତାଗୁଡ଼ିକ ମୁଖ୍ୟତଃ ଭାବନାତ୍ମକ ଯେପରି ସିଦ୍ଧାର୍ଥ- ଦେବଦତ୍ତ-ହଂସ ଉପାଖ୍ୟାନ ‘ଜୀବେଦୟା’, କିମ୍ବଦନ୍ତୀରୁ ରାଜା ନରସିଂହ, ମହାରଣା ଓ ପାନ ପ୍ରସଙ୍ଗ (ସ୍ୱର୍ଣ୍ଣାକ୍ଷରେ), ପୁରାଣ ପୃଷ୍ଠାରୁ ଦଧୀଚିଙ୍କ ଅସ୍ଥିଦାନ ଗୃହୀତ। କବିଙ୍କ ଧର୍ମଭାବନା ଓ ଈଶ୍ଵରଧାରଣାର ଦାର୍ଶନିକ ଦିଗଟି ନାସ୍ତିକର ଉକ୍ତିରେ ପ୍ରତିଫଳିତ । ମରାଳ ଦମ୍ପତି, ଯୁଗଳ ଜୀବନ, ପ୍ରୀତିତ୍ୟାଗ, କଇଁଫୁଲ ପ୍ରଭୃତି କବିତାରେ ନିଃସର୍ଗ ଜଗତର ପ୍ରେମ ଭିତରେ ବିଶ୍ଵପ୍ରାଣର ଉଦବୋଧନ ଘଟିଛି । ପୂଜ୍ୟ ପୂଜାର ଉପଚାର ପାଇଛନ୍ତି ଚୈତନ୍ୟ, ଉପେନ୍ଦ୍ରଭଞ୍ଜ, ଚନ୍ଦ୍ରଶେଖର, ମଧୁସୂଦନ, ଗୋପବନ୍ଧୁ, ନୀଳକଂଠ ପ୍ରମୁଖ ମହାନ୍‌ ବ୍ୟକ୍ତିତ୍ଵ ।

ସମ୍ବୋଧଗୀତିକା :–

ସମ୍ବୋଧଗୀତିକା ଭାବପ୍ରଧାନ । ପ୍ରାଚୀନ ଓଡ଼ିଆ କୋଇଲି କବିତା ସମ୍ବୋଧନମୂଳକ ହୋଇଥିଲେ ହେଁ ଏଥିରେ କବିର ଆତ୍ମିକ ଅନୁଭୂତି ନାହିଁ । ‘କୋଇଲି’ ଚରିତ୍ର ମୁହଁରେ କବି ତାଙ୍କ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ଆଧୁନିକ ଓଡ଼ିଆ ସମ୍ବୋଧନ ଗୀତିରେ କବି ତାଙ୍କ ନିଜ ମନୋଭାବ ପ୍ରକାଶ କରିଛନ୍ତି । ରାଧାନାଥଙ୍କଠାରୁ ନନ୍ଦକିଶୋରଙ୍କ ପର୍ଯ୍ୟନ୍ତ ଏହି ଚିନ୍ତାଧାରା ପ୍ରକାଶିତ । ଏମାନଙ୍କ ସମ୍ବୋଧଗୀତି ପ୍ରାଚୀନ କୋଇଲିର ଅନୁବର୍ତ୍ତନ ନୁହେଁ, ବରଂ ଏକ ସ୍ଵୟଂ ସମ୍ପୂର୍ଣ୍ଣ ବିଭାଗ । ଗୋଦାବରୀଶଙ୍କ ବ୍ୟତୀତ ସତ୍ୟବାଦୀର ସାହିତ୍ୟିକମାନଙ୍କ ନିକଟରେ ଏହି ଧାରାର ବ୍ୟତିକ୍ରମ ନାହିଁ । ଈଶ୍ଵର, ପ୍ରକୃତି, ଦେଶ ଓ ବ୍ୟକ୍ତିଭାବନା ଏମାନଙ୍କ ସମ୍ବୋଧଗୀତି ରେ ଆତ୍ମପ୍ରକାଶ କରିଛି, ମାତ୍ର ଗୋଦାବରୀଶଙ୍କ ସମ୍ବୋଧଗୀତି ନିଜସ୍ଵ ଅନୁଭୂତିକୁ ନେଇ ନିର୍ମିତ, ଏଥିପାଇଁ ବୈଚିତ୍ର୍ୟପୂର୍ଣ୍ଣ ମଧ୍ୟ ।

ଗୋଦାବରୀଶଙ୍କ ନଦୀ ପ୍ରୀତି ବା ନଦୀ କଳ୍ପନା ହୃଦୟସ୍ପର୍ଶୀ । ଶୈଶବ ସ୍ମୃତିକୁ ରୋମନ୍ଥନ କରି ‘ଶାଳିଆ ପ୍ରତି’ କବିତାରେ କବି ବେଶ୍‌ଭାବପ୍ରବଣ ହୋଇଛନ୍ତି । ବୈତରଣୀ, ଋଷିକୁଲ୍ୟା, ସୁବର୍ଣ୍ଣରେଖା ଆଦି ନଦୀ ତଟରେ ତାଙ୍କର ବାର୍ଦ୍ଧକ୍ୟ ଅତିବାହିତ କରିବା ପାଇଁ ଭାବିଛନ୍ତି । ଶାଳିଆ କୂଳରେ ବିତାଇଥିବା ପିଲାଦିନ ତାଙ୍କୁ ପ୍ରତ୍ୟେକ ନଦୀ ପ୍ରତି ଆକର୍ଷଣ କରିଛି । ‘ପିଲାଟି, ବନ୍ଦୀର ଆତ୍ମବାଣୀ’, ଓ ‘ଜନ୍ମଭୂମି’ କବିତାଗୁଡ଼ିକ ତାଙ୍କର ଜନ୍ମମାଟି ପ୍ରତି ଅଖଣ୍ଡ ମମତ୍ୱବୋଧର ଆତ୍ମିକ ପ୍ରତିଲିପି । ଆଦର୍ଶର ଉନ୍ମାଦନାରେ କବି ନିଜକୁ ଦେଶବାସୀଙ୍କ ସହିତ ଓ ଦେଶବାସୀଙ୍କୁ ନିଜ ସହିତ ଏକାତ୍ମ କରିଛନ୍ତି । କୋକିଳ-ସମ୍ବୋଧନ ଗୀତିକା ଗୁଡ଼ିକରେ ଗୋଦାବରୀଶଙ୍କର ପ୍ରାଣସତ୍ତାର ପୁଲ୍ଲକିତଭାବ ପ୍ରକାଶିତ । କୋକିଳ ସ୍ଵରକୁ ଶ୍ରେଷ୍ଠ ସମ୍ପଦ ଭାବରେ ବିବେଚନା କରି କବି ଆଶା କରିଛନ୍ତି ଏହାର ମଧୁସ୍ଵର ସର୍ବତ୍ର ପ୍ରସରିଯାଉ ଓ ସେ ଏହାର ମାଧୁର୍ଯ୍ୟ ଜହ୍ନରାତିରେ, ନଈର ସୁଅରେ, ପୁଷ ମାସର ଶସ୍ୟକ୍ଷେତ୍ରରେ ଓ ଚଷାପୁଅର ଆନନ୍ଦରେ ଶୁଣିବାକୁ ପାଆନ୍ତୁ । ତାଙ୍କ ମତରେ ଇନ୍ଦ୍ରଧନୁ, ବଣ ଜଙ୍ଗଲର ପ୍ରାକୃତିକ ଶୋଭା, ପୂର୍ଣ୍ଣିମା ରାତିଠାରୁ କୋକିଳର ସ୍ଵର ଆଦୌ ନ୍ୟୂନ ନୁହେଁ । ଏଣୁ ପ୍ରବାସରେ ରହି ସେ କୋଇଲିକୁ ପ୍ରଶ୍ନ କରିଛନ୍ତି କେମିତି ତାଙ୍କ ଜୀବନ ବୃକ୍ଷରେ ପୁଷ୍ପ ଫୁଟିଉଠିବ ଓ ସେ ପୁଷ୍ପ ନିକଟରେ ପ୍ରାଣର କୋଇଲି କେବେ ଆସି ବିହାର କରିବ ? ନଚେତ୍‌ଏ ଜୀବନ ଶ୍ମଶାନରେ ପରିଣତ ହୋଇଯିବ । ‘ପିକ’ କବିତାରେ କବି ଲେଖିଛନ୍ତି :–

‘କହରେ, ବସନ୍ତ ଦୂତ, କହ ତୁ ବୁଝାଇ-

ତୋ ପରି ଏ ବିଶ୍ଵେ ଆଉ ଅଛି କି କେ ନାହିଁ ?

ମୋ ପରାଣ କୋଇଲିଟି ଯାଇଛି ଯେ ଉଡ଼ି,

କେତେ ପତ୍ର କେତେ ଫୁଲ ପଡ଼ିଛି ମଉଳି ।

ବସି ମୁଁ ଅଛଇ, ପଥ ଚାହିଁ ନିରନ୍ତର-

ଆସି ଦେଇଯିବ ଦେଖା ନିମିଷ ମାତର ।’

(ପିକ, ପୃଷ୍ଠା- ୪୨୩)

ସମ୍ବୋଧଗୀତି ମୂଳକ କବିତାଗୁଡ଼ିକ ବିଖ୍ୟାତ ଇଂରାଜୀ କବିଙ୍କ କବିତାର ଭାବାନୁସରଣରେ ରଚିତ । ମାତ୍ର ଇଂରାଜୀ କବିତାରେ Nightingale, Cuckoo ଆଦି ଏକ ଏକ ପ୍ରତୀକ । ପାର୍ଥିବରୁ ଅପାର୍ଥିବତାକୁ ସଂଯୋଗର ସେତୁ । କିନ୍ତୁ ଗୋଦାବରୀଶଙ୍କ କୋଇଲି ମାଟି-ପୃଥିବୀର ଏକାନ୍ତ ନିକଟ, ଅଧିକ ବାସ୍ତବ ଓ ଇନ୍ଦ୍ରିୟଗ୍ରାହ୍ୟ । ସେ ପ୍ରତୀକ ନୁହେଁ, ରୂପକ ବି ନୁହେଁ, ବରଂ ତାର ପ୍ରୟୋଗ ରୂପକାତ୍ମକ । ଏଠାରେ ପକ୍ଷୀ ମଣିଷ ପରି ବଞ୍ଚିଛି । ଶାରୀ କବିତାଟି ସେହିପରି ସ୍ଵାଧୀନତା ଓ ମୁକ୍ତିର କରିଛି ଜୟଗାନ । ବୃକ୍ଷକୁ ମଧ୍ୟ କବି ନିଜ ଜୀବନର ଅଳୀକତା ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି- ‘ତୋରି ନିକଟରେ କୋଇଲି ତାର ପୀରତି ଗାଥା ଶୁଣାଉଛି, ଶଗଡ଼ିଆ ମଧୁର ସ୍ଵରରେ ଗୀତ ଗାଇଗାଇ ଯାଉଛି, ଶିଶୁମାନେ ଖେଳିବୁଲି ସରାଗରେ ନିଜ ଘରକୁ ଫେରୁଛନ୍ତି କିନ୍ତୁ ମୁଁ କେତେଦିନ ମଉନରେ ତୋ ନିକଟରେ ବସି ମୋର ଗୁପ୍ତ ପ୍ରଶ୍ନଗୁଡ଼ିକୁ ପଚାରି ଚାଲିଥିବି ? ତୁ କିନ୍ତୁ ବସନ୍ତ ପବନର ସୁଖରେ ନାଚୁଛୁ । କହ, ପୁଣି ମୁଁ କେବେ ଆସିବି ? ନଚେତ୍‌ ତୁ ଯଦି କହିଦେବୁ ମୋର ମୃତ୍ୟୁ ପରେ ତୁ ମୋ ନିକଟରେ ପହଞ୍ଚିବୁ ତାହେଲେ ସେଇ ଭରସାରେ ମୁଁ ଆପାତତଃ କ୍ଷାନ୍ତ ହେବି ।’ ଗୋଦାବରୀଶଙ୍କ ସୃଷ୍ଟି ଜଗତରେ କିଛି ଅପାଂକ୍ତେୟ ବା ମୁଲ୍ୟହୀନ ନୁହେଁ । ଏଣୁ ମଣିଷର ଚିର ଶତ୍ରୁ ମଶା ମଧ୍ୟ ତାଙ୍କୁ ଅନୁପ୍ରାଣିତ କରିଛି-। ‘ମଶା’ କବିତାରେ କବିଙ୍କ ଦାର୍ଶନିକ ଭାବାପନ୍ନ, ସମ୍ବେଦନଶୀଳ ହୃଦୟର ପରିଚୟ ମିଳେ-। ମଶା କବିତାଟିରେ ଦୁଷ୍ଟ ଚରିତ୍ର ହେଲେ ମଧ୍ୟ ତାର ଦୁଷ୍ଟାମିକୁ କବି ଯଥାର୍ଥ କାବ୍ୟିକ ମର୍ଯ୍ୟାଦା ପ୍ରଦାନ କରି ଲେଖିଛନ୍ତି-

‘ଗୁଣୁ ଗୁଣୁ ହେଉ ମଶା ଚଉପାଶେ ମୋ ଉଡ଼ି

ହାତେ ମୁହେଁ ବସି, ଶୋଷି ନେଉ ଶୋଣିତ ହରି ।

ଶୁଅନ୍ତି ନିଦେ ଯେ ମୁହିଁ ଦିବା କରମ ଶେଷେ,

ବିଶ୍ରାନ୍ତ ନୟନ ବେନି ମୁଦି ଶ୍ରମ ଆୟାସେ ।

ଅତୀତ ସମ୍ପଦ ସୁଖ ସ୍ଵପ୍ନ ମୋହନ ଢାଳେ

ଲଭି, ଭାସିନ୍ତି ଟି ହସି ଚିତ୍ତ ହରଷଭରେ ।

ଦେଖନ୍ତି ସୁଦୂର ଗିରି ବନ ତଟିନୀ ପଦା,

ଦିନେ ଯହିଁ ବାଢ଼ିଛି ମୋ ସ୍ନେହ କ୍ରୀଡ଼ନ ଫନ୍ଦା ।’

(ମଶା, ପୃଷ୍ଠା - ୨୩୫)

ସମ୍ବୋଧଗୀତି ରଚନାରେ ଗୋଦାବରୀଶଙ୍କ ଦୃଷ୍ଟିକୋଣ ଅଭିନବ । ମାନବିକ ସ୍ନେହ, ମମତା, ପ୍ରକୃତିପ୍ରୀତି ଓ ବିଭୁବୋଧ ଏଗୁଡ଼ିକରେ ରୂପାୟିତ । ବିଶେଷକରି ସେ ନଦୀଗୁଡ଼ିକୁ ସମ୍ବୋଧନ କରି ନିଜର ମନୋଭାବକୁ ଯେପରି ପ୍ରକାଶ କରିଛନ୍ତି, ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଏଣୁ କୁହାଯାଇପାରେ, ତାଙ୍କ ସଂବୋଧଗୀତିକାଗୁଡ଼ିକରେ ପ୍ରକୃତି ଓ ମଣିଷ ସର୍ବଦା ଏକ ଓ ଅଭିନ୍ନ ଭାବେ ଦୃଶ୍ୟମାନ ।

ଚତୁର୍ଦ୍ଦଶପଦୀ କବିତା :–

ଗୋଦାବରୀଶଙ୍କ ବହୁ ଚତୁର୍ଦ୍ଦଶପଦୀ କବିତାର ଗୀତିଧର୍ମିତା ବୈଶିଷ୍ଟ୍ୟ ମଣ୍ଡିତ । ‘କିଶଳୟ’ କବିତା ଗ୍ରନ୍ଥର ‘ପ୍ରତିବାସୀ’ କବିତାଟି ପେତ୍ରାର୍କ ଓ ସେକ୍ସପିଅରିଆନ୍‌ଶୈଳୀର ଏକ ମିଶ୍ରରାଗ । ଏହାର ମେଳ ନିୟମ କଖଖକ / ଗଘଘଗ / ଙଚଙଚ ଛଛ । କବିତାଟି ଚଉଦଟି ପାଦ ଓ ପ୍ରତି ପାଦରେ ଚଉଦଟି ଲେଖାଏଁ ଅକ୍ଷର ରହିଛି । ଏଥିରେ ତିନୋଟି ଚତୁଷ୍ପଦୀ ଓ ଗୋଟିଏ ଯୁଗ୍ମପଦ ବ୍ୟବହୃତ । ଏହି ଯୁଗ୍ମପଦଟିରେ କବିତାର ସକଳ ଭାବନିର୍ଯ୍ୟାସ ଏକତ୍ରିତ । କବିତାଟିରେ ପ୍ରତିବାସୀ ପ୍ରତି କବିଙ୍କର ସ୍ନେହ ମମତା ପ୍ରକାଶିତ । କବି ଭଲଭାବରେ ଜାଣନ୍ତି ପ୍ରତିବାସୀ ଜଣକ ତାଙ୍କ ପିତାମହ କି ପିତାଙ୍କ ରକ୍ତରେ ଗଢ଼ା ନୁହଁନ୍ତି, କିନ୍ତୁ ତାଙ୍କ ପ୍ରତି ଥିବା କବିଙ୍କର ମମତ୍ୱବୋଧରୁ ବିଶ୍ଵର ଭାତୃତ୍ୱବୋଧ ଓ ମୈତ୍ରୀଭାବ ପରିସ୍ଫୁଟ ହୁଏ । ଏହିପରି ‘ଗଛଫୁଲ’ ଚତୁର୍ଦ୍ଦଶପଦୀଟିର କାବ୍ୟିକ ଆବେଦନ ସ୍ଵତନ୍ତ୍ର । ପ୍ରତିଯୋଗିତା ମୂଳକ ଆଲୋଚନାରେ କବି ଦର୍ଶାଇଛନ୍ତି ଫୁଲ ଯେପରି ସୌରଭ ଓ ସୌନ୍ଦର୍ଯ୍ୟରେ ଜଗତକୁ ବିମୋହିତ କରେ, ଦେବତାଙ୍କ ପୂଜା ପାଇଁ ଦରକାରୀ ହୁଏ, ସେହିପରି ସଂସାର ପାଇଁ ବୃକ୍ଷ ମଧ୍ୟ ଅତ୍ୟନ୍ତ ଜରୁରୀ । ନିଜେ କବି ଏ ପ୍ରତିଯୋଗିତାର ସମାଧାନ କରି କହିଛନ୍ତି, ମାନବର ହିତପାଇଁ ଗଛ, ଫୁଲ ଓ ଡାଳ ପ୍ରତ୍ୟେକର ସୃଷ୍ଟି ଅପରିହାର୍ଯ୍ୟ । ‘ସାନ୍ଧ୍ୟତାରା’ କବିତାଟିରେ କବିଙ୍କ ଆଶାବାଦୀ ପ୍ରାଣର ପୁଲକ ଦେଖିବାକୁ ମିଳେ । ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ଯାଆନ୍ତେ ସନ୍ଧ୍ୟାର ଆଗମନରେ ତାରାଟି ରାତ୍ରିଦେବୀଙ୍କର ସୀମନ୍ତିନୀ ଟୀକା ସଦୃଶ ନୁହେଁ ବରଂ ଆଲୋକ ଓ ଅନ୍ଧକାରର ମିଳନ ବେଦୀ ପାଖରେ ଏକ ତ୍ରିଦିବ ଦୀପ ସ୍ଵରୂପ । ଦୀନର ଜୀବନ ଦୀପ ଲିଭି ଆସୁଥିବାବେଳେ ସମସ୍ତ ସନ୍ତାପକୁ ହରଣ କରି ସାନ୍ଧ୍ୟତାରା ତାର କିରଣରେ ପ୍ଲାବିତ କରିଦେବ ତାଙ୍କର ହୃଦୟକୁ । କବି ଲେଖିଛନ୍ତି :–

 

‘ଜୀବନୁ ଲିଭିବ ଯେବେ ମୋ ସୁଖ ଆଲୋକ,

ବ୍ୟଥିତେ ଚାହିଁବି ଶୂନ୍ୟେ ବହି ହୃଦେ ଶୋକ

ତେବେ ଆୟୁ ଶେଷକ୍ଷଣେ

ତୁହି, ସାନ୍ଧ୍ୟତାରା, ଉଇଁ ପ୍ଲାବିବୁ କିରଣେ ।’

(ସାନ୍ଧ୍ୟତାରା, ପୃଷ୍ଠା - ୪୬୦)

‘ଟିକିଟିକି’ କବିତାଟି ପିଲାମାନଙ୍କ ପାଇଁ ଏକ ଉପଦେଶାତ୍ମକ ରଚନା । ଛୋଟ କଢ଼ଟି ଯେପରି ପରେ ଅପୂର୍ବ ସୌନ୍ଦର୍ଯ୍ୟ ଓ ସୁବାସ ବିତରଣ କରି ଜନମନ ହରଣ କରିଥାଏ ସେହିଭଳି ଶିଶୁମାନେ ପିଲାଦିନରୁ ସ୍ନେହ ପ୍ରେମକୁ ଆପଣାର କରି ମଧୁର ବାଣୀରେ ତାହାକୁ ବିତରଣ କଲେ ଜଗତର ମହତ୍‌ ସାଧନ ହେବ । କବି କହିଛନ୍ତି, ସମଗ୍ର ବିଶ୍ୱ ଟିକିଏ ପାଣି ଓ ଟିକିଏ ଧୂଳିକୁ ନେଇ ଗଠିତ, ସେହିଭଳି ଶିଶୁଦିନରୁ କେବଳ ଟିକିଏ ସ୍ନେହ ଓ ମଧୁର ବାଣୀକୁ ଗ୍ରହଣ କରି ବଡ଼ହେଲେ ନିଜେ ସୁଖୀ ହେବା ସହିତ ପରକୁ ସହଜରେ ଆପଣାର କରିପାରିବେ ।

ଶୋକଗୀତିକା :–

ଗୀତି କବିତାର ଅନ୍ୟ ଏକ ବିଭାଗ ଭାବରେ ଶୋକଗୀତିର ସ୍ଥାନ ମଧ୍ୟ ସ୍ଵତନ୍ତ୍ର । ଗୋଦାବରୀଶଙ୍କ ଶୋକଗୀତି ଗୁଡ଼ିକ ଚରିତାତ୍ମକ ଓ ମନନଶୀଳ । ଏଗୁଡ଼ିକରେ ବ୍ୟକ୍ତିଗତ ଶୋକଦଗ୍ଧ ପ୍ରାଣର ଅଭିବ୍ୟକ୍ତି ପ୍ରକାଶ ପାଇଛି । କବିଙ୍କ ‘ନିମିଷକ ଦେଖା’, ‘ହୋଇଥାନ୍ତା ଯେବେ, ‘ଥାଅବାବୁ, ‘ସ୍ମୃତି’ ଇତ୍ୟାଦି କବିତା ହେଉଛି ଛାତ୍ରବତ୍ସଳ କବିଚିତ୍ତର ଗୋଟିଏ ଗୋଟିଏ ଶୋକଦଗ୍ଧ ପ୍ରତିଫଳନ । ଜୀବନ ଓ ମୃତ୍ୟୁର କ୍ଷଣିକତା ସମ୍ପର୍କରେ କବି ଲେଖନୀ ସ୍ତବ୍ଧ ହୋଇଯାଇନି । ନିଜ ରୁଗ୍‌ଣା ସାନ ଭଉଣୀର ମୃତ୍ୟୁରେ ଲେଖିଛନ୍ତି ଯାଆ ଭଗିନୀ, ମାତୃତ୍ୱର ପରାକାଷ୍ଠା, ଆହା ମୋର ଗଣ୍ଠିଧନ ଓ ସତ୍ୟ ଘଟଣା ଉପରେ ଆଧାରିତ ‘ବୁଜିଦେଲା ଆଖି’ ଇତ୍ୟାଦି କବିତା । ଏଗୁଡ଼ିକରେ ଗୋଦାବରୀଶଙ୍କ ଶୋକଶ୍ଳୋକ ଆହୁରି ଉଦାର ଓ ପ୍ରାଣସ୍ପର୍ଶୀ । ମାନବେତର ନିରୀହ ପଶୁପକ୍ଷୀଙ୍କ ଦୁଃଖରେ ମଧ୍ୟ କବି ହୋଇଛନ୍ତି ଦୁଃଖାଭିଭୂତ । କାଳିଜାଇଙ୍କ ପାଖରେ ବଳି ପଡ଼ୁଥିବା କୁକୁଡ଼ା ଓ ମାନସିକ ପୂରଣପାଇଁ ଭକ୍ତମାନେ ସେଠାରେ ଛାଡ଼ିଦେଇଥିବା ଛେଳିଛୁଆ, ମୃଗଛୁଆ ଓ ଶୁଆପକ୍ଷୀର ମୃତ୍ୟୁରେ କବି ପ୍ରାଣ ମର୍ମାହତ । ନିଜ ଗାଁ ଶ୍ରୀନିବାସପୁରର ଚୌକିଦାରର ମୃତ୍ୟୁରେ ରଚିତ ‘ବୁଜିଦେଲା ଆଖି’ କବିଂକର ଏକ ସଫଳ ଶୋକଗୀତ । ଚୌକିଦାରର ମୃତ୍ୟୁପରେ ତାଙ୍କ ସଂସାରରେ ଯେଉଁ ଘୋର ଦୁଃଖ ଆସିଛି ସେଥିରେ କବି ହୋଇଛନ୍ତି ଶୋକାଭିଭୂତ। କବି ଲେଖିଛନ୍ତି:-

‘ସେହି ଘରେ ଶୋଇଅଛି ଭୂଇଁଶେଯ ପାତି,

ସତୁରୀ ବରଷ ବୁଢ଼ୀ ନିର୍ଭୟେ ଏକାଟି ।

ପତି ତାର ଥିଲା ଦିନେ ଗାଆଁ ଚଉକିଆ,

ସେ କାଳ ବିଭବ ମନେ କେ ଭାଳିବ କିଆଁ ?

ଦଇବ ନ କରେ ବାଛ, ଗଲା ତାକୁ ଘେନି,

ନେଇଥାନ୍ତା, ନେଲାନାହିଁ ପତି ପତ୍ନୀ ବେନି ।’

(ଚଉକିଆ, ପୃଷ୍ଠା-୪୧୯)

ଶୋକରେ ଜର୍ଜରିତ କବିପ୍ରାଣ ରଚନାର ମାଧୁରୀରେ ସ୍ନେହ ଓ ସମବେଦନାକୁ ସାର୍ଥକ କରିପାରିଛି । ଗୋଦାବରୀଶଙ୍କ କରୁଣ ରସୋଚ୍ଛଳ ଗୀତିକବିତାଗୁଡ଼ିକ ଅଶ୍ରୁ ମାଧ୍ୟମରେ ହୋଇପାରିଛି ସୁଷମାନ୍ଵିତ । ମମତ୍ୱବୋଧରୁ ସୃଷ୍ଟ ପ୍ରତ୍ୟେକଟି ଗୀତିକବିତା ତେଣୁ ଅନନ୍ୟ ।

ଶିଶୁକବିତା :– ଗୋଦାବରୀଶଙ୍କ ଶିଶୁକବିତା ଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇପାରେ । (୧) ଜୀବଜନ୍ତୁ ମୂଳକ (୨) ଜାତୀୟତା ମୂଳକ (୩) ହାସ୍ୟରସାତ୍ମକ ।

ଜୀବଜନ୍ତୁଙ୍କୁ ଉପଜୀବ୍ୟ କରି ମୂଷା, କୁକୁର, ଜନ୍ଦା, ପାରା, ମହୁମାଛି, ଗୁଣ୍ଡୁଚିମୂଷା, ବଗ, ପ୍ରଜାପତି, ବିଲୁଆ ଆଦି କବିତା ଗୁଡ଼ିକ ସୁନ୍ଦର ଭାବରେ ରଚିତ । ଶିଶୁ ମନୋପଯୋଗୀ ଭାଷା ଓ ଭାବ ଏଗୁଡ଼ିକୁ ଆକର୍ଷଣୀୟ କରିବା ସହିତ ପଶୁପକ୍ଷୀଙ୍କ ପ୍ରତି ଦୟା ଓ ମମତା ସୃଷ୍ଟି ହେବାଭଳି ଉପାଦାନ ମଧ୍ୟ ଏଗୁଡ଼ିକରେ ନିହିତ । ଶିଶୁ ପଶୁପକ୍ଷୀଙ୍କୁ ମନଖୋଲି କଥାବାର୍ତ୍ତା କରେ ଓ ତହିଁରେ ଆନନ୍ଦ ପାଏ, ଗୋଦାବରୀଶଙ୍କ ଦୃଷ୍ଟିରୁ ଏହା ବାଦ୍‌ଯାଇନି ।

ଶିଶୁ ସ୍ଵଭାବତଃ ଗଳ୍ପପ୍ରିୟ । ପ୍ରସିଦ୍ଧ ଓଡ଼ିଆ ଶିଶୁଗଳ୍ପ ଗୁଡ଼ିକ ମଧ୍ୟରୁ କବି ଅନେକକୁ କାବ୍ୟରୂପ ଦେଇଛନ୍ତି । ବଗର ବଇଦ ପଣିଆ, ବିରାଡ଼ି ବୈଷ୍ଣବ, ତେଲି ଓ ପଣ୍ଡିତ, ଦସ୍ୟୁରୁ ଋଷି, ବିଲୁଆର ଆମ୍ବତୋଳା, ଗଣେଶ ଓ କାର୍ତ୍ତିକଙ୍କ କଳି ଆଦି ଗଳ୍ପ ଗୁଡ଼ିକ ଉଲ୍ଲେଖନୀୟ ଭାବରେ ଶିଶୁପ୍ରିୟ । ଶିଶୁ ସାହିତ୍ୟ ପ୍ରବୀଣ ଗୋଦାବରୀଶ ସରଳ ଓ ସାବଲୀଳ କାବ୍ୟଶୈଳୀରେ ଏସବୁକୁ ଶିଶୁ ଉପଯୋଗୀ କରାଇପାରିଛନ୍ତି । ପ୍ରତ୍ୟେକଟି କବିତାର ନୀତିବାଣୀ ମଧ୍ୟ ବେଶ୍‌ ହୃଦୟସ୍ପର୍ଶୀ ଓ ଆନନ୍ଦପ୍ରଦ ।

ଶିଶୁବେଳରୁ ମହାପୁରୁଷଙ୍କ ଜୀବନୀ ଓ ଜାତୀୟତା ପ୍ରତି ଆକାଂକ୍ଷା ସୃଷ୍ଟି କରିବା ପାଇଁ କବିଙ୍କ ବହୁ ଶିଶୁ କବିତା ଉଦ୍ଦିଷ୍ଟ । ଗାନ୍ଧୀ ଓ ଗୋପବନ୍ଧୁଙ୍କ ଭଳି ମହାପୁରୁଷଙ୍କ ଜୀବନୀକୁ ବି ଖୁବ୍‌ ସଂକ୍ଷିପ୍ତ ଅଥଚ ସାରଗର୍ଭକ ଭାବେ ରଚନା କରିଛନ୍ତି । ମହାତ୍ମା ଗାନ୍ଧିଙ୍କ ମୁକ୍ତି-ସଂଗ୍ରାମରେ ଝାସଦେଇ ଗୋପବନ୍ଧୁ ଦେଶମାତୃକାର ସେବାକରିବା ନିମନ୍ତେ ଆଗେଇ ଆସିଥିଲେ । ଠିକ୍‌ଏହିଭଳି ଗୋପବନ୍ଧୁଙ୍କ ସଂସ୍ପର୍ଶ ତାଙ୍କୁ ଜାତିପାଇଁ ପ୍ରାଣବଳି ଦେବାକୁ ପ୍ରେରଣା ଯୋଗାଇଥିଲା-। ବଙ୍ଗ ସନ୍ତ୍ରାସବାଦୀ ନେତା ଶଶିଦା ଥିଲେ ତାଂକ ଆଦର୍ଶ । ଜାତିପାଇଁ ଏମାନଙ୍କର ମହାନ ଅବଦାନ ସମ୍ପର୍କରେ ରଚିତ ଶିଶୁ କବିତାଗୁଡ଼ିକ ଜାତୀୟ ଭାବଧାରାରେ ଉଦ୍‌ବୁଦ୍ଧ ଓ ଦେଶାତ୍ମବୋଧ ସୃଷ୍ଟି ପାଇଁ ଅଭିପ୍ରେତ ।

ହାସ୍ୟରସାତ୍ମକ ଶିଶୁ କବିତା ଗୁଡ଼ିକ ମୂଳତଃ କୌତୁକପ୍ରଦ । କୋମଳମତି ଶିଶୁମନରେ ହସ ଓ ଆନନ୍ଦ ଦାନ ପାଇଁ ଗୋଦାବରୀଶ ବିମଳ ହାସ୍ୟରସର ଅବତାରଣା କରିଛନ୍ତି ‘ତେଲି ଓ ପଣ୍ଡିତ’ କବିତାରେ । ‘ବାପାଙ୍କ ଛତା’ ଓ ‘ଆଖୁଫଳ ମଜା’ କବିତା ଦୁଇଟି ବାସ୍ତବିକ୍‌ ହାସ୍ୟରସ ମୂଳକ । ବାପାଙ୍କ ଛତା ନେଇ ପୁଅ ଯାଉଥିବା ବେଳେ ପବନରେ ତାହା ଓଲଟି ପଡ଼ିବାରୁ ପୁଅ ନାନା କଳକୌଶଳ ପରେ ମଧ୍ୟ ତାକୁ ଠିକ୍‌ କରି ପାରିନାହିଁ, ଏହା ଯେମିତି କୌତୁକଭାବ ସୃଷ୍ଟି କରୁଛି ‘ଆଖୁଫଳ ମଜା’ରେ ଭାଲୁର ଆଖୁବାଡ଼ିରେ ପଶି ବିରୁଡ଼ି ବସାକୁ ଆଖୁଫଳ ଭାବି ଖାଇବା ଓ କାନମୁଣ୍ଡ ଆଉଁସି ଫେରିବା ମଧ୍ୟ ତତୋଧିକ ଆମୋଦଦାୟକ ।

ଗୋଦାବରୀଶଙ୍କ ପ୍ରତ୍ୟେକଟି ଶିଶୁକବିତା ବେଶ୍‌ ଚିତ୍ତାକର୍ଷକ । ସ୍ପଷ୍ଟବାଦୀ, କୋମଳପ୍ରାଣ କବିଙ୍କ ଶିଶୁସୁଲଭ ହୃଦୟର ଆବେଗ, ଉଦ୍ଦୀପନା, ହସକାନ୍ଦ ଓ ସୁଖଦୁଃଖର ଅନୁଭୂତି ତାଙ୍କୁ ଜଣେ ଶ୍ରେଷ୍ଠ ଶିଶୁ ସାହିତ୍ୟିକ ଭାବେ ପରିଗଣିତ କରାଇଛି । ଶିକ୍ଷକ ଭୂମିକାରେ ଅବତୀର୍ଣ୍ଣ ହୋଇ ଶିକ୍ଷଣୀୟ କଥା ଗୁଡ଼ିକ ଶୁଣାଇବାରେ ଗୋଦାବରୀଶ ହୋଇପାରିଛନ୍ତି ସିଦ୍ଧହସ୍ତ । ଗୋଦାବରୀଶଙ୍କ ପୂର୍ବରୁ ଭକ୍ତକବି ମଧୁସୂଦନ ରାଓ, ବ୍ୟାସକବି ଫକୀରମୋହନ ସେନାପତି ଓ ସମକାଳରେ ପଲ୍ଲୀକବି ନନ୍ଦକିଶୋର ବଳ, ପଣ୍ଡିତ ନୀଳକଂଠ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ଶିଶୁ କବିତା ରଚନା କରିଥିଲେ । କବି ଏ ଧାରାରେ ରଚନା କରିଛନ୍ତି ଶିଶୁକବିତା । ଶିଶୁ ହୃଦୟରେ ଉତ୍କଣ୍ଠା ଓ ଜିଜ୍ଞାସା ସୃଷ୍ଟି କରି ତା’ଭିତରେ ନୈତିକତାବୋଧ ଓ ମାନବପ୍ରୀତିକୁ ଜାଗ୍ରତ କରିବାହିଁ ତାଙ୍କ କବିତାର ବୈଶିଷ୍ଟ୍ୟ ।

କବିତାର ଉପାଦାନ : ମାନବ ବନ୍ଦନା :–

ଗୋଦାବରୀଶଙ୍କ କାବ୍ୟ ଜଗତର କେନ୍ଦ୍ରବିନ୍ଦୁ ହେଉଛି ମାନବ ବନ୍ଦନା । ଗ୍ରାମ୍ୟ ଜୀବନର ଅନୁଭୂତି, ଶିକ୍ଷକ ଜୀବନର ମାନବସେବା ଛାତ୍ର ଜୀବନ ସହିତ ଏକାତ୍ମତା, କର୍ମ ଜୀବନର ନିଷ୍ଠାପରତା ତଥା ଜୀତୀୟ ଜୀବନପ୍ରତି ସଚେତନତା ଗୋଦାବରୀଶଙ୍କ କବି ବ୍ୟକ୍ତିତ୍ୱକୁ ମାନବିକତାର ଆଦର୍ଶରେ ଅନୁପ୍ରାଣିତ କରିଥିଲା ।

ପ୍ରକୃତିର ସୌନ୍ଦର୍ଯ୍ୟ ସନ୍ଦର୍ଶନ, ବିଭୁଚିନ୍ତା ଓ ଇତିହାସ ପ୍ରୀତି ଗୋଦାବରୀଶଙ୍କୁ ମାନବ ବନ୍ଦନାରେ କରିଛି ଶତମୁଖ । କବି ମଣିଷ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇ ଅନେକ କବିତା ଲେଖିଛନ୍ତି । ବିଶେଷତଃ ମନୁଷ୍ୟଠାରେ ଦେବତ୍ଵର ଅନୁସନ୍ଧାନ କରିବା ହୋଇଛି ଗୋଦାବରୀଶଙ୍କ ଉଦ୍ଦେଶ୍ୟ । ମାନବିକତାର ଏହି ବ୍ୟାପ୍ତପରିଧି ସତ୍ୟବାଦୀର ଗୋଦାବରୀଶଙ୍କ ବ୍ୟତୀତ ସମ୍ଭବତଃ ଅନ୍ୟ କାହାଠାରେ ଦେଖାଯାଇନାହିଁ । ଗରିବ ଭିକାରୀଟିକୁ ମୁଠାଏ ଚାଉଳ ନଦେଇ ତାକୁ ରାଗରେ ଗାଳିଦେବାରୁ ସେ ଚାଲିଯାଇଛି, ମାତ୍ର କବିଙ୍କ ହୃଦୟତନ୍ତ୍ରୀ ଯନ୍ତ୍ରଣାରେ ମନ୍ଥି ହୋଇଯାଇଛି ଅନୁତାପ ଓ ଦୁଃଖରେ । ପେଟ ଭର୍ତ୍ତିକରି ଖାଇବାକୁ ଦେବାପାଇଁ କବି ଚିତ୍ତରେ ବ୍ୟାକୁଳତା ଜାଗିଛି । କିନ୍ତୁ ଭିକାରୀଟି ଆଉ ଫେରିନାହିଁ । କବି ତାକୁ ଗଭୀର ଭାବରେ ଝୁରିହୋଇ ଲେଖିଛନ୍ତି-

‘କେତେ ବସିଲି ଚାହିଁନ ଆସିଲୁ ବାହୁଡ଼ି

ନିମିଶେ ନୟନୁ ମୋର କାର୍ହିଁ ଗଲୁରେ ଉଡ଼ି ।

କି ସମ୍ପଦ ଅବା ତୋତେ ଦେଇଥାଆନ୍ତି ମୁହିଁ

ତୁ’ତ ଆସି ମାଗୁଥିଲୁ ମୁଠେ ଚାଉଳ ପାଇଁ ।’

ସାମାନ୍ୟ ବ୍ୟସ୍ତ ଥିବାବେଳେ ଏପରି ଏକ ଘଟଣା ଘଟିଥିବାରୁ କବି ଗଭୀର ଅନୁତାପ କରିଛନ୍ତି । କବିତାର ବକ୍ତବ୍ୟ ଅତି ତୁଚ୍ଛ ହେଲେ ମଧ୍ୟ ତା ଭିତରେ ଅଛି ଅସାଧାରଣ ମାନବିକ ସମ୍ବେଦନା ।

ଗୋଦାବରୀଶ ଦରିଦ୍ର ପରିବାରରେ ଜନ୍ମ ହୋଇଥିବାରୁ ଦୁଃଖୀରଙ୍କିଙ୍କ ପ୍ରତି ହୋଇଛନ୍ତି ଅତ୍ୟନ୍ତ ସମମର୍ମୀ । ସେ କହିଛନ୍ତି, ଦୁଃଖୀ ଭିକ୍ଷାବୃତ୍ତି କରି ତାର ଗୁଜରାଣ ମେଣ୍ଟାଇପାରେ, ଧନୀ ମଣିଷ ଭୁରି ଭୋଜନ କରିପାରେ, ମାତ୍ର ଭଗବାନଙ୍କ ନିକଟରେ ଗରିବ ଓ ଧନୀ ସମାନ । ସର୍ବନିୟନ୍ତା ସ୍ରଷ୍ଟା ଉଭୟଙ୍କୁ ସମାନ ଆସନ ପ୍ରଦାନ କରିଥା’ନ୍ତି । ମଣିଷ ହୃଦୟର ମହାବିସ୍ତାରରୁ କବି ସର୍ବଦା ଶିକ୍ଷା କରିବାକୁ ଚାହିଁଛନ୍ତି । ତାଙ୍କ ନିକଟରେ ସାମାନ୍ୟ ପିମ୍ପୂଡ଼ିଟିଏ ଯେମିତି ଶିକ୍ଷାଦାନକାରୀ, ଦୁଆରୁ ଦୁଆରୁ ଭିକ ମାଗୁଥିବା ଭିକାରୀଟି ମଧ୍ୟ ସେହିପରି ଶିକ୍ଷା ପ୍ରଦାୟକ ପ୍ରାଣୀଟିଏ । ଦୁଃଖିନୀ ବିଧବାଠାରୁ ଯେମିତି ସହିଷ୍ଣୁତା ଶିକ୍ଷା କରାଯାଇଥାଏ, କୋମଳମତି ଛାତ୍ରମାନଙ୍କଠାରୁ ମଧ୍ୟ ସେହିପରି କର୍ତ୍ତବ୍ୟପରାୟଣତା ଜ୍ଞାନ ହାସଲ ହୋଇଥାଏ । ଏହି ଶିକ୍ଷାପାଇଁ ମଣିଷର ଧୈର୍ଯ୍ୟଶକ୍ତି ନିତାନ୍ତ ଜରୁରୀ । ପ୍ରାଣରେ ବିଶାଳତା ଜାଗ୍ରତ ହେଲେ ଏ ଶିକ୍ଷା ସହଜସାଧ୍ୟ ହୋଇଥାଏ । ମଣିଷର ଅହଂ ତାର ବିନାଶର କାରଣ ହେଇଥାଏ । ନିଜକୁ ଅନ୍ୟ ନିକଟରେ ହେୟଭାବରେ ପରିଗଣିତ କରାଇଥାଏ । ‘ଥକାମନ ଚାଲଯିବା’ କବିତାଟିରେ ରୋଗକ୍ଲିଷ୍ଟ ବୃଦ୍ଧ, ଧନୀ ସୌଦାଗରର ଘୋଡ଼ା ଗାଡ଼ିରେ ଅଥବା ଛାୟାପ୍ରଦ ଗଛ ନିକଟକୁ ଯିବାପାଇଁ ମନ କରିନାହିଁ । ମାତ୍ର ଶିବ ମନ୍ଦିରକୁ ଯାଉଥିବା ଜଣେ ବିଧବା ନାରୀ ତା ଆଡ଼କୁ ଥରେ ଚାହିଁ ଦେଇ ତାକୁ ହାତରେ ଛୁଇଁ ଦେବାରୁ ସେ ନୂଆ ବଳ ଓ ତେଜ ପାଇ ଗାଇଛି ପତିତପାବନଙ୍କ ଚଉତିଶା । ‘ଗଣ୍ଠିଧନ ସାଥୀ’ କବିଙ୍କ ମାନବ ବନ୍ଦନାର ଅନ୍ୟ ଏକ ସମ୍ବେଦନଶୀଳ କବିତା । ଚକ୍ରଧରପୁରରେ ପ୍ରଧାନ ଶିକ୍ଷକ ଥିବାବେଳେ ସେ ବିଦ୍ୟାଳୟର ଉପର ମହଲାରେ ଗୋଟିଏ ଘରେ ରହୁଥିଲେ, ଯାହାକୁ ସେ ଅଧହର୍ମ୍ୟ ଆଖ୍ୟା ଦେଇଛନ୍ତି । ଥରେ ତଳେ ଦଶ ବାରବର୍ଷର ଚଣ୍ଡାଳ ପିଲାଟିଏ ଖପରାରେ ମୁଢ଼ି ଖାଉଥିଲା । କବି ତଟସ୍ଥ ହୋଇ ଚାହିଁଛନ୍ତି ତାକୁ ଓ ସେ ଖୁସି ହୋଇ ତାଙ୍କୁ ମୁଢ଼ି ଖାଇବାକୁ ଯାଚିଛି-। ପ୍ରଥମେ ଅପରିଚ୍ଛନ୍ନ ପିଲାଟିର ହାତରୁ ମୁଢ଼ି ଖାଇବାପାଇଁ ଅନିଚ୍ଛୁକ ଥିଲେହେଁ କାଳେ ନଖାଇଲେ ସେ ଦୁଃଖ କରିବ ଏହି ନ୍ୟାୟରେ କବି ଅପରିଚ୍ଛନ୍ନ ପିଲାଟି ମନରେ ଦୁଃଖ ନଦେଇ ତାହା ଖାଇଛନ୍ତି-। ଗୋଦାବରୀଶଙ୍କ ମଣିଷ ପ୍ରତି ଉଚ୍ଚନୀଚ ଭାବ ନଥିବା ଚିନ୍ତାଧାରାର ଏହା ଏକ ସାର୍ଥକ ପ୍ରତିଫଳନ ।

ଗୋଦାବରୀଶ ଥିଲେ ମାନବିକତାର ଐଶ୍ଵର୍ଯ୍ୟରେ ବିଭବଶାଳୀ ମଣିଷ । ମଣିଷ ପାଇଁ ତ୍ୟାଗ ଓ ସେବାରେ ସେ ଥିଲେ ଜଣେ ଅଗ୍ରଦୂତ । ନିଜ ଜୀବନକୁ ଯଜ୍ଞବେଦୀ ସଦୃଶ ମନେକରି ତହିଁରେ ମଣିଷର ଅହମିକା ଗର୍ବ ଆଦିକୁ ଝାସଦେବାକୁ ପ୍ରାର୍ଥନା କରୁଥିଲେ । ଅପରପକ୍ଷରେ ମାନବିକତାର ଜୈତ୍ରଯାତ୍ରା ପାଇଁ ସେ ଥିଲେ ସତତ ଚେଷ୍ଟିତ । ଯେଉଁ ସମୟରେ ଗୋଦାବରୀଶ କବିତା ରଚନା କରୁଥିଲେ ସେହି ସମୟରେ ଭାରତ ବର୍ଷରେ ତଥା ଓଡ଼ିଶାରେ ମାନବିକତାବୋଧକୁ ନେଇ କବିମାନେ କବିତା ରଚନା କରୁଥା’ନ୍ତି । ଏପରି କବିତାରେ ମଣିଷହିଁ ମୁଖ୍ୟ । ଜାତି, ଧର୍ମ, ବର୍ଣ୍ଣ, ଉଚ୍ଚ ନୀଚ, ଧନୀ, ଦରିଦ୍ର ନିର୍ବିଶେଷରେ ସବୁ ମଣିଷ ସମାନ । ମଣିଷ ଅହଙ୍କାର ତ୍ୟାଗ କରି ମଣିଷର ସେବା କରିବା ଓ ମାନବ ସେବାରେ ମାଧବ ସେବା କରିବାହିଁ ଥିଲା ସେକାଳର କବିତାର ଆଦର୍ଶ । ବିଶ୍ଵକବି ରବୀନ୍ଦ୍ରନାଥ ଠାକୁରଙ୍କର ‘ଗୀତାଞ୍ଜଳି’ ବା ତାଙ୍କର ଅନ୍ୟାନ୍ୟ ବହୁକବିତା ମାନବ-ବନ୍ଦନାର ମୁଗ୍ଧ ଗାୟତ୍ରୀ । ଓଡ଼ିଆ ସାହିତ୍ୟରେ ମଧ୍ୟ ସେହି ଭାବ ପ୍ରକାଶ ପାଇଛି ମଧୁସୂଦନ, ଫକୀରମୋହନ, ଗୋପବନ୍ଧୁ ପ୍ରମୁଖଙ୍କ କବିତାରେ । ଗୋଦାବରୀଶ ସେହି ମାନବପ୍ରୀତିର ହୋଇଛନ୍ତି ରମ୍ୟ ରୂପକାର । ଆର୍ତ୍ତି ଓ ଦୁଃଖୀଙ୍କ ପ୍ରତି ସମ୍ବେଦନା ପ୍ରକାଶହିଁ ତାଙ୍କ କବିତାର ମର୍ମବାଣୀ ।

ଜାତୀୟତା :–

ଗୋଦାବରୀଶଙ୍କ ଜୀତୀୟଚେତନା ମୂଳକ ଗୀତିକବିତା ସବୁ ମୁଖ୍ୟତଃ ଦୁଇପ୍ରକାରର । (କ) ଉଗ୍ର ଜାତିପ୍ରୀତି, ଆବେଗମୟ ଦେଶପ୍ରୀତି ଓ ଜାତିର ବରପୁତ୍ର ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ (ଖ) ଅତୀତ ଉତ୍କଳର ହୃତ ଗୌରବରେ କବି ମନର ଖେଦୋକ୍ତି । କବି କର୍ମ ଉପଲକ୍ଷେ ବିଭିନ୍ନ ସ୍ଥାନକୁ ଯାଇ ରହିଛନ୍ତି । କିନ୍ତୁ ପ୍ରତ୍ୟେକଟି ସ୍ଥାନରେ ସେ ତାଙ୍କ ଜୀବନରେ ଅତିକ୍ରମ କରିଥିବା ପରିବେଶ ଓ ପରିସ୍ଥିତି ଆଦିକୁ ସ୍ମରଣ କରିଛନ୍ତି । ବିଶେଷ କରି, ବାଲ୍ୟ ଜୀବନରେ ଦେଖିଥିବା ନିଜ ଗାଁର ଶାଳିଆ ନଦୀ ତୀରର ଅନେକ ଅନୁଭୂତିକୁ କବିତାରେ ସ୍ଥାନ ଦେଇଛନ୍ତି । ଗାଁର ଶ୍ରୀପଞ୍ଚମୀ, ସାଙ୍ଗମାନଙ୍କ ସହିତ ଭ୍ରମଣ, ଘଣ୍ଟଶିଳାର ମନୋରମ ଦୃଶ୍ୟ ଓ ପିଲାମାନେ ମାଆଙ୍କ କୋଳରେ ବସି ଶୁଣୁଥିବା ଗ୍ରାମ୍ୟ ଜୀବନର ଘଟଣା ସବୁକୁ ମନେପକାଇବା ଭିତରେ କବିଙ୍କର ଜନ୍ମଭୂମି ପ୍ରତି ଥିବା ମୋହ ଜାଣି ହୋଇଯାଏ । ଏଥିରେ ଆଞ୍ଚଳିକ ମନୋଭାବ ପ୍ରକଟିତ ହୋଇଥିଲେ ହେଁ ଦେଶପ୍ରେମୀ କବି ହୃଦୟର ଭାବ ଜର୍ଜରିତ। କବିଙ୍କ କଳ୍ପନାରେ ମହେନ୍ଦ୍ରଗିରି ଉତ୍କଳର ହିମାଳୟ ଓ ମହାନଦୀ ଓଡ଼ିଶାର ଗଙ୍ଗା । ମହେନ୍ଦ୍ରଗିରିର ଗଙ୍ଗାଙ୍କୁ ରାଜା ମୁକୁନ୍ଦଦେବ ତପସ୍ୟା ଓ ସାଧନା ବଳରେ ଉତ୍କଳରେ ବୁହାଇଛନ୍ତି । ଉତ୍କଳମଣିଙ୍କ ‘ବନ୍ଦୀର ସ୍ଵଦେଶ ଚିନ୍ତା’ରେ ଜନ୍ମମାଟି ପ୍ରତି ଯେଉଁ ମୋହ ପ୍ରକାଶ ପାଇଥିଲା, ଗୋଦାବରୀଶଙ୍କ ‘କାରାବାସେ’ କବିତାଟି ସେହିଭଳି ଜନ୍ମମାଟିର ସ୍ମୃତି ଓ ଦେଶାତ୍ମଭାବନାରେ ଋଦ୍ଧିମନ୍ତ । କବି ଏକ ମାସ ଦଶଦିନ ବନ୍ଦୀ ଅବସ୍ଥାରେ ଥିବାବେଳେ କାହିଁ କେତେ ଦୂରରେ ଥିବା ଶାଳିଆ, ଘଣ୍ଟଶିଳା, ବନ୍ଧୁପତ୍ନୀ ଓ ସନ୍ତାନ ଆଦିଙ୍କୁ ମନେପକାଇ ଲେଖିଛନ୍ତି :–

‘ସ୍ମୃତି ଦିଗ୍‌ବଳୟେ ଯାଏ ଲୁଚି

 

ଘଣ୍ଟଶିଳା ଚୂଳ,

ଚିଲିକା ଶୀକର ବାୟୁ ଦୂରୁଁ

 

ହୋଇଯାଏ ଦୂର ।

ସ୍ମରଇ ଶାଳିଆ ଦେଖି ଶାଳ-

 

ଜଡ଼ି ସୌଧ ମୁହିଁ,

ବିଲ ପଦା ବନ ତୋଟା କିଛି

 

ମନେ ପଡ଼ୁ ନାହିଁ ।’

(କାରାବାସେ, ପୃଷ୍ଠା-୩୭୪)

କବି ଶୁଣିଛନ୍ତି ଜନ୍ମଭୂମିର ଡାକରା ଓ ଆତ୍ମୀୟସ୍ଵଜନଙ୍କ ସ୍ନେହରେ ଆବଦ୍ଧ ହେବାପାଇଁ ଚାହିଁଛନ୍ତି । ନିଜ ଦେଶର ସ୍ମୃତି ଚାରଣ ସହ କବିଙ୍କର ଭାବାବେଗ କବିତାଟିକୁ ସାର୍ଥକ କରିଛି । ଅନ୍ୟକେତୋଟି କବିତାରେ ସ୍ଵଦେଶକୁ ଜନନୀ ସମ୍ବୋଧନ କରି ବନ୍ଦନା କରିଛନ୍ତି । ଜନନୀର ଭାଷା ଓ ଜନନୀର ମୁକ୍ତିପାଇଁ ପ୍ରତ୍ୟେକ ବ୍ୟକ୍ତି ପଣକରି, ଜୀବନ ଉତ୍ସର୍ଗ କରିବାପାଇଁ ଶପଥ କରିବା ଉଚିତ । କବିଙ୍କ ବର୍ଣ୍ଣନାରେ ଉତ୍କଳ ଜନନୀ ଆମର ମାଆ, ଆମେ ସବୁ ତାର ସନ୍ତାନ । ତେଣୁ ଆମର ପ୍ରତ୍ୟେକ ରକ୍ତବିନ୍ଦୁ ତା’ରି ପାଇଁ ଉତ୍ସର୍ଗୀକୃତ ହେବା ଉଚିତ । ଗୋଦାବରୀଶଙ୍କ କବିତା ଗାଲମାଧବ, ପଦ୍ମାବତୀ, ସାକ୍ଷୀଗୋପାଳ ଆଦି ଜାତୀୟତାଭାବ ସମ୍ବଳିତ ବୀରତ୍ୱର ଗାଥା । ସ୍ୱାଧୀନ ଭାରତରେ ଉତ୍କଳର ଶ୍ରେଷ୍ଠତାକୁ ନେଇ କବି ଗର୍ବ କରିଛନ୍ତି । ତାଙ୍କ ମତରେ ଉତ୍କଳଭୂମି ସମସ୍ତ ସୌନ୍ଦର୍ଯ୍ୟରେ ଭରପୂର ହୋଇ ସ୍ଵର୍ଗଭୂମିରେ ପରିଣତ ହେଲା । ଏହାର ବୀର ରାଜା, ସୈନ୍ୟ ଓ ପ୍ରଜାଗଣ ବିପୂଳ ଓ ବଳୀୟାନ । କବି ଏହି ଉଚ୍ଛ୍ୱାସକୁ ‘ଉଦ୍‌ବୋଧନ’ ଓ ‘ରଞ୍ଜିତ ଅସିଧାରେ’ କବିତା ଦୁଇଟିରେ ସ୍ଥାନ ଦେଇଛନ୍ତି । ଗୋଦାବରୀଶଙ୍କ ବହୁ ଶିଶୁକବିତାରେ ମଧ୍ୟ ଜାତୀୟଭାବନା ପ୍ରକଟିତ । ପିଲାମାନଙ୍କୁ ଜାତୀୟତା ଭାବରେ ଉଦ୍‌ବୁଦ୍ଧ କରିବା ପାଇଁ ଏସବୁଥିରେ ପ୍ରେରଣା ନିହିତ । ‘ଆମ ଜନ୍ମଭୂମି’, ‘ଜନ୍ମଭୂମି’, ‘ଜାତୀୟ ପତାକା’ ଓ ‘ମା’ କବିତାରେ ଏହି ଭାବ ପ୍ରକଟିତ । ଏ ଗୁଡ଼ିକରେ କବି ଜନ୍ମଭୂମି ପ୍ରତି ଭକ୍ତିନୈବେଦ୍ୟ ବାଢ଼ିଛନ୍ତି । ବ୍ୟାସକବି ଫକୀରମୋହନ, ଗୋପବନ୍ଧୁ, ନୀଳକଂଠ ଆଦି ସମସାମୟିକ ବିଶିଷ୍ଟ ପୁରୁଷଗଣଙ୍କ ବ୍ୟକ୍ତିତ୍ଵକୁ ସମ୍ମାନ ଜଣାଇ ସେମାନଙ୍କୁ ବାଣୀସେବକ, ଦେଶପ୍ରେମୀ, ଜାତିପ୍ରେମୀ, କର୍ମୀ, ଭାବୁକ ଓ ହୃଦୟବାନ ମଣିଷଭାବରେ ଚିତ୍ରଣ କରିଛନ୍ତି । ଏହି କବିତାଗୁଡ଼ିକ ବ୍ୟକ୍ତିଗତ ଅନୁଭବରୁ ସୃଷ୍ଟି ହୋଇଥିବାରୁ ଅତ୍ୟନ୍ତ ହୃଦୟସ୍ପର୍ଶୀ । ସ୍ୱଦେଶ ସଂସ୍କୃତି ପ୍ରତି ଆନ୍ତରିକତା ଏହି ସମସ୍ତ କବିତାର ପ୍ରାଣକେନ୍ଦ୍ର । ଗୋପବନ୍ଧୁଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା ଓ ଭକ୍ତିରୁ ବହୁ କବିତା ସୃଷ୍ଟି । ଗୋପବନ୍ଧୁଙ୍କ ବହୁବିଧ ପ୍ରତିଭା ଯଥାକ୍ରମେ ସତ୍ୟବାଦୀର ପୁଣ୍ୟ ପ୍ରତିଷ୍ଠାତା, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ନେତା, ଦୁସ୍ଥ-ରୋଗୀ-ପୀଡ଼ିତ ଜନତାର ସେବକ ଆଦି ଗୁଣକୁ କବି ଶତମୁଖରେ ପ୍ରଶଂସା କରିଛନ୍ତି-। ଗୋଦାବରୀଶ ଉତ୍କଳର ଗୌରବ ଗାଥାରେ ଯେମିତି ଗର୍ବିତ, ତା’ର ହୀନବୀର୍ଯ୍ୟ, ଭୀରୁ ଶାସକଙ୍କୁ ଦେଖି ସେହିପରି ମର୍ମାହତ । ଉତ୍କଳର ହୃତଗୌରବକୁ ଫେରାଇ ଦେବା ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସମସ୍ତ ଶକ୍ତି ଶୂନ୍ୟତାହୀନ ଜାତିର ଦୁର୍ଦ୍ଦିନକୁ ହୃଦୟଙ୍ଗମ କରି ଦୁଃଖ ପ୍ରକାଶ କରିଛନ୍ତି । ନୀଚସ୍ଵାର୍ଥ ଓ ଅର୍ଥର ବଶବର୍ତ୍ତି ହୋଇ ଉତ୍କଳୀୟ ସଂସ୍କୃତିର ଶ୍ରେଷ୍ଠପୀଠ ଶ୍ରୀକ୍ଷେତ୍ର ଆଜି ଶ୍ରୀହୀନ । ଏଥିପାଇଁ କବିଙ୍କ ଖେଦୋକ୍ତି ପ୍ରକାଶ ପାଇଛି ତାଙ୍କ ଗାଥା କବିତା ‘ଆଲେଖିକା’ ରେ । କବି ଲେଖିଛନ୍ତି -

‘ହେଲେ ମର୍ତ୍ତ୍ୟ ଆଜି ବଡ଼ ହୀନ ଏକା

ହୋଇଛି ମୁକ୍ତି ମଣ୍ଡପ

କିଥିଲା କି ହେଲା, କେହି କି ଭାବେହେ

ଦେବେ କରୁଥିବେ କୋପ ।

 

ପାହିଲା ଅଧୁଲା ଅର୍ଜିବାର ଲୋଭେ

ଭାଇ ବନ୍ଧୁ ଧରି ତହିଁ,

ଷୋଳ ଶାସନର ଯେତେ ଗୋଦରାହେ,

ରୁଣ୍ଡ ହେଉଛନ୍ତି ଯାଇ ।’

ବସ୍ତୁତଃ ଗୋଦାବରୀଶଙ୍କ ଦେଶପ୍ରୀତି, ଜାତିପ୍ରୀତି ଓ ଉତ୍କଳର ଐତିହ୍ୟ ପ୍ରତି ସମ୍ମାନ କେବଳ କାବିକ୍ୟ ନୁହେ ବରଂ ଓଡ଼ିଆ ସାହିତ୍ୟରେ ଅଭିନବ ।

 

ପ୍ରକୃତିପ୍ରାଣତ। :–

ଆଧୁନିକ ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କ ଠାରୁ ଅନ୍ତଃ ଓ ବହିଃ ପ୍ରକୃତିର ହୋଇଛି ମଧୁମୟ ମିଳନ । ଭକ୍ତକବି ମଧୁସୂଦନଙ୍କ ପ୍ରକୃତି ଦୃଷ୍ଟିରେ ହୋଇଛି ମଙ୍ଗଳମୟ ବ୍ରହ୍ମଙ୍କର ଆବିର୍ଭାବ । ଗଙ୍ଗାଧରଙ୍କ ପ୍ରକୃତିଚିନ୍ତାରେ କିନ୍ତୁ ସୌନ୍ଦର୍ଯ୍ୟବୋଧ, ବିଭୂବୋଧ ଓ ମଙ୍ଗଳବୋଧର ଘଟିଛି ଅପୂର୍ବ ମିଳନ । ଗଙ୍ଗାଧରଙ୍କ ପ୍ରକୃତି ଭାବନାରେ ତାଙ୍କର ସମସ୍ତ କବିତା ଗୀତିକବିତାର ମୁର୍ଚ୍ଛନା ସୃଷ୍ଟିକରେ । ଏହି ମୁର୍ଚ୍ଛନାର ଆବେଦନରେ ବହିଃ ପ୍ରକୃତିର ରୂପ, ରସ, ଗନ୍ଧ, ସ୍ପର୍ଶ କବିଙ୍କ ଅନ୍ତର୍ନିହିତ ଚେତନାକୁ ଜାଗ୍ରତ କରେ । ଗଙ୍ଗାଧରଙ୍କ ପ୍ରକୃତି ଭାବନାର ଉତ୍ତର ସୂରୀ ଭାବରେ ଗୋଦାବରୀଶ ପରିଚିତ ।

ସେ ଥିଲେ ପ୍ରକୃତିର ଉପାସକ । ତାଙ୍କ କବିତ୍ୱର ପ୍ରେରଣା ନିଜ ଗାଁର ନଦୀ ଓ ପାହାଡ଼ ପର୍ବତ ଘେରା ପ୍ରାକୃତିକ ପରିବେଶ । ଶାଳିଆର କୁଳୁକୁଳୁ ତାନ, ଭାଲେରୀ ପାହାଡ଼ର ଶ୍ୟାମଳିମା, ସତ୍ୟବାଦୀର ବକୁଳବନ ଓ ଛୁରୀଅନାର ଫୁଲଭରା ଗଛରେ କୋଇଲିର କୁହ କୁହୁ ସ୍ଵରରେ ଗୋଦାବରୀଶଙ୍କ ହୃଦୟ ହୋଇଛି ଉଦ୍‌ବୁଦ୍ଧ । କବି ବ୍ୟକ୍ତିତ୍ୱ ଅନୁରାଗୀ ହୋଇ ଗୀତିକବିତାରେ ପ୍ରକାଶ ଲାଭକଲା । ପ୍ରକୃତିରୁ ପ୍ରେରଣା ଲାଭ କରିଛନ୍ତି ସେ । ମନ ଓ ଜୀବନରେ ଉନ୍ମାଦନା ଖେଳାଇଥିବା ପ୍ରକୃତିର ସ୍ଵାଦକୁ କବି ଭୁଲି ପାରିନାହାନ୍ତି । ପ୍ରକୃତିର ସୌନ୍ଦର୍ଯ୍ୟରେ ଆତ୍ମବିହ୍ୱଳ ହୋଇ ଗୋଦାବରୀଶ ବିଶ୍ୱକବି ରଦୀନ୍ଦ୍ରନାଥଙ୍କ ପରି ନିର୍ଜୀବ ବସ୍ତୁକୁ ମଧ୍ୟ ଆପଣାର କରିପାରିଛନ୍ତି-। କବି ଜୀବନର ଆନନ୍ଦ, ରସଦୃଷ୍ଟି ଓ ଦରଦକୁ ପ୍ରକୃତି ମଧ୍ୟରେ ସନ୍ଦର୍ଶନ କରିଛନ୍ତି । ପୀଡ଼ାଭରା ହୃଦୟରେ ଥିବାବେଳେ ତାଙ୍କୁ ଆନନ୍ଦ ଦେଇଛି ପ୍ରକୃତି । ଯେତେବେଳେ ସେ ସାଂସାରିକ ସୁଖ ଦୁଃଖ ପ୍ରତି ବିତସ୍ପୃହ, ପଳାୟନପନ୍ଥୀ ସେତେବେଳେ ସନ୍ଧ୍ୟା ଆକାଶରେ ଅଦୃଶ୍ୟ ହୋଇଯାଉଥିବା ନିଃସଙ୍ଗ ତାରାଟି କବି ମନକୁ ଅଧିକାର କରି ବସିଛି । କବି ରସିକ ଦୃଷ୍ଟିରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁକରୁ କ୍ରମ ବିଲୟମାନ ତାରାଟିକୁ ଦେଖି ହୋଇଛନ୍ତି ବିମୋହିତ । ଏହାହିଁ ନୈସର୍ଗିକ କବିତା । ଗୋଦାବରୀଶଙ୍କ ପ୍ରକୃତି ପ୍ରେମ ସର୍ବଦା ଗିରି, ନିର୍ଝରିଣୀ ପରି ପ୍ରବାହମାନ, ଜୀବନ୍ତ ଓ ଚଳମାନ । ପ୍ରକୃତିର ପାହାଡ଼ ପର୍ବତ, ଶ୍ୟାମଳ ଓ ଶସ୍ୟକ୍ଷେତ୍ର, ନଦୀ, ହ୍ରଦ, ସମୁଦ୍ର, ପଶୁପକ୍ଷୀ, ଫୁଲ ଇତ୍ୟାଦି ତାଙ୍କ ଜୀବନର ସଖା, ସହୋଦର, ମାଆ ଭଉଣୀ, ସ୍ତ୍ରୀ ଓ ପ୍ରେମିକା ଭାବରେ ରୂପାୟିତ । ପ୍ରତ୍ୟେକଟି ଧୂଳିକଣା, ଗଛଲତା ତାଙ୍କର ଅତି ଆପଣାର । ପ୍ରକୃତି ସହିତ ଏକାତ୍ମ ହୋଇଯିବାର ଇଚ୍ଛାରେ ସେ ସର୍ବଦା ବ୍ୟାକୁଳ । ଏଣୁ ଜଗତର ପ୍ରତ୍ୟେକଟି କୁତ୍ସିତ ବସ୍ତୁକୁ ମଧ୍ୟ ସେ ସୌନ୍ଦର୍ଯ୍ୟର ଗନ୍ତାଘର ବୋଲି ବିବେଚନା କରିଛନ୍ତି । ଥୁଣ୍ଟା ବରଗଛ ତାଙ୍କୁ ଯେଭଳି ଆନନ୍ଦ ଦେଇଛି ସେହିଭଳି ଅନ୍ଧାର ରାତିର ବର୍ଷା, ଝଡ଼ ଓ ତୋଫାନର ଭୀଷଣତା ମଧ୍ୟରେ ପ୍ରକୃତିର ରୁଦ୍ର ମୂର୍ତ୍ତି ମଧ୍ୟ କବି ହୃଦୟରେ ସୃଷ୍ଟି କରିଛି ଉଦ୍‌ବେଳନ । ଗୋଦାବରୀଶଙ୍କ ପ୍ରକୃତି ପ୍ରେମ କ୍ରମଶଃ ବିକଶିତ ପର୍ଯ୍ୟାୟରେ ବିଶ୍ଵପ୍ରେମ ଓ ଅନନ୍ତ ପ୍ରେମରେ ହୋଇଛି ପରିଣତ । ପ୍ରକୃତିର ସୌନ୍ଦର୍ଯ୍ୟ ନିରାଜନାରେ କବି ମଣିଷର ହୃଦୟକୁ ଖୋଜିଛନ୍ତି । ମଣିଷର ସୁଖ ଦୁଃଖରେ ମଧ୍ୟ ପ୍ରକୃତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କବିଙ୍କର ବିଶ୍ଵାସ । ଏଣୁ ନିଜର ସଂକୀର୍ଣ୍ଣତାକୁ କବି ପ୍ରକୃତିର ନିୟାମକଙ୍କ ନିକଟରେ ସମର୍ପିଦେଇ ମହାନ୍‌ଭାବକୁ ପରିବ୍ୟାପ୍ତ ଓ ବିଶ୍ଵମୟ କରିଦେବାକୁ ଚାହିଁଛନ୍ତି । ପ୍ରକୃତି ସନ୍ଦର୍ଶନରେ ଗୋଦାବରୀଶ ଉଦାର । ପ୍ରକୃତି ଦତ୍ତ ପାରିପାର୍ଶ୍ୱିକ ବସ୍ତୁକୁ ସେ ହୀନ ବା ଅବଜ୍ଞେୟ ମନେକରି ନାହାନ୍ତି । ପ୍ରତ୍ୟକ ବସ୍ତୁକୁ ସେ ସମମର୍ଯ୍ୟାଦା ପ୍ରଦାନ କରିବା ସହିତ ତାର ସୌନ୍ଦର୍ଯ୍ୟ ଆହରଣ କରିଛନ୍ତି । ‘ଚୟନିକା’ ସଙ୍କଳନରେ ଅନେକ କବିତା ପ୍ରକୃତି ଭାବନାରେ ଋଦ୍ଧିମନ୍ତ । ସାଗର ସମାଧି ଓ ନିର୍ଝର କବିତାରେ କବିଙ୍କ ପ୍ରକୃତି ବନ୍ଦନା ଅତ୍ୟନ୍ତ ମଧୁମୟ । ‘ନିର୍ଝର’ ଆତ୍ମସୁଖ ଲାଭକରି କହିଛି :–

 

‘ନଭ ଚନ୍ଦ୍ର ତାରା ତଳେ ବହେ କଳ ନିସ୍ଵନେ

ଭେଦି ବନ କଣ୍ଟା ଅଭେଦ୍ୟ ଛୁଇଁ,

ଶିଳା ବନ୍ଧ ପାଷେ ଧୀରେ କ୍ଷଣେ ଚଳାଇ ତନୁ,

ଦଳ ଘାସେ ଠିଆ ହୋଇ ମୁହିଁ ।’

(ନିର୍ଝର, ପୃଷ୍ଠା -୩୪୧)

ଗୋଦାବରୀଶ ପ୍ରକୃତିଠାରୁ ପାଇଥିଲେ ଜୀବନର ଆଦର୍ଶ, ପ୍ରେରଣା, ସହାନୁଭୂତି ଓ ଅନୁକମ୍ପା । ଏଣୁ ତାଙ୍କ ଜୀବନର ଆଶା ନୈରାଶ୍ୟରେ ସେ ନିଜକୁ ସମର୍ପି ଦେଇଛନ୍ତି ପ୍ରକୃତି କୋଳରେ ।

ପ୍ରେମଭ।ବନ। :–

ଗୋଦାବରୀଶଙ୍କ କବିତାରେ ପ୍ରେମର ତନ୍ମୟ ଦୃଷ୍ଟି ଅନ୍ୟ ଏକ ବୈଶିଷ୍ଟ୍ୟ । ଏହି ଚେତନାକୁ ସେ ଦେହ ଅପେକ୍ଷା ମନ, ମିଳନ ଅପେକ୍ଷା ବିରହରେ ଅଧିକ ପ୍ରସ୍ଫୁଟିତ କରିଛନ୍ତି । କବିଙ୍କ ଜୀବନର ଅନୁଭୂତି ପାରିବାରିକ ଜୀବନର ମାର୍ମିକ ଅଭିବ୍ୟକ୍ତିରେ ଉଦ୍‌ବେଳିତ । ଏହା କେତେବେଳେ ପତ୍ନୀ ପ୍ରତି ଅନ୍ତରର ଦିବ୍ୟପ୍ରେମକୁ ନିବେଦନ କରୁଛି ତ କେତେ ବେଳେ ବନ୍ଧୁ ପ୍ରତି ପ୍ରକାଶ କରୁଛି ଆନ୍ତରିକ ମମତା । ସଖା ପ୍ରତି ସ୍ମୃତି-ଅର୍ଘ୍ୟ ପ୍ରଦାନ କରିଛି ତ ପୁଣି ଛାତ୍ର ପ୍ରତି ବ୍ୟସ୍ତ କରଛି ହୃଦୟଭରା ସ୍ନେହ । ପତ୍ନୀଙ୍କୁ ଛାଡ଼ି ପ୍ରବାସରେ ଥିବାବେଳେ ପ୍ରଣୟ ଅନୁଭୂତିକୁ ନେଇ ଯେଉଁ କେତୋଟି କବିତା ଲେଖିଛନ୍ତି ସେଗୁଡ଼ିକ ଦୈହିକ ପ୍ରେମର ଉତ୍ତାପରେ ଭଷ୍ମ ନୁହେଁ, ବରଂ ସଖ୍ୟଭାବରେ ଉଦ୍‌ବୋଧନଧର୍ମୀ କବିତା । ତାଙ୍କ ମତରେ ଦୈହିକ ପ୍ରେମ ରାତ୍ରିର ସ୍ଵପ୍ନ ଭଳି କ୍ଷଣିକ । ଏହା ହୃଦୟକୁ ପୀଡ଼ାଦିଏ କେବଳ, ମାତ୍ର ଏଥିରୁ ମୁକ୍ତି ପାଇଲେ ଜୀବନ ହୁଏ ମଧୂମେୟ । ବସନ୍ତର ମୃଦୁମଳୟରେ କୋକିଳର କଂଠଧନି, ଶୀତର ସକାଳରେ ସୂର୍ଯ୍ୟଙ୍କର ସ୍ଵର୍ଣ୍ଣକିରଣ - ଦୈହିକପ୍ରେମର ଉର୍ଦ୍ଧାୟମାନ ଚେତନା ତାଙ୍କ କବିତାଗୁଡ଼ିକୁ କରିଛି ରସାଳ ଓ ପ୍ରାଣବନ୍ତ । ତେଣୁ ଗୋଦାବରୀଶ ସଚେତନତାର ସହିତ ‘ପ୍ରୀତିତ୍ୟାଗ’ କବିତାରେ ପ୍ରେମର ଅନୁଭୂତି ସଂପର୍କରେ ସୂଚନା ଦେଇ ପ୍ରକୃତ ପ୍ରେମର ସ୍ଵରୂପକୁ ଦେଖାଇଛନ୍ତି ।

ଗୋଦାବରୀଶଙ୍କ ଦୃଷ୍ଟିରେ ପ୍ରଣୟ ପରଶମଣି ସଦୃଶ । ଏଥିପାଇଁ ଆଦର୍ଶ ସାଧନା ଓ ଦୁଃସାଧ୍ୟ ବ୍ରତ ଦରକାର । ଆଘାତରେ ପ୍ରେମର ମୃତ୍ୟୁ ହୁଏନି, ଅଶ୍ରୁରେ ଏହା ଧୋଇ ହୋଇ ଯାଏ ନାହିଁ, ବରଂ ବ୍ୟର୍ଥତା ଓ ବିଷାଦରେ ଏହା ଶୁଦ୍ଧ ସୁଷମାରେ ଭରିଉଠେ । ଏଥିପାଇଁ ମିଳନରେ ପ୍ରେମ ଜଡ଼ ମାତ୍ର ବିରହରେ ଏହା ଜୀବନ୍ତ । ଗୋଦାବରୀଶଙ୍କ ପ୍ରେମର ସାର୍ଥକତା ତ୍ୟାଗରେ ଭୋଗରେ ନୁହେଁ । ବସ୍ତୁତଃ ଏହା ସୂର୍ଯ୍ୟ ଓ ପଦ୍ମ ସଦୃଶ ନିର୍ମଳ ଭାବଧାରାରେ ପ୍ରତିଭାତ । କବିଙ୍କ ହୃଦୟ ଯେତେବେଳେ ବିଷାଦବୋଧରେ ଉଦ୍‌ବେଳିତ, କବି ସେତେବେଳେ ଜୀବନର ସୂକ୍ଷ୍ମତମ ପ୍ରଦେଶକୁ ଅନ୍ତଃଚକ୍ଷୁ ମାଧ୍ୟମରେ ଦେଖନ୍ତି ଓ ପ୍ରେମ ଜୀବନର ଶାଶ୍ୱତ ଗୀତି ରଚନା କରି ଲେଖିଛନ୍ତି-

ପ୍ରୀତି ତ ଯାତନା ମରଦେହୀ ହୃଦେ ତାପଇ ସନ୍ତାପ ଭାରେ

କି ବିଷ କଣିକା ଭୁଲାଏ ଜୀବେସେ

ଏ ବିଶ୍ଵ ପୀୟୂଷ ଧାରେ ।

(ପ୍ରୀତିତ୍ୟାଗ, ୧୯୪)

କବିଙ୍କ ପ୍ରେମଚେତନା ରୋମାଣ୍ଟିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ବେଳେ ବେଳେ ମଧ୍ୟ ବିଷାଦ ବ୍ୟାକୁଳତାରେ ବ୍ୟଥିତ। ଆଶା ଓ ଅତୃପ୍ତ କାମନା ମଧ୍ୟରେ ମହତ୍‌ଜୀବନର ସେ ସନ୍ଧାନୀ । କାଞ୍ଚି ରାଜଜେମା ଓଡ଼ିଆ ରାଜାଙ୍କ ପ୍ରେମ ପିପାସିନୀ ସତ, ମାତ୍ର ତାଙ୍କୁ ପାଇ ହରାଇବାର ମାନସିକ ଦ୍ଵନ୍ଦ୍ୱରେ ମଧ୍ୟ ଆତ୍ମହରା ।

ଗୋଦାବରୀଶ ତାଙ୍କ ସଖା ଓ ବନ୍ଧୁ ଗୋପବନ୍ଧୁ ଓ ନୀଳକଂଠଙ୍କ ପାଇଁ ଅଧିକାଂଶ ସମୟ ସ୍ନେହ ଗଦ୍‌ଗଦ୍‌ହୋଇ କବିତା ରଚନା କରିଛନ୍ତି । ଏ ଦୁହେଁ ଥିଲେ ତାଙ୍କ କିଶୋର ଜୀବନର ପ୍ରେରଣା । ସତ୍ୟବାଦୀରୁ ଦୂରେଇ ଯିବାପରେ ସେ ଅଧିକାଂଶ ସମୟ ସତ୍ୟବାଦୀ ସହିତ ଗୋପବନ୍ଧୁ ଓ ନୀଳକଂଠଙ୍କୁ ସ୍ମରଣ କରି ବାସ୍ତବ ଜୀବନକୁ ମଧୁରତର କରିଛନ୍ତି । ଅନ୍ତରର ଭାବୋଚ୍ଛାସରେ କବି ଅଶ୍ରୁର ନୈବେଦ୍ୟ ବାଢ଼ିଛନ୍ତି ‘ସ୍ମୃତି’ କବିତାରେ । ଜୀବନର ସାଧନା ପଥରେ ଅଗ୍ରଗତି ପାଇଁ ତାଙ୍କ ସଖାମାନଙ୍କର ପ୍ରେରଣା ପ୍ରତି ସେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ‘ଧ୍ରୂବତାରା’ କବିତା ମାଧ୍ୟମରେ ।

କବି ନାରୀର ସ୍ନେହ, ପ୍ରୀତି, ମମତା ଓ କରୁଣାରେ ଦ୍ରବୀଭୂତ ହୋଇଛନ୍ତି, କିନ୍ତୁ କୌଣସିଠାରେ ଉଚ୍ଛ୍ୱଂଖଳ କାମନାରେ ପ୍ରେମ ବା ପରକୀୟା ପ୍ରୀତିର ଚିତ୍ର ଆଙ୍କି ନାହାନ୍ତି । ନାରୀ ପ୍ରେମକୁ ସେ ଆଦୌ ଭୋଗର ସାମଗ୍ରୀ ଭାବରେ ଗ୍ରହଣ କରିନାହାନ୍ତି । ସେ ସର୍ବଦା ଦୁଃଖ, ବିରହ, ସାଧନା ଓ ତ୍ୟାଗର ମହତ୍ତ୍ଵ ଉପଲବ୍ଧି କରିଛନ୍ତି ।

ଜାତି ଓ ପ୍ରକୃତି ପ୍ରେମିକ ଗୋଦାବରୀଶ ମାନବପ୍ରୀତିରେ ଥିଲେ ସମୁଜ୍ଜ୍ୱଳ । ଏହି ପ୍ରୀତି ଥିଲା ନାନାବିଧ । ବାପା, ମାଆ, ସନ୍ତାନ ଠାରୁ ଆରମ୍ଭକରି ଏହା ବନ୍ଧୁ, ପ୍ରତିବେଶୀ, ଇତ୍ୟାଦି ନାନା ସ୍ତରରେ ବିଚ୍ଛୁରିତ । ସର୍ବୋପରି, ନରନାରୀ ହୃଦୟର ପ୍ରୀତିସ୍ମିଗ୍ଧ ମଞ୍ଜୁଳଭାବକୁ ସେ ଦିବ୍ୟ ଦାମ୍ପତ୍ୟ ପ୍ରେମ ରୂପଦେଇ କରିଛନ୍ତି ହୃଦୟଗ୍ରାହୀ ।

ଇତିହାସବୋଧ :–

ଇତିହାସ ଅତୀତର ହୃତ ଗୌରବ, ମୃତ ଗୌରବକୁ ଫେରାର ଆଣିବାକୁ ପ୍ରେରଣା ଦିଏ-। ଗୋଦାବରୀଶଙ୍କ ବହୁ କବିତାରେ ଏହି ଇତିହାସ ବୋଧ ସଜାଗ । ଅତୀତର ବୀର ପୁରୁଷ, କୋଣାର୍କର ଚିତ୍ରକଳା, ବାରବାଟୀର ଓଡ଼ିଆ ବୀରଙ୍କ କାହାଣୀକୁ ଚିତ୍ରରୂପ ଦେଇଛି କବିଙ୍କ ଗୀତିକବିତା ଓ ଗାଥା କବିତା । ଇତିହାସଧର୍ମୀ କବିତାରେ ଅଛି ସାହିତ୍ୟର ସୌନ୍ଦର୍ଯ୍ୟ । ଗୀତିଗୁଚ୍ଛ ଗ୍ରନ୍ଥର, ‘ଉଦ୍‌ବୋଧନ’ କବିତାର ମର୍ମବାଣୀରେ ଏହାହିଁ ଭରପୁର । ବାଣପୁରରୁ ଚକ୍ରଧରପୁର ମଧ୍ୟରେ କବିଙ୍କୁ ଯେଉଁ ଯେଉଁ ଐତିହାସିକ ସ୍ଥାନ ବା ପୀଠ ରୋମାଞ୍ଚିତ କରିଛି ତାକୁ ନେଇ ସେ ସୁନ୍ଦର ଗୀତିକବିତା ସବୁ ରଚନା କରିଛନ୍ତି । ମହେନ୍ଦ୍ର ପର୍ବତ, ଖୋରଧା, ଖଣ୍ଡପଡ଼ା, ଭଟ୍ଟାରିକା, ମେଘାସନ ଇତ୍ୟାଦି ନଦୀ, ପର୍ବତ ଓ ସ୍ଥାନକୁ ନେଇ ଇତିହାସର ବାଣୀ ଶୁଣାଇଛନ୍ତି । ଭାରତର ସ୍ଵାଧୀନତା କାଳର ଶ୍ରେଷ୍ଠ ନାୟକ ମହାତ୍ମାଗାନ୍ଧିଙ୍କ ଅହିଂସା ନୀତି କବିଙ୍କ ଚିତ୍ତକୁ ଆଲୋଡ଼ିତ କରିଛି-। ତାଙ୍କ ବର୍ଣ୍ଣନାରେ ଗାନ୍ଧୀ ଏ ଯୁଗର ଶ୍ରେଷ୍ଠ ଐତିହାସିକ ବ୍ୟକ୍ତିତ୍ୱ ଓ ତାଙ୍କ ଶିଷ୍ୟ ଗୋପବନ୍ଧୁ ଓଡ଼ିଶା ପାଇଁ ଇତିହାସ ସୃଷ୍ଟିକାରୀ ପୁରୁଷ । ଓଡ଼ିଆ ଭାଷା ଓ ଜାତିର ମର୍ଯ୍ୟାଦା ରକ୍ଷା ନିମନ୍ତେ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ । ଗୀତିକବିତା ଅପେକ୍ଷା । ଗୋଦାବରୀଶଙ୍କ ଗାଥାକବିତା ଗୁଡ଼ିକରେ ଓଡ଼ିଶାର ଇତିହାସ, ସଂସ୍କୃତି ପରମ୍ପରା ଅଧିକ ଜୀବନ୍ତ ଭାବରେ ବର୍ଣ୍ଣିତ । ତେଣୁ ଏହି ଗାଥା ଗୁଡ଼ିକରେ ଜାତୀୟତାର ମନ୍ଦ୍ରନିନାଦ ପ୍ରଚାର ସହ ଇତିହାସବୋଧ ସୂଚିତ । ‘ଆଲେଖିକା’ ର ଦଶଟି ଗାଥା ମଧ୍ୟରୁ ଛଅଟି ପ୍ରଧାନତଃ ଇତିହାସ ଭିତ୍ତିକ । ଅଭିରାମ ସିଂହ, ପଦ୍ମାବତୀ, ଅର୍ଜ୍ଜୁନସିଂହ, ଦୁଃଖିଧନ, କଳାପାହଡ଼, ବିକ୍ରମ ସିଂହ ଇତିହାସ ସମର୍ଥିତ ଆଦର୍ଶ ମହିମାରେ ମହିମାନ୍ୱିତ । ଉଲ୍ଲିଖିତ ସ୍ଥାନ ଓ କାଳ ମଧ୍ୟ ଇତିହାସ ସମ୍ପର୍କିତ । ଅନ୍ୟ ଦୁଇଟି ଯଥାକ୍ରମେ ସାକ୍ଷୀଗୋପାଳ ଓ ଗାଲମାଧବ ଇତିହାସ ଆଶ୍ରୟୀ କିମ୍ବଦନ୍ତୀ ମୂଳକ ଗାଥା । ଗୋଟିକରେ ଅଛି ଧର୍ମ ଓ ଭକ୍ତି ପାଇଁ କାମିନୀ କାଞ୍ଚନର ଲୋଭତ୍ୟାଗ, ନିହିତ ପ୍ରତ୍ୟେକଟି କବିତା ଶୁଣାଇଛି ଜାତିପାଇଁ ବୀରପୁରୁଷମାନଙ୍କର ଆତ୍ମବଳିଦାନର ମହାମନ୍ତ୍ର । ଏହି କାରଣରୁ କବିଙ୍କ ଇତିହାସ ଆଧାରିତ ଗାଥା ଓ ଗୀତି କବିତା ଗୁଡ଼ିକରେ ଇତିହାସ ଜୀବନ୍ତ ଭାବରେ ଆତ୍ମପ୍ରକାଶ କରି ଉତ୍କଳୀୟ ପାଠକଙ୍କର ଲାଭ କରିଛି ଅଯାଚିତ ଶ୍ରଦ୍ଧା । କବି ଭାବରେ ଗୋଦାବରୀଶଙ୍କର ନଅ ଖଣ୍ଡ କବିତା ସଙ୍କଳନ ପ୍ରକାଶିତ । ଏଗୁଡ଼ିକ ‘କଳିକା’ ‘କିଶଳୟ’, ‘ଆଲେଖିକା’ ‘କୁସୁମ’, ‘ଚୟନିକା’, ‘ଗୀତାୟନ’, ‘କବିତାୟନ’, ‘ଗୀତିଗୁଚ୍ଛ’ ଓ ‘ଶିଶୁ କବିତା’ । ଏହି ସଙ୍କଳନ ଗୁଡ଼ିକ ଗୋଦାବରୀଶ ଗ୍ରନ୍ଥାବଳୀ ପ୍ରଥମ ଖଣ୍ଡରେ ସ୍ଥାନିତ ଓ ସମୁଦାୟ ୩୩୯ଟି କବିତା ଏଗୁଡ଼ିକରେ ନିହିତ । ‘କଳିକା ଓ ‘କିଶଳୟ’ର କବିତାସବୁ କଲିକତା ରହଣି କାଳର । ‘ଆଲେଖିକା’ର ଦଶଟି ଗାଥା କବିତା ସତ୍ୟବାଦୀ, ସିଂହଭୂମି ଓ ଗଞ୍ଜାମ ଅବସ୍ଥାନ ବେଳର ସୃଷ୍ଟି । ‘କୁସୁମ’ର କବିତା ଗୁଡ଼ିକ କଲିକତା ଓ ସିଂହଭୂମି ରହଣି ବେଳର । ସତ୍ୟବାଦୀରେ ଶିକ୍ଷକତା ବେଳେ ‘ଚୟନିକା’ର ଅନୁବାଦ ଓ ଅନୁସୃତି ମୂଳକ କବିତା ସବୁ ଲିଖିତ । କବିତାୟନର ଅଧିକାଂଶ କବିତା ତାଙ୍କ ଜେଲ-ଜୀବନର (୧୯୨୭) ଲେଖା । ‘ଗୀତାୟନ’ ୧୯୫୩ରେ ଓ ‘ଗୀତିଗୁଚ୍ଛ’ ଗୋଦାବରୀଶଙ୍କ ମୃତ୍ୟୁ ପରେ ପ୍ରକାଶିତ । ଏସବୁ ବ୍ୟତୀତ ୧୯୭୩ ମସିହାରେ ପ୍ରକାଶିତ ଗୋଦାବରୀଶ ଗ୍ରନ୍ଥାବଳୀର ୪ର୍ଥ ଖଣ୍ଡରେ ପତ୍ର ପତ୍ରିକାରେ ପ୍ରକାଶିତ ୨୩ ଓ ଅପ୍ରକାଶିତ ୯ଟି କବିତା ଗ୍ରଥିତ ହୋଇ ସମୁଦାୟ କବିତା ସଂଖ୍ୟା ୩୭୧ରେ ସୀମିତ ଅଛି ।

ଗୋଦାବରୀଶ ରୂପର କବି ନୁହନ୍ତି, ଭାବର କବି । ହୃଦୟର ଘନୀଭୂତ ଭାବକୁ ସେ ଆବେଗଦୀପ୍ତ କରି ରୂପ ଦେଇଛନ୍ତି କବିତାମାନଙ୍କରେ । ପ୍ରକୃତି ପ୍ରୀତି ଅଛି, ଅଛି ମଧ୍ୟ ମାଟି ପ୍ରୀତି ଓ ମାନବ-ପ୍ରୀତି । ଜାତିର ଦୁଃଖ ଓ ଜାତିର ମୁକ୍ତି ଯେପରି ତାଙ୍କ କବିତାକୁ ପ୍ରାଣବନ୍ତ କରିଛି ସେହିପରି ଉତ୍କଳ-ଜନନୀଙ୍କର ମଧୁମୟ ମୂର୍ତ୍ତି କଳ୍ପନା ମଧ୍ୟ କରିଛି ଭାବୋଦୀପ୍ତ । ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ପ୍ରତି ତାଙ୍କ ଅନ୍ତରରୁ ଝରି ଆସିଛି ହୃଦୟର ସ୍ଵତଃ ଶ୍ରଦ୍ଧା ଓ ଭକ୍ତି । ସେହି ବ୍ୟକ୍ତିତ୍ଵର ରସ-ରୂପାୟନ ଦେଇ ସେ ତ୍ୟାଗ, ପ୍ରେମ, ସେବା ଓ ଦେଶପ୍ରାଣତାର ବାଣୀ ଶୁଣାଇଛନ୍ତି । ବିଭୁବେଧ ଓ ନୀଳାଚଳ-ଚେତନା ମଧ୍ୟ ଅନେକ କବିତାକୁ କରିଛି ପ୍ରାଣସ୍ପର୍ଶୀ । ସୌନ୍ଦର୍ଯ୍ୟବୋଧ ଅଛି, ମାତ୍ର ସେ କେବଳରୂପ-ସୌନ୍ଦର୍ଯ୍ୟରେ ଭାସି ଯାଇ ନାହାନ୍ତି । ରୂପରୁ ସେ ଯାଇଛନ୍ତି ଅରୂପକୁ, କ୍ଷୁଦ୍ରରୁ ବିରାଟକୁ । ଭୂମିରୁ ଭୂମା ପର୍ଯ୍ୟନ୍ତ ତାଙ୍କର କବି-ମାନସ ସଂକ୍ରମଣଶୀଳ । ବ୍ୟଥା ଓ ବେଦନା ଅଛି ମାତ୍ର ତା’ଭିତରେ କବି-ସଭା ଅସହାୟ ହୋଇନାହିଁ । ଗୋଟାଏ ଆଶାବାଦ ଯେପରି ତାଙ୍କୁ ଦୀପ୍ତିମନ୍ତ କରିଛି । ଅହଂକାର ନୁହେଁ, ବୌଦ୍ଧିକ ଛଳନା ନୁହେଁ, ପ୍ରସାରିତ ହୃଦୟବତ୍ତାର ସେ ମହିମାମୟ କବି । ରାଜନୀତିକ ଗୋଦାଦରୀଶଙ୍କ ମୃତ୍ୟୁ ହୋଇ ଯାଇଛି, ମାତ୍ର କବି ଗୋଦାବରୀଶ ଅମର ରହିଛନ୍ତି ।

Image

 

ଗୋଦାବରୀଶ ମିଶ୍ର

ଚତୁର୍ଥ ପରିଚ୍ଛେଦ

ନାଟ୍ୟକାର ଗୋଦାବରୀଶ

 

ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଉତ୍କଳରେ ନାଟ୍ୟକଳାର କ୍ରମବିକାଶ ଲକ୍ଷ୍ୟ କରାଯାଏ । ମୁରାରି ମିଶ୍ରଙ୍କ ‘ଅନର୍ଘ ରାଘବ’ଠାରୁ ରାୟ ରାମାନନ୍ଦଙ୍କ ‘ଜଗନ୍ନାଥ ବଲ୍ଲ‌ଭ’ ନାଟକ ସଂସ୍କୃତ ଭାଷାରେ ରଚିତ ହେଇଥିଲେହେଁ ପ୍ରାଚୀନ ଉତ୍କଳର ସାଂସ୍କୃତିକ ଚେତନା ଓ ସାହିତ୍ୟିକ ବାତାବରଣ ଏଥିରୁ ଅନୁମେୟ । ଏହା ସହିତ ଉତ୍କଳୀୟ ଲୋକନାଟକ ଗୁଡ଼ିକ ଯଥାକ୍ରମେ ଦଣ୍ତନାଟ, ଛଉନାଚ, ପାଟୁଆନାଚ, ସଖୀନାଟ, ଗୋପାଳଙ୍କ ଓଗାଳ, ପାଲା, ଦାସକାଠିଆ, ରାମଲୀଳା, ରାସଲୀଳା, ସୁଆଙ୍କ, ଗୀତିନାଟ୍ୟରେ ଲୋକ ଜୀବନ ଓ ଲୋକଙ୍କ ଧର୍ମଧାରଣାର ଗଭୀର ପ୍ରତିଫଳନ ଲକ୍ଷଣୀୟ । ସମାଜ ଜୀବନରେ ଆନନ୍ଦଦାନ ମଧ୍ୟ ଏଗୁଡ଼ିକର ଥିଲା ମୂଳ ଉଦ୍ଦେଶ୍ୟ । ନାଟକର ଧର୍ମ ଦୃଷ୍ଟିରୁ ଏସବୁ ରଚିତ ହୋଇ ନଥିଲେ ମଧ୍ୟ ଉତ୍କଳରେ ରଚିତ ଓ ପ୍ରଚାରିତ ନାଟକ ଗୁଡ଼ିକର କଳାପାଟବତା ମଧ୍ୟ ସୌକୁମାର୍ଯ୍ୟ ମଣ୍ଡିତ ଥିଲା ।

ଆଧୁନିକ ଓଡ଼ିଶାରେ ନାଟକର ଯଥାର୍ଥ ବିକାଶ ଊନବିଂଶ ଶତାବ୍ଦୀର ଅଷ୍ଟମ ଦଶକରେ ସଂଭବ ହୋଇଛି । ଜଗନ୍ମୋହନ ଲାଲ୍‌ଙ୍କଦ୍ୱାରା ସୃଷ୍ଟି ହୋଇଥିବା ‘ବାବାଜୀ’ (୧୮୭୭) ନାଟକ ସାମାଜିକ ବିଷୟବସ୍ତୁକୁ ଉପଜୀବ୍ୟ କରି ରଚିତ । ଏଥିରେ ନାଟ୍ୟକାରଙ୍କର ପ୍ରାଚ୍ୟ ଶୈଳୀ ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ସହିତ ତତ୍କାଳୀନ ସମାଜର ବାସ୍ତବ ଦିଗକୁ ପ୍ରକାଶ କରିବା ପାଇଁ ଥିବା ସାହସିକତା ପ୍ରଦର୍ଶିତ । ଜଗନ୍ମୋହନଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ନାଟ୍ୟିକ ବିକାଶ ରାମଶଙ୍କର ରାୟ, ଭିକାରୀ ଚରଣ ପଟ୍ଟନାୟକ, କାମପାଳ ମିଶ୍ର ପ୍ରମୁଖଙ୍କ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା । ଏହି ନାଟିକ ବାତାବରଣ ଗୋଦାବରୀଶଙ୍କୁ ନାଟକ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା ନିଶ୍ଚୟ, ମାତ୍ର କବି ଗୋଦାବରୀଶ ବିଂଶ ଶତକର ଦ୍ୱିତୀୟ ଦଶକରେ ଅନୁଭବ କରିଥିଲେ ଓଡ଼ିଆ ନାଟକର ଅଭାବ । ଏଣୁ ଉତ୍କଳ ସାହିତ୍ୟ ସମାଜ ସାହିତ୍ୟ ସ୍ମରଣିକା-୧୯୪୧, ନଭେମ୍ବର, ପୃଷ୍ଠା -୯୨ରେ ସେ ଲେଖିଥିଲେ ‘ମୁଁ ଯୌବନରେ ଦୁଇଖଣ୍ଡି ନାଟକ ଲେଖିଥିଲି । ତାକୁ ନାଟକ ନକହି ନାଟକ ଆକାରରେ ଲିଖିତ ଐତିହାସିକ ଉପନ୍ୟାସ କୁହାଯାଇପାରେ ? କାରଣ ତାହା ଆଜିକାଲି କୌଣସି ରଙ୍ଗମଞ୍ଚରେ ଅଭିନୀତ ହେଉନାହିଁ । ତହିଁରୁ ଗୋଟିଏ ଏକ ରଂଗମଂଚରେ ଅଭିନୟ କରାଯାଉଥିଲା । ମାତ୍ର ଓଡ଼ିଶାରେ ନାଟକ ଲେଖକ ବେଶୀ ନଥିବାରୁ ମୁଁ ଜଣେ ନାଟ୍ୟକାର ହୋଇଥିଲି । ‘ଊନବିଂଶ ଶତାବ୍ଦୀର ନାଟକରେ ସଂସ୍କାର ପ୍ରବଣତା ପରିପ୍ରକାଶ ଲାଭ କରିଥିଲା ବେଳେ ଗୋଦାବରୀଶଙ୍କ ଠାରେ ପ୍ରଥମରେ ଜାତୀୟତାର ଯଥାର୍ଥ ଲକ୍ଷଣ ଦେଖିବାକୁ ମିଳିଲା। ଏ ସମୟରେ ପ୍ରତିବେଶୀ ବଙ୍ଗଳା ସାହିତ୍ୟରେ ଜାତୀୟତାମୂଳକ ନାଟକ ପାଇଁ ରାଜପୁତ, ମରାଠା, ମୋଗଲ ଇତିହାସରୁ ବିଷୟ ଅନୁସନ୍ଧାନ କରାଯାଉଥିବା ବେଳେ ଗୋଦାବରୀଶ ଓଡ଼ିଆ ଜାତିର ଇତିହାସକୁ ପ୍ରାଧାନ୍ୟ ଦେଲେ । କଳିଙ୍ଗର ବରପୁତ୍ର ଖାରବେଳ, ନରସିଂହ ଦେବ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଓ ମୁକୁନ୍ଦ ଦେବ ଚରିତ୍ର ତାଙ୍କୁ ଆକର୍ଷଣ କଲା ଓ ଏହି ଆକର୍ଷଣୀ ଦୃଷ୍ଟିର ଅବଦାନ ହେଉଛି ‘ପୁରଷୋତ୍ତମ ଦେବ’ ଓ ‘ମୁକୁନ୍ଦ ଦେବ’ ନାଟକ-

ପୁରୁଷୋତ୍ତମ ଦେବ (୧୯୧୭) ଓ ମୁକନ୍ଦ ଦେବ (୧୯୨୦)ରେ ନାଟକୀୟତାର ଅଭାବ ଲକ୍ଷିତ, ମାତ୍ର ଐତିହାସିକତା, ମାନବତା ଓ ଜାତୀୟତାର ମନ୍ଦ୍ର ନିନାଦରେ ଏହି ଦୁଇଟି ନାଟକ ନିନାଦିତ ।

 

ପୁରୁଷୋତ୍ତମ ଦେବ :–

‘ପୁରୁଷୋତ୍ତମ ଦେବ’ କାଞ୍ଚି କାବେରୀ ଜନଶ୍ରୁତିକୁ କେନ୍ଦ୍ର କରି ରଚିତ ଦ୍ଵିତୀୟ ନାଟକ । ଏହା ପୂର୍ବରୁ ରାମଶଙ୍କର ରାୟ ଏହି କାହାଣୀକୁ ନେଇ ରଚନା କରିଥିଲେ କାଞ୍ଚି କାବେରୀ (୧୮୮୦) । ଗୋଦାବରୀଶ କଲିକତାରେ ଅଧ୍ୟୟନ କରୁଥିବା ବେଳେ ‘ପୁରୁଷୋତ୍ତମ ଦେବ’ ଲେଖିଥିଲେ । ଏହା ପୂର୍ବରୁ ସେ କାଞ୍ଚି କାବେରୀକୁ ପଢ଼ିଥିଲେ କି ନାହିଁ ଏ ବିଷୟରେ କୌଣସି ଠାରେ ଉଲ୍ଲେଖ କରିନାହାନ୍ତି କିନ୍ତୁ ଓଡ଼ିଶାର ଜନଶ୍ରୁତିରେ ପ୍ରଚଳିତ ଥିବା କାଞ୍ଚିଯାତ୍ରାର କାହାଣୀ ସେ ନିଶ୍ଚୟ ଶୁଣିଥିବେ । ଏଥିସହିତ କଲିକତାରେ ଛାତ୍ରଥିବା ବେଳୁ ଓଡ଼ିଶାର ତଥା ଭାରତର ରାଜନୀତିକ ଘଟଣାକ୍ରମରେ ଉଦ୍‌ବୁଦ୍ଧ ହୋଇ ତରୁଣ ଗୋଦାବରୀଶ ପୁରୁଷୋତ୍ତମଦେବଙ୍କ ପ୍ରେମ, ବୀରତ୍ୱ ଓ ଜାତୀୟତାକୁ ସ୍ମରଣ କରିଛନ୍ତି । ଗଜପତି ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଅଭିଯାନ, ଜଗନ୍ନାଥ ବଳଭଦ୍ରଙ୍କର ସୈନିକ ବେଶରେ ଯୁଦ୍ଧକୁ ଯାତ୍ରା ଓ ବାଟରେ ମାଣିକ ଗଉଡ଼ୁଣୀ ଠାରୁ ମୁଦି ବନ୍ଧାଦେଇ ଦହି ଖାଇବା, କାଞ୍ଚି ରାଜାଙ୍କ ପରାଜୟ, କାଞ୍ଚି ରାଜକନ୍ୟା ପଦ୍ମାବତୀକୁ ଧରି ପୁରୀ ଆଗମନ ଓ ଚଣ୍ଡାଳ ସହିତ ବିବାହ ଦେବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ, ଅବଶେଷରେ ରଥଯାତ୍ରା ଦିନ ପଦ୍ମାବତୀ ଓ ପୁରୁଷୋତ୍ତମଦେବଙ୍କ ବିବାହ କାହାଣୀ ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ସୁପ୍ରଚଳିତ । ଆଧୁନିକ ଯୁଗରେ ଏ ଘଟଣାର ନାଟକୀୟ ପ୍ରକାଶ ପୂର୍ବରୁ ମାଦଳା ପାଞ୍ଜି, ପୁରୁଷୋତ୍ତମ ଦାସଙ୍କ କାବେରୀ କାବ୍ୟରେ ମଧ୍ୟ ପ୍ରକାଶ ଲାଭ କରିଥିଲା । ଏହି କାହାଣୀକୁ ନେଇ ରଙ୍ଗଲାଲ ବନ୍ଦୋପାଧ୍ୟାୟ ମଧ୍ୟ ୧୮୭୯ ମସିହାରେ ରଚନା କଲେ ବଙ୍ଗଳା ଭାଷାରେ କାଞ୍ଚିକାବେରୀ କାବ୍ୟ । ଗୋଦାବରୀଶ ପୁରୁଷୋତ୍ତମ ଦେବଙ୍କୁ ଐତିହାସିକ ଜାତୀୟ ବୀର ପୁରୁଷ ଭାବରେ ଚିତ୍ରଣ କରିଛନ୍ତି । ଠିକ୍‌ ମୁକୁନ୍ଦଦେବଙ୍କ ଚରିତ୍ରରେ ଏହା ମଧ୍ୟ ଲକ୍ଷଣୀୟ । ନାଟ୍ୟକାରଙ୍କ ଉଦ୍ଦେଶ୍ୟ ଓଡ଼ିଶାର ଜନସାଧାରଣ ଏମାନଙ୍କ ସହିତ ଆତ୍ମିକ ସଂଯୋଗ ସ୍ଥାପନ କରି ଜାତୀୟତାର ଉଦାର ଭାବରେ ଉଦ୍‌ବୁଦ୍ଧ ହେବେ ।

କପିଳେନ୍ଦ୍ରଦେବଙ୍କ ରାଜ୍ୟ ଶାସନ (୧୪୩୫-୧୪୬୭) ପରେ ଉତ୍କଳର ରାଜ ସିଂହାସନ ପାଇଁ ତାଙ୍କ ପୁତ୍ର ମାନଙ୍କ ମଧ୍ୟରେ ଭ୍ରାତୃବିବାଦ ଜନିତ ଯୁଦ୍ଧ ଓ ପୁରୁଷୋତ୍ତମଙ୍କ ଜୀବନର ଗତି ବୈଚିତ୍ର୍ୟ ଏହି ନାଟକର ଉପଜୀବ୍ୟ ବିଷୟ । ଘଟଣାକ୍ରମ ଅନୁଯାୟୀ ନାଟକଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ଭାଗରେ ପୁରୁଷୋତ୍ତମ ଦେବଙ୍କର ଅନ୍ୟ ଭାଇ ମାନଙ୍କ ସହିତ ଯୁଦ୍ଧ, ବିଜୟ ଓ ସିଂହାସନ ଲାଭ । ଦ୍ୱିତୀୟ ଭାଗଟି କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପାଇଁ ପୁରୁଷୋତ୍ତମଦେବଙ୍କ କାଞ୍ଚି ଯୁଦ୍ଧକୁ ଯାତ୍ରା, ବିଜୟ ଓ ପଦ୍ମାବତୀଙ୍କ ସହିତ ପରିଣୟ । ନାଟକଟିର ଆରମ୍ଭ ଯୁଦ୍ଧରେ ଓ ପରିସମାପ୍ତି ଯୁଦ୍ଧରେ । ନାଟକଟିର ଆରମ୍ଭ ଓ ପରିଣତିରେ ବର୍ଣ୍ଣିତ ଭ୍ରାତୃବିବାଦ ଜନିତ ଯୁଦ୍ଧ ହିଁ ନାଟକୀୟ ରସ ସୃଷ୍ଟି ଦିଗରେ ଅସମର୍ଥ ହୋଇ ନାଟକୀୟ ଗୁରୁତ୍ଵକୁ ହ୍ରାସ କରିଦେଉଛି ।

‘ପୁରୁଷୋତ୍ତମ ଦେବ’ ନାଟକର ପ୍ରଥମ ଅଙ୍କ ଆରମ୍ଭ ହୁଏ କୃଷ୍ଣାନଦୀ କୂଳସ୍ଥ ଶିବିରରୁ । ସେନାପତି ବସନ୍ତବିରାଟ ଉପସ୍ଥିତ ହୋଇ ବିକ୍ରମଦେବ, ନରସିଂହଦେବ, ଗୋବିନ୍ଦଦେବ, ରାମଚନ୍ଦ୍ରଦେବ ଓ ଗୋପାଳକିଶୋର ଦେବ ପ୍ରମୁଖଙ୍କ ଆକ୍ରମଣ ସମ୍ପର୍କରେ ପୁରୁଷୋତ୍ତମଦେବଙ୍କୁ ଅବଗତ କରାଉଛନ୍ତି । ପୁରୁଷୋତ୍ତମ ଯୁଦ୍ଧ ପାଇଁ ଅନିଚ୍ଛା ପ୍ରକଶ କରି କହୁଛନ୍ତି ଦେଶର ମଙ୍ଗଳ ପାଇଁ ଯେଉଁ ଯୁଦ୍ଧ କଲି ବର୍ତ୍ତମାନ ସେଇ ଯୁଦ୍ଧ ପୁଣି ଯୁଦ୍ଧକୁ ଆହ୍ୱାନ କଲା । ଯୁଦ୍ଧ ଯୋଗୁଁ ଶସ୍ୟଶ୍ୟାମଳା ବସୁନ୍ଧରା ମରୁଭୂମିରେ ପରିଣତ ହୋଇଛି । ସେ ଅନୁତାପ କରି କହିଛନ୍ତି ମୋ ଦୁର୍ଭାଗ୍ୟର ଏକମାତ୍ର କାରଣ ହେଲା ଯୁଦ୍ଧ । ସୁଶାସକ ଓ ପ୍ରଜାବତ୍ସଳ ରାଜାର ଏ ପ୍ରକାର ଅନୁତାପ ନାଟକଟିକୁ ଚମତ୍କାରିତା ପ୍ରଦାନ କରିଛି । ସ୍ଵାର୍ଥନ୍ୱେଷୀ ରାଜାଙ୍କ ହୃଦୟରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ତାଙ୍କୁ ବ୍ୟଥିତ କରିଛି ସତ, ମାତ୍ର ସେନାପତିଙ୍କ ପରାମର୍ଶରେ ପୁନଃରାୟ ଯୁଦ୍ଧପାଇଁ ପ୍ରସ୍ତୁତ ହୋଇଥିବା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ଓଡ଼ିଆ ଜାତିର ସ୍ଵାଭିମାନକୁ ଚେତାଇଦିଏ । ଅନ୍ୟ ରାଜାମାନଙ୍କ ଆକ୍ରମଣ ସମ୍ପର୍କରେ ଜାଣି କାଞ୍ଚିରାଜା ନିଜରାଜ୍ୟର ସୀମାରକ୍ଷା ପାଇଁ ପ୍ରତୀକ୍ଷମାଣ । କାଞ୍ଚିରାଜା କଳେବରେଶ୍ଵର ବିପୁଳସେନା, ନିଜ ପୁତ୍ର ସୁମନ୍ତ ଓ କନ୍ୟା ପଦ୍ମାବତୀ ସହିତ ସେଠାରେ ଉପସ୍ଥିତ । ଉତ୍କଳର ଗୃହଯୁଦ୍ଧର ପ୍ରଭାବରେ ନିଜର କ୍ଷତିହୋଇପାରେ, ଏହି ସମ୍ଭାବନାରେ ଚିନ୍ତାଗ୍ରସ୍ତ କାଞ୍ଚିରାଜା । ପଦ୍ମାବତୀ କିନ୍ତୁ ଯୁଦ୍ଧରେ କ୍ଷତବିକ୍ଷତ ସୈନ୍ୟମାନଙ୍କର ସେବା କରୁଥାନ୍ତି ସାହସିନୀ ଓ ପରମ ସେବାକାରିଣୀ ଭବରେ । ସଖୀ କନକ ତାଙ୍କୁ ଏଥିରେ ସାହାଯ୍ୟ କରିଛି । ଯୁଦ୍ଧକ୍ଷେତ୍ରରେ ଆହତ ପୁରୁଷୋତ୍ତମଙ୍କୁ ପଦ୍ମାବତୀ ଜଳଦାନ କରାଇବାର ସୁଯୋଗ ପାଇଛନ୍ତି । ଫଳରେ ଅପରିଚିତ ଆହତ ପୁରୁଷ ପୁରୁଷୋତ୍ତମ ଦେବଙ୍କ ପ୍ରତି ପଦ୍ମାବତୀଙ୍କ ହୃଦୟରେ ଖେଳିଯାଇଛି ପ୍ରେମର ମଧୁମୟ ପ୍ରବାହ । କ୍ଷତ୍ରୀୟ ଧର୍ମ ରକ୍ଷାକରି ପୁରୁଷୋତ୍ତମ ଦେବ ଯୁଦ୍ଧବେଳେ ବିକ୍ରମଦେବଙ୍କ ଦ୍ଵାରା ବନ୍ଦୀ ହେଲେ । କିନ୍ତୁ କୁଶଳୀ ବୃଦ୍ଧ ଅର୍ଜୁନ ସିଂହ ଶତ୍ରୁ ମାନଙ୍କୁ ପରାସ୍ତ କରି ପୁରୁଷୋତ୍ତମଙ୍କୁ ମୁକ୍ତ କରିଛନ୍ତି । ଅର୍ଜୁନ ସିଂହଙ୍କ ବିଶ୍ଵସ୍ତତା ପ୍ରଥମ ଅଂକର ମହତ୍ତର ଦିଗଟିକୁ ଦର୍ଶାଇଥାଏ ।

ଦ୍ୱିତୀୟ ଅଙ୍କରେ ପ୍ରେମ-ପ୍ରଣୟ ମିଳନ ଓ ମୃତ୍ୟୁର ଚିତ୍ର ପ୍ରଦର୍ଶିତ । ପଦ୍ମାବତୀ କନକଠାରୁ ଓଡ଼ିଶାର ରାଜା ପୁରୁଷୋତ୍ତମଙ୍କର ପରିଚୟ ପାଇଛନ୍ତି, ତାଙ୍କ ମନରେ ଜାଗିଛି ଦୁର୍ବାର ପ୍ରେମ ବାସନା । ଇତ୍ୟବସରରେ ସମ୍ରାଟଙ୍କ ଭାଇମାନେ ପୁନଃରାୟ ତାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ପୁରୁଷୋତ୍ତମଦେବ ଯୁଦ୍ଧଭୂମିରେ ପଦ୍ମାବତୀଙ୍କର ସେବା ଓ ସ୍ମୃତିକୁ ମନେପକାଇ ଯୁଦ୍ଧପାଇଁ ପ୍ରସ୍ତୁତ ହୋଇଛନ୍ତି । ତାଙ୍କ ଭଉଣୀ ବାସନ୍ତୀ କାଞ୍ଚି ରାଜକୁମାର ସୁମନ୍ତ ପ୍ରତି ନିଜର ଦର୍ବଳତା ପ୍ରକାଶ କରିଛି ଓ ଉଭୟଙ୍କ ପ୍ରଣୟ କାହାଣୀକୁ ନାଟ୍ୟକାର ଚମତ୍କାର ଭାବରେ ପରିବେଷଣ କରିଛନ୍ତି । ନାଟକୀୟ ଉତ୍କଣ୍ଠାକୁ ସ୍ଥାନ ନଦେବାପାଇଁ ଗୋଦାବରୀଶ ପୁରୁଷୋତ୍ତମ ଓ ପଦ୍ମାବତୀଙ୍କ ପ୍ରଣୟକୁ ମିଳନାନ୍ତକ କରିଥିବାସ୍ଥଳେ ବାସନ୍ତୀ ଓ ସୁମନ୍ତର ପ୍ରଣୟ କାହାଣୀର ପରିସମାପ୍ତି ଘଟାଇଛନ୍ତି ବିଚ୍ଛେଦରେ । ଅଙ୍କଟିରେ ପୁରୁଷୋତ୍ତମଙ୍କ ବୀରତ୍ୱ ପ୍ରାଧାନ୍ୟ ଲାଭକରିଥିଲେ ହେଁ ପ୍ରେମ ହୋଇଯାଇଛି ଅନ୍ତଃସଲିଳା ଫଲ୍‌ଗୁ । ତୃତୀୟ ଅଂକରେ ବିଜୟୀ ତଥା ନିଷ୍କଣ୍ଟକ ରାଜା ପୁରୁଷୋତ୍ତମଦେବ ପଦ୍ମାବତୀଙ୍କୁ ପାଇ ବିବାହ କରିବା ପାଇଁ ଉଦ୍‌ଗ୍ରୀବ ହୋଇପଡ଼ିଲେ । ନିଜ ଦୂତକୁ ପଠାଇ କାଞ୍ଚି ରାଜାଙ୍କୁ ବିବାହ ଆୟୋଜନ ପାଇଁ କହନ୍ତେ, ସେ ଓଡ଼ିଶାର ଠାକୁର ଜଗନ୍ନାଥଙ୍କୁ ତାଚ୍ଛଲ୍ୟ କଲେ ଓ ତାଙ୍କର ସେବକ ପୁରୁଷୋତ୍ତମଙ୍କୁ ଚଣ୍ଡାଳ ସମ୍ବୋଧନ କରି ଦୂତକୁ ତିରସ୍କାର କଲେ । ଦୂତର ଉତ୍ତରରେ ଦୁଃଖିତ ପୁରୁଷୋତ୍ତମ ଦେବ କାଞ୍ଚି ଅଭିମୁଖେ ଯୁଦ୍ଧଯାତ୍ରା କରିଛନ୍ତି । ଅନ୍ୟପକ୍ଷରେ ପଦ୍ମାବତୀ ରାଜା ପୁରୁଷୋତ୍ତମଙ୍କ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବେ ନାହିଁ ବୋଲି ଜିଦ୍‌ ଧରିବାରୁ କାଞ୍ଚି ରାଜା ତାଙ୍କୁ ରାଜ୍ୟରୁ ବହିଷ୍କାର କରିଛନ୍ତି-। ତା ସହିତ ଭାଇ ସୁମନ୍ତ ଓ ସଖୀ କନକ ମଧ୍ୟ ବିତାଡ଼ିତ ହୋଇଛନ୍ତି। ଚତୁର୍ଥ ଅଙ୍କରେ ପୁରୁଷୋତ୍ତମଙ୍କ ଯୁଦ୍ଧଯାତ୍ରା ହୋଇଛି । ସାଥୀରେ ଯାଇଛି ଭଉଣୀ ବାସନ୍ତୀ । ବଣ ମଧ୍ୟରେ ବିତାଡ଼ିତ କାଞ୍ଚି ରାଜକୁମାର ସୁମନ୍ତ ସହିତ ହୋଇଛି ସାକ୍ଷାତ୍‍ । ଦୀର୍ଘ ଦିନର ବିଚ୍ଛେଦ ପରେ ପ୍ରଣୟୀ ଓ ପ୍ରଣୟିନୀଙ୍କର ବାଞ୍ଛିତ ମିଳନ ହେଲା, ମାତ୍ର, ହଠାତ୍‌ ସେମାନେ ପରସ୍ପରଠାରୁ ବିଦାୟ ନେଇ ଚାଲିଯାଇଛନ୍ତି କର୍ତ୍ତବ୍ୟର ତାଡ଼ନାରେ । ଏହାହିଁ ସେମାନଙ୍କର ଜୀବନର ଶେଷ ସାକ୍ଷାତ୍‍ । ବାସନ୍ତୀଠାରୁ ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଆକ୍ରମଣର ସମ୍ବାଦ ପାଇ ନିଜ ରାଜ୍ୟକୁ ରକ୍ଷା କରିବାକୁ ଯୁଦ୍ଧ କରିଛନ୍ତି, ମାତ୍ର ଯୁଦ୍ଧରେ ତାଙ୍କର ହୋଇଛି ମୃତ୍ୟୁ । କାଞ୍ଚିରାଜା ଯୁଦ୍ଧରେ ହେଲେ ପରାଜିତ । ବାସନ୍ତୀ ସୁମନ୍ତକୁ ପତିରୂପେ ବରଣ କରିଥିବାରୁ ସେ ସୁମନ୍ତର ଚ୍ରିତାନଳରେ ଝାସ ଦେଇ ପ୍ରେମ ଓ ସତୀତ୍ଵର ପରାକାଷ୍ଠା ଦେଖାଇଛି । ପ୍ରଥମ ଅଙ୍କରେ ଅର୍ଜୁନ ସିଂହର ବିଶ୍ଵସ୍ତତା ପରି ଚତୁର୍ଥ ଅଙ୍କରେ ବାସନ୍ତୀର ସତୀତ୍ୱ ପ୍ରମାଣରେ ନାଟ୍ୟକାରଙ୍କର ପରଂପରାବାଦୀ ଦୃଷ୍ଟି କୋଣ ପ୍ରକଟିତ ।

ପଞ୍ଚମ ଅଙ୍କରେ ପୁରୁଷୋତ୍ତମ ଦେବଙ୍କର ଅନ୍ତର୍ଦାହ ଓ ମାନସିକ ଦ୍ୱନ୍ଦ ଚିତ୍ରିତ । ଯୁଦ୍ଧରେ ଜୟ ଲାଭକରି ପଦ୍ମାବତୀଙ୍କୁ ନିଜ ରାଜ୍ୟକୁ ଆଣିବାପରେ ସେ ପଦ୍ମାବତୀଙ୍କୁ ଏକ ଚଣ୍ଡାଳ ସହିତ ବିବାହ ଦେବାପାଇଁ ମନ୍ତ୍ରୀଙ୍କୁ ଆଦେଶ ଦେଲେ । ମାତ୍ର ପ୍ରେମିକ ପୁରୁଷୋତ୍ତମ ଏହା ସହ୍ୟ କରିପାରି ନାହାନ୍ତି । ରାଜା ପୁରୁଷୋତ୍ତମ ରଥଯାତ୍ରାବେଳେ ଛେରାପହଁରା କରୁଥିବା ଦେଖି ସୁଚତୁର ମନ୍ତ୍ରୀ ଏହି ସୁଯୋଗରେ ପଦ୍ମାବତୀଙ୍କୁ ନେଇ ତାଙ୍କୁ ସମର୍ପଣ କରିଛନ୍ତି । ମନ୍ତ୍ରୀଙ୍କ ତୀକ୍ଷ୍‍ଣ ବୁଦ୍ଧି ନିକଟରେ ସମ୍ରାଟ ପରାସ୍ତ ହେଲେ ଓ କଟକ ରାଜ ପ୍ରାସାଦରେ ପଦ୍ମାବତୀଙ୍କୁ ବିବାହ କଲେ । ଏଠାରେ ଉପସ୍ଥିତ ଥିବା କାଞ୍ଚି ରାଜା କଳେବରେଶ୍ଵର ମଧ୍ୟ ଝିଅ ଓ ଜ୍ଵାଇଁଙ୍କୁ ଆଶୀର୍ବାଦ କଲେ । ଏ ନାଟକରେ ଇତିହାସର କଥାବସ୍ତୁ ସହିତ ଐତିହାସିକ ରସର ହୋଇଛି ଅପୂର୍ବ ସମନ୍ଵୟ । ସମକାଳୀନ ସମୟରେ ଜାତୀୟ ପ୍ରାଣସ୍ପନ୍ଦନ ଏଥିରେ ଯେମିତି ସ୍ପନ୍ଦିତ ସେଥିରୁ ନାଟ୍ୟକାରଙ୍କୁ ଜାତୀୟତାର ଜଣେ ଯଥାର୍ଥ ଉଦ୍‌ବର୍ତ୍ତକ ବୋଲି କୁହାଯାଇପାରେ ।

ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀ ଇତିହାସରୁ ଗୋଦାବରୀଶ ଯେଉଁ ପ୍ରେରଣା ଲାଭ କରିଛନ୍ତି ତାକୁ ନୂଆ ଭାବରେ ଜାତି ସମ୍ମୁଖରେ ଉପସ୍ଥାପନ କରିଛନ୍ତି ‘ପୁରୁଷୋତ୍ତମ ଦେବ’ ଓ ‘ମୁକୁନ୍ଦ ଦେବ’ ନାଟକ ମାଧ୍ୟମରେ । ଓଡ଼ିଶାର ସୂର୍ଯ୍ୟବଂଶୀୟ ଦ୍ୱିତୀୟ ରାଜା ଓ ଚାଲୁକ୍ୟ ବଂଶର ପ୍ରତିଷ୍ଠାତା ଗଜପତିଙ୍କର ତିରିଶ ବର୍ଷ ଓ ମାତ୍ର ଆଠବର୍ଷର ଇତିହାସ ସମର୍ଥିତ ଗୌରବମୟ କାହାଣୀକୁ ନେଇ ନାଟକ ଦୁଇଟି ରଚିତ । ପ୍ରଥମଟିରେ ବିଜୟର ଦର୍ପିତ କାହାଣୀ ଅନ୍ୟଟି ପରାଜୟ ଭିତରେ ଜାତୀୟତାର ମର୍ମଗାଥା ।

ପୁରୁଷୋତ୍ତମ ଦେବଙ୍କ ଭ୍ରାତୃବିବାହ ବା ସେମାନଙ୍କ ପରାଜୟ ଇତିହାସ ସମର୍ଥିତ ନୁହେଁ-। ଐତିହାସିକ ହରେକୃଷ୍ଣ ମହତାବ ଏହାକୁ ଗ୍ରହଣ ନକରିଥିବା ସ୍ଥଳେ ଐତିହାସିକ ନବୀନ କୁମାର ସାହୁ ମଧ୍ୟ କାଞ୍ଚି ଅଭିଯାନ ଘଟଣାକୁ କେବଳ ଜନଶ୍ରୁତି ବୋଲି କହିଛନ୍ତି । ତେବେ ଗୋଦାବରୀଶ ପୁରୁଷୋତ୍ତମଦେବଙ୍କୁ ବୀରତ୍ୱ ପ୍ରଦାନ କରିବା ସହିତ ବିଜୟୀ କରାଇ ଇତିହାସର ଜଣେ ମହାନ ନାୟକ ଭାବରେ ଚିତ୍ରଣ କରିଛନ୍ତି ।

ପୁରୁଷୋତ୍ତମଦେବ ନାଟକର ସ୍ୱାତନ୍ତ୍ର୍ୟ :–

ପୁରୁଷୋତ୍ତମ ଦେବ ନାଟକଟି ପାଞ୍ଚ ଅଂକ ଓ ଛତିଶ ଗୋଟି ଦୃଶ୍ୟ ବିଶିଷ୍ଟ । ପ୍ରାଚ୍ୟ ଶୈଳୀ ପରିହାର୍ଯ୍ୟ ନାଟକଟିର ଆରମ୍ଭରେ ପ୍ରସ୍ତାବନା, ନଟ, ନଟୀ, ନାନ୍ଦୀ, ସୂତ୍ରଧର ଇତ୍ୟାଦି ନାହିଁ-। ହାସ୍ୟରସ ପରିବେଷଣ ପାଇଁ ବିଦୁଷକର ଚରିତ୍ର ମଧ୍ୟ ନାହିଁ । କେବଳେ ସ୍ଵଗତୋକ୍ତି ମାଧ୍ୟମରେ ସ୍ଥଳ ବିଶେଷରେ ଅନ୍ତର୍ଦ୍ୱନ୍ଦ୍ୱ ପ୍ରଦର୍ଶିତ । ଆଧୁନିକ ନାଟ୍ୟଶୈଳୀ ଦୃଷ୍ଟିରୁ ଏହା ସେକ୍ସପିଅରଙ୍କ ଇଂରାଜୀ ନାଟକ ଶୈଳୀ ଅନୁସୃତ । ପୁରୁଷୋତ୍ତମ ଦେବ ନାଟକର ଭ୍ରାତୃବିବାଦ ଓ ସମାନ୍ତରାଳ ଭାବରେ ପ୍ରେମର ପ୍ରଖ୍ୟାପନ ସେକ୍ସପିଅର୍‌ଙ୍କ ପ୍ରଭାବ ପୁଷ୍ଟ । ବହିଃର୍ଦ୍ୱନ୍ଦ୍ୱ ମାଧ୍ୟମରେ ନାଟକୀୟ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସେକ୍ସପିଅର୍‌ନାଟକର ଅନ୍ୟତମ ଲକ୍ଷଣ । ପୁରୁଷୋତ୍ତମ ଦେବ ନାଟକର ଅଧିକାଂଶ ଦୃଶ୍ୟରେ ଏହାକୁ ଦେଖିବାକୁ ମିଳେ । ସଂଭବତଃ କଲେଜରେ ଛାତ୍ର ଥିବାବେଳେ ଗୋଦାବରୀଶ ବିଶେଷ ଧ୍ୟାନ ସହିତ ସେକସ୍‌ପିଅର୍‌ଙ୍କ ନାଟକ ସବୁକୁ ପଢ଼ିଥିଲେ । ଭାତୃବିବାଦ ହେତୁ ଯୁଦ୍ଧର ଘନଘଟା ପ୍ରାୟତଃ ନାଟକଟିରେ ପରିଦୃଶ୍ୟ । ଏଥିରୁ ଏହା ଏକ ବୀରରସପୂର୍ଣ୍ଣ ନାଟକ ପରି ଜଣାଯାଏ । ସ୍ଥଳ ବିଶେଷରେ କରୁଣ, ଶୃଙ୍ଗାର, ହାସ୍ୟରସର ଅବତାରଣା ଯୋଗୁଁ ନାଟକଟି ଜାତୀୟତା ଭାବାପନ୍ନ ପରି ମନେହୁଏନାହିଁ । କିନ୍ତୁ ପଦ୍ମାବତୀ ଓ ପୁରୁଷୋତ୍ତମ ଦେବଙ୍କ ପ୍ରଣୟ କାହାଣୀ ଜନଶ୍ରୁତି ଓ କିମ୍ବଦନ୍ତୀ ଆଧାରିତ ହେଲେହେଁ ଇତିହାସ ଦ୍ଵାରା ଅସ୍ଵୀକୃତ ନୁହେଁ । ଏଣୁ କାଞ୍ଚିର ରାଜା ଚଣ୍ଡାଳ ହାତରେ ପଦ୍ମାବତୀଙ୍କୁ ନଦେବା ପାଇଁ କହିବାରେ କେବଳ ପୁରୁଷୋତ୍ତମ ଦେବଙ୍କୁ ନୁହେଁ, ଏଣୁ କାଞ୍ଚି ରାଜା ଚଣ୍ଡାଳ ହାତରେ ପଦ୍ମାବତୀଙ୍କୁ ନଦେବା ପାଇଁ କହିବାରେ କେବଳ ପୁରୁଷୋତ୍ତମଦେବଙ୍କୁ ନୁହେଁ ସମଗ୍ର ଓଡ଼ିଆ ଜାତିକୁ ଅପମାନ କରିଛନ୍ତି । ଏଣୁ ପୁରୁଷୋତ୍ତମ ଦେବ ପ୍ରେମର ଦୁର୍ବଳତାରୁ ଅପସରି ଆସି ବଜ୍ରପରି କଠୋର ହୋଇଛନ୍ତି । ଯୁଦ୍ଧରେ ଜୟକରି ପଦ୍ମାବତୀଙ୍କୁ ଆଣି ମନ୍ତ୍ରୀଙ୍କୁ କହିଛନ୍ତି ଚଣ୍ଡାଳ ହାତରେ ସମର୍ପି ଦେବାକୁ । ଅବଶ୍ୟ ଅର୍ନ୍ତଦ୍ୱନ୍ଦ୍ୱରେ ଜର୍ଜରିତ ରାଜା ପଦ୍ମାବତୀଙ୍କୁ ଗ୍ରହଣ କରିଛନ୍ତି । ବୀରତ୍ୱ, ଜାତୀୟତା ଓ ପ୍ରେମ ଏକ ଭାବବିନ୍ଦୁରେ ମିଳିଯାଇଛି । କାଞ୍ଚି ରାଜକୁମାର ସୁମନ୍ତ ଓ ଉତ୍କଳ କନ୍ୟା ବାସନ୍ତୀର ପ୍ରେମ ଶାଶ୍ୱତ ଥିଲେ ମଧ୍ୟ ନାଟ୍ୟକାର ହୁଏତ ଚାହିଁ ନାହାନ୍ତି ବାସନ୍ତୀକୁ କାଞ୍ଚି ରାଜକୁମାର ସହିତ ବିବାହ ଦେବାକୁ-। ଏଣୁ ସେ ପ୍ରଣୟର ଅନ୍ତିମ ମୁହୂର୍ତ୍ତରେ ଉଭୟଙ୍କୁ ଠେଲି ଦେଇଛନ୍ତି ମୃତ୍ୟୁ ମୁଖକୁ । ଚରିତ୍ର ଚିତ୍ରଣରେ ନୂତନତା ନଥିଲେ ହେଁ ଏମାନଂକ ମନୋଭାବ ଚିତ୍ରଣରେ ନାଟ୍ୟକର ଯଥାର୍ଥ ମନୋବିଜ୍ଞାନୀର ପରିଚୟ ଦେଇଛନ୍ତି । ‘ପୁରୁଷୋତ୍ତମ ଦେବ’ରେ ସଂଳାପ କେଉଁଠି ଦୀର୍ଘ, କେଉଁଠି ଅମିତ୍ରାକ୍ଷର ଧର୍ମୀ, କେଉଁଠି କ୍ଲିଷ୍ଟ । ସଂଳାପର କ୍ଲିଷ୍ଟତା ଯୋଗୁଁ ଅନେକତ୍ର ଉତ୍କଣ୍ଠା ହୋଇଛି ବ୍ୟାହତ-। କିନ୍ତୁ ଅନ୍ୟ ପକ୍ଷରେ କୁହାଯାଇପାରେ ଏହି କ୍ଲିଷ୍ଟତା ଯୋଗୁଁ ହିଁ ସଂଳାପ ପାତ୍ରମୁଖୀ ହେବା ସହିତ ହୋଇପାରିଛି ସାହିତ୍ୟାନୁସାରୀ ।

ମୁକୁନ୍ଦଦେବ :–

‘ମୁକୁନ୍ଦ ଦେବ’ ନାଟକର କଥାବସ୍ତୁ ଆରମ୍ଭ ହୁଏ ନାୟକଙ୍କ କକ୍ଷରୁ । ଓଡ଼ିଶା ରାଜାଙ୍କ ମନ୍ତ୍ରୀ, ସେନାପତି ଓ ସାଧାରଣ ଜନତାଗଣ ସେନାପତି ମୁକୁନ୍ଦ ଦେବଙ୍କୁ ରାଜ୍ୟଭାର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ମୁକୁନ୍ଦ ଦେବ ଅନିଚ୍ଛୁକ ଥିଲେ ମଧ୍ୟ ଜନତାଙ୍କ ଅନୁରୋଧରେ ବହୁ ରାଜ ରକ୍ତ ଲିପ୍ତ ସିଂହାସନକୁ ସାଦରେ ଗ୍ରହଣ କରିନେଉଛନ୍ତି । କିନ୍ତୁ ରାଜବଂଶୀ ଶାରଙ୍ଗଗଡ଼ର ରାଜା ରାମଚନ୍ଦ୍ର ଦେବଙ୍କର ସିଂହାସନ ଲୋଭ ଥିଲା ପ୍ରବଳ ଓ ସେ ମଧ୍ୟ ସହଜରେ ମୁକୁନ୍ଦ ଦେବଙ୍କ ବଶତା ସ୍ଵୀକାର କରିବାକୁ ଚାହୁଁନଥିଲେ । ଏଣୁ କୂଟ ଚକ୍ରାନ୍ତକାରୀ ରାମଚନ୍ଦ୍ର ଦେବ ମୁକନ୍ଦ ଦେବଙ୍କୁ ହତ୍ୟାକରିବା ପାଇଁ ଧୂର୍ଜଟୀକୁ ପ୍ରସ୍ତାବ ଦେଇଛନ୍ତି । ଏହି ସମୟରେ ଦିଲ୍ଲୀ ସମ୍ରାଟ ଆକବର ବଂଗ ନବାବ ସୁଲେମାନ କରରାନୀଙ୍କ ଉପରେ କ୍ରୁଦ୍ଧହୋଇ ତାଙ୍କ ପାଖକୁ ଦୂତ ହାସନ୍‌ଖାଁ ଖାଜାଙ୍ଗଞ୍ଚିଙ୍କୁ ପଠାଇଥିଲେ କର ଆଦାୟ କରିବାପାଇଁ । ମାତ୍ର ସୁଲେମାନ ଦୂତକୁ କର ନଦେଇ ଅପମାନିତ କରି ଫେରାର ଦେବାରୁ ଦୂତ ଯୁଦ୍ଧର ସୂଚନା ଦେଇଯାଇଛି ।

ମୁକୁନ୍ଦ ଦେବ ନାଟକର ସ୍ୱାତନ୍ତ୍ର୍ୟ :–

ଗୋଦାବରୀଶଙ୍କ ମୁକୁନ୍ଦଦେବ ନାଟକ ମାଦଳାପାଞ୍ଜି, ଷ୍ଟର୍ଲିଂ ଓ ହଣ୍ଟରଙ୍କ ଓଡ଼ିଶା ଇତିହାସ, ପ୍ୟାରୀମେ।ହନ ଆଚାର୍ଯ୍ୟଙ୍କ ଓଡ଼ିଶାର ଇତିହାସର କଥାବସ୍ତୁ ଆଧାରରେ ରଚିତ । ଇତିହାସରେ ଥିବା ସତ୍ୟତା ସମ୍ପର୍କରେ ଗୋଦାବରୀଶ ଅବହିତ ଥିଲେ ମାତ୍ର ନାଟକର କଥାବସ୍ତୁରେ ଏହା ଅନେକତ୍ର ଦୁର୍ବଳ ହୋଇପଡ଼ିଛି । ମୋଗଲ ସମ୍ରାଟଙ୍କୁ ସାହାଯ୍ୟ କରିବା ମୂଳରେ ମୁକୁନ୍ଦଦେବ ଯେଉଁ ଅପରିଣାମଦର୍ଶିତାର ପରିଚୟ ଦେଇଛନ୍ତି ତାହା ଇତିହାସରେ ବିରଳ-। ଆକବରଙ୍କ କୌଶଳ ଜାଲରେ ପଡ଼ିବାର ତାହା ଥିଲା ଏକ ଭୁଲ ନିଷ୍ପତ୍ତି । ମୁଖ୍ୟ କେତୋଟି ଚରିତ୍ର ଯଥାକ୍ରମେ, ମୁକୁନ୍ଦ ଦେବ, ରାମଚନ୍ଦ୍ର ଦେବ, ସୁଲେମାନ କରରାନୀ, କଳାପାହାଡ଼ ଓ ହାସନ ଖାଁଙ୍କୁ ବାଦ୍‌ ଦେଲେ ଅନ୍ୟ ବହୁଚରିତ୍ର କଳ୍ପନା ପ୍ରସୂତ । ବିଶେଷ କରି ଧୂର୍ଜଟି ଓ ଶିଖି ମନାଇ ଭଳି ହତ୍ୟାକାରୀ ଚରିତ୍ରଗୁଡ଼ିକ ଇତିହାସକୁ ବଳିଷ୍ଠ କରିବା ପାଇଁ ଉଦ୍ଦିଷ୍ଟ । ଦ୍ୱିତୀୟ ଅଙ୍କ, ସପ୍ତମ ଦୃଶ୍ୟରେ ପ୍ରଦର୍ଶିତ ସୁଲେମାନ ଓ ମୁକୁନ୍ଦ ଦେବଙ୍କ ଗଭୀର ସଦିଚ୍ଛା ମୁକୁନ୍ଦ ଦେବ ଚରିତ୍ରର ଉଦାର ବ୍ୟକ୍ତିତ୍ୱର ପରିଚାୟକ । ଇତିହାସର ଦୁର୍ଦ୍ଦର୍ଷ ଚରିତ୍ର କଳାପାହାଡ଼ ଓଡ଼ିଆଙ୍କ ନିକଟରେ ଘୋର ନିନ୍ଦିତ ବ୍ୟକ୍ତି । ଗୋଦାବରୀଶ ‘ମୁକୁନ୍ଦ ଦେବ’ ନାକଟରେ ତାଙ୍କୁ ଯେତିକି ହୀନପ୍ରଭ କରିବାକଥା ସେତିକି କରିନାହାନ୍ତି । ସର୍ବୋପରି ମୁକୁନ୍ଦ ଦେବଙ୍କ ବୀରତ୍ୱ ଓ ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ଗୋଦାବରୀଶ ଯଥେଷ୍ଟ ସଚେତନ ଭାବରେ ଚରିତ୍ର ଚତ୍ରଣ କରିବା ସହିତ ସଂଳାପ ମଧ୍ୟ ସଂଯୋଜନା କରିଛନ୍ତି । ବୀର ରସ ନାଟକଟିର ମୁଖ୍ୟ ରସ ହୋଇଥିଲେହେଁ କେତେକ ଗୌଣ ଚରିତ୍ର ମାଧ୍ୟମରେ ନାଟ୍ୟକାର ହାସ୍ୟରସ ପରିବେଷଣ କରିଛନ୍ତି । ଯଥାର୍ଥରେ ଡ. ନଟବର ସାମନ୍ତରାୟଙ୍କ ଭାଷାରେ ‘ଚାରିତ୍ରିକ ସୌନ୍ଦର୍ଯ୍ୟବିକାଶ ପାଇଁ ବିଷୟବସ୍ତୁର ପରିକଳ୍ପନା ଏଥିରେ ଯେପରି ନାଟକୀୟ, ତାର ଯଥାର୍ଥ ନାଟ୍ୟରସ ପ୍ରତିଷ୍ଠା ପାଇଁ ଏ ଶିଳ୍ପ ଚାତୁର୍ଯ୍ୟ ସେହିପରି ସୃଷ୍ଟି ଦ୍ୟୋତକ । ସୃଷ୍ଟିର ଏ ନୂତନ ପରିକଳ୍ପନା ହେତୁ ‘ମୁକୁନ୍ଦ ଦେବ’, ପୁରୁଷୋତ୍ତମ ଦେବ ଅପେକ୍ଷା ଅଧିକ ନୂତନ, ଅଧିକ ନାଟକୀୟ । (ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩ -୧୯୨୦), ପୃଷ୍ଠା - ୪୭୧)

ନାଟକର ରୂପ ବିଭବ : ଜାତୀୟତାବୋଧ :–

ବିଂଶ ଶତାବ୍ଦୀର ଆଦ୍ୟଭାଗରେ ଗୋଦାବରୀଶଙ୍କ ଜୀତୀୟ ସଙ୍ଗୀତ ପୁରୁଷୋତ୍ତମ ଦେବ ନାଟକ ମାଧ୍ୟମରେ ହିଁ ପ୍ରଚାର ଲାଭ କରିଥିଲା । ଏହାର

ତୁଙ୍ଗ ଶିଖରୀ-ଚୂଳ,

କୁଂଜ କାନନ-ମାଳ,

ପୂଣ୍ୟ ଜଳଧି-ଜଳ

 

ଖେଳି ଉଠୁ ସଘନେ ।

ପ୍ରାଚୀ ଗଗନ ଶିରେ,

ଭାସି କନକ ନୀରେ,

ଆସ ତପନ ଉଇଁ

 

ଏ ଉତ୍କଳ ଭୁବନେ ।

(ଉଦ୍‌ବୋଧନ, ପୃଷ୍ଠା - ୪୫୯)

ଗୀତଟି ସମଗ୍ର ଓଡ଼ିଆ ଜାତି ପାଇଁ ଜାତୀୟ ଆହ୍ୱାନ, ଉଦ୍ଦୀପନା ପ୍ରଦାୟକ ଥିଲା । ନାଟକଟି ଐତିହାସିକ ବିଷୟକୁ ନେଇ ସୃଷ୍ଟି ହୋଇଥିଲେ ହେଁ ଓଡ଼ିଆଜାତିର ଯୁଦ୍ଧଯାତ୍ରା, ଦିଗ୍‌ବିଜୟ କାହାଣୀ, ଭକ୍ତିଭାବ ଇତ୍ୟାଦି ପ୍ରତ୍ୟେକ ଉତ୍କଳୀୟ ପ୍ରାଣରେ ଶିହରଣ ସୃଷ୍ଟି କରେ । ଏହିଭଳି ମୁକୁନ୍ଦ ଦେବ ନାଟକ ମଧ୍ୟ ଜାତି ଓ ଦେଶ ପାଇଁ ଆତ୍ମବଳି ଦାନର ଏକ ଜୀବନ୍ତ ପ୍ରେରଣା ।

ଓଡ଼ିଆ ଜାତିର ଦୁଇ ମହାନ ଜାତୀୟ ସମ୍ରାଟଙ୍କ ଆତ୍ମୋତ୍ସର୍ଗ ଓ ଆଦର୍ଶକୁ ନେଇ ନାଟକ ଦୁଇଟି ଯେପରି ଭାବୋଦ୍ଦୀପକ ସେହିପରି ଜୀବନ୍ତ । କେବଳ ସିଂହାସନ ପାଇଁ ନୁହେଁ ଜାତିର ଗର୍ବ ଓ ଗୌରବ ପାଇଁ ରାଜା ଦୁଇଜଣ ମୁକ୍ତକଂଠରେ ଘୋଷଣା କରିଛନ୍ତି ଅତୀତର ଐତିହାସିକ ସଂସ୍କୃତିକୁ । ବନ୍ଦୀ ପୁରୁଷୋତ୍ତମ ପ୍ରହରୀକୁ କହିଛନ୍ତି ‘ଏ ଜାତି ଏତେ ପତିତ ହେଲେ ମଧ୍ୟ ଏପରି ମହତ୍‌, ବୀରତ୍ୱ ସାହସଶକ୍ତି, ରାଜପ୍ରସାଦର ଉଚ୍ଚ ପାଷାଣସୌଧ ମଧ୍ୟରୁ ବିଳୁପ୍ତ ହୋଇଥିଲେ ମଧ୍ୟ କୁଟୀରେ କୁଟୀରେ ତାହାର ପୁଣ୍ୟ ସୌରଭ ବିକଶି ଉଠୁଛି । ଏ ଦେଶରେ ପ୍ରକୃତ ପୁରୁଷୋତ୍ତମଦେବ କି ବିକ୍ରମଦେବ ନଥିଲେ ମଧ୍ୟ ଗୋବିନ୍ଦ ପ୍ରଧାନ ଅଛନ୍ତି । ବିକ୍ରମ ମତେ ହତ୍ୟା କରିବେ, ମୋର ଅଣୁ ମାତ୍ର କ୍ଷୋଭ ନାହିଁ, ମୁଁ ପ୍ରସ୍ତୁତ ଅଛି । ତୁମ୍ଭେ, ପ୍ରହରି, ମରିବାକୁ ଜାଣ ? ଆଉ ଯେ ମୁଁ ବିଶାଳ ଓଡ଼ିଶା ରାଜ୍ୟର ଶାସକ, ପାଳକ, ନିୟାମକ ବୋଲି ଆପଣାକୁ ପରିଚିତ କରିବାର ଉପଯୁକ୍ତ ମଣେ, ସେହି ମୁଁ ମୃତ୍ୟୁକୁ ଏତେ ଭୟ କରିବି ? ନାଁ ତା ହେବ ନାହିଁ, ପ୍ରହରି ! ତୁମ୍ଭର ଜୀବନ ଅମୂଲ୍ୟ, ଦୁର୍ଲ୍ଲଭ ।’ ତୁମ୍ଭେ ବଞ୍ଚିଥାଅ । ମରିବାର ପାତ୍ର ମୁଁ, ମରେ । ତୁମ୍ଭର ଦୟାନିମନ୍ତେ ମୋର ପ୍ରତିଦାନ ଦେବାର କିଛି ନାହିଁ, ପ୍ରହରି ! ଅଛି କେବଳ ଏ ହୃଦୟ । (ଗୋଦାବରୀଶ ଗ୍ରନ୍ଥାବଳୀ, ୧ମ ଖଣ୍ଡ - ପୃଷ୍ଠା-୫୧) ଏତେ ତ୍ୟାଗର ବାଣୀ ଶୁଣାଉଥିବା ପୁରୁଷୋତ୍ତମ ମଧ୍ୟ ଥିଲେ ଜଣେ ସୁଶାସକ । ତାଙ୍କ ସମୟରେ ଉତ୍କଳ ଉକୃଷ୍ଟ କଳାର ଦେଶ ଥିଲା । ତାର ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ଉନ୍ନତ ଥିଲା । ଦେଶର ରାଜନୀତିକ ଭିତ୍ତିଭୂମି ମଧ୍ୟ ଥିଲା ସୁଦୃଢ଼ । ଓଡ଼ିଆ ଜାତିର ବିଜୟ ଥିଲା ଧର୍ମ ଓ ନ୍ୟାୟ ଉପରେ ପ୍ରତିଷ୍ଠିତ । ‘ମୁକୁନ୍ଦଦେବ’ ନାଟକରେ ଗୋଦାବରୀଶଙ୍କ ଭାରତୀୟ ଜାତୀୟତାବୋଧ ଅପେକ୍ଷା ଉତ୍କଳୀୟ ଜାତୀୟବୋଧ ଗୁରୁତ୍ୱପାଇଁ ମୈତ୍ରୀ ଭାବର ହୋଇପାରିଛି ଦ୍ୟୋତକ । କଲିକତାରେ ଥିବାବେଳେ ନାଟ୍ୟକାର ଓଡ଼ିଶାର ଜାତୀୟ ଜୀବନ ଗଢ଼ିବା ପାଇଁ ଯେଉଁ କଳ୍ପନା କରିଥିଲେ ତାର ଫଳସ୍ୱରୂପ ‘ମୁକୁନ୍ଦ ଦେବଙ୍କ ସଂଳାପରେ ମହାଭାରତୀୟ ବିଶ୍ୱଜନୀନ ମୈତ୍ରୀଭାବ ଫୁଟିଉଠିଥିଲେ ହେଁ ଉତ୍କଳୀୟ ଜାତୀୟତାର ଏକ ଦୃପ୍ତ ଘୋଷଣା ମନ୍ତ୍ରୀଙ୍କ ମୁହଁରେ ପ୍ରକାଶିତ । ଏଣୁ କୁହାଯାଇପାରେ ମୁକନ୍ଦ ଦେବ ନାଟକ ମାଧ୍ୟମରେ ଗୋଦାବରୀଶଙ୍କ ଉଦାର ବିଶ୍ଵପ୍ରୀତି, ଜାତୀୟ ଜାଗରଣ ଓ ମହାଭାରତୀୟତା ପ୍ରକାଶପାଇଛି । ବିଧର୍ମୀ କଳାପାହାଡ଼ର ସଇତାନ ନୀତିରେ ମଧ୍ୟ ନାଟ୍ୟକାର ମୁସଲମାନ ଧର୍ମ ପ୍ରତି ଅନୁଦାର ମନ୍ତବ୍ୟ ପୋଷଣ ନକରି ଲେଖିଛନ୍ତି ‘ଏବେ ଋଣ ଭୂମିରେ ପୁନଶ୍ଚ ସାକ୍ଷାତ୍‍ କଳାପାହାଡ଼ । ଏ ହିନ୍ଦୁ ମୁସଲମାନର ଯୁଦ୍ଧ ? ବେଦ ସଙ୍ଗେ କୋରାନର ସଂଗ୍ରାମ ? ନ।, ସେ ଏକ ଭ୍ରମ । ପ୍ରଭେଦ ହିନ୍ଦୁ ମୁସଲମ।ନର ନୁହେଁ । ହନ୍ଦୁବୀର, ଉଦାର । ମୁସଲମାନ ମଧ୍ୟ ସେହିପରି ବୀର, ଭନ୍ନତ, ଉଦାର । ଉଭୟେ ଯେପରି ଗୋଟିଏ ବୃନ୍ତରେ ଦୁଇଟି ପୁଷ୍ପ, ପବନର ହିଲ୍ଲୋଳରେ ଢଳି ଖେଳୁଛନ୍ତି । ଏ ଏକ ଭ୍ରମ । ଯୁଦ୍ଧ ହିନ୍ଦୁ ମୁସଲମାନର ନୁହେଁ । ଏ ଓଡ଼ିଆ ସଙ୍ଗେ ବିଦେଶୀୟ ଶତ୍ରୁର ଯୁଦ୍ଧ, ଓଡ଼ିଶାର ରାଜାଙ୍କ ସଙ୍ଗେ ବଙ୍ଗ ସେନାପତିଙ୍କର ।’ (ଗୋଦାବରୀଶ ଗ୍ରନ୍ଥାବଳୀ - ୧ମ ଖଣ୍ଡ, ପୃଷ୍ଠା - ୬୧୩) ଉତ୍କଳ ସର୍ବଧର୍ମ ସମନ୍ନୟର ପୀଠ । ନୀଳାଚଳର ଜଗନ୍ନାଥ ସର୍ବଧର୍ମର ପ୍ରତୀକ । ଓଡ଼ିଆଙ୍କ ବିଶ୍ଵାସ ଏହି ପବିତ୍ର ପାଠକୁ ନେଇ ବୃଦ୍ଧି ଘଟିଛି ।

ଓଡ଼ିଆଙ୍କ କଥା ଓ କାର୍ଯ୍ୟର ଆନ୍ତରୀଣ ମେଳ ସଂପର୍କରେ ମଧ୍ୟ ନାଟ୍ୟକାର ବକ୍ତବ୍ୟ ରଖିଛନ୍ତି । କଥାରେ ପ୍ରକାଶ କରୁଥିବା ଓଡ଼ିଆ କାର୍ଯ୍ୟରେ ତାକୁ ପରିଣତ କରି ଦେଖାଇଥାଏ । ଜାତି ଉଦ୍ଦେଶ୍ୟରେ ଆତ୍ମବଳି ଦେଉଥିବା ଓଡ଼ିଆ କେବେହେଲେ ବିଶ୍ଵାସଘାତକତା କରିନାହିଁ । ମୁସଲମାନ ବଂଶ ସେନାପତି କଳାପାହାଡ଼ ନିଜ ପ୍ରଭୁ ସୁଲେମାନ କିର୍‌ରାନୀ ପ୍ରତି ବିଶ୍ଵାସ ଘାତକତା କରିଆସିଛି ମୁକୁନ୍ଦ ଦେବଙ୍କୁ ସାହାଯ୍ୟ କରିବା ପାଇଁ । ମାତ୍ର ମୁକୁନ୍ଦ ଦେବ ତାହା ପ୍ରତ୍ୟାଖ୍ୟାନ କରିଛନ୍ତି । ଓଡ଼ିଆ ଜାତି ବିଶ୍ଵାସଘାତକତାକୁ ପ୍ରଶ୍ରୟ ଦିଏ ନାହିଁ । ସେ ବୀର, ବାହୁରେ ତାର ଅମାପ ବଳ । ଯୁଦ୍ଧ କ୍ଷେତ୍ର ତାର ଧର୍ମକ୍ଷେତ୍ର । ଋଣଭୂମିରେ ବିଜୟୀ ନହେଲେ ମୃତ୍ୟୁକୁ ସେ ଶ୍ରେୟ ମଣେ । ତେଣୁ ମୁକୁନ୍ଦଦେବ କଳାପାହାଡ଼କୁ କହିଛନ୍ତି ‘ବାଛିନେଲି, ବଙ୍ଗ ସେନାପତି ଆପଣଙ୍କର ଫେରିଯିବା ଆଉ ଯଦି ହୁଏ ତା ଫଳରେ ଆମମାନଙ୍କର ପରାଜୟ, ଚିନ୍ତା ନାହିଁ ସେନାପତି ଓଡ଼ିଆ ବରଞ୍ଚ ପରାସ୍ତ, ଲାଞ୍ଛିତ, ବିଧ୍ୱସ୍ତ ହେବ, କଳଙ୍କରେ ଜନ୍ମଭୂମିରେ ଉଜ୍ଜ୍ୱଳ ମୁଖ ଆବୃତ କରିବ, ସ୍ଵଦେଶର ବୀର ରକ୍ତରେ ବିଦେଶଭୂମିର ବନ ପ୍ରାନ୍ତର ରଞ୍ଜିତ କରିବ, ତଥାପି ବିଶ୍ଵାସଘାତକତାର ଆଶ୍ରୟ ନେବ ନାହିଁ, ଶତ୍ରୁ ପକ୍ଷର ସାହାଯ୍ୟରେ ଶତ୍ରୁର ବିନାଶ ସାଧନ କରିବ ନାହିଁ, ମିଥ୍ୟା ପ୍ରବଞ୍ଚନାର ଅବଲମ୍ବନରେ ଦେଶବାସୀଙ୍କ ନିମନ୍ତେ ବିଜୟ ଗୌରବର ଆକାଂକ୍ଷା ପ୍ରାଣରେ ପୋଷଣ କରିବ ନାହିଁ । ଜାଣି ରଖନ୍ତୁ, ସେନାପତି, ଆମେମାନେ ବିଜୟ ଲାଳସାରେ ବିମୂଢ଼ ନୋହୁଁ, ସମର ବିଳାସରେ ଅନ୍ଧ ନୋହୁଁ, ଅନ୍ୟାୟରେ ଜୟଲାଭର ଅପେକ୍ଷା କରିବା ଆମ୍ଭମାନଙ୍କର ରଣନୀତି ନୁହେଁ ।’ (ଗୋଦାବରୀଶ ଗ୍ରନ୍ଥାବଳୀ, ୧ମ ଖଣ୍ଡ, ପୃଷ୍ଠା-୬୦୦)

ଜାତୀୟତାବାଦ ଓ ଦେଶାତ୍ମବୋଧ ପୁରୁଷୋତ୍ତମ ଦେବ ଓ ମୁକୁନ୍ଦ ଦେବ ନାଟକର ପ୍ରାଣକେନ୍ଦ୍ର । ମୁକ୍ତିକାମୀ ଓଡ଼ିଆ ପ୍ରାଣରେ ମାତୃଭୂମି ଓ ଜାତି ପ୍ରତି ନିର୍ମଳ ଉଚ୍ଛ୍ୱାସ ବୁହାଇବାର ମାଧ୍ୟମ ଭାବରେ ଗୋଦାବରୀଶ ନାଟକ ଦୁଇଟିକୁ ନିର୍ମାଣିଛନ୍ତି । ଉଭୟ ନାଟକର ଲକ୍ଷ୍ୟ ଏକ, ମାତ୍ର ପରିବେଷଣ ଭିନ୍ନ । ଅତୀତ ଉତ୍କଳର ଗୌରବ ଘଟଣାର ଜାତୀୟତାର ସ୍ପଷ୍ଟ ରଙ୍ଗ ଦେଇ ନାଟକ ଦୁଇଟିକୁ ସୁନ୍ଦର କରିପାରିଥିବାରୁ ଗୋଦାବରୀଶଙ୍କର ଉଦାର ମାନବିକତା ଓ ଜାତୀୟତାବୋଧ ବାରି ହୋଇପଡ଼େ ।

ମାନବତାବାଦ :–

ନାଟକ ଦୁଇଟିରେ ମାନବତାବାଦର ଜ୍ଵଳନ୍ତ ନିଦର୍ଶନ ଦେଖିବାକୁ ମିଳେ । ପୁରୁଷୋତ୍ତମ ଯୁଦ୍ଧରେ ଭାଇମାନଙ୍କୁ ପରାଜୟ କରି ରାଜା ହେଲେ ସତ, ମାତ୍ର ଆତ୍ମଗ୍ଲାନିରେ ଭାଙ୍ଗିପଡ଼ି ମହାଭାରତ ଯୁଦ୍ଧର ଅର୍ଜୁନ ପରି କହିବାରେ ଲାଗିଲେ ଯେଉଁ ଭାଇମାନେ ମୋ ବାପା, ମାଆଙ୍କ ରକ୍ତ ମାଂସରେ ସୃଷ୍ଟି ହୋଇଥିଲେ ମୁଁ ବାପାଙ୍କ ଔରସରୁ ଜନ୍ମି ତାଙ୍କରି ପୁତ୍ର ସନ୍ତାନମାନଙ୍କୁ ହତ୍ୟାକରି ଯେଉଁ ଅପରାଧ କରୁଛି ତାହା ମୋର ପାପରଭାରକୁ ବୃଦ୍ଧିକରିବ । ପୁରୁଷୋତ୍ତମ କ୍ଷୋଭ ପ୍ରକାଶ କରି କହିଛନ୍ତି ‘ଏଇ ଯେ ବିଶାଳ ସାମ୍ରାଜ୍ୟ ଯୁଦ୍ଧରେ ଏ ଭୀଷଣ କୋଳାହଳରେ ଆସି ଧ୍ୱଂସ ହେବାକୁ ବସିଲା । ସ୍ନେହରେ, ଆଦରରେ, ପ୍ରୀତିରେ ଯେ ରାଜ୍ୟ ପ୍ରତିଷ୍ଠିତ, ତହିଁରେ ଆଜି ହିଂସାର ଦାରୁଣରକ୍ତ ପ୍ରବାହ ଚାଲିଅଛି ।’ (ଗୋଦାବରୀଶ ଗ୍ରନ୍ଥାବଳୀ, ୧ମ ଖଣ୍ଡ, ପୃଷ୍ଠା - ୫୦୨) ବିକ୍ରମ ପୁରୁଷୋତ୍ତମ ଦେବଙ୍କୁ ସମର୍ଥନ କରି ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଦେଲାବେଳେ ପୁରୁଷୋତ୍ତମ ଦେବ କହିଛନ୍ତି ‘ବିକ୍ରମ କ୍ଷାନ୍ତ ହୁଅ ଭାଇ ଏ ଯୁଦ୍ଧ ସୁନ୍ଦର ହେବ ନାହିଁ (ପୃଷ୍ଠା- ୫୦୩) ମାନବିକତା, ଉଦାରତାର ଏହିଭଳି ବହୁ ଦୁଷ୍ଟାନ୍ତ ପୁରୁଷୋତ୍ତମ ଦେବ ନାଟକରେ ଦେଖିବାକୁ ମିଳେ-

ଗୋଦାବରୀଶଙ୍କ ଦ୍ୱିତୀୟ ନାଟକ ‘ମୁକୁନ୍ଦ ଦେବ’ରେ ମଧ୍ୟ ଅଛି ମାନବିକତାର ହୃଦୟ ସ୍ପର୍ଶୀ ଚରିତ୍ର । ବଙ୍ଗ ନବାବ ସୁଲେମାନଙ୍କୁ ଦମନ କରିବା ପାଇଁ ଦିଲ୍ଲୀ ସମ୍ରାଟ ଆକବର ମୁକୁନ୍ଦ ଦେବଙ୍କର ସାହାଯ୍ୟ ଲୋଡ଼ିଛନ୍ତି । ମନ୍ତ୍ରୀ, ସେନୀପତି ଆଦି ଦିଲ୍ଲୀ ସମ୍ରାଟଙ୍କୁ ସାହାଯ୍ୟ ନକରିବାପାଇଁ କହିବା ସତ୍ତ୍ୱେ ମୁକୁନ୍ଦ ଦେବ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ମୁକୁନ୍ଦ ଦେବ ଦିଲ୍ଲୀ ସମ୍ରାଟଙ୍କ ଦୂତକୁ କହିଛନ୍ତି ‘ଓଡ଼ିଶାର ମନ୍ତ୍ରୀ, ସେନାପତି, ମୋଗଲ ସମ୍ରାଟଙ୍କ ପ୍ରସ୍ତାବ ନରଖି ପାରନ୍ତି । ମୁଁ ପ୍ରାଣପଣେ ରଖିବି । ଆଶ୍ରିତକୁ ଆଶ୍ରୟ ଦେବି, କିଛି ଚିନ୍ତା ନାହିଁ ମୋଗଲ ଦୂତ ! ଯେତେ ଦିନ ଓଡ଼ିଶାର ରାଜକୋଷରେ ଏକ କପର୍ଦ୍ଦକ ଅଛି, ଓଡ଼ିଶା ସୈନ୍ୟ ଦଳରେ ଜଣେ ମାତ୍ର ସୈନ୍ୟ ଜୀବିତ ଅଛି, ତେତେଦିନ ଆଶ୍ରୟ ପ୍ରାର୍ଥୀ ଆକବର ଓଡ଼ିଶାର ସାହାଯ୍ୟ ବିଷୟରେ ନିଶ୍ଚିନ୍ତ ଥିବେ।’ (ପୃଷ୍ଠା-୬୦୫) ବଙ୍ଗ ନବାବ ସୁଲେମାନ ମୁକୁନ୍ଦ ଦେବଙ୍କ ସହିତ ଯୁଦ୍ଧରେ ପରାସ୍ତ ଓ କ୍ଷତବିକ୍ଷତ ହୋଇଥିବା ବେଳେ ମୁକୁନ୍ଦଦେବ ତାଙ୍କ ପ୍ରତି ଶତ୍ରୁଭାବ ପୋଷଣ ପୂର୍ବକ ତାଙ୍କୁ ବନ୍ଦୀ ବା ହତ୍ୟା ନକରି ଯେଭଳି ଭାବରେ ତାଙ୍କର ଶୁଶ୍ରୁଷା କରିଛନ୍ତି ତାହା ତାଙ୍କ ଚରିତ୍ରର ଶ୍ରେଷ୍ଠ ମାନବିକତାର ପରିଚୟ ଦିଏ । ମାନବିକତା ଓ ଉଦାରତାର ଅନ୍ୟ ଏକ ବଳିଷ୍ଠ ଦୃଷ୍ଟାନ୍ତ ଶତ୍ରୁ ଶିବିରରେ ବନ୍ଦୀ ପୁରୁଷୋତ୍ତମଦେବ ଓ ପ୍ରହରୀଙ୍କ ମଧ୍ୟରେ ବାକ୍ୟ ବିନିମୟ ଦ୍ଵାରା ପ୍ରକାଶିତ । ‘ତୁମର ଅନ୍ୟାୟରେ ମୋର ନିଷ୍କୃତି ଏକ ଅନ୍ୟାୟ । ପୁଣି ଆହୁରି ଏକ ଅନ୍ୟାୟ ମୋର ଏପରି ପଳାୟନ । ପ୍ରହରି, ତୁମ୍ଭର ଏ ଦୟା ନିମନ୍ତେ ମୁଁ କୃତଜ୍ଞ । ମୋର ଜୀବନରକ୍ଷା ପାଇଁ ତୁମ୍ଭେ ନିଜର ଜୀବନ ଦେବାକୁ ପ୍ରସ୍ତୁତ ଅଛ, ଓଡ଼ିଆ ଏହା ପାରେ ।’ (ଗୋଦାବରୀଶ ଗ୍ରନ୍ଥାବଳୀ, ୧ମ ଖଣ୍ଡ, ପୃଷ୍ଠା - ୫୯୪) ଏହା ବ୍ୟତୀତ ମୁକୁନ୍ଦଦେବ ନାଟକର ଅଧିକାଂଶ ଚରିତ୍ର ମାନବିକତାର କଷଟି ପଥରରେ ପରୀକ୍ଷିତ ଓ ଉତୀର୍ଣ୍ଣ ମଧ୍ୟ । କେବଳ ରାମଚନ୍ଦ୍ର ଦେବ ଓ ଶିଖି ମନାଇ ଏହାର ବ୍ୟତିକ୍ରମ-

ଗୋଦାବରୀଶ ନାଟକ ଦୁଇଟିରେ ଐତିହାସିକ ଘଟଣାକୁ ଯଥା ସମ୍ଭବ ସ୍ଥାନ ଦେବା ପାଇଁ ଚେଷ୍ଟା କରିଥିବାରୁ ଚିତିତ୍ରଗୁଡ଼ିକୁ ମଧ୍ୟ ତତୋଧିକ ଇତିହାସର ନିକଟବର୍ତ୍ତୀ କରାଇ ପାଇଛନ୍ତି-। ଦୁଇ କେନ୍ଦ୍ରୀୟ ଚରିତ୍ର ଯଥାକ୍ରମେ ପୁରୁଷୋତ୍ତମ ଦେବ ଓ ମୁକୁନ୍ଦ ଦେବ ଶୌର୍ଯ୍ୟ, ବୀର୍ଯ୍ୟ, ଦୟା ଆଦି ନାୟକୋଚିତ ଗୁଣାବଳୀରେ ବିଭୂଷିତ । ଆଦର୍ଶ ନରପତି ଭାବରେ ପ୍ରଜାର ମଙ୍ଗଳ, ଦେଶ ଓ ଜାତିର ସମ୍ମାନ ପାଇଁ ଏମାନେ ଦୃଢ଼ ପ୍ରତିଜ୍ଞ । ପୁରୁଷୋତ୍ତମ ଦେବ ନାଟକ ଆରମ୍ଭରେ ଭାଇମାନଙ୍କ ସହ ଯୁଦ୍ଧ କରିବା ପାଇଁ ଇଚ୍ଛା କରିନାହାନ୍ତି, ଏହା ତାଙ୍କର କାପୁରୁଷତାର ଲକ୍ଷଣ ନୁହେଁ, ବରଂ ଭାତ୍ରୁବତ୍ସଳତା, ପ୍ରଜାବତ୍ସଳତା, ଦେଶାତ୍ମବୋଧର ପରିଚୟ । ଦେଶର ଉନ୍ନତି ଓ ଅତୀତର ଐତିହ୍ୟକୁ ରକ୍ଷା କରିବା ନିମନ୍ତେ ସେ ଅସ୍ତ୍ର ଧରିଛନ୍ତି । ଅନ୍ୟାନ୍ୟ ଗୌଣ ଚରିତ୍ରଗୁଡ଼ିକ ମଧ୍ୟ ନାଟକର କଳେବର ବୃଦ୍ଧି ସହିତ କଥାବସ୍ତୁକୁ ଆଗେଇ ନେବାରେ ସାହାଯ୍ୟ କରିଛନ୍ତି । ନାରୀ ଚରିତ୍ରଗଣଙ୍କୁ ନାଟ୍ୟକାର ଯଥାର୍ଥ ସମ୍ମାନ ଦେବା ସହିତ ମର୍ଯ୍ୟାଦା ପ୍ରଦାନରେ କୁଣ୍ଠା କରିନାହାନ୍ତି । ପ୍ରେମିକା, ଭଉଣୀ, ସ୍ତ୍ରୀର ଭୂମିକା କେବଳ ନାରୀର ମୁଖ୍ୟ ନୁହେଁ ସେ ମଧ୍ୟ ପ୍ରେମିକକୁ ଯୁଦ୍ଧକ୍ଷେତ୍ରରେ ମାଆପରି ସେବା ଶୁଶ୍ରୁଷା କରିପାରେ । ପଦ୍ମାବତୀ ଚରିତ୍ରରେ ଏହାର ନିଦର୍ଶନ ମିଳେ । ଉଷାୟନୀର କଳାପାହାଡ଼କୁ ପଦାଘାତ ଅତି ନାଟକୀୟ ହୋଇଥିଲେ ମଧ୍ୟ ବୀରାନାରୀ ଭାବରେ ପରିଚିତ କରାଇବା ପାଇଁ ନାଟ୍ୟକାର ଚେଷ୍ଟା କରିଛନ୍ତି । ପୁରନାରୀ ଗଣଙ୍କର ଅଗ୍ନି ପ୍ରବେଶ, ସତୀତ୍ୱ ପ୍ରତିଷ୍ଠାର ନିଦର୍ଶନ ଓ ତାହା ଦର୍ଶକ ହୃଦୟରେ ରେଖାପାତ କରେ ।

ପୁରୁଷୋତ୍ତମ ଦେବ ଓ ମୁକୁନ୍ଦ ଦେବ ନାଟକରେ ସଂଳାପ ସଂଯୋଜନା ଜାତୀୟ ଭାବକୁ ଉଦ୍ରେକ କରିଛି । ଦୁଇଟିରେ ବୀରତ୍ୱ ବ୍ୟଞ୍ଜକ ସଂଳାପର ପ୍ରୟୋଗ ଲକ୍ଷଣୀୟ । ତେବେ ପ୍ରଥମ ନାଟକ ଅପେକ୍ଷା ଦ୍ଵିତୀୟଟିର ସଂଳାପ ସାଧାରଣ ଓ ସ୍ଵଚ୍ଛନ୍ଦ । ସାହିତ୍ୟାନୁସାରୀ ହୋଇଥିବାରୁ ଅଧିକାଂଶ ସ୍ଥଳରେ କାବ୍ୟିକ ମଧ୍ୟ । ଫଳରେ ପ୍ରତ୍ୟେକଟି ସଂଳାପ ସୁଖପାଠ୍ୟ ଓ ହୃଦ୍ୟ ହୋଇପାରିଛି ।

ଦ୍ଵନ୍ଦ୍ୱ ଓ ଉତ୍କଣ୍ଠା ଉଭୟ ନାଟକରେ ସମାନୁପାତିକତା ରକ୍ଷାକରିଛି । ପୁରୁଷୋତ୍ତମ ଦେବ ନାଟକର ଆରମ୍ଭ ଭାତୃଦ୍ଵନ୍ଦ୍ୱ ମଧ୍ୟରୁ । ଭାଇମାନଙ୍କ ବିରୋଧରେ ଯୁଦ୍ଧ କରିବେ କି ନାହିଁ ଏହି ମାନସିକ ଦ୍ୱନ୍ଦ୍ୱ ଭିତରେ ପୁରୁଷୋତ୍ତମ ସୁଶାସନ ଓ ଜନହିତ ପାଇଁ ଯୁଦ୍ଧ କରିଛନ୍ତି । ପୁଣି କାଞ୍ଚିରାଜାଙ୍କଠାରୁ ଚଣ୍ଡାଳ ରାଜାର ଉପାଧି ପାଇବା ପରେ ପୁରୁଷୋତ୍ତମଙ୍କର ଯେଉଁ ସ୍ଵଗତୋକ୍ତି ତାଙ୍କ ହୃଦୟର ଅନ୍ତଦ୍ୱନ୍ଦ୍ୱକୁ ପ୍ରକାଶ କରାଏ ତାହା ଅତ୍ୟନ୍ତ ଚମତ୍କାର । ଦର୍ଶକ ମନରେ ଉତ୍କଣ୍ଠା ବଢ଼ାଇବାରେ ଏହା ସଫଳ ହୋଇପାରିଛି । ମାତ୍ର ପଦ୍ମାବତୀ ଓ ପୁରୁଷୋତ୍ତମଙ୍କ ପରିଣୟବେଳେ ଦର୍ଶକ ପ୍ରାଣରେ କୌଣସି ନୂତନ ଆବେଗ ସୃଷ୍ଟି ହୁଏନାହିଁ । ଏଣୁ କୁହାଯାଇପାରେ, ଗୋଦାବରୀଶଙ୍କ ଉଦ୍ଦେଶ୍ୟ କେବଳ ଜାତୀୟତାର ପ୍ରସାର ପାଇଁ ଉଦ୍ଦିଷ୍ଟଥିଲା । ନାଟକର କଳାପ୍ରତି ସେ ସଚେତନ ନଥିଲେ । ‘ମୁକୁନ୍ଦଦେବ’ ନାଟକର ଦ୍ୱନ୍ଦ୍ୱ ପ୍ରଥମଟି ଅପେକ୍ଷା ବେଶୀ । ଏଥିରେ ଏକାବେଳକେ ଅର୍ନ୍ତଃଦ୍ୱନ୍ଦ୍ୱ ଓ ବହିଃର୍ଦ୍ୱନ୍ଦ୍ୱଧର ସଫଳ ରୂପାୟନ ସଂଭବ ହୋଇପାରିଛି । ମୁକୁନ୍ଦ ଦେବଙ୍କ ମାନସିକ ଦ୍ଵନ୍ଦ୍ୱରୁ ନାଟକର ଆରମ୍ଭ । ଓଡ଼ିଶାର ଭାବୀ ରାଜା ପାଇଁ ରାମଚନ୍ଦ୍ର ଭଞ୍ଜ ଓ ଧୁର୍ଜଟୀ ମଧ୍ୟରେ କଥୋପକଥନ ଦର୍ଶକ ମନରେ ଦ୍ଵନ୍ଦ୍ୱ ଓ ଉତ୍କଣ୍ଠା ସୃଷ୍ଟି କରେ । ସର୍ବୋପରି କେବଳ ବାହ୍ୟ ଦ୍ଵନ୍ଦ୍ୱ ନୁହେଁ ଅର୍ନ୍ତଃଦ୍ୱନ୍ଦ୍ୱ ମଧ୍ୟ ନାଟକ ଦୁଇଟିକୁ କଳାତ୍ମକ କରିପାରିଛି । ପୁରୁଷୋତ୍ତମଦେବ ଓ ମୁକୁନ୍ଦଦେବ ନାଟକର ଅନ୍ୟତମ ବୈଶିଷ୍ଟ୍ୟ ହେଲା ସଙ୍ଗୀତ ସଂଯୋଜନା । ପ୍ରଥମଟିରେ ଏଗାରଗୋଟି ସଂଗୀତ ଯଥାକ୍ରମେ, ପୁରୁଷୋତ୍ତମଙ୍କ କଂଠରେ ଗୋଟିଏ, ପଦ୍ମାବତୀଙ୍କ କଣ୍ଠରେ ତିନୋଟି, କନକକଣ୍ଠରେ ଗୋଟିଏ, ବାସନ୍ତୀ କଣ୍ଠରେ ଗୋଟିଏ, ସୈନିକଗଣ ଗୋଟିଏ, ନାଗରିକଗଣ ଗୋଟିଏ, ନର୍ତ୍ତକୀଗଣ ଦୁଇଟି ଓ ଭିକ୍ଷୁକକଣ୍ଠରେ ଗୋଟିଏ ସଙ୍ଗୀତ ପ୍ରଦାନ କରାଯାଇଛି । ପ୍ରତ୍ୟେକଟି ସଙ୍ଗୀତ ନାଟକୀୟ ପରିବେଶକୁ ନେଇ ସୃଷ୍ଟି ହୋଇପାରିଥିବାରୁ ଦର୍ଶକ ଏହାର ରସ ମାଧୁର୍ଯ୍ୟରେ ବିମୋହିତ ହୁଏ । ବିଶେଷକରି ଏଗୁଡ଼ିକର ଭାଷା ସରଳ, ହୃଦୟସ୍ପର୍ଶୀ ଏବଂ ଜାତୀୟତାଭାବ ଭଦ୍ରେକକାରୀ । ମୁକୁନ୍ଦଦେବ ନାଟକର ସଙ୍ଗୀତ ପାତ୍ରୋପଯୋଗୀ, ମାତ୍ର ମଞ୍ଚରେ ସୁହାଇଲାଭଳି ନୁହେଁ । ସଂଗୀତଗୁଡ଼ିକର ପଦଯୋଜନା ଓ ସ୍ଵର ସଂଯୋଜନାରୁ ଗୋଦାବରୀଶଙ୍କ କବିତ୍ୱ ଜଣାଯିବା ସହିତ ପ୍ରାଚୀନ ନାଟ୍ୟଶୈଳୀକୁ ଧରି ରଖିବାର ଇଚ୍ଛାଶକ୍ତି ମଧ୍ୟ ବାରିହୋଇ ପଡ଼ିଥାଏ ।

 

 

 

ମଞ୍ଚୋପଯୋଗିତା :–

ନାଟ୍ୟକାରଙ୍କ ଉଭୟ ନାଟକ ମଞ୍ଚ ଉପଯୋଗୀ ହୋଇ ପାରିନାହିଁ । ଅନ୍ୟ ପକ୍ଷରେ କୁହାଯାଇପାରେ ଗୋଦାବରୀଶଙ୍କର ନାଟ୍ୟ ମଞ୍ଚ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ନଥିଲା । ତାଙ୍କରି କଥାରେ ମଧ୍ୟ କୁହାଯାଇପାରେ ଯେ ତତ୍କାଳରେ ନାଟକର ଅଭାବ ଦେଖି ସେ ନାଟ୍ୟକାର ହୋଇଥିଲେ । ଏଣୁ ନାଟକକୁ ଦୃଶ୍ୟ ଉପଯୋଗୀ କରାଇବାରେ ସେ ସେତେ ସଫଳ ନୁହନ୍ତି । ପୁରୁଷୋଉମ ଦେବ ନାଟକର ଚତୁର୍ଥ ଅଙ୍କ ତୃତୀୟ ଦୃଶ୍ୟରେ ସୁମନ୍ତର ନାମ ଗଛପତ୍ରରେ ଲେଖି ହୋଇଯିବାର ଦୃଶ୍ୟ ସେ ସମୟ ରଙ୍ଗମଞ୍ଚରେ ଅସମ୍ଭବ । ସୁମନ୍ତର ମୃତଦେହକୁ ଚାରିଜଣ ଶ୍ମଶାନକୁ ନେଇ ଅଗ୍ନିରେ ପୋଡ଼ିବାବେଳେ ବାସନ୍ତୀ ସେହି ଚିତାରେ ଝାସ ଦେବା ମଧ୍ୟ ରଙ୍ଗମଞ୍ଚରେ ଅଭିନୟ ଦୃଷ୍ଟିରୁ ଅସମ୍ଭବ । ନାଟ୍ୟକାର ଏ ଦିଗ ପ୍ରତି ସଚେତନ ନଥିଲେ । ପ୍ରବଳ ସଂଖ୍ୟାରେ ସୈନ୍ୟ ନେଇ ଓଡ଼ିଶା ରାଜା ଓ କାଞ୍ଚିରାଜାଙ୍କ ମଧ୍ୟରେ ଯୁଦ୍ଧ କରିବା ମଞ୍ଚରେ ଯେମିତି ଅବାସ୍ତବ, ନରସିଂହଦେବ ଓ ବିକ୍ରମ ସିଂହଙ୍କର କୁମ୍ଭୀର ଶିକାର ମଧ୍ୟ ତତ୍କାଳୀନ ରଂଗମଂଚୋପଯୋଗୀ ନୁହେଁ । ମୁକୁନ୍ଦଦେବ ନାଟକର ଅବାସ୍ତବ ଦିଗଗୁଡ଼ିକ ମଧ୍ୟ ରଙ୍ଗମଞ୍ଚ ଉପୋଯୋଗୀ ହୋଇପାରିନାହିଁ । ଉଷାୟନୀଙ୍କ ସହିତ କନ୍ୟା ଚିତ୍ରା ଓ ଅନ୍ତଃପୁର ରମଣୀମାନେ ଜଣ ଜଣ କରି ଅଗ୍ନିକୁଣ୍ଡରେ ପ୍ରବେଶ କରିବା ଘଟଣା ମଞ୍ଚପକ୍ଷେ ସଂପୂର୍ଣ୍ଣ ଅସମ୍ଭବ । ସେହିପରି ମହାରାଣୀ ଉଷାୟନୀ ସେନାପତି କଳାପାହାଡ଼କୁ ପଦାଘାତ କରି ଦୂରକୁ ଫିଙ୍ଗିଦେବା ମଧ୍ୟ ସଂପୂର୍ଣ୍ଣ ଅସମୀଚୀନ ଓ ଅବାସ୍ତବ । ଏହିଭଳି ଅନେକ ଅଯଥାର୍ଥ ଘଟଣାର ପରିକଳ୍ପନାରେ ନାଟକ ଦୁଇଟିର ମଞ୍ଚ ଅସଫଳତା ଜଣାପଡ଼ୁଥିଲେ ହେଁ ତତ୍କାଳରେ ବହୁ ସ୍କୁଲ-କଲେଜରେ ଏ ନାଟକ ଦୁଇଟି ପ୍ରାୟ ହିଁ ଅଭିନୀତ ହୋଇଥିଲା । ସେତେବେଳେ ବେଶୀ ସଂଖ୍ୟାରେ ସ୍ଥାୟୀ ରଙ୍ଗମଞ୍ଚ ନଥିବାରୁ ଓ ନାଟ୍ୟକାରଙ୍କର ରଙ୍ଗମଞ୍ଚ ସହିତ ସଂପୃକ୍ତି ନଥିବାରୁ ମୂଳତଃ ପାଠ୍ୟପୋଯୋଗୀ ହୋଇପାରିଥିଲା । ଜାତୀୟତାର ଅନ୍ୟତମ ବାହକ ହିସାବରେ ନାଟକ ଦୁଇଟିର ଗୁରୁତ୍ୱ ଥିବାରୁ ଏହାର ସାହିତ୍ୟିକ ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ଉନ୍ନୀତ ହୋଇପାରିଛି । କାବ୍ୟିକ ସଂଳାପ ଓ କତିପୟ କାଳ୍ପନିକ କଥାବସ୍ତୁର ସମନ୍ୱୟରେ ଗୋଦାବରୀଶଙ୍କ ନାଟକ ମଞ୍ଚୋପଯୋଗୀ ହୋଇପାରିନାହିଁ ସତ, ମାତ୍ର ଆରମ୍ଭରୁ ଶେଷ ପଯ୍ୟନ୍ତ କାବ୍ୟିକ ରସରେ ରଦ୍ଧିମନ୍ତ ।

ସର୍ବୋପରି ଏତିକି କୁହାଯାଇପାରେ ଯେ ଜାତୀୟଚେତନା ଓ ଦେଶାତ୍ମବୋଧରେ ଉଦ୍‌ବୁଦ୍ଧଥିବା ଗୋଦାବରୀଶଙ୍କ ଚିନ୍ତା ଚେତନା ଇତିହାସରୁ ଦୁଇ ମହାନ୍‌ବୀରଙ୍କୁ ତୋଳିଆଣି ସେମାନଙ୍କ ବଳିଷ୍ଠ ବ୍ୟକ୍ତିତ୍ୱକୁ ଯେଭଳି ନାଟ୍ୟରୂପ ଦେଇପାରିଛି ତାହା ଓଡ଼ିଆ ସାହିତ୍ୟରେ ଅମଳିନ କୀର୍ତ୍ତି ସ୍ୱରୂପ ରହିବ, ଏହା ନିଶ୍ଚିତ । ଗୋଦାବରୀଶ ନାଟ୍ୟକାର ନୁହନ୍ତି, ଅଥଚ ଦୁଇଟି ନାଟକ ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟର ଇତିହାସରେ ସ୍ମରଣୀୟ ହୋଇ ରହିଛନ୍ତି । ସେ କାଳ୍ପନିକ ବା ସାମାଜିକ ନାଟକ ଲେଖିନାହାନ୍ତି, ଲେଖିଛନ୍ତି ଐତିହାସିକ ନାଟକ । ଇତିହାସର ଘଟଣା ଓ ଚରିତ୍ରକୁ ଜୀବନ-ରସରେ ଜାରିତ କରି ତାଙ୍କୁ ରକ୍ତ ମାଂସ ଅସ୍ଥି ମେଦ ଦେଇ ଜୀବନ୍ତ କରିଦେଇଛନ୍ତି । ଅତୀତ ଇତିହାସ-ବୃତ୍ତର ସାମାଜିକ ପ୍ରାଣସରାକୁ ରୂପ ଦେଇଛନ୍ତି । କଳ୍ପନା ମିଶିଛି, ମାତ୍ର ତାହା ଇତିହାସକୁ ଗ୍ରାସ କରି ନାହିଁ । ତାଙ୍କର ଉଦ୍ଦେଶ୍ୟ ନଥିଲା ନାଟକ ପାଇଁ ନାଟକ ରଚନା କରିବା, ଉଦ୍ଦେଶ୍ୟଥିଲା ନାଟକ ମାଧ୍ୟମରେ ଓଡ଼ିଆ ଜାତିକୁ ତାର ଇତିହାସ ସମ୍ପର୍କରେ ସଚେତନ କରାଇବା ଓ ତାହାରି ମାଧ୍ୟମରେ ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିବାକୁ ପ୍ରେରଣା ଦେବା-। ଯେତେବେଳେ ଗୋଦାବରୀଶ ଏହି ଦୁଇଟି ନାଟକ ରଚନା କଲେ ସେତେବେଳେ ଓଡ଼ିଶା ସ୍ୱତନ୍ତ୍ର ନୁହେଁ । ବିହାର ସହିତ ମିଶି ରହିଛି । ସଙ୍କୁଚିତ ହୋଇ ଯାଇଛି ତାର ସୀମା । ଗୋଦାବରୀଶଙ୍କ ଭିତରେ ଉତ୍କଳ-ଜନନୀର ଦୟନୀୟ ରୂପ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଛି, ତାହାହିଁ ନାଟକରେ ପ୍ରକାଶ ପାଇଛି । ସ୍ୱଦେଶ ପ୍ରେମ ଓ ଜାତୀୟତା ବୋଧରେ ନାଟକ ଦୁଇଟି ହୋଇଛି ପ୍ରାଣବନ୍ତ । ଇତିହାସ ଉପଲକ୍ଷ । ଜାତୀୟତା ମୁଖ୍ୟ । ତ୍ୟାଗ ଓ ମାନବିକତା ଅନ୍ତଃସତ୍ତା । ତେଣୁ ଏହି ନାଟକ ଦୁଇଟି ଜାତୀୟଭାବ ଚେତନା ଦୃଷ୍ଟିରୁ ରାମଶଙ୍କର ଓ ଭିକାରୀ ଚରଣଙ୍କ ନାଟକଠାରୁ ଗୁରୁତ୍ଵପୂର୍ଣ୍ଣ । ଗୋଦାବରୀଶ ପୁଣି ମୁକୁନ୍ଦଦେବ ନାଟକରେ ଟ୍ରାଜେଡ଼ି ସୃଷ୍ଟି କରି ପ୍ରଥମ ଟ୍ରାଜେଡ଼ି ନାଟ୍ୟକାରର ମାନ୍ୟତା ଲାଭ କରିଅଛନ୍ତି । ଓଡ଼ିଆ ନାଟ୍ୟ ସାହିତ୍ୟର ଇତିହାସରେ ପଣ୍ତିତ ଗୋଦାବରୀଶ ମିଶ୍ର ଯେ ଏକ ସ୍ମରଣୀୟ ନାଟ୍ୟକାର, ସନ୍ଦେହ ନାହିଁ ।

Image

 

ଗୋଦାବରୀଶ ମିଶ୍ର

ପଞ୍ଚମ ପରିଚ୍ଛେଦ

ଗାଳ୍ପିକ ଗୋଦାବରୀଶ

 

ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି କ୍ଷୁଦ୍ରଗଳ୍ପ ମଧ୍ୟ ମଣିଷର ଅଭିଜ୍ଞତା ଓ କଳ୍ପନାରୁ ଉପାଦାନ ନେଇ ସୃଷ୍ଟି ହୋଇଥାଏ । ଅସମ୍ଭବକୁ ସମ୍ଭବ କରିବା ପାଇଁ ସମର୍ଥ ହୋଇ, ଗାଳ୍ପିକ ଏଥିରେ ଅନ୍ତହୀନ ଜଜ୍ଞାସା ଓ ଅତୃପ୍ତିର ବାସନାକୁ ପ୍ରକଟିତ କରାଇଥାନ୍ତି । ବହୁ ପ୍ରାଚୀନ କାଳର ଗଳ୍ପର ପରମ୍ପରା ବିକଶିତ, ମାତ୍ର ଆଧୁନିକ କ୍ଷୁଦ୍ରଗଳ୍ପର ଯଥାର୍ଥ ସୃଷ୍ଟି ଊନବିଂଶ ଶତକର ଦ୍ୱିତୀୟ ଦଶକରୁ । କ୍ଷୁଦ୍ର ମଧ୍ୟରେ ବୁଢ଼ୀଆଣି ବସା ଭଳି ଅତିସୂକ୍ଷ୍ମ ଓ ନଗଣ୍ୟ ଆବେଗକୁ ଚିତ୍ରିପାରୁଥିବାରୁ ବର୍ତ୍ତମାନର ଗାଳ୍ପିକ ଦୀର୍ଘ କାହାଣୀ ଚୟନର ଅପେକ୍ଷା ରଖେନାହିଁ । ଆବେଗମୟ କ୍ରିୟା ପ୍ରକ୍ରିୟା ଦ୍ଵାରା କାରୁକାର୍ଯ୍ୟମୟ ସୁନ୍ଦର ଘରର ପୂର୍ଣ୍ଣାଙ୍ଗ କାହାଣୀ ସେ ପାଠକ ନିକଟରେ ପରିବେଷଣ କରିପାରୁଛି । ଏଣୁ କ୍ଷୁଦ୍ରଗଳ୍ପର ବିଧିବଦ୍ଧ ସଂଜ୍ଞା ନିରୂପଣ ନକରି ପାରିବାର ପ୍ରଧାନ କାରଣ ହେଉଛି ଏହାର ଅସୀମ ନମନୀୟତା । ବିଶାଳ ଘଟଣାକୁ କ୍ଷୁଦ୍ର ପରିଧିରେ ପ୍ରାଣବନ୍ତ କରି ପ୍ରକାଶ କରୁଥିବାରୁ ଉପନ୍ୟାସଠାରୁ ଏହାର ଭିନ୍ନତା ସ୍ପଷ୍ଟ । କ୍ଷୁଦ୍ରଗଳ୍ପର ତିନୋଟି ମୁଖ୍ୟ ଉପାଦାନ ଯଥାକ୍ରମେ, ରହସ୍ୟ ଜଟିଳ ଖଣ୍ଡାଂଶ ଜୀବନକୁ ପ୍ରତି ମୁହୂର୍ତ୍ତରେ ଅଖଣ୍ଡ ଜୀବନର ଛାୟା ରୂପେ ପ୍ରତ୍ୟକ୍ଷ କରିବା, ଶିଳ୍ପୀ ବ୍ୟକ୍ତିତ୍ୱର ନିବିଡ଼ ଅନୁଭବରେ ତନ୍ମୟତ। ପ୍ରକାଶ ଓ ରଚନ।ରେ ବ୍ୟଞ୍ଜନଧର୍ମିତା । ଆଧୁନିକ ଜୀବନ ଜଟିଳତାରେ ପୂର୍ଣ୍ଣ ଓ ଏହାର ପ୍ରତ୍ୟେକଟି ମୁହୂର୍ତ୍ତ ମଧ୍ୟ ହୃଦୟରେ ସ୍ପନ୍ଦନ ସୃଷ୍ଟି କରେ । ପ୍ରତିଦିନ ଦେଖୁଥିବା ବସ୍ତୁ ହଠାତ୍‌ଥରେ ଥରେ ନୂଆ ରୂପରେ ଉଦ୍ଭାସିତ ହୁଏ । ପକ୍ଷୀର ପ୍ରେମାଲିଙ୍ଗନ ନୀଳାଭ ଆକାଶ ଓ ସମୁଦ୍ରର ଭୀମଗର୍ଜନ ସୌନ୍ଦର୍ଯ୍ୟ ଭିନ୍ନ ଭିନ୍ନ ସମୟରେ ନୂଆ ରୂପ ଓ ଠାଣିରେ ବିକଶିତ ହୁଏ । ବର୍ଣ୍ଣନାରେ ଚମତ୍କାରିତା, ଅନୁଭବର ବିଚିତ୍ରତାରେ ଗାଳ୍ପିକ ଏହାକୁ ତାଙ୍କ କଲମ ମୁନରେ ସ୍ମରଣୀୟ କରି ଗଢ଼ିଥାନ୍ତି । ସାହିତ୍ୟିକ ରସବୋଧ ନଥିଲେ କ୍ଷୁଦ୍ରଗଳ୍ପ କେବଳ ଘଟଣାର ଚିତ୍ର ଦେଇପାରେ ମାତ୍ର, ପାଠକୀୟ ଆବେଦନ ହାସଲ କରିବାରେ ସକ୍ଷମ ହୋଇପାରେ ନାହିଁ । ଏହାର ଭାଷା ଓ ଭାବରେ ଥିବା ଅଭିନବତ୍ଵ ହିଁ ଗଳ୍ପକୁ ଯୁଗପତ୍‌ ପ୍ରିୟତା ଦେଇଥାଏ ।

ଓଡ଼ିଆ କ୍ଷୁଦ୍ରଗଳ୍ପରେ ଫକୀରମୋହନଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରି ଗୋଦାବରୀଶ ସମୁଦାୟ ସତେଇଶଟି ଗଳ୍ପ ରଚନା କରିଛନ୍ତି । ଗୋଦାବରୀଶଙ୍କ ଜୀବିତାବସ୍ଥାରେ ତାଙ୍କର ଦୁଇଟି ଗଳ୍ପ ଯଥାକ୍ରମେ ‘ମିଳନ’ (୧୯୧୪) ଓ ‘ଶ୍ରୀମତୀ’ (୧୯୧୫) ପ୍ରକାଶିତ । ଏହାପରେ ଦୀର୍ଘ ଦଶ ବର୍ଷର ବ୍ୟବଧାନରେ (୧୯୨୪ ରୁ ୧୯୩୬ ମଧ୍ୟରେ ) ତାଙ୍କର ଗଳ୍ପମାଳାରେ ସଂକଳିତ ଗଳ୍ପଗୁଡ଼ିକ ରଚିତ ଓ ପ୍ରକାଶିତ । ଏଗୁଡିକ ‘ପରଦାସୀନ’, ‘ପାଣୁମିଶ୍ରେ’, ‘ତୋଳାକନ୍ୟା’, ‘ବିଧବା କନ୍ୟା’, ‘ବନ୍ଦୀ’, ‘ଦମ୍ଭିଲା ବନ୍ଧୁ, ‘ସାବତ ପୁଅ’, ‘ନାରୀର ଗତି’, ‘ବରଯାତ୍ରୀ’, ‘ଭାଇଭାଗ’, ‘ବଡ଼ପୁଅ’ ପ୍ରଭୃତି ଏଗାରଟି ଗଳ୍ପ । ପୁଣି ଦଶବର୍ଷ ପରେ ୧୯୪୬ରୁ ୧୯୫୨ ମସିହା ଭିତରେ ‘ପୁଆଣି ଘର’ ଗଳ୍ପ ସଂକଳନ ଭିତରେ ‘ପରଗତି’, ‘ପ୍ରେମର ଉଚ୍ଛାସ’ ଓ ‘ପୁଆଣି ଘର’ ତିନୋଟି ଗଳ୍ପ ଓ ନଅଟି ଗଳ୍ପ ସଂକଳନରେ ‘ରିକ୍‌ସାବାଲା’, ‘ଅନ୍ନଛତ୍ର’ ‘କାଚ ବଜ୍ରକର’, ‘ପରିଚୟ’ ‘ପୋଲ ଉନ୍ମୋଚନ’, ‘ପାଷାଣର ଭାଷା’ ‘ସେବତୀର ଶବ’, ‘ବାଁ-ଡାହାଣ’, ‘ବିଦାୟ’ ଇତ୍ୟାଦି ପ୍ରକାଶିତ । ‘ରାଜଭାଗ’ ଓ ‘ସାନ୍ତ୍ୱନା’ ଦୁଇଟି ପରବର୍ତ୍ତୀ ସମୟରେ ସଂଗୃହୀତ । ଗୋଦାବରୀଶଙ୍କ ପ୍ରଥମ ଓ ଦ୍ୱିତୀୟ ସହିତ ଏ ଦୁଇଟି ଗ୍ରନ୍ଥାବଳୀର ଚତୁର୍ଥଖଣ୍ତରେ ୧୯୭୨ ଗଳ୍ପ ବିଭାଗରେ ସମ୍ମାନିତ । ଗଳ୍ପ ରଚନା ସମୟକ୍ରମର ପ୍ରବାହରେ ନିରବଚ୍ଛିନ୍ନତାର ଏ ଅଭାବବୋଧ ସଂପର୍କରେ ଅଧ୍ୟାପକ ବୈଷ୍ଣବ ଚରଣ ସାମଲ କହିଛନ୍ତି, ‘ଗୋଦାବରୀଶଙ୍କ ଗଳ୍ପ ରଚନାରୁ ଜଣାଯାଏ ଯେ ଗଳ୍ପ ସୃଷ୍ଟି ତାଙ୍କର ନିରବଚ୍ଛିନ୍ନ ସାଧନାର ପରିଣତି ନୁହେଁ । ପ୍ରଥମ ଗଳ୍ପ ଦୁଇଟି ରଚନାର ଏକ ଦଶନ୍ଧି ପରେ ଗାଳ୍ପିକଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ । ବାର ବର୍ଷର ଗତି ପ୍ରବାହ ମଧ୍ୟରେ କଥାକାର ବିଶେଷତଃ ଦୃଷ୍ଟିପାତ କରିଛନ୍ତି ଏ ସମୟର ସାମାଜିକ ଜୀବନର ରୂପରେଖ । ଏହା ଗଳ୍ପ ପୁରୁଷଙ୍କୁ କରିଛି ପ୍ରଭାବିତ । ପୁନଶ୍ଚ ଏକ ଦଶନ୍ଧିର ନୀରବତା । ରାଜନୀତିକ ଜଟିଳତା ମଧ୍ୟରେ ଜୀବନର ଗତି ଓ ସଂଘର୍ଷ । ଏହା ପରେ କଥାକାର ରାଜନୀତିକ ପରିବେଶ, ପରିସ୍ଥିତି, ଚିତ୍ର ଓ ଚରିତ୍ର ଉପରେ ତଥା ପ୍ରଶାସନିକ ଦୁର୍ନିତ ଓ ପ୍ରବଞ୍ଚନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଗଳ୍ପ-ବୃତ୍ତରେ ଗୋଦାବରୀଶଙ୍କ ଦ୍ୱିତୀୟ ପର୍ଯ୍ୟାୟରେ ଇତିହାସ ଦୃଷ୍ଟି ଏ ସମୟକୁ ହୋଇଛି ଆହୁରି ଶାଣିତ । ତାଙ୍କର ଗଳ୍ପମାନସ ସମାଜ-ବୃତ୍ତ ପରିକ୍ରମା ମାଧ୍ୟମରେ କେତେବେଳେ ସୁଦୂରକୁ ଗତିକରି ଇତିହାସର ପ୍ରାଣସତ୍ତା ମଧ୍ୟରୁ ଜାତୀୟତାର ମର୍ମ ଉଦ୍‌ଘାଟନ କରିଛି । କେତେବେଳେ ମାନବ ଚରିତ୍ର-ଉନ୍ମୋଚନ ମଧ୍ୟଦେଇ ପ୍ରେମରେ ଉପଲବ୍ଧି କରିଛି ମହାଦ୍ୟୁତି, କେତେବେଳେ ଶୋଷକ ସଂପ୍ରଦାୟର ଉଲ୍ଲଘଂ-ଉଲ୍ଲାସ ଏବଂ ଶୋଷିତ ସମାଜର ବୁକୁଫଟା ବିଳାପ ଶୁଣାଇ ପ୍ରକାଶ କରିଛି ମାନବିକ ସମ୍ବେଦନା, କେତେବେଳେ ନିର୍ଯ୍ୟାତିତର ବେଦନା ବିଧୂର ଜୀବନର କରୁଣ ରାଗିଣୀ ଶୁଣାଇଅଛି । କେତେବେଳେ ମଧ୍ୟ ପ୍ରୟୋଗ କରିଛି କ୍ଷମତା-ରାଜନୀତିର ଅନ୍ତଃରୂପକୁ ଓ ସାମାଜିକ ହିପୋକ୍ରାସିକୁ । ତାଙ୍କର ଗଳ୍ପ ଜଗତରେ ଅଛି ଖଣ୍ଡିତ ମୁହୂର୍ତ୍ତ ମାନଙ୍କର ସମନ୍ୱିତ ଅଖଣ୍ଡ ଭାବ ପରିମଣ୍ତଳ ନିଭୃତ-ବ୍ୟକ୍ତି-ବାସନାର ହୃଦୟ-ସ୍ଵପ୍ନର ଅପରୂପ ବିଭାସ, କାବ୍ୟଗନ୍ଧୀ ରହସ୍ୟମୟତା । (ଗୋଦାବରୀଶ ପରିକ୍ରମା, ପୃଷ୍ଠା, ୧୭୫-୧୯୮) ସମୟର ବ୍ୟବଧାନରେ ସୃଷ୍ଟି ହୋଇଥିବା ଗୋଦାବରୀଶଙ୍କ ଗଳ୍ପଗୁଡ଼ିକୁ ପାଞ୍ଚଭାଗରେ ବିଭକ୍ତ କରାଯାଇପାରେ । ଯଥା:-(୧) ସାମାଜିକ ସଂସାର ମୂଳକ ଗଳ୍ପ (୨) ପାରିବାରିକ ସମସ୍ୟାଧର୍ମୀ ଗଳ୍ପ (୩) ପ୍ରଣୟ ପ୍ରଧାନ ଗଳ୍ପ (୪) ରାଜନୀତିକ ଚେତନାଧର୍ମୀ ଗଳ୍ପ (୫) ଚରିତ୍ର ପ୍ରଧାନ ଗଳ୍ପ ।

 

 

ସାମାଜିକ ସଂସ୍କାର ମୂଳକ ଗଳ୍ପ

ପରଦାସୀନ, ତୋଳାକନ୍ୟା, ବିଧବା କନ୍ୟା, ନାରୀର ଗତି, ଦମ୍ଭିଲା ବନ୍ଧୁ ଓ ପାଣୁମିଶ୍ରେ-

ଏ ପ୍ରତ୍ୟେକଟି ଗଳ୍ପ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ରଚିତ । ଏ ସମୟରେ ପ୍ରକାଶ ପାଇଥିଲା ଦଳିତ, ଅସହାୟ ଓ ନିର୍ଯ୍ୟାତିତ ମଣିଷଜାତି ପ୍ରତି ଏକ ନୂତନ ସାମାଜିକ ଦୃଷ୍ଟିଭଙ୍ଗୀ । ବାଲ୍ୟବିବାହ, ବୃଦ୍ଧବିବାହ, ବିଧବା ବିବାହ, ଯୌତୁକପ୍ରଥା ଓ ବୈବାହିକ ଜୀବନର ନାନା ସମସ୍ୟା ଏହି ସମୟର ଅନେକ ଗଳ୍ପରେ ପ୍ରତିଫଳିତ । ଫକୀରମୋହନଙ୍କ ପଦାଙ୍କ ଅନୁସରଣ କରି ଅନ୍ୟ ବହୁ ଗାଳ୍ପିକ ଏହିସବୁ ଚେତନାରେ ଗଳ୍ପ ଲେଖିଲେ । ରେବତୀ ଗପରେ ଫକୀରମୋହନ ନାରୀଶିକ୍ଷା ସପକ୍ଷରେ କହିବ।କୁ ଯାଇ ପ୍ର।ଚୀନ ସମାଜର ଏକବ।ଗିଆ ଢଙ୍ଗକୁ ଦେଖାଇଦେଇଛନ୍ତି-। ପାଠପଢ଼ିବା ଯୋଗୁଁ ପୁରାତନ ପୀଢ଼ି (ବୁଢ଼ୀମା) ରେବତୀ ପ୍ରତି ହୋଇଉଠିଛି ଅସହିଷ୍ଣୁ । ଏହି ଭଳି ଗୋଦାବରୀଶ ମଧ୍ୟ ‘ପରଦାସୀନ’ ଗଳ୍ପରେ ନାରୀଶିକ୍ଷା ଓ ଆଧୁନିକତା ପ୍ରତି ଦେଖାଇଛନ୍ତି ନିଜର ପ୍ରଗତିବାଦୀ ମନୋଭାବ । ପରଦାସୀନା ନାରୀ ନୂତନତାକୁ ଘୃଣା କରୁଛି। ଅଥଚ ନିଜେ ଗୋପନରେ ପାପ ପ୍ରବୃତ୍ତିର ଶିକାର ହେଇ ବି ପଥଗାମିନୀ ହୋଇଛି । ଗପଟିରେ ରାମବାବୁଙ୍କ ଝିଅ ସରୋଜିନୀ ମୁଖ୍ୟ ଚରିତ୍ର । ତାର ଶିକ୍ଷା, ସଂସ୍କୃତି ପ୍ରତି ମମତା ଓ ସାମାଜିକ ପ୍ରତିଷ୍ଠାକୁ ପ୍ରାଚୀନପନ୍ଥୀମାନେ ସହିନପାରି ନାକ ଟେକିଛନ୍ତି । ମାତ୍ର ସରୋଜିନୀର ପୁରୁଣାକାଳିଆମାନଙ୍କୁ ଭୟ କରିନାହିଁ । ସେ ଜାଣେ ବର୍ତ୍ତମାନ ସମାଜରେ ଶିକ୍ଷାର ମହତ୍ଵ ବୁଝିପାରିଲେ ସାମାଜିକ ଉନ୍ନତି ସମ୍ଭବ । ବାପା ଓ ଝିଅ ପ୍ରତିକୂଳ ସମାଲୋଚନାକୁ ଏଡ଼େଇ ଯାଇ ପୁରାତନର ମନଭିତରେ ଥିବା ନାନା କୁସଂସ୍କାରକୁ ଦୂରେଇଦେବାକୁ ହୋଇଛନ୍ତି ସମର୍ଥ । ଗୋଦାବରୀଶ ଏଥିରେ ନୂତନ ଶିକ୍ଷା ସଭ୍ୟତାକୁ ସ୍ଵାଗତ କରିବା ସହ ପ୍ରାଚୀନ ଅନ୍ଧ କୁଶିକ୍ଷାର ଅଧୋଗତି ଓ ବିପର୍ଯ୍ୟୟକୁ ଦେଖାଇଛନ୍ତି ।

ପ୍ରାକ୍‌ସ୍ଵାଧୀନତା କାଳୀନ ଓଡ଼ିଶାର ସାମାଜିକ ଜୀବନର ବିଭିନ୍ନ ଦିଗ ଓ ଦିଗନ୍ତ ଗୋଦାବରୀଶଙ୍କ ଗଳ୍ପ ଜଗତରେ ଉତ୍କୀର୍ଣ୍ଣ । ବାଲ୍ୟବିବାହ ଓ ତୋଳାକନ୍ୟାର କରୁଣ ଚିତ୍ର (ତୋଳାକନ୍ୟା, ବିଧବା କନ୍ୟା ଓ ନାରୀର ଗତି) ପୋଷ୍ୟପୁତ୍ର ମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା (ପାଣୁ ମିଶ୍ରେ), ଯୌତୁକପ୍ରଥାର ସମସ୍ୟା ଓ ବିଭତ୍ସତା (ଦମ୍ଭିଲା ବନ୍ଧୁ ଆଦି ତାଙ୍କୁ ମ୍ରିୟମାଣ କରିଥିଲା । ଏଗୁଡ଼ିକ ବିଂଶ ଶତାବ୍ଦୀର ନବ୍ୟ ଶିକ୍ଷିତ ସମାଜରେ ମଣିଷକୁ କୁପଥଗାମୀ କରୁଥିବାର ଗୋଦାବରୀଶ ପ୍ରତ୍ୟକ୍ଷ କରିଛନ୍ତି । ‘ତୋଳାକନ୍ୟା’ ଗପରେ ଚାରିବର୍ଷର ଝିଅକୁ ବୃଦ୍ଧ ରଘୁନାଥ ବିବାହ କରିବା ଅତ୍ୟନ୍ତ ଲଜ୍ଜାକର । ଷାଠିଏ ଟଂକା ଦାନରେ ଦୀନବଂଧୁ ଝିଅକୁ ବିବାହ ଦେଇଥିବାରୁ ରଘୁନାଥର ମୃତ୍ୟୁପରେ କୁମାରୀ ଝିଅର ବିପର୍ଯ୍ୟୟରେ ରଘୁନାଥ ଚିରଦିନ ପାଇଁ ଅଦୃଶ୍ୟ ହୋଇଗଲେ । ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ବାଲ୍ୟ ବିବାହ ଜନିତ କୁସଂସ୍କାରର ଚିତ୍ର ଓ ଦୁଃସହ ପରିଣତି ଏଥିରେ ନିହିତ । ‘ବିଧବା କନ୍ୟା’ ଗଳ୍ପରେ ନାୟିକା ଲୀଳା ବାଲ୍ୟକାଳରୁ ବିବାହିତା ମାତ୍ର ଶଶୁର ଘରକୁ ଯିବାକାଳରେ ସେ ଜାଣୁଛି ଇତି ମଧ୍ୟରେ ସେ ବିଧବା-। ଝିଅକୁ ନାନା ନିୟମ ମଧ୍ୟରେ ରହିବାର ଦେଖି ମା’ ଦୁର୍ଗା ତାର ହବିଷ ପାଳନ ସହିନପାରି ସାଙ୍ଗରେ ଧରି ଗୃହତ୍ୟାଗ କରିଛନ୍ତି । ପ୍ରଗତିକାମୀ ଯୁବକ ଲୀଳାକୁ ବିଧବା ଜାଣି ମଧ୍ୟ ବିବାହ ପାଇଁ ପ୍ରସ୍ତୁତ ହୋଇ ସମସ୍ତ ଆୟୋଜନ କରିଛି । ମାତ୍ର ଦୁର୍ଭାଗ୍ୟର ବିଷୟ ମାର୍କଣ୍ଡ ଓ ଲୀଳାର ବେଦୀରେ ହାତଗଣ୍ଠି ପଡ଼ିବା ସମୟରେ ଲୀଳାର ପୂର୍ବ ସ୍ଵାମୀ ସଦାଶିବ ଉପସ୍ଥିତ ହୋଇ ପୁନଃବିବାହ କରିଛି । ମାର୍କଣ୍ଡ ଏହାକୁ ସମର୍ଥନ ଜଣାଇଛି । ସଂସ୍କାରବାଦୀ ଗାଳ୍ପିକ ଏଠାରେ ବିଧବା ବିବାହ ପାଇଁ ପ୍ରୟାସ କରିଥିଲେ ମାତ୍ର, କିନ୍ତୁ ସମାଜର କୁକ୍ଷିଗତ ହୋଇଥିବା ଏହି କୁସଂସ୍କାରଠାରୁ ସଂପୂର୍ଣ୍ଣ ଓହରି ଆସି ପାରିନାହାନ୍ତି । ‘ନାରୀର ଗତି’ ଏହିଭଳି ଏକ ବାଲ୍ୟବିବାହ ଜନିତ ଗଳ୍ପ । ସାତ ବର୍ଷର କନ୍ୟା ସୁଲକ୍ଷଣାର ବିବାହ ସଙ୍ଗେ ସଙ୍ଗେ ତାକୁ ବିଧବା ବୋଲି ଘୋଷଣା କରିବାରେ ପ୍ରତିପତ୍ତିଶାଳୀ ଦିଗମ୍ବର ଚକ୍ରାନ୍ତ କରିଛି । ବାଲ୍ୟ ବିବାହର ଦୁଃସହ ଯନ୍ତ୍ରଣାକୁ ଦେଖାଇବା ସହିତ ସାମାଜିକ ସଂସ୍କାର ପାଇଁ ଲେଖକ ଦେଇଛନ୍ତି ଆହ୍ୱାନ । ଯୌତୁକ ପ୍ରଥାର ବିଷମୟ ଭୟଙ୍କାରିତା ‘ଦମ୍ଭିଲାବନ୍ଧୁ’ରେ ବର୍ଣ୍ଣିତା ପରମ୍ପରା ଓ ଆଭିଜାତ୍ୟହୀନ ଅଭିରାମ ଦାସ ଅର୍ଥବଳରେ ହେଲେ ଜମିଦାର । ଅର୍ଥର ପ୍ରଲୋଭନ ଦେଖାଇ ନିଜ କନ୍ୟାକୁ ଉଚ୍ଚ ବଂଶଜ ବ୍ରାହ୍ମଣ ପୁତ୍ର ଗୋବିନ୍ଦ ସହିତ ବିବାହ ଦେଲେ ଏବଂ ବିବାହ ପରେ ଗୋବିନ୍ଦ ଘରଜ୍ୱାଇଁ ଭଳି ଶ୍ଵଶୁର ଘରେ ରହିଲା ନାନା ନିର୍ଯ୍ୟାତନା ସହ୍ୟକରି । ସବୁଠାରୁ ବେଶୀ ଅତ୍ୟାଚାର ନିଜ ସ୍ତ୍ରୀ ପ୍ରେମଶୀଳା ଠାରୁ ପାଇ ସେ ଶ୍ୱଶୁର ଘରେ ରହିନପାରି ନିଜ ଘରକୁ ଚାଲି ଆସିଛି । ଜମିଦାର ପ୍ରେମଶୀଳାକୁ ତତ୍‌କ୍ଷଣାତ ଗୋବିନ୍ଦ ପାଖକୁ ପଠାଇଦେଲେ । ଏଠାରେ ମଧ୍ୟ ଧନୀକ କନ୍ୟାର ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଲା ଗୋବିନ୍ଦର ପ୍ରାଣ । ଧନୀ ଘରର ଝିଅ ହେତୁ ଶାଶୁ ଓ ସ୍ୱାମୀକୁ ଅନାଦର କରି ପ୍ରେମଶୀଳା ପରପୁରୁଷ ପ୍ରେମରେ ପଡ଼ି ସମାଜକୁ କଲା ବେଖାତିର । ସାମାଜିକ ଶୃଙ୍ଖଳା ଛାଡ଼ି ସେ ସ୍ୱେରଚାରିଣୀ ହେଇଥିଲେ ମଧ୍ୟ କହିବାକୁ ଲାଗିଲା-‘କାହା ଜିଭରେ ହାଡ଼ ଅଛି ଯେ ମୋତେ ଛି ଛି କରିବ ?’ ବେଶ୍‌ଜୀବନ୍ତ ଓ ପ୍ରାଣସ୍ପର୍ଶୀ ଏହି ବର୍ଣ୍ଣନା । ଗୋବିନ୍ଦର ଦୂରାବସ୍ଥାକୁ ଦେଖାଇ ତା ପ୍ରତି ସହାନୁଭୂତି ସୃଷ୍ଟି କରିଛନ୍ତି ଗୋଦାବରୀଶ । ଅନ୍ୟପକ୍ଷରେ ପରମ୍ପରାହୀନତାରୁ ଜନ୍ମନେଇ ବଡ଼ଲୋକ ହୋଇଥିବା ମଣିଷ କିପରି ସଇତାନ ହୁଏ, କିପରି ନିଜକୁ ସର୍ବେସର୍ବା ମନେକରେ ତାର ଏକ ନିଖୁଣ ଚିତ୍ର ମଧ୍ୟ ଏଥିରେ ପ୍ରଦର୍ଶିତ । ଏହି ଧରଣର ଗଳ୍ପରେ ଫକୀରମୋହନ କର୍ମଫଳ ଓ ଭ।ଗ୍ୟବ।ଦକୁ ଗୁରୁତ୍ୱ ଦେଇଥିବା ବେଳେ ଗୋଦାବରୀଶ ପ୍ରତିଷ୍ଠା ଦେଇଛନ୍ତି ବାସ୍ତବତାକୁ । ‘ପାଣୁ ମିଶ୍ରେ’ ଗଳ୍ପଟି ଗୋଦାବରୀଶଙ୍କର ଏକ ସଫଳ ଓ ସାର୍ଥକ ଗଳ୍ପ ଭାବରେ ପ୍ରସିଦ୍ଧି ଲାଭ କରିଛି-। ଲୋକନାଥ ପ୍ରଥମ ପତ୍ନୀଙ୍କ ବିୟୋଗରେ ପୁତ୍ର ଦାମୋଦର ଥାଇ ସୁଦ୍ଧା ଦ୍ୱିତୀୟ ପତ୍ନୀ ମାଳତୀକୁ ଗ୍ରହଣ କରିଛନ୍ତି । ମାଳତୀଠାରୁ ଦୁଇବର୍ଷ ଛୋଟ ଦାମୋଦର ସହ ମିଳାମିଶାକୁ ଲୋକନାଥ ଇର୍ଷା କରିଛନ୍ତି ଅବଚେତନ ମନରେ । ଫଳରେ ବୃଦ୍ଧ ଲୋକନାଥଙ୍କ ଅତ୍ୟାଚାରରୁ ରକ୍ଷା ପାଇବାପାଇଁ ଘର ଛାଡ଼ି ଚାଲିଯାଇଛି ଦାମୋଦର । ମାତ୍ର ବୃଦ୍ଧ ସ୍ଵାମୀ ପ୍ରତି ତରୁଣୀ ଭାର୍ଯ୍ୟା ମାଳତୀର ଅତ୍ୟାଚାର ସାମାଜିକ ଅନୀତି ହେଲେ ମଧ୍ୟ ଗାଳ୍ପିକ ଏହାକୁ ସ୍ଥାନ ଦେଇଛନ୍ତି । ଆଲୋଚିତ ଛଅଟି ଗଳ୍ପରେ ସାମାଜିକ ସଂସ୍କାର ଧର୍ମ ପ୍ରକଟିତ । ଗୋଦାବରୀଶ କୁସଂସ୍କାରକୁ ତ୍ୟାଗ କରିବା ପାଇଁ ପ୍ରେରଣା ଦେଇଛନ୍ତି ଏହି ଭଳି ଗଳ୍ପଗୁଡ଼ିକରେ । ମାତ୍ର ସମୟର ପ୍ରବାହ ଓ ନୂତନ ଆଭିମୁଖ୍ୟର ପ୍ରସାର ପାଇଁ ସୀମା ନିର୍ଣ୍ଣୟ କରିପାରି ନାହାନ୍ତି । ଗଳ୍ପଗୁଡ଼ିକର ରଚନାକାଳ ନିଶ୍ଚୟ ଥିଲା ଭାରତୀୟ ସମାଜର ସନ୍ଧିକ୍ଷଣର କାଳ । ଏହି ସନ୍ଧିକ୍ଷଣକୁ ଅତିକ୍ରମ କରି ଓଡ଼ିଆ ଗଳ୍ପ ସାହିତ୍ୟରେ ଫକୀରମୋହନ ସେନାପତି, ଚନ୍ଦ୍ରଶେଖର ନନ୍ଦ, ଦୟାନିଧି ମିଶ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ରଚନା କରିଛନ୍ତି ସଂସ୍କାରଧର୍ମୀ ବହୁ ଗଳ୍ପ । କିନ୍ତୁ ଗୋଦାବରୀଶ ମିଶ୍ରଙ୍କ କୁସଂସ୍କାର ମୁକ୍ତ ଶିଳ୍ପୀ ବ୍ୟକ୍ତିତ୍ଵରେ ସଂଚାର ହେଲା ନୂତନ ମାନବିକ ସମ୍ବେଦନା, ଯାହା ପରବର୍ତ୍ତୀ ଗାଳ୍ପିକଗଣଙ୍କୁ ଉଦ୍‌ବୁଦ୍ଧ କଲା ।

ପାରିବାରିକ ସମସ୍ୟାଧର୍ମୀ ଗଳ୍ପ

ସାବତପୁଅ, ଭାଇଭାଗ, ଶ୍ରୀମତୀ ଓ ପୁଆଣିଘର ।

ପାରିବାରିକ ସମସ୍ୟାଧର୍ମୀ ଗଳ୍ପ ଭାବରେ ‘ସାବତପୁଅ’ ଏକ ସ୍ଵତନ୍ତ୍ର ଧରଣର ରଚନା । ଏଥିରେ ଗାଳ୍ପିକ ସାବତପୁଅର ମହାନତାକୁ ଦର୍ଶାଇବା ସହିତ ପାରିବାରିକ ଏକତା ପାଇଁ ଏହାର ଯେ ଏକାନ୍ତ ପ୍ରୟୋଜନ ଅଛି ତାକୁ ଦୁଃଖୀଶ୍ୟାମ, ହେମ ଏବଂ ନରସିଂହ ଚରିତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ରତ୍ନମଣିଙ୍କ ସ୍ଵାମୀ ଘନଶ୍ୟାମ ହେମଙ୍କୁ ଗ୍ରହଣକଲେ ଓ ଦେଢ଼ବର୍ଷର ଶିଶୁପୁତ୍ର ନରସିଂହଙ୍କୁ ଛାଡ଼ି ସ୍ୱର୍ଗକୁ ଗଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ହେତୁ, ପାରିବାରିକ ଜଂଜାଳ ମଧ୍ୟରେ ସମସ୍ୟା ସୃଷ୍ଟି ହୋଇଛି । ନିଜପୁତ୍ର ନରସିଂହ ହେମମଣିଙ୍କୁ ନିର୍ଯ୍ୟାତନା ଦେବା ସହିତ ସବୁ ସମୟରେ ଅଶାନ୍ତି ସୃଷ୍ଟି କରିଚାଲିଛି । ମନସ୍ତାପରେ ସମୟ କଟାଉଥିବା ମାଆକୁ ଶାନ୍ତିଦେବା ପାଇଁ ପଚାରି ଶେଷରେ ଶୁଣିଲା, ‘ମୁଁ ମଲେ ସିନା ଏକା ଏଥିରୁ ରକ୍ଷା ପାଇବିରେ ବାପା, ନୋହିଲେ କ’ଣ ମୋ ଦୁଃଖର ଅନ୍ତ ଅଛି ? ତୁ ମିଛରେ ମୋ ସଙ୍ଗେ ଘାଣ୍ଟି ହେଉଛୁ ।’ ଏହା ପରେ ଦୁଃଖୀଶ୍ୟାମର ପ୍ରାଣ ଅନେକ ପରିମାଣରେ ହାଲୁକା ହୋଇଗଲା । ସେ ଅତ୍ୟାଚାରିତା ମାଆଙ୍କୁ ଚିର ଶାନ୍ତି ଦେବାପାଇଁ ତାଙ୍କୁ ହତ୍ୟାକଲା । କିନ୍ତୁ ଶେଷ ସମୟରେ ମାଆ ପାଟିରୁ ନରସିଂହ ନା ଶୁଣି ଅନୁତାପରେ ଜର୍ଜରିତ ଦୁଃଖୀଶ୍ୟାମ ଅବଶିଷ୍ଟ ସମୟ ସବୁ ନରସିଂହ ପାଇଁ ବିନିଯୋଗ କରିବା ପାଇଁ ସ୍ଥିର କରିଛି । କିନ୍ତୁ ନରସିଂହର କୌଣସି ପରିବର୍ତ୍ତନ ଘଟିନାହିଁ । ଗୋଦାବରୀଶ ସାବତପୁଅର ତ୍ୟାଗ ଓ ମମତାକୁ ଅତି ମାର୍ମିକଭାବେ ବର୍ଣ୍ଣନା କରିଛନ୍ତି । ‘ଭାଇଭାଗ’ ଗଳ୍ପଟି ପରିବାରରେ ଭାତ୍ରୁ ବିବାଦର କରୁଣ ପରିଣତିକୁ ପ୍ରକାଶ କରେ । ରାମଚନ୍ଦ୍ର ଓ ନୀଳକଂଠ ଦୁଇଭାଇଙ୍କ ଭିତରେ ଘରେ ବାହାରେ ସର୍ବଦା କଳହ ଲାଗିରହିଥାଏ । ଏମାନଙ୍କ ସ୍ତ୍ରୀମାନେ ମଧ୍ୟ ସବୁବେଳେ ମହାଭାରତ ଯୁଦ୍ଧରେ ଲିପ୍ତଥାନ୍ତି । ଏ ସବୁର ସୁଯୋଗ ନେଇଛନ୍ତି ଗାଁର ମୁଖିଆ ସୋମନାଥ । ତାଙ୍କ ପରାମର୍ଶରେ ମକଦ୍ଦମା ଚାଲିଛି । ସରକାରଙ୍କ ତରଫରୁ ଅଦାଲତ ଚପରାଶି ସରକାରୀ ଆଇନନାମା ଅନୁଯାୟୀ ଘରର ସମସ୍ତ ଜିନିଷପତ୍ର କୋରକ କରି ନେଇଛି । ପରେ ଦୁଇଭାଇ ନିଜର ଭୁଲ୍‌ ବୁଝିଛନ୍ତି । ଚପରାଶିକୁ ବିରୋଧ କରିବା ପାଇଁ ଯିବାବେଳକୁ ନିସ୍ଵ ଦୁଇଭାଇ ଗାଁରେ ଉପସ୍ଥିତ ହୋଇଛନ୍ତି । ଗଳ୍ପଟିରେ ଗ୍ରାମ୍ୟ ପରିବେଶର ନିଖୁଣ ଚିତ୍ର ରୂପାୟିତ । ‘ଶ୍ରୀମତୀ’ ଗଳ୍ପଟିରେ ମଧ୍ୟବିତ୍ତ ପରିବାରର ଚିତ୍ର ପ୍ରଦର୍ଶିତ । ଶ୍ରୀମତୀ ଓ ସ୍ଵାମୀ ଗୋବିନ୍ଦଙ୍କ ତେଲ ଲୁଣର ସଂସାରରେ ଅଭାବ ହେତୁ ଅଶାନ୍ତି ବିରାଜମାନ କରିଥାଏ । ଶ୍ରୀମତୀ ବଡ଼ଘରର ଝିଅ ହୋଇଥିବାରୁ ସ୍ୱାମୀଙ୍କ ଅଭାବକୁ ସହ୍ୟ କରିପାରନ୍ତିନି, ଫଳରେ ଝଗଡ଼ା ଘଟେ । ଶ୍ରୀମତୀ ମଝିରେ ମଝିରେ ନିଜ ବାପଘରକୁ ଚାଲି ଆସନ୍ତି ମାତ୍ର ବେଶୀ ଦିନ ପାଇଁ ରହିପାରନ୍ତି ନାହିଁ । ସ୍ୱାମୀଙ୍କ କିରାଣୀ ଚାକିରିରେ ଉପୁରି ନ ଥିବାରୁ ପଚିଶ ଟଂକା ମାସିକ ଦରମା ପନ୍ଦର ଦିନରେ ଶେଷ ହୁଏ । ଅଭାବକୁ ଭରଣା କରିନପାରି ଗୋବିନ୍ଦ ଗୃହତ୍ୟାଗୀ ହୋଇ ଉଚ୍ଚଚାକିରିର ସନ୍ଧାନ କରନ୍ତି । କାନପୁରର ଜୋତା ଦୋକାନରେ ଚାକିରି କରି ନୂଆ କାମ ଶିଖି ସେ କଲିକତା ଆସିଲେ ଓ ସେଠାରେ ଅଧିକ ଦରମାରେ ନିଯୁକ୍ତ ହେଲେ । ପରିବାରରେ ଆଶାନ୍ତି ସୃଷ୍ଟି କରୁଥିବା ଶ୍ରୀମତୀ କିନ୍ତୁ ତାଙ୍କୁ ନପାଇ ସ୍ଵାମୀଙ୍କ ଠାରୁ ପାଉଥିବା ଟଙ୍କା ରଖି ରଖି ଧନୀ ହୋଇଯାଇଥିବାରୁ ଆଉ ଟଙ୍କା ପ୍ରତି ମନ ନବଳାଇ ଗୋବିନ୍ଦଙ୍କ ଚିନ୍ତାରେ ମଗ୍ନ ହେଲେ । ସ୍ତ୍ରୀ ଓ ସ୍ଵାମୀର ପ୍ରେମକୁ ଗୋଦାବରୀଶ ଶାଶ୍ୱତ ବୋଲି ବିବେଚନା କରି ଶ୍ରୀମତୀର ମନରେ ପରିବର୍ତ୍ତନ ଆଣିଛନ୍ତି । ଗୋବିନ୍ଦ କାନପୁରରୁ କଲିକତା ଓ କଲିକତାରୁ ଗାଁକୁ ଆସି ଦେଖନ୍ତି ଶ୍ରୀମତୀ ଗାଁର ଭଙ୍ଗାଘରେ ଶାଶୁ ଓ ଶ୍ୱଶୁରଙ୍କ ମେଳରେ ମହାଆନନ୍ଦରେ ଅଛନ୍ତି । ସମସ୍ତଙ୍କୁ ଆପଣେଇ ପାରିବାର ଏହି ମହାନ ଶକ୍ତି ନାରୀକୁ ମହିମାନ୍ୱିତ କରାଏ । ଶ୍ରୀମତୀଙ୍କ ପରିବର୍ତ୍ତନ ମଧ୍ୟରେ କେବଳ ତ୍ୟାଗ ନାହିଁ, ଅଛି ମମତାର ଶକ୍ତ ସ୍ନେହରଜ୍ଜୁ । ‘ପୁଆଣିଘର’ ଗଳ୍ପଟିରେ ଯୌତୁକ ଯାତନାର ଚିତ୍ର ମିଳେ । ନୀଳାମ୍ବର ବାବୁ ଝିଅ ବିବାହରେ ଯୌତୁକ ଦେବେ ବୋଲି ସମ୍ବାଦପତ୍ରରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ମାତ୍ର ଶଶୁର ଘରର ଲୋକମାନେ ବିଜ୍ଞାପନ ଅନୁସାରେ ପ୍ରତ୍ୟେକଟି ଜିନିଷକୁ ମିଳାଇ ନେବାବେଳେ ଦେଖିଛନ୍ତି ବ୍ରହ୍ମପୁରୀ ପାଟ ଓ ଭୁଷଣ୍ଡପୁର ବାସନ ତହିଁରେ ନାହିଁ । ବିଜ୍ଞାପନକୁ ମାନି ପୁଅ ବିବାହ ହୋଇଥିବାରୁ ଜ୍ଵାଇଁଘର ବ୍ୟକ୍ତିମାନେ ବାସନ୍ତୀ (ବୋହୁ) କୁ ଗଞ୍ଜଣା ଓ ଟାହୁଲୀ ଟାପରାରେ ଥଟ୍ଟା କରିଛନ୍ତି । ତୁଚ୍ଛାତିତୁଚ୍ଛ ଘଟଣାରେ ଝିଅଟି କଷ୍ଟପାଇବା ଓ ବାପାଙ୍କ ଯୌତୁକ ପ୍ରଦାନ ପାଇଁ ବିଜ୍ଞାପନ ପ୍ରକାଶ କରିବା ମୂଳରେ ଯୌତୁକବ୍ୟାଧିର ଯେଉଁ ନାରକୀୟ ଗୁଣ ସମାଜକୁ କଳୁଷିତ କରୁଛି, ଗୋଦାବରୀଶ ସେ ସମ୍ପର୍କରେ ସ୍ଵର ଉତ୍ତୋଳନ କରିଛନ୍ତି । ପାରିବାରିକ ସମସ୍ୟା ଏଠାରେ ବୃହତ୍ତର ଦୃଷ୍ଟି କୋଣରୁ ସାମାଜିକ ସମସ୍ୟାରେ ପରିଣତ । ଗାଳ୍ପିକ ଗୋଦାବରୀଶ ଏ ସମସ୍ତ ସମସ୍ୟାକୁ ସୂକ୍ଷ୍ମଭାବରେ ଅନୁଶୀଳନ କରି ଗଳ୍ପ-ରୂପ ପ୍ରଦାନ କରିଅଛନ୍ତି ଏବଂ ତାରି ମାଧ୍ୟମରେ ପାରିବାରିକ ଓ ସାମାଜିକ ସଂହତି ପାଇଁ ଦେଇଛନ୍ତି ପ୍ରେରଣା ।

ପ୍ରଣୟ ପ୍ରଧାନ ଗଳ୍ପ :–

ରିକ୍‌ସାବାଲା, ପ୍ରେମର ଉଚ୍ଛାସ, ସେବତୀର ଶବ, ପାଷାଣର ଭାଷା, ମିଳନ, ପ୍ରଗତି, କାଚ ବଜ୍ରକର ।

‘ରିକ୍ସାବାଲା’ ଗଳ୍ପରେ ମଦନ ଓ ଚମ୍ପା ସଞ୍ଜମ ଓ ପ୍ରେମବୋଧ ମଧ୍ୟରେ ସ୍ୱାର୍ଥ ଓ ଆତ୍ମପରିଚୟକୁ ମଧ୍ୟ ବଳି ଦେଇଛନ୍ତି । ଦାରିଦ୍ର୍ୟ ଓ ନିଷ୍ପେଷିତ ଜୀବନରେ ପାରିବାରିକ ମର୍ଯ୍ୟାଦାକୁ ପଛରେ ପକାଇ ଚମ୍ପା ମେହନ୍ତରାଣୀ ହୀରା ନାମରେ ଓ ମଦନା ରିକସାବାଲା ଭୀମା ଭୋଇ ଭାବରେ ପରସ୍ପରକୁ ଲୁଚାଇ କାର୍ଯ୍ୟ କରିଛନ୍ତି । ଉଭୟଙ୍କର ସାକ୍ଷାତ୍‍ ହୁଏ ସକାଳ ଓ ସଂଧ୍ୟାରେ ମାତ୍ର ଅଳ୍ପ ସମୟପାଇଁ । କଥାବାର୍ତ୍ତାର ବିଶେଷ ସୁଯୋଗ ନଥିଲେ ହେଁ ପରସ୍ପର ପ୍ରତି ଥିବା ଅକାଟ୍ୟ ପ୍ରେମ ଯୋଗୁଁ ପରିଣତି ଘଟିଛି ବିବାହରେ । ‘ପ୍ରେମର ଉଚ୍ଛାସ’ ଏକ ଦୀର୍ଘ ଗଳ୍ପ । ପ୍ରତିମା ଓ ମହେନ୍ଦ୍ରଙ୍କ ଉଚ୍ଛାସମୟ ଭାବ ଓ ତହିଁର ପରିପ୍ରକାଶ ପାଇଁ ଗୋଦାବରୀଶଙ୍କ ଭାଷା ହୋଇଛି ଏକମାତ୍ର ମାଧ୍ୟମ । ପ୍ରାଥମିକ ପର୍ଯ୍ୟାୟରେ ପ୍ରତିମା ଏହାର ଘୋର ବିରୋଧୀ ଥିଲେ ହେଁ ପରବର୍ତ୍ତୀ ସମୟରେ ତା’ର ମାନସିକ ପରିବର୍ତ୍ତନ ଘଟିଛି । ପ୍ରେମକୁ ଚିହ୍ନି ସେ ଚିହ୍ନାଇ ଦେବାକୁ ଚାହିଁଛି ଏହାର ମଧୁର ମୂର୍ଚ୍ଛନାକୁ । ‘ସେବତୀର ଶବ’ ଗଳ୍ପରେ ଦାରିଦ୍ର୍ୟ ଭିତରେ ରାମଚନ୍ଦ୍ର ଓ ସେବତୀର ଯେଉଁ ଅନାବିଳ ପ୍ରେମ, ବାସ୍ତବିକ ଗୋଦାବରୀଶଙ୍କ ପ୍ରେମ ଚେତନାର ନୈସର୍ଗିକ ଦ୍ୟୁତିକୁ ପ୍ରକାଶ କରିଥାଏ । ସେବତୀ ହୃଦୟର ଅବ୍ୟକ୍ତ ପ୍ରେମକୁ ଦେଖାଇବାକୁ ଯାଇ ନିଜ ଛାତିରେ ଛୁରୀର ଯେଉଁ ଆଘାତ କରିଥିଲା ଶେଷ ଜୀବନରେ କ୍ଷୁଧା ନିବାରଣ ପାଇଁ ଅନ୍ନଛତ୍ର ମଧ୍ୟରୁ ରାମଚନ୍ଦ୍ର ଛିଣ୍ଡା ଲୁଗା ଭେଦକରି ସେହି ଆଘାତ ଚିହ୍ନକୁ ଦେଖି ସେବତୀକୁ ଚିହ୍ନିପାରିଥିଲା । ସ୍ୱାମୀର ଛାତି ଉପରେ ସେବତୀ ଶେଷ ନିଶ୍ଵାସ ତ୍ୟାଗ କରିଥିଲା । ‘ପାଷାଣର ଭାଷା’ ପ୍ରେମଗଳ୍ପ ଭାବରେ ଯେମିତି, ଐତିହାସିକ ବୃତ୍ତରେ ସେମିତି ଏକ ନୂଆ ଭାବସମ୍ପନ୍ନ ଗଳ୍ପ । ଏକ ମର୍ମସ୍ପର୍ଶୀ ପରଣୟ ସ୍ନିଗଧ କାହାଣୀ ଏହାର ଆଧେୟ । ପ୍ରେମ ପାଇଁ ଆତ୍ମୋସ୍ୱର୍ଗ ସହିତ ଆଦର୍ଶ ବୋଧ ଏହାର ମୁଖ୍ୟ । ବିଦେଶିନୀ ଯୁବତୀକୁ ଶିଳ୍ପୀ ମଦନ ସହିତ ଏକ ଭାବମୟ ଜଗତରେ ମିଶାଇ ଦେଇଛନ୍ତି ଗାଳ୍ପିକ । ପାଷାଣ ଦେହରେ ଭାଷା ଫୁଟାଇ ଶିଳ୍ପୀ ମଦନ ନାୟିକାକୁ ଆକୃଷ୍ଟ କରାଇ ପାରିଥିବାରୁ ଗଳ୍ପଟିର ମହତ୍ୱ ବୁଝି ହୋଇଥାଏ । ‘ମିଳନ’ ଗୋଦାବରୀଶଙ୍କ ପ୍ରଥମ ଗଳ୍ପ ହୋଇଥିଲେହେଁ ତାଙ୍କ ମୃତ୍ୟୁର ଅନେକ ଦିନ ପରେ ଗ୍ରନ୍ଥାବଳୀର ଚତୁର୍ଥ ଖଣ୍ଡରେ ଗ୍ରନ୍ଥିତ । ‘ପ୍ରଗତି’ ଗଳ୍ପରେ ଇଂରାଜୀ ଭାଷା ମାଧ୍ୟମରେ ଗାଳ୍ପିକ କଟୁକ୍ତି କରିଛନ୍ତି । ସହରୀ ଜୀବନ ପାଇଁ ଯେଉଁ ଭ୍ରାନ୍ତ ମୋହ ପ୍ରକାଶ ପାଉଛି ତା ପ୍ରତି ମଧ୍ୟ ଏଥିରେ ଅଛି ବିଦ୍ରୂପ । ଗୋଦାବରୀଶରଙ୍କ ଭାଷାରେ ଇଂରାଜୀ ବିଦ୍ୟାର ଗୋଟେ ସମ୍ମୋହନୀ ଶକ୍ତି ଅଛି । ସହରୀ ସଭ୍ୟତାରେ ଇଂରାଜୀ ଭାଷାର ପ୍ରଚଳନ ଗ୍ରାମ୍ୟ ମାନସିକତାକୁ ନଷ୍ଟ କରୁଛି । ଏଣୁ ଇଂରାଜୀ ପ୍ରେମରେ ପଡ଼ି ଯେଉଁମାନେ ଦୁଇପଦ କଥାବାର୍ତ୍ତା କରି ହୃଦୟ ସହିତ ହୃଦୟର ଅଚ୍ଛେଦ୍ୟ ମିଳନ କରୁଛନ୍ତି ସେମାନେ ମଧ୍ୟ ଶରବ୍ୟ ହୋଇଛନ୍ତି ଗାଳ୍ପିକଙ୍କ ଲେଖନୀରେ । ଗଳ୍ପ ମାଧ୍ୟମରେ ସିଧାସଳଖ ସମାଲୋଚନା ଗୋଦାବରୀଶ ପ୍ରଥମେ ଏଥିରେ ହିଁ କରିଛନ୍ତି । ଇଂରାଜୀ ଶିକ୍ଷା କେବଳ ପ୍ରଗତିର ନିଦର୍ଶନ ନୁହେଁ । ଏହା ମାଧ୍ୟମରେ ନୂତନ ବସ୍ତୁବାଦୀ ସଭ୍ୟତାର ସର୍ବଗ୍ରାସୀ କ୍ଷୁଧାକୁ ଗାଳ୍ପିକ ମଧ୍ୟ କରିଛନ୍ତି ସମାଲୋଚନା । ‘କାଚ ବଜ୍ରକର’ ଗଳ୍ପରେ ରହିଛି ଭାରତୀୟ ନାରୀର ସ୍ୱାମୀ ପ୍ରତି ଆନ୍ତରିକ ପ୍ରେମ ଓ ଆତ୍ମୋତ୍ସର୍ଗର କାହାଣୀ । ଶାନ୍ତିଦେବୀ ଓ କିଶୋରବାବୁଙ୍କର ବିବାହରେ ଉଭୟଙ୍କର ସୌନ୍ଦର୍ଯ୍ୟତୃଷ୍ଣା, ଅତୃପ୍ତବାସନା ଓ ଅନନ୍ତ ଆକାଂକ୍ଷାର ଘଟିଛି ଅବସାନ । ଖାନ୍‌ଦାନ୍‌ ଘରର ସନ୍ତାନ ଭାବେ କିଶୋରବାବୁ ବାଘଶିକାର କରିବାକୁ ଯାଇ ରକ୍ତାକ୍ତ ଓ ବିବର୍ଣ୍ଣ ହୋଇ ଫେରିଛନ୍ତି । ପତିଙ୍କୁ ପରମେଶ୍ୱର ବିବେଚନାକରି ଶାନ୍ତିଦେବୀ ତାଙ୍କର ସେବା ଶୁଶ୍ରୁଷା କରିଛନ୍ତି ଅହର୍ନିଶ । ମୁହଁରେ ମଲମମାରି, ଆଖିରେ ଔଷଧ ପକାଇ ସ୍ଵାମୀଙ୍କୁ ଭଲ କଲେ । କିଶୋରବାବୁ ପୁନରାୟ ସ୍ଵାସ୍ଥ୍ୟ ଓ ଦିବ୍ୟଲୋଚନ ଲାଭକଲେ। କିନ୍ତୁ ଶାନ୍ତିଦେବୀ ସ୍ଵାମୀଙ୍କର ସେବା ଶୁଶ୍ରୁଷା କରିକରି ନିଜର ଆଖି ଦୁଇଟିକୁ ହରାଇବସିଲେ । ଏହା ସତ୍ତ୍ୱେ ଶାନ୍ତିଦେବୀ ତିଳେମାତ୍ର ଦୁଃଖ ନକରି କହିଛନ୍ତି, ‘ମୋର ବାହାରର ଦୃଷ୍ଟି ଚାଲିଗଲା, କ୍ଷତି ହୋଇନାହିଁ କିଛିତ ! ଏଣିକି ମୁଁ ତୁମକୁ ଅର୍ନ୍ତଦୃଷ୍ଟିରେ ଦେଖିବି, ପ୍ରିୟତମ ଧ୍ୟାନମଗ୍ନହୋଇ ତୁମର ପୂଜା କରିବି ।’ (ଗୋଦାବରୀଶ ଗ୍ରନ୍ଥାବଳୀ, ୨ୟ ଖଣ୍ଡ, ପୃଷ୍ଠା-୧୫୭) ଯେଉଁ ସ୍ତ୍ରୀ ସ୍ୱାମୀକୁ ଦେବତା ମନେକରି ସେବା କରୁଥିଲା ଓ ସ୍ୱାମୀର ଆରୋଗ୍ୟ ପାଇଁ ନିଜକୁ ତିଳତିଳ କରି ଆହୁତି ଦେଉଥିଲା ସେହି ସ୍ତ୍ରୀ ଚକ୍ଷୁ ନଷ୍ଟ ହୋଇଯିବାରୁ ସ୍ଵାମୀ ଦ୍ଵାରା ହୋଇଛି ଉପେକ୍ଷିତା । ତଥାପି ଘୋଷାରି ହୋଇ ସେ ସ୍ୱାମୀଙ୍କ ଅଧିକାଂଶ କାମ କରିଦିଅନ୍ତି । କିନ୍ତୁ କିଶୋର ବାବୁଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତା ଶାନ୍ତି ଦେବୀ ଆତ୍ମୋତ୍ସର୍ଗର ଚରମ ସୀମାରେ ପହଞ୍ଚି ନିଜକୁ ଅବାଞ୍ଛିତ ମନେକରି ସ୍ଵାମୀଙ୍କ ସୁଖସଂସାର ପାଇଁ ତାଙ୍କୁ ପୁନର୍ବିବାହ କରିବାକୁ ଅନୁରୋଧ ଓ ଅନୁମତି ଦିଅନ୍ତି ଓ ଭବିଷ୍ୟତରେ ଅଶାନ୍ତି ଆଶଂକା କରି ଗୃହତ୍ୟାଗ କରନ୍ତି । କଲ୍ୟାଣୀଦେବୀ ଶାନ୍ତିଦେବୀଙ୍କ ସ୍ଥାନ ପୂରଣ କରିନପାରି ତାଙ୍କୁ ଖୋଜିବାରେ ଲାଗନ୍ତି ଓ ଭେଟନ୍ତି ଜଗନ୍ନାଥ ମନ୍ଦିରରେ । ସେଠାରେ ଶାନ୍ତିଦେବୀ ନିଜ ସ୍ଵାମୀ ମଙ୍ଗଳକାମନାରେ ବ୍ରତୀ ଥାଇ କଲ୍ୟାଣୀଦେବୀଙ୍କ କାଚବଜ୍ର କରିବାକୁ ନିବେଦନ କରୁଥିଲେ ଅଶ୍ରୁର ନୈବେଦ୍ୟରେ । କଲ୍ୟାଣୀଦେବୀଙ୍କ ସହିତ ସାକ୍ଷାତ୍‍ ହେବାପରେ ଶାନ୍ତିଦେବୀ କିଶୋରବାବୁଙ୍କ ଅଶାନ୍ତି କଥା ଶୁଣି ମୂର୍ଚ୍ଛା ଯାଆନ୍ତି ଓ ସେହି ବଡ଼ ଏକାଦଶୀ ଦିନ ଶ୍ରୀମନ୍ଦିରରେ ହୁଏ ତାଙ୍କର ତିରୋଧାନ । ପ୍ରେମ ଓ ତ୍ୟାଗର ଏଭଳି ମୂର୍ତ୍ତିମନ୍ତ ପ୍ରତୀକ ଗୋଦାବରୀଶଙ୍କ ଲେଖନୀକୁ କରିଛି ସାର୍ଥକ ।

ରାଜନୀତିକ ଚେତନାଧର୍ମୀ ଗଳ୍ପ :–

ବନ୍ଦୀ, ଅନଛତ୍ର, ପୋଲ ଉନ୍ମୋଚନ, ରାଜଭାଗ, ସାନ୍ତ୍ୱନା, ବାଁ-ଡାହାଣ, ପରିଚୟ ।

ଏ ଗଳ୍ପ ଗୁଡ଼ିକର ଏକ ବଳିଷ୍ଠ ଅଂଗ ରାଜନୀତିକ ଓ ପ୍ରଶାସନିକ ବ୍ୟବସ୍ଥା ପ୍ରତି ତିର୍ଯ୍ୟକ ଦୃଷ୍ଟି । ଗାଳ୍ପିକ ଅଙ୍ଗେ ଲିଭାଇଥିଲେ ସ୍ଵାଧୀନତା ପାଇଁ ବ୍ୟାକୁଳ ଥିବା ଦେଶବାସୀ ମାନଙ୍କ ଜୀବନ-ଉତ୍ସର୍ଗକୁ ଓ ସମକାଳର ସ୍ଵାର୍ଥପରମାନଙ୍କୁ । ସ୍ଵାଧୀନତା ପୂର୍ବର ନିର୍ଯ୍ୟାତିତମାନେ ପୂର୍ବଭଳି ଅଛନ୍ତି ମାତ୍ର ରାଜନୀତିକ ଦଳର ସୁବିଧାନେଇ କେତେଜଣ ତାଙ୍କରି ଭିତରୁ ପଦସ୍ଥ ଅଧିକାରୀ ପୋଲିସ, ଡ଼େପୁଟି ମାଜିଷ୍ଟ୍ରେଟ୍‌, ଜଜ୍‌ହୋଇ ବିଦେଶୀଙ୍କର ପଦଲେହନ କରୁଛନ୍ତି । ସ୍ଵାଧୀନତା ପୂର୍ବରୁ ଶୋଷକଗୋଷ୍ଠୀ ସ୍ଵାଧୀନତା ପରେ ନୂଆ ରୂପରେ ହେଲେ ଆବିର୍ଭୂତ । ଫଳରେ ରାଜନୀତି ହୋଇ ଯାଇଥିଲା କଳୁଷିତ । ‘ବନ୍ଦୀ’ ଗଳ୍ପରେ ଏହିଭଳି ପୁଲିସଙ୍କ ଦୁର୍ନୀତି ସମ୍ପର୍କରେ ଗୋଦାବରୀଶ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଗଳ୍ପଟିର ନାୟକ ନୀଳାମ୍ବରବାବୁ ଶିକ୍ଷିତ ଓ ସମାଜସେବୀ । ସେ ପୋଲିସଙ୍କ ଦୁର୍ନୀତି ସଂପର୍କରେ ଉପର ଅଫିସରଙ୍କୁ ଜଣାଇଲେ ମଧ୍ୟ କୌଣସି କାମ ହେଇନି, ପରିଣତିର ଦାରୋଗାବୁ ତାଙ୍କୁ ଦୁଶ୍ଚରିତ୍ର ଭାବରେ ପ୍ରମାଣ କରାଇ ଜେଲ୍‌ ପଠାଇଛନ୍ତି । ସତ୍ୟର ପ୍ରତିଷ୍ଠା ପାଇଁ ଗାଳ୍ପିକ ତାଙ୍କୁ ଦୁଶ୍ଚରିତ୍ର ଭାବରେ ପ୍ରମାଣ କରାଇ ଜେଲ୍‌ ପଠାଇଛନ୍ତି । ସତ୍ୟର ପ୍ରତିଷ୍ଠା ପାଇଁ ଗାଳ୍ପିକ ତାଙ୍କୁ ନିର୍ବାଧରେ ମୁକ୍ତି କରାଇଛନ୍ତି । ବିପୁଳ ଜନତା ତାଙ୍କ ଆଦର୍ଶ ଓ ସଚ୍ଚୋଟତାରେ ମୁଗ୍ଧ ହୋଇ ତାଙ୍କୁ ସ୍ଵାଗତ ସମ୍ଭାଷଣ କରିଛନ୍ତି । ଅନ୍ଧ ଶାସନର କୁପରିଣତିକୁ ସମାଲୋଚନା କରିଛନ୍ତି ଗୋଦାବରୀଶ । ‘ଅନ୍ନଛତ୍ର’ ୧୯୪୩ ମସିହାର ଦୁର୍ଭିକ୍ଷ ଉପରେ ପର୍ଯ୍ୟବସିତ ଗଳ୍ପ । ସେହିବର୍ଷ ଓଡ଼ିଶା ଓ ବଂଗଳାରେ ଦୁର୍ଭିକ୍ଷ ପଡ଼ିଛି । ସରକାରୀ କର୍ମଚାରୀମାନେ ଇଂରେଜ ଅଫିସରଙ୍କୁ ଖୁସି କରିବା ପାଇଁ ବ୍ୟସ୍ତ । ଓଡ଼ିଶାର ଲୋକ ଖାଇବାକୁ ନପାଇ ପୋକ ମାଛି ପରି ମରୁଛନ୍ତି । ଭୋକ ବିକଳରେ ପେଟର କ୍ଷୁଧା ନିବାରଣ ପାଇଁ ମଣିଷ ଠାରୁ ଦୁରେଇଯାଇ କୁକୁର ସହିତ ଖଲି ଚାଟୁଛି । ଦୁର୍ନିତୀଗ୍ରସ୍ତ ବ୍ୟବସାୟୀ ଦଳ ଧର୍ମନାମରେ ଆଖିଠାର ମାରି ଅନ୍ନଛତ୍ରମାନ ଖୋଲିଛନ୍ତି ଓ ସ୍ଵଦେହରେ ସ୍ୱର୍ଗକୁ ଯିବାପାଇଁ ଦୟାର ଅବତାର ଭାବରେ ଧର୍ମଶାଳାମାନ କରାଇଛନ୍ତି । ଏଭଳି ବିରୋଧାଭାସକୁ ଗାଳ୍ପିକ ବ୍ୟଙ୍ଗ କରିଛନ୍ତି । ରାଜନୀତିକ ନେତାମାନଙ୍କର ଦୁର୍ନୀତି ଓ ଶୋଷକମାନଙ୍କ ଅତ୍ୟାଚାରରେ ଓଡ଼ିଶାରେ ଏଭଳି ବିପଦ ଦେଖାଦେଇଛି ବୋଲି ଗୋଦାବରୀଶ କହିଛନ୍ତି । ‘ପୋଲ ଉନ୍ନୋଚନ’ ରାଜନୀତିକ ଓ ପ୍ରସାଶନିକ ଦୁର୍ବଳତା ଓ ଦୁର୍ନୀତିର ଏକ ବାସ୍ତବ ଆଲେଖ୍ୟ । ଏଥିରେ ଅଛି ମନ୍ତ୍ରୀଙ୍କ କ୍ଷମତା ମଦମତ୍ତ ଅହଂକାର ପ୍ରତି ତିର୍ଯ୍ୟକ ଦୃଷ୍ଟି, ଇଂଜିନିୟରମାନଙ୍କ ଦୁର୍ନୀତି ଓ କଣ୍ଟ୍ରାକ୍ଟରମାନଙ୍କର ସେଚ୍ଛାଚାରିତା ପ୍ରତି ବ୍ୟଙ୍ଗୋକ୍ତି । ମନ୍ତ୍ରୀ ବିପୁଳ ସମାବେଶ ମଧ୍ୟରେ ପୋଲ ଉନ୍ମୋଚନ ପାଇଁ ଯାଇଛନ୍ତି । ଜିଲ୍ଲା ବୋର୍ଡ ସଭାପତି ତାଙ୍କୁ ସ୍ଵାଗତ କରିନେବା ପରେ ପରିଚୟ ପ୍ରଦାନ କରି ଅନୁରୋଧ କରିଛନ୍ତି ଉଦ୍‌ଘାଟନ ପାଇଁ । ସୁସଜ୍ଜିତ ତୋରଣ ମଧ୍ୟରୁ ମନ୍ତ୍ରୀ ରୂପାଥାଳିରୁ ସୁନା କତୁରୀ ନେଇ ଯେଉଁ ପୋଲଟି ଉଦ୍‍ଘାଟନ କଲେ ତାହା ଜନତାଙ୍କ ଆଶାକୁ ତ ପୂରଣ କଲାନାହିଁ, ବରଂ ଉନ୍ମୋଚନ ପରେ ତାହା ପାଣି ସୁଅରେ ଭାସିଗଲା । ଚାରିଥର ଭାସି ଯାଇଥିବା ପୋଲ ପଞ୍ଚମ ଥରପାଇଁ ମଧ୍ୟ ଭାସିଗଲା । ହେଲେ ଇଂଜିନିୟରଙ୍କ ପ୍ରମୋଶନ ଓ ମନ୍ତ୍ରୀଙ୍କ ଅର୍ଥଲାଭ ବଳବତ୍ତର ରହିଲା । ଗାଳ୍ପିକ ଏଥିରେ କ୍ଷମତା ର।ଜନୀତିର ବ୍ୟର୍ଥତା ଓ ଅନ୍ତଃସାର ଶୂନ୍ୟତ।କୁ ଦର୍ଶାଇଛନ୍ତି । ‘ରାଜଭାଗ’ ଗଳ୍ପରେ ସ୍ଥାନ ପାଇଛି ଶୋଷକ ଓ ଶୋଷିତର ଜୀବନ ଚିତ୍ର । ରାଜଭାଗ ଦେଇ ନପାରି ମୂଳ କଳନ୍ତରର ସୁଧରେ ଗରିବ କଣିଆ ଓ ଉମାକୁ ସାହୁକାର ଶୋଷଣ କରିଛି । ପୂର୍ବପୁରୁଷରୁ ଗଢ଼ି ଆସୁଥିବା ଓଜନର ଭାର ଏମାନଙ୍କର ବର୍ଷକୁ ବର୍ଷ ଅଧିକ ହେଉଛି ସିନା, କମୁନାହିଁ ମୋଟେ । ସମାଜର ସହାନୁଭୂତି ନପାଇ ରାଜଭାଗ ଦେବାରେ ଉଣା କରିନାହାନ୍ତି ଏମାନେ । ‘ସାନ୍ତ୍ୱାନା’ ଗଳ୍ପରେ ଅଛି ବୁଢ଼ୀ ମାଆର ଛେଉଣ୍ଡ ନାତି ପ୍ରତି ଦରଦ ଓ ସହାନୁଭୂତି । ନାତିର ଉନ୍ନତି ପାଇଁ ଡାକବଂଗଳା ବାବୁଙ୍କୁ ପାଚିଲା ବେଲଟିଏ ଦେଇ ଅନୁରୋଧ କରିଛି । ଉପରିସ୍ଥ ଅଫିସର ତାକୁ ଜୋରିମାନାରେ ପକାଇଛନ୍ତି । ଗଳ୍ପରେ ଉପରିସ୍ଥ ହାକିମମାନଙ୍କର ଅଂଧ ହାକିମାତି ପ୍ରଦର୍ଶିତ । ଶାସନତନ୍ତ୍ରର ଅନ୍ୟାୟ ଅନୀତିରେ ରାଜନୀତିକ ନେତା ମାନଙ୍କର ହସ୍ତକ୍ଷେପ ଯୋଗୁଁ ମଧ୍ୟ ଗଳ୍ପଟି ହୋଇଛି ବାସ୍ତବିକ ହୃଦୟସ୍ପର୍ଶି । ଗଳ୍ପଟିରେ ସ୍ଵଳ୍ପ ବେତନଭୋଗୀ ମଦନାର ବୁଢ଼ାପ୍ରତି ପ୍ରକାଶ ପାଇଥିବା ସମବେଦନା ଭିନ୍ନଧରଣର । ବୁଢ଼ୀକୁ ଜୋରିମାନାରୁ ରକ୍ଷା କରିବାପାଇଁ ସେ ଦେଇଛି ଏକ ଟଂକା । ଏଣୁ କୁହାଯାଇପାରେ ଗରିବ ଶୁଣିଛି ଗରିବର ଡାକରା, ବୁଝିଛି ହୃଦୟର ବେଦନା । ଦାରିଦ୍ର୍ୟର କଷାଘାତରେ ମଧ୍ୟ ସ୍ନେହମମତାର ସୂର୍ଯ୍ୟାଲୋକ ଚତୁର୍ଦିଗକୁ ବିଚ୍ଛୁରି ଯାଇଛି । ଏହା ଅନୁମେୟ ଯେ, ଗୋଦାବରୀଶଙ୍କ ବ୍ୟକ୍ତିଗତ ଜୀବନର ଅନୁଭୂତି ଓ ପାରିବାରିକ ମମତା ଗଳ୍ପର ଅନ୍ତର୍ବାଣୀ । ଲେଖକ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ‘ଦୁଃଖୀ ଘରର କରୁଣ କାହାଣୀ କିଏ କହି ପାରିବ ? ବଡ଼ ବଡ଼ ଘରେ ବାପା, ମାଆ, ଭାଇ, ଭଉଣୀ ପୁଅ ଝିଅଙ୍କ ଭିତରେ ସ୍ନେହ ବନ୍ଧନଟା ଏକେତ ମୋଟା, ତାପରେ ପୁଣି ହୁଏତ ସହଜରେ ନଛିଣ୍ଡିବା ଭଳି ସୁନା ରୂପା ତାରରେ ଗଢ଼ା । ଦରିଦ୍ରର ପରିବାରରେ ପରସ୍ପରକୁ ବାନ୍ଧି ରଖିବା ନିମନ୍ତେ ଥାଏ ବଡ଼ଜୋର ଖିଏ ପାଳ । ଖାଇବା ବସିବା ଶୋଇବା କଥାକହିବା ସବୁଥିରେ ସେହି ପାଳ ଖିଏଟି ମାନ ଅଲଗା ଅଲଗା ରହିଥାଏ, ମାତ୍ର ତାର ସମଷ୍ଟି ଟା ଏତେ ବେଶି ଯେ, ସେଥିରେ ଗୋଟିଏ ବଡ଼ ମୋଟା ଦଉଡ଼ି ବଳି ହେବ ।’ (ଗୋଦାବରୀଶ ଗନ୍ଥାବଳୀ, ୧ମ ଖଣ୍ଡ, ପୃଷ୍ଠା-୪୪), ‘ବାଁ ଡାହାଣ’ ଗଳ୍ପଟିରେ ଦୁଇଜଣ ବ୍ୟକ୍ତିଙ୍କର ଉଭୟ ଉଭୟଙ୍କୁ ସନ୍ଦେହ ଓ ଅର୍ଥଲିପ୍‌ସା ମଧ୍ୟରେ ବିଶୁଦ୍ଧ ହାସ୍ୟରସ ପରିବେଷିତ । ଭୁବନେଶ୍ୱର ନିକଟର ବାଳକାଟି, ଖଣ୍ଡଗିରି ଆଦି ସ୍ଥାନର ନାମରୁ ଜଣାଯାଏ ଏହା ଲାଭଖୋର ଗୋଷ୍ଠୀ, ସରକାରୀ କର୍ମଚାରୀ ଓ ଆଧୁନିକ ଇଂରାଜୀ ଶିକ୍ଷା ସଭ୍ୟତାକୁ ବ୍ୟଙ୍ଗକରେ । ‘ପରିଚୟ’ରେ ବନ୍ୟା ପୀଡ଼ିତ ଲୋକମାନଙ୍କର ଦୁର୍ଦ୍ଦଶା, ସେବା ଭିତରେ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱର ହୋଇଛି ରୂପାୟନ । ଦେଶ ମାତୃକାର ସେବା ପାଇଁ ତାଙ୍କ ତ୍ୟାଗକୁ ବର୍ଣ୍ଣନା କରିବା ସହିତ କେତେଜଣ ଯୁବକ ତାଙ୍କୁ ତୁଳନା କରିଛନ୍ତି ଅନ୍ୟ ଭାରତୀୟଙ୍କ ସହିତ । ଗୋପବଂଧୁଙ୍କୁ ରାଜନୀତିକ ନେତା, ସେବାପରାୟଣ ବ୍ୟକ୍ତିତ୍ୱ ଭାବରେ ଗଳ୍ପରେ ସ୍ଥାନ ଦେଇ ଗୋଦାବରୀଶ କହିବାକୁ ଚାହିଁଛନ୍ତି ଯେ, ନିଃସ୍ଵାର୍ଥ ସେବା ଯୋଗୁଁ ସେ ହୋଇ ପାରିଥିଲେ ଓଡ଼ିଶାର ଜନନାୟକ । ବର୍ତ୍ତମାନର ରାଜନୀତିକ ବ୍ୟକ୍ତିଗଣ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର ।

ଚରିତ୍ର ପ୍ରଧାନ ଗଳ୍ପ :–ବରଯାତ୍ରୀ, ବଡ଼ପୁଅ ଓ ବିଦାୟ ।

‘ବରଯାତ୍ରୀ’ ଗଳ୍ପରେ ବନମାଳୀ ଚରିତ୍ରର ତ୍ୟାଗ ଓ ମାନବିକତା ପ୍ରଦର୍ଶିତ । ପିତୃ ମାତୃ ପରିଚୟ ହୀନ ବନମାଳୀ ବରଯାତ୍ରୀ ଭାବରେ କନ୍ୟାପିତା ବ୍ରଜବନ୍ଧୁଙ୍କ ଘରେ ଶୂନ୍ୟସ୍ଥାନ ପୂରଣ କରିଛି । ବ୍ରଜବନ୍ଧୁଙ୍କ ସ୍ନେହ ଆଦରର ପାତ୍ର ହୋଇ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇ ବିବାହ ବନ୍ଧନର ସ୍ୱପ୍ନ ଦେଖିବା ବେଳେ ବ୍ରଜବନ୍ଧୁଙ୍କ ଜ୍ଵାଇଁ ହରିହରଙ୍କୁ ନିଜ ବାଗ୍‌ଦତ୍ତା ପତ୍ନୀକୁ ବିବ।ହ କରାଇ ସମସ୍ତ ସମ୍ପତ୍ତି ତାଙ୍କ ନାମରେ ଉଇଲ୍‌କରି ନିଖୋଜ ହୋଇଯାଇଛନ୍ତି ସେ । ବନମାଳୀ ଚରିତ୍ର ଉଦାହରଣୟ ହୋଇ ରହିଯାଇଛି ସମାଜ ପାଇଁ । ‘ବଡ଼ପୁଅ’ ଗଳ୍ପରେ ଅଛି ମର୍ମସ୍ପର୍ଶୀ କରୁଣ ଜୀବନର ଚିତ୍ର । ଅପୁତ୍ରିକ ନଟବର ପୋଷ୍ୟପୁତ୍ର କରିଆଣିଲେ କୃଷ୍ଣକୁ ମାତ୍ର ପରେ ତାଙ୍କର ଏକପୁତ୍ର ଜନ୍ମ ହୋଇଛି । ଏହାପରେ ବିମାତାହ୍ୱର କୃଷ୍ଣ ଉପରେ ବଢ଼ିଛି ଅତ୍ୟାଚାର । ଅନନ୍ୟୋପାୟ ନଟବର ନୀରବ ଦ୍ରଷ୍ଟା ହୋଇ ସବୁ ସହିଗଲେ, ମାତ୍ର କୃଷ୍ଣ ଗୃହତ୍ୟାଗ କଲା । ବିମାତାଙ୍କ ପୁତ୍ର କୌଣସି ଏକ ଭିକାରୀକୁ ହତ୍ୟା କରିଥିବା ଓ ସେଥିପାଇଁ ଫାଶୀପାଇବାକୁ ଯାଉଥିବା ଜାଣି କୃଷ୍ଣ ସେଠାରେ ଉପସ୍ଥିତ ରହି ନିଜେ ଦୋଷ ସ୍ଵୀକାର କରି ଫାଶି ପାଇଛି । ପୋଷ୍ୟପୁତ୍ରର ଆତ୍ମୋତ୍ସର୍ଗରେ ଯେଉଁ ସ୍ଵର୍ଗୀୟ ମାନବିକ ମହିମା ପ୍ରକଟିତ ତାହା ଅନନ୍ୟ । ଗୋଦାବରୀଶ ନିଜ ପରିବାରରେ ଏହାକୁ ପ୍ରତ୍ୟକ୍ଷ କରିଥିବେ । ତାଙ୍କ ବାପାଙ୍କ ପୋଷ୍ୟପୁତ୍ର ଘଟଣା ଓ ତାଙ୍କ ତ୍ୟାଗ, ଉଦାରତା, ଗୋଦାବରୀଶଙ୍କୁ ଏ ଗଳ୍ପ ରଚନା ପାଇଁ ପ୍ରେରଣା ଦେଇଥିବ ନିଶ୍ଚୟ । ‘ବିଦାୟ’ ଗଳ୍ପରେ ଚାରିବନ୍ଧୁଙ୍କ ବାଲ୍ୟ ସ୍ମୃତିର ବର୍ଣ୍ଣନା ରସୋତ୍ତୀର୍ଣ୍ଣ । ଉତ୍ତୀର୍ଣ୍ଣ ବୟସରେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ମନେପକାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସମୟ ତାଙ୍କୁ ଦୁରଯାଗାକୁ ପଠାଇଦେଇ ବିଦାୟ ଦେଇଛି । ପରବର୍ତ୍ତୀ ସମୟରେ ଚିଠି ପତ୍ର ମଧ୍ୟରେ ନିଜ ବନ୍ଧୁ ବାନ୍ଧବଙ୍କ ସମ୍ପର୍କରେ ଜାଣିପାରି ଆନନ୍ଦିତ ହେବାବେଳକୁ ତାଙ୍କର ସମୟ ନାହିଁ । ଚାରୋଟି ଚରିତ୍ରର ଗୁଣାଦର୍ଶ ଓ ସାମାଜିକ ସଂପ୍ରୀତି ଗପଟିକୁ କରିଛି ପ୍ରତିନିଧି ସ୍ଥାନୀୟ । ଉତ୍ତୀର୍ଣ୍ଣ ବୟସରେ ରଚିତ ଗଳ୍ପଟିରେ ଗାଳ୍ପିକଙ୍କ ବ୍ୟକ୍ତିଗତ ଅନୁଭୂତି ପ୍ରସ୍ଫୁଟିତ ପରି ମନେହୁଏ ।

ଗୋଦାବରୀଶଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ଘଟଣା ପ୍ରଧାନ । ଘଟଣା ମଧ୍ୟରେ ଚରିତ୍ରର ହୋଇଛି ସମାବେଶ ଓ ତତ୍‌ପରେ ଗଳ୍ପ ହୋଇଛି ଗତିଶୀଳ । ଅଧିକାଂଶ ଗଳ୍ପ ଦୀର୍ଘ ହୋଇଥିଲେ ମଧ୍ୟ ପାଠକୀୟ ଉତ୍କଣ୍ଠା ରକ୍ଷାରେ ବ୍ୟାହତ ନୁହେଁ । ବରଂ ଗାଳ୍ପିକ ପ୍ରଥମେ କବିତା ଲେଖୁଥିବାରୁ ତାଙ୍କ ଗଳ୍ପରେ ଦେଖିବାକୁ ମିଳେ କାବ୍ୟିକ ଭାଷା, ଯାହା ଭାବ ପ୍ରକାଶରେ ହୋଇଛି ଏକାନ୍ତ ସମର୍ଥ-। ଗୋଦାବରୀଶଙ୍କ କୌଣସିଟି ଗଳ୍ପ ଆତ୍ମପ୍ରଚାରଧର୍ମୀ ନୁହେଁ । ଏଥିରେ ଅଛି କଳା, ଧର୍ମ ଓ ଜୀବନର ଅମୃତବାଣୀ । ଲେଖକଙ୍କ ଆନ୍ତରିକତାରୁ ପ୍ରତ୍ୟେକଟି ଗଳ୍ପ ହୋଇପାରିଛି ଜୀବନ୍ତ । ଗଳ୍ପର ବିଷୟବସ୍ତୁ ଓ ଚରିତ୍ରମାନେ କାଳ୍ପନିକ ହେଲେ ମଧ୍ୟ ଗୋଦାବରୀଶଙ୍କର ଲେଖନୀ ମୁନରେ ହୋଇ ପାରିଛନ୍ତି ପ୍ରାଣଧର୍ମୀ ଓ ଚଳଚଞ୍ଚଳ । ଆଙ୍ଗିକ ପରିପାଟ୍ଟୀରେ ପ୍ରତ୍ୟେକ ଗଳ୍ପ କେତୋଟି ଉପବିଭାଗରେ ବିଭକ୍ତ, ଅଥଚ ପ୍ରତ୍ୟେକ ବିଭାଗ ମଧ୍ୟରେ ଅଛି ଭାବଗତ ଐକ୍ୟ । ଆରମ୍ଭ ଓ ପରିଣତିକୁ ଆଧାରକରି ରଚିତ ହୋଇଥିବାରୁ ଫକୀରମୋହନୀୟ ବର୍ଣ୍ଣନା ବୈଚିତ୍ର ପରିଲକ୍ଷିତ । ପ୍ରତ୍ୟେକ ଗଳ୍ପରେ ଅଛି ଗୋଟିଏ ଲେଖାଁ ମୁଖ୍ୟ ଭାବ କେନ୍ଦ୍ର ଓ ଏହାକୁ ପ୍ରସାରଣଶୀଳ କରିବାପାଇଁ ଗାଳ୍ପିକ ଖଞ୍ଜି ଦେଇଛନ୍ତି କେତୋଟି ମନଛୁଆଁ ପରିବେଶ । ପରିବେଶକୁ ଜୀବନ୍ତ ଓ ବାସ୍ତବ କରିବାକୁ ପ୍ରୟୋଗ କରାଯାଇଛି ପାତ୍ରମୁଖୀ ଭାଷା । ଗ୍ରାମ୍ୟ ଚରିତ୍ରଙ୍କ ନିକଟରେ ଗ୍ରାମ୍ୟ ଓ ସହରୀ, ସଭ୍ୟ ଶିକ୍ଷିତଙ୍କ ମୁହଁରେ ଅଭିଜାତ ଭାଷା ଦେଇ ଗଳ୍ପଗୁଡ଼ିକୁ କରିଛନ୍ତି ସୌକୁମାର୍ଯ୍ୟମଣ୍ଡିତ । ବ୍ୟାସକବି ଫକୀରମୋହନ ସେନାପତିଙ୍କ ପରେ ଗୋଦାବରୀଶ ମିଶ୍ର ଯେ ତାଙ୍କର ପରିପୂରକ ଭାବରେ ଓଡ଼ିଆ ଗଳ୍ପ ଜଗତରେ ପ୍ରତିଷ୍ଠିତ, ଏହା ତାଙ୍କର ଗଳ୍ପ ପ୍ରମାଣିତ କରିଥାଏ ।

Image

 

ଷଷ୍ଠ ପରିଚ୍ଛେଦ

ଔପନ୍ୟାସିକ ଗୋଦାବରୀଶ

 

୧୮୮୮ ମସିହାରେ ଓଡ଼ିଆ ଉପନ୍ୟାସର ଜନ୍ମ । ଏହା ପରଠାରୁ ପ୍ରାୟ ବାର ବର୍ଷ ଭିତରେ ଯେତେ ଉପନ୍ୟାସ ଲିଖିତ, ମୂଳତଃ ସେଗୁଡ଼ିକ ଐତିହାସିକ ରୋମାନ୍ସଧର୍ମୀ ଥିଲା । ଘଟଣାରେ କାଳ୍ପନିକତା ଓ ନାୟକ ନାୟିକାଙ୍କ ଅବାସ୍ତବ ଉପସ୍ଥିତି ଉପନ୍ୟାସଗୁଡ଼ିକୁ କେବଳ କୌତୁକ ପ୍ରଦାନ କରିଥିଲା । ରାଜା ତଥା ଜମିଦାରଙ୍କ ଜୀବନାଲେଖ୍ୟ ଏଗୁଡ଼ିକରେ ପ୍ରକାଶ ପାଇଥିବାରୁ ସାଧାରଣ ଜନମାନସକୁ ଏଗୁଡ଼ିକ ଛୁଇଁ ପାରି ନଥିଲା । ମାତ୍ର ଫକୀରମୋନଙ୍କଠାରୁ ଉପନ୍ୟାସ ପାଇଲା ଏକ ନୂଆ ରୂପ । ପରବର୍ତ୍ତୀ ସମୟରେ ଅଧିକାଂଶ ଔପନ୍ୟାସିକ ଫକୀରମୋହନଙ୍କୁ ଅନୁସରଣ କରି ଉପନ୍ୟାସ ରଚନା କରିଛନ୍ତି । ଫକୀରମୋହନଙ୍କ ସମକାଳରେ ଗୋଦାବରୀଶ ଜଣେ କବି ଭାବରେ ଖ୍ୟାତି ଲାଭ କରିଥିଲେ, ମାତ୍ର ଉପନ୍ୟାସ ଲେଖାରେ ମନୋନିବେଶ କରି ସାର୍ଥକ ଶିଳ୍ପୀର ଆଖ୍ୟା ପାଇଥିଲେ । କବିତା ଓ ଗଳ୍ପ ଚଚନାରେ ଗୋଦାବରୀଶ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ତାଙ୍କ ନାଟକ ଦୁଇଟିରେ ଉତ୍କଳୀୟ ଜାତୀୟତାର ମନ୍ଦ୍ରନିନାଦ ଶୁଣିବାକୁ ମିଳେ । ଔପନ୍ୟାସିକ ଭାବରେ ତାଙ୍କ ଭୂମିକା ଆଦୌ ଗୌଣ ନୁହେଁ । ‘ଘଟାନ୍ତର’, ‘ଅଭାଗିନୀ’, ଅଠର ଶହ ସତର, ‘ନିର୍ବାସିତ’ ତାଙ୍କର ଚାରୋଟି ଉପନ୍ୟାସ । ପ୍ରତ୍ୟେକଟିରେ ତାଙ୍କର ବ୍ୟକ୍ତିଗତ ଦୃଷ୍ଟି ଓ ଦର୍ଶନ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଇତିହାସର ପ୍ରେକ୍ଷାପଟ୍ଟରେ ମଧ୍ୟ ସମକାଳୀନ ସମାଜର ଅନ୍ତଃରୂପ ଫୁଟି ଉଠିଛି । ସର୍ବୋପରି, ତାଙ୍କ ଉପନ୍ୟାସଗୁଡ଼ିକରେ ଅଛି ସମାଜର ଅବହେଳିତ ମାନବ ପ୍ରତି ସହାନୁଭୂତି । କୌଣସିଟି ଉପନ୍ୟାସ ମୌଳିକ ନୁହେଁ । ବିଦେଶୀ ଛାୟାରେ ରଚିତ ଗୋଟିଏ ଗୋଟିଏ ଯଥାର୍ଥ ମୌଳିକ ରଚନା । ପ୍ରତ୍ୟେକଟିର ସ୍ଥାନୀୟ ପରିବେଶ ଏକାନ୍ତ ଉତ୍କଳୀୟ ।

ଉପନ୍ୟାସ ବିଭିନ୍ନ କଥାବସ୍ତୁର ସମଷ୍ଟିରେ ସୃଷ୍ଟି ହୁଏ । ଚରିତ୍ରମାନଙ୍କ ଜୀବନକୁ ଭିନ୍ନ ଭାବରେ ଆଲୋକପାତ କରାଏ ଏବଂ ଭିନ୍ନ ଭିନ୍ନ ଭାବଭଙ୍ଗୀରେ ତାକୁ ପ୍ରଦର୍ଶନ କରାଏ । ଜୀବନର ସହଜ ପ୍ରବାହ ଏହାର ଧର୍ମ । କୌତୂହଳୋଦ୍ଦୀପକ ଓ ଦୁଃଖ ମାଧୂର୍ଯ୍ୟପୂର୍ଣ୍ଣ ବାସ୍ତବ କଥାବସ୍ତୁ ଉପରେ ଏହା ହୁଏ ଆକର୍ଷଣୀୟ । ଗୋଦାବରୀଶଙ୍କ ଉପନ୍ୟାସର ଲୋକପ୍ରିୟତା କେବଳ ଏହାର ଚମତ୍କାରିତାରେ ନିହିତ ନୁହେଁ, ଏହାର ଉପସ୍ଥାପନା ଶୈଳୀ ଯୋଗୁଁ ମଧ୍ୟ । ଔପନ୍ୟାସିକଙ୍କ ସୂକ୍ଷ୍ମ ଦୃଷ୍ଟିରେ ସମକାଳୀନ ସାମାଜିକ, ରାଜନୀତିକ ଓ ଐତିହାସିକ ଚିତ୍ର ପାଇଛି ଗୁରୁତ୍ଵ । ଔପନ୍ୟାସିକଙ୍କର ଅନୁଭୂତି ସୁତୀବ୍ର । ଲୋକଜୀବନ ଓ ଲୋକ ଚରିତ୍ର ସମ୍ପର୍କରେ ସେ ବେଶ୍‌ଅଭିଜ୍ଞ । ଏଣୁ ସେ ଜଣେ ସଫଳ ଔପନ୍ୟାସିକ । ଏହି କାରଣରୁ ଅନ୍ୟାନ୍ୟ ଉପନ୍ୟାସ ପରି ଗୋଦାବରୀଶଙ୍କ ଉପନ୍ୟାସକୁ ମଧ୍ୟ କୁହାଯିବ ଗଣତାନ୍ତ୍ରିକ କଳାଶିଳ୍ପ ।

ଘଟାନ୍ତର :–

ଡାକ୍ତର ତାରାକାନ୍ତ ନାୟକ ଥିଲେ ଜଣେ ଧନୀ ଘରର ଏକ ମାତ୍ର ସନ୍ତାନ । ପିଲାଦିନରୁ ତାଙ୍କ ମହତ ଗୁଣ ସବୁ ପ୍ରକାଶ ପାଉଥିବାରୁ ଭବିଷ୍ୟତରେ ସେ ଜଣେ ବଡ଼ଲୋକ ହେବେ ବୋଲି ଅନୁମାନ କରାଯାଉଥିଲା । ଏକ ପକ୍ଷରେ ପ୍ରତିପତ୍ତି ଓ ସେବା ସହିତ ଅନ୍ୟ ପକ୍ଷରେ ଭୋଗବିଳାସରେ ସମୟ ଅତିବାହିତ କରିବା ଦୁଇଟି ପରସ୍ପର ବିରୋଧୀ ବାସନା ତାଙ୍କ ମନରେ ମୁଣ୍ଡଟେକି ଉଠିଥିଲା । ସେବା ଓ ପରୋପକାରିତାରେ ଖ୍ୟାତି ପାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଭୋଗବିଳାସ ତାଙ୍କୁ ପଥଚ୍ୟୁତ କରାଏ । ମାତ୍ର ଡାକ୍ତରୀ ବିଦ୍ୟାରେ ଉତ୍କର୍ଷ ସାଧନ ପାଇଁ ସେ ବ୍ରତୀ ହେଲେ । ନିଜେ ଆବିଷ୍କାର କଲେ-ମଣିଷ ଦେହରେ ଥିବା ଦୁଇଟି ପ୍ରବୃତ୍ତିକୁ । ଗୋଟିଏ ଦୈବୀ, ଅନ୍ୟଟି ଆସୁରିକ । ମଣିଷ ବାହାରକୁ ଯେତେ ସଭ୍ୟ ଜଣାଯାଉଥିଲେହେଁ ଭିତରେ ତା’ର ଗୋଟିଏ ଆସୁରିକ ଭାବ ଆତ୍ମପ୍ରକାଶ ଲାଗି ବ୍ୟାକୁଳ ହେଉଥାଏ । ଏଣୁ ଏହି ବ୍ୟାକୁଳିତ ଭାବକୁ ସେ ନର୍କ ଭାବରେ ଗ୍ରହଣ କଲେ । ରକ୍ତମାଂସର ପିଣ୍ଡରେ ଏହି ଦୁଇଟିର ଆବିଷ୍କାର ଲାଗି ତାଙ୍କ ଭିତରେ ଅର୍ନ୍ତଃଦ୍ୱନ୍ଦ୍ୱର ପ୍ରବଳ ସଂଘର୍ଷ ଦେଖାଦେଲା । ସେ ହେଲେ ଅବଶେଷରେ ସଫଳ । ଡାକ୍ତରୀ ବିଦ୍ୟାରେ ଅଭିଜ୍ଞ ଥିବାରୁ ନିଜକୁ ଔଷଧ ମାଧ୍ୟମରେ ଚିକିତ୍ସା କରାଇବା ପାଇଁ ପ୍ରୟାସୀ ହେଲେ । ଔଷଧ ସେବନ କରି ଘଟ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କଲେ । ଏଣୁ ବହୁବାର ଔଷଧ ପାଟିରେ ପୁରାଇ ସେ ନ ଢୋକି ପିଙ୍ଗି ଦେଇଛନ୍ତି, ଢୋକି ବାନ୍ତି କରିଛନ୍ତି, ରାସାୟନିକ ପ୍ରୟୋଗରେ ଔଷଧ ତିଆରି କରି ଫିଙ୍ଗି ଦେଇଛନ୍ତି । ପରିଶେଷରେ ଡାକ୍ତରୀ ଶାସ୍ତ୍ର ଅନୁଯାୟୀ ଦ୍ରବ୍ୟ ସହ ଲୁଣ ମିଶାଇ ଏହାର ପରିବର୍ତ୍ତନକୁ ଦେଖି ଅନ୍ଧକାର, ନିଃଶବ୍ଦ ରାତିରେ ନିଜେ ଭଗବାନକୁ ସ୍ମରଣ କରି ପାନ କରିଛନ୍ତି । ଔଷଧୀୟ ଗୁଣର ସକଳ କାର୍ଯ୍ୟକାରିତା ଯଥା, ମନ୍ଥନ, ଆଲୋଡ଼ନ ଓ ପରିବର୍ତ୍ତନ ସେ ଦେହରେ ଅନୁଭବ କଲେ । ତାଙ୍କ ଭିତରର ଦେବ ଅସୁର ଯୁଦ୍ଧରେ ଦୃଷ୍ଟ ପ୍ରକୃତିର ଜୟ ହେଲା । ଡାକ୍ତର ନାୟକଙ୍କର ସମସ୍ତ ବିଚାରଶକ୍ତି ସମ୍ପୂର୍ଣ୍ଣ ଲୋପ ପାଇଗଲା । ଏକ ହିଂସ୍ର ଦସ୍ୟୁ ପ୍ରବୃତ୍ତିର ହେଲା ବିଜୟ । ଡାକ୍ତରଙ୍କର ପରିଚୟ ହେଲା ଦାଗୀ ସଦେଇ ଜେନା ରୂପରେ । ଯେଉଁ ଦାଗୀ ସଦେଇ ଜେନା ସମାଜକୁ କଳୁଷିତ ଓ ପଙ୍କିଳ କରିଦେଇଥିଲା, ପାପରେ ଘାଣ୍ଟି ହୋଇ ନରହନ୍ତା ଅପରାଧରେ ଶାସ୍ତି ପାଇଥିଲା, ସେ ଡାକ୍ତର ନାୟକ ହୋଇ ଭଦ୍ର ଓ ସଂସ୍କୃତ ବ୍ୟକ୍ତିର ପରିଚୟ ଦେଲା । ଏ ବିଦ୍ୟାରେ ସଫଳ ହେବା ପରେ ସେ ପୁଣି ଡାକ୍ତର ତାରାକାନ୍ତ ନାୟକ ହୋଇଗଲେ । ଡାକ୍ତର ତାରାକାନ୍ତରୁ ସଦେଇ ଜେନା ଭଳି ଘଟ ପରିବର୍ତ୍ତନ ବାସ୍ତବିକ ଆମ ଓଡ଼ିଆ ଉପନ୍ୟାସରେ ଏକ ଅଭିନବ କାହାଣୀ ଶୁଣାଇଲା ।

ଡାକ୍ତର ତାରାକାନ୍ତ ଏଭଳି ଏକ ଅସାଧ୍ୟ ସାଧନ କରିପାରିଥିବାରୁ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ମାତ୍ର ଭବିଷ୍ୟତ ଆଶଙ୍କାରେ ସେ ସଜେଇ ଦେଇ ଜେନାର ରୂପ ଗୁଣ ସମ୍ପର୍କରେ ପରିବାରର ସମସ୍ତଙ୍କୁ ପରିଚିତ କରାଇଦେଲେ । ତାଙ୍କ ଅନୁପସ୍ଥିରେ ସଦେଇ ଜେନା ଆସିଲେ ତାଙ୍କୁ ସ୍ୱାଗତ କରିବାକୁ କହିଲେ, ନିଜେ ଯାଇ ସଦେଇ ନାଆଁରେ ବ୍ୟାଙ୍କ

ରେ ଟଙ୍କା ରଖିଲେ । ପାଣ ସାହିରେ ଘର ତିଆରି କଲେ । ଏତେ ସବୁ ବ୍ୟବସ୍ଥା ପରେ ଡାକ୍ତର ନାୟକଙ୍କ ସୁନାମ ଓ ମାହାତ୍ମ୍ୟର ପରିଚୟ ସମାଜରେ ଯେତିକି ବଢ଼ିଚାଲିଲା, ସେତିକି ପରିମାଣରେ ସଦେଇର ନାରକୀୟ କାଣ୍ଡ ଓ ନିଷ୍ଠୁରତା ପୂର୍ଣ୍ଣ କର୍ମ ତାଙ୍କୁ ବ୍ୟତିବ୍ୟସ୍ତ କରିବାରେ ଲାଗିଲା । ଫଳରେ ତାଙ୍କ କର୍ମରେ ଦୁଷ୍କାର୍ଯ୍ୟ ବେଶି ପ୍ରକାଶ ପାଇଲା । କଟକ ସହରରେ ନୃଶଂସ କଦର୍ଯ୍ୟ ଘଟଣାମାନ ସେ ଘଟାଇବାରେ ଲାଗିଲେ । ସହରବାସୀ ଏଥିରେ ପ୍ରକମ୍ପିତ ହେବା ସହିତ ଡାକ୍ତର ନାୟକ ହେଲେ ଭୟଭୀତ । ନିଷ୍ଠୁରତାକୁ ଆଦରି ନେଇଥିବାରୁ ତାଙ୍କ ପାଖରେ କେବଳ ଖରାପ କାର୍ଯ୍ୟ ହିଁ ଦେଖାଗଲା । ଘଟ ପରିବର୍ତ୍ତନର ଚିନ୍ତାରେ ବ୍ୟାପୃତ ଥିବା ଡାକ୍ତର ସ୍ଵତଃପ୍ରବୃତ୍ତ ଭାବରେ ସଦେଇ ଜେନା ହେବାରେ ଲାଗିଲେ। ମାତ୍ର ସହଜରେ ଡାକ୍ତର ନାୟକ ହୋଇ ପାରିଲେ ନାହିଁ । ସଦେଇ ଜେନାର ନାରକୀୟ କାଣ୍ଡଗୁଡ଼ିକ ଯୋଗୁଁ ପୋଲିସ ତାକୁ ଖୋଜିବାରେ ତତ୍ପର ହେଲେ । ଏସବୁ ଦେଖି ଚିନ୍ତିତ ଡାକ୍ତର ଗଦାଧର ଦାସଙ୍କ ସାହାଯ୍ୟରେ ଔଷଧର ଶେଷାଂଶ ପିଇ ଆନନ୍ଦରେ ନିଜର ଆତ୍ମଜୀବନୀ ଓକିଲ ବନ୍ଧୁ ରାମବାବୁଙ୍କ ପାଖକୁ ଲେଖି ସଦେଇ ଜେନା ଘଟରେ ଆତ୍ମଗୋପନ କଲେ।

ଉପନ୍ୟାସଟିର କରୁଣ କାହାଣୀ ହେଉଛି ଡାକ୍ତର ନାୟକଙ୍କର ଆତ୍ମହତ୍ୟା । ଚାକର ଯଦୁନାଥ ଘର ଖୋଲି ଦେଖେ ଯେ ଡାକ୍ତର ନାୟକଙ୍କ ମୃତ ଦେହ ପଡ଼ିଛି । ପୂର୍ବରୁ କରିଥିବା ଉଇଲରେ ସଦେଇ ଜେନାର ନା ଥିବା ବେଳେ ବର୍ତ୍ତମାନର ଉଇଲ୍‌ରେ ରାମ ବାବୁଙ୍କୁ ସ୍ଵତ୍ତ୍ୱାଧିକାରୀ ବୋଲି ଲେଖାଯାଇଛି । ଏ ସମସ୍ତର ରହସ୍ୟ ଆତ୍ମଜୀବନୀରେ ଲିପିବଦ୍ଧ ଥିଲା ।

ଆଲୋଚ୍ୟ ଉପନ୍ୟାସଟିରେ ଘଟଣା ବା କାହାଣୀର କଳ୍ପନାରେ ରହସ୍ୟ ରୋମାଞ୍ଚ ସଂଯୋଜିତ କେବଳ । ଏହାର ସାମାଜିକ ଆବେଦନ ନାହିଁ କହିଲେ ଚଳେ । ଗୋଦାବରୀଶଂକ କଳ୍ପନାରୁ ସୃଷ୍ଟି ହୋଇଥିବା ଏହି ଉପନ୍ୟାସଟିର ଭାବ-କେନ୍ଦ୍ର ବିଦେଶୀ ଉପନ୍ୟାସରୁ ଆହୁତ । ଇଂରାଜୀ ଔପନ୍ୟାସିକ ରବର୍ଟ ଲୁଇସ୍‌ଏହି ଧରଣର ଅନେକ ଉପନ୍ୟାସ ରଚନା କରିଥିଲେ । ତା ମଧ୍ୟରୁ 'Dr. Jekyll & Hyde' ର ପ୍ରଭାବରେ ପ୍ରଭାବିତ ହୋଇ ଔପନ୍ୟାସିକ ଏହାକୁ ରଚନା କରିଥିବା କଥା ସ୍ପଷ୍ଟ ।

ଅଭାଗିନୀ :–

ବିଧବା ଭଉଣୀର ପରିବାର ପ୍ରତିପୋଷଣ ଦାୟିତ୍ୱ ବହନ କରିଛି ପିତୃମାତୃ ହୀନ ପାଣୁ ନାଏକ । ଅଭାବରେ ପଡ଼ି ଜିଭର ଲାଳସା ମେଣ୍ଟାଇବା ପାଇଁ ସେ ଆନନ୍ଦ ସାହୁ ଗୁଡ଼ିଆ ଦୋକାନରୁ ମିଠା ଚୋରିକରି ଖାଇଲା ଓ ଏଥିପାଇଁ ଉଣେଇଶି ବର୍ଷ ଜେଲ୍‌ ଭୋଗିଲା । ଜେଲ୍‌ ମିଆଦ ଶେଷ କରି ଫେରିବା ପରେ କୁତ୍ସିତ କଦାକାର ପାଣୁକୁ ଗାଁବାସୀ କେହି ଗ୍ରହଣ କରିନାହାନ୍ତି-। ଦାଗୀ ଓ ନରହନ୍ତା ଭାବରେ ପରିଚିତ ହୋଇ ସମାଜର ଘୃଣ୍ୟ ଚକ୍ଷୁରେ ସେ ଘୂରି ବୁଲିବା ବେଳେ ଏକ ବୈଷ୍ଣବ ମଠରେ ପହଞ୍ଚିଲା । ସେଠା ମଠର ମହନ୍ତ ତାକୁ ଆତିଥ୍ୟ ଦେଲେ ମାତ୍ର ରାତିରେ ପୁଣି ପାଣୁ ନାଏକର କୁତ୍ସିତ ପ୍ରବୃତ୍ତି ଜାଗ୍ରତ ହେଲା । ବିନା ପରିଶ୍ରମ ଓ ଅନ୍ୟ ସମୟ ମଧ୍ୟରେ ରୂପା ବଇଠିଟିକୁ ଚୋରି କରିନେବାବେଳେ ପରଦିନ ପୁଲିସ୍‌ ହାତରେ ଧରାପଡ଼ିଲା । ସିପାହୀଗଣ ପାଣୁ ନାଏକକୁ ମଠକୁ ନେଇ ମହନ୍ତଙ୍କ ମାଧ୍ୟମରେ ପ୍ରମାଣ କରାଇବାବେଳେ ମହନ୍ତ ସାଧୁ ତାକୁ କ୍ଷମା କରିଦେଇ ଭବିଷ୍ୟତରେ ସାଧୁ ଜୀବନ ବିତାଇବା ପାଇଁ ଉପଦେଶ ଦେଇଛନ୍ତି । ଲକ୍ଷ୍ୟହୀନ ଭାବରେ ଘୂରି ବୁଲୁଥିବା ପାଣୁ ନାଏକ ସେଦିନ ମାଧୁଆଠାରୁ ପଇସା ଚୋରିକରିଥିଲା ସତ, ମାତ୍ର, ସୁନ୍ଦରପୁର ମଠର ସାଧୁଙ୍କ କଥା ତାର ବାରମ୍ବାର ମନେ ପଡୁଥିଲା । ପ୍ରତିଜ୍ଞା କରି ସେ ସାଧୁ ଜୀବନରେ ଅଟଳ ରହିଲା। ସାଧୁ ସନ୍ଥ ପ୍ରଭାବରୁ ନାସ୍ତିକ ଚୋର ପାଣୁ ନାଏକର ଜୀବନର ସ୍ଵାଦ ବଦଳିଗଲା । ସାଧୁବେଶରେ ଭ୍ରମଣ କରୁଥିବାବେଳେ ପାଣୁ ନାଏକଙ୍କ ଜୀବନରେ ଶାରଙ୍ଗଗଡ଼ର ଘଟଣାଟି ଆଲୋଡ଼ନ ଖେଳାଇଥିଲା । ତଳସ୍ତରର ପୁଲିସ କର୍ମଚାରୀ ବଡ଼ ଅଫିସରଙ୍କ ଘର ପୋଡ଼ିବେଳେ ନିଆଁ ମଧ୍ୟକୁ ଡ଼େଇଁ ପିଲା ଦୁଇଟିକୁ ବଞ୍ଚାଇଦେଲେ ଓ ତା ପରଠାରୁ ସେ ଧନଞ୍ଜୟ ନାମରେ ପରିଚିତ ହେଲେ । ଗୋଟିଏ ବର୍ଷ ମଧ୍ୟରେ ସେ ବଡ଼ ବ୍ୟବସାୟୀ ହୋଇ ଅର୍ଥଶାଳୀ ହେଲେ ଓ ବହୁ ଜନହିତକର କାର୍ଯ୍ୟମାନ କଲେ । ଦରିଦ୍ର ପିଲାଙ୍କୁ ଅର୍ଥଦାନ, ବିଦ୍ୟାଳୟ ପ୍ରତିଷ୍ଠା, ଚିକିତ୍ସାଳୟ ଆଦି ନିର୍ମାଣକରି ପ୍ରତିଦିନ ସନ୍ଧ୍ୟାରେ ଗରିବ ମାନଙ୍କୁ ଅର୍ଥଦାନ କଲେ । ରାଜ୍ୟର ଏତେ ଉପକାର କଲେ ଯେ ଲୋକମାନେ ତାଙ୍କୁ ମହାତ୍ମା ଭାବରେ ଗ୍ରହଣ କଲେ । ରାଧା ଓ ରମାର ଜୀବନ କାହାଣୀ ଦେୱାନ ଧନଞ୍ଜୟଙ୍କ କାରଖାନାରେ କଟେ । ସେମାନେ ରହୁଥିଲେ ପରସ୍ଵାପହାରୀ ଓ ଅମାନୁଷିକ ଲୋଭୀ ଦୀନା ସାହୁ ଚଟିଘରେ । ଦୀନା ସାହୁର ବ୍ୟବହାର ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ଖରାପ ଥିଲେହେଁ ରାଧାପ୍ରତି ଥିଲା ଭିନ୍ନ ଧରଣର । ରାଧା ଚଟିଘର ଦାୟିତ୍ଵ ନେଇଥିଲା ଓ ନିଜକୁ ଅବିବାହିତ ବୋଲି ଜଣାଇଥିଲା । ଦୀନା ସାହୁ ରାଧା ପାଖକୁ ନିୟମିତ ଚିଠି ଲେଖେ । ରାଧା ଅଶିକ୍ଷିତା ହେତୁ ତାକୁ ପଢ଼ି ନପାରି ଅନ୍ୟ ଶିକ୍ଷିତା ମହିଳାମାନଙ୍କ ମାଧ୍ୟମରେ ପଢ଼ାଇ ଶୁଣେ । ଏଥିରୁ ଜଣାଗଲା ସେ ଅସଦ୍‌ଚରିତ୍ର । ଧନଞ୍ଜୟ ର।ୟଙ୍କ ଅଜ୍ଞାତସାରରେ ତ।କୁ କ।ରଖାନ।ରୁ ବ।ହ।ର କରିଦିଆଗଲା । ଅଭାବ ଦୁନିଆରେ ଦୀନା ସାହୁର ଜିନିଷ ବାବଦ ଅର୍ଥ ଦେଇନପାରି ନିଜକୁ ବିକ୍ରି କରିବାକୁ ଯାଇ ଯୁବକ ନାରାୟଣ ସିଂହଙ୍କୁ ଅପମାନ ଦେଇ ଫାଣ୍ଡିରେ ଛଅ ମାସ ପର୍ଯ୍ୟନ୍ତ ଦଣ୍ତ ଭୋଗିଲା । ଶତ ଚେଷ୍ଟା ସତ୍ତ୍ୱେ ସତ୍ୟକୁ ପ୍ରତିଷ୍ଠା ଦେଇନପାରିବା ବେଳେ ହଠାତ ଦେୱାନ ଧନଞ୍ଜୟ ରାୟଙ୍କ ନିର୍ଦେଶରେ ସେ ମୁକ୍ତି ପାଇଲା । ରାଧା ଦେୱାନଙ୍କ ନାମ ଶୁଣି ଅତ୍ୟନ୍ତ ଘୃଣା ଓ କ୍ଷୋଭରେ ତାଙ୍କୁ ଏ ସମସ୍ତ ପାଇଁ ଦାୟୀ କଲା । ଧନଞ୍ଜୟ ନାନା ଆଶ୍ଵାସନା ମଧ୍ୟରେ ତାକୁ ଚିକିତ୍ସା କରାଇ ତା ଝିଅ ରମାଙ୍କୁ ଫେରାଇ ଆଣିବାକୁ କହିଲେ । ଏହି ସମୟରେ ଶାରଂଗଗଡ଼ରେ ବିରାଟ ପରିବର୍ତ୍ତନ ଘଟିଥିଲା । ଦେୱାନ ସର୍ଦ୍ଦାରଙ୍କଠାରୁ ଶୁଣିବାକୁ ପାଇଲେ ପାଣୁ ନାଏକ ଓରଫ ଅନନ୍ତ ନାଏକ ଫାଶି ପାଇବା କଥା । ଦେୱାନଙ୍କ ନିକଟରେ ଦୁଇଟି କର୍ତ୍ତବ୍ୟ-ପ୍ରଥମଟି ଆସନ୍ନ ମୃତ୍ୟୁ ମୁଖରୁ ରମାକୁ ରକ୍ଷା କରିବା ଓ ଦ୍ୱିତୀୟଟିରେ ନିରୀହ ଅନନ୍ତ ଦାସକୁ ଫାଶି ମୁଖରୁ ବଞ୍ଚାଇବା । ଅକ୍ଲାନ୍ତ ପରିଶ୍ରମ କରି ଦେୱାନ ସାହେବ ବିଚାରାଳୟରେ ଉପସ୍ଥିତ ହେଲେ । ନିୟମ ଅନୁସାରେ ପାଣୁ ନାଏକ ଫାଣ୍ଡିରେ ବନ୍ଦୀ ହୋଇ ରହିଲେ ମଧ୍ୟ ରାତିରେ ସେଠାରୁ ଖସି ଆସି ନିଜ କର୍ମ କଲେ । ରମାକୁ ରକ୍ଷା କରିବା ପାଇଁ ବହୁ ଫନ୍ଦି ଫିକର କଲେ ଓ ତହିଁରେ ସଫଳ ହୋଇ ମଙ୍ଗଳାବାଗ ଦର୍ଜି କୋଠାରେ ରହିଲେ । ପୋଲିସ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ତାଙ୍କ ବହୁ ଖୋଜିବା ପରେ ମଧ୍ୟ ପାଇଲେ ନାହିଁ । କାରଣ ପାଣୁ ନାଏକ ଆତ୍ମସମର୍ପଣ କରିବାକୁ ଚାହୁଁ ନଥିଲେ । ସେ ଧର୍ମ ଏବଂ ନ୍ୟାୟକୁ ପରୀକ୍ଷା କରୁଥିଲେ-। ବହୁ କଷ୍ଟରେ ପାଣୁ ନାଏକ ରମାକୁ ଧରି ଗୋଟିଏ ମାତା ମଠରେ ଆଶ୍ରୟ ନେଲେ । ରମାର ପାଠପଢ଼ାର ବ୍ୟବସ୍ଥା କଲେ ଓ ନିଜେ ଅଭୟ ଦାସ ନାମରେ ପରିଚିତ ହେଲେ । ମଠରେ ରହିବାବେଳେ ସମୟେ ସମୟେ ରମାକୁ ଧରି ସେ କିଲ୍ଲା ପଡ଼ିଆକୁ ଯାଆନ୍ତି ଓ ସେଠାରେ ବାଙ୍କି ଯୁଦ୍ଧରେ ପ୍ରାଣ ଦେଇଥିବା ସେନାପତି ଗୋବିନ୍ଦ ସିଂହଙ୍କ ପୁଅ ବନମାଳୀ ସହିତ ରମାର ସଂଗୁପ୍ତ ପ୍ରଣୟ ହୁଏ । ବନମାଳୀ ଏହାପରେ ଦର୍ଜୀ କୋଠାରେ ଦାନା ସାହୁର ଧୂର୍ତ୍ତତା ଓ ଠକାମିର ଉପଯୁକ୍ତ ଶାସ୍ତି ଚିନ୍ତା କରିବା ବେଳେ ଜାଣିବାକୁ ପାଇଲେ, ସେ ହିଁ ଗୋବିନ୍ଦ ସିଂହଙ୍କ ରକ୍ଷାକର୍ତ୍ତା ଥିଲା । ବନମାଳୀ ଏଣେ ଅଜାଙ୍କ ଠାରେ ପ୍ରସ୍ତାବ ଆଗତ କରିଛି ରମାକୁ ବିବାହ କରିବା ପାଇଁ । କିନ୍ତୁ ଅଜା ଏଥିରେ ଅମଙ୍ଗ ହୋଇଛନ୍ତି । ସବୁଠାରୁ ନିରାଶ ହୋଇ ବନମାଳୀ ଇଂରେଜମାନଙ୍କ ବିରୋଧୀ ଦଳରେ ଯୋଗ ଦେଇଛି । ଇଂରେଜମାନଙ୍କ ଦ୍ଵାରା ତାର ମୃତ୍ୟୁ ସୁନିଶ୍ଚିତ ଜାଣି ରମା ନିକଟକୁ ଖଣ୍ଡେ ପତ୍ର ଲେଖିଛି । ମୁମୂର୍ଷୁ ବନମାଳୀର ପରିଚୟ ପାଇ ପାଣୁ ନାଏକ ତାକୁ ତା’ର ଅଜା ଶ୍ରୀନିବାସ ଚମ୍ପତିରାୟଙ୍କ ନିକଟକୁ ନେଇଛି ଓ ରମା ସହିତ ତା’ର ବିବାହ କରାଇଛି । ବିବାହ ପରେ ବନମାଳୀ ତା’ର ରକ୍ଷାକର୍ତ୍ତାକୁ ଖୋଜିବାକୁ ବାହାରି ତାଠାରୁ ସମସ୍ତ ଘଟଣା ଜାଣିପାରିଛି ଓ ପରସ୍ଵାପହାରୀ ଦୀନା ସାହୁକୁ ଶାସ୍ତି ଦେଇଛି । ପାଣୁ ନାଏକ ସାଧୁ ଭାବରେ ରଖିଥିବା ସମସ୍ତ ସଂପତ୍ତିକୁ ବନମାଳୀକୁ ଦେଇ ନିଜର, ରାଧା ଓ ରମାର ପ୍ରକୃତ ପରିଚୟ ଜଣାଇ ଇହଧାମରୁ ବିଦାୟ ନେଇଛି ।

ସାମାନ୍ୟ ମିଠା ଚୋରରୁ କଏଦୀ ପାଣୁ ନାଏକ ସାଧୁ ଭାବରେ ବହୁ ମଙ୍ଗଳକର କାର୍ଯ୍ୟ କରିଛନ୍ତି କେବଳ ସାଧୁ ବୈଷ୍ଣବ ମହନ୍ତଙ୍କ ସଙ୍ଗ ଲାଭକରି । ତାଙ୍କ ତ୍ୟାଗ ଓ ମାନବିକତା ହୋଇଛି ସମଗ୍ର ଉପନ୍ୟାସଟିର ମର୍ମବାଣୀ । ବିଦେଶୀ ଉପନ୍ୟାସର କଥାବସ୍ତୁକୁ ଅବଲମ୍ବନ କରି ଏହା ରଚିତ ହୋଇଥିଲେହେଁ ଏହାର ଚରିତ୍ର ଓ ଆବେଦନ ମୌଳିକ ପରି ମନେହୁଏ । ପାଣୁ ନାଏକ ଚରିତ୍ର ମାଧ୍ୟମରେ ଗୋଦାବରୀଶ ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି ତ୍ୟାଗ ଓ ମାନବ ସେବାହିଁ ଜଗତର ଏକମାତ୍ର ସତ୍ୟ, ଅନ୍ୟ ସମସ୍ତ ମିଥ୍ୟା ।

ଅଠର ଶହ ସତର :–

ଅଠର ଶହ ସତର ଏକ ଐତିହାସିକ ଉପନ୍ୟାସ । ୧୮୧୭ ମସିହାରେ ପାଇକମାନେ ଖୋର୍ଦ୍ଧାଠାରୁ ଆରମ୍ଭ କରିଥିଲେ ବିଦ୍ରୋହ । ଏମାନେ ମୋଗଲ, ମରହଟା ଓ ପରେ ଇଂରେଜମାନଙ୍କ ଶାସନ ନୀତିକୁ ଗ୍ରହଣ ନକରି ୧୮୧୭ର ପହିଲା ତାରିଖ ଦିନ ବକ୍ସିଙ୍କ ନେତୃତ୍ଵରେ ଖୋର୍ଦ୍ଧାକୁ ସ୍ଵାଧୀନ କରିବା ପାଇଁ ପ୍ରତିଜ୍ଞା କଲେ । ବିପ୍ଳବର ପୃଷ୍ଠଭୂମିରେ ଉପନ୍ୟାସଟି ଗଠିତ । ମରହଟ୍ଟା ଅତ୍ୟାଚାରରେ ଖୋର୍ଦ୍ଧାର ଜନସାଧାରଣଙ୍କ କରୁଣ କାହାଣୀ ଏହାର ଗୋଟିଏ ଅଧ୍ୟାୟ ମାତ୍ର । ମାଣିତ୍ରୀ ଗଡ଼ର ଶାସକ ଥିଲେ ଅତ୍ୟାଚାରୀ । ସେ ନିଜ ଭାଇଙ୍କ ସହିତ ଜଣେ ବ୍ରାହ୍ମଣ ସେବକଙ୍କ ଝିଅକୁ ଅପହରଣ କରିଥିଲେ ଓ ତା’ର ଭାଇ ଓ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ଏମାନଙ୍କ ମୃତ୍ୟୁ ପୂର୍ବରୁ ଚିକିତ୍ସା କରିବା ପାଇଁ ଯାଆନ୍ତି ବୈଦ୍ୟ ସଦାଶିବ କବିରାଜ । ସେ ମାଣିତ୍ରୀ ଗଡ଼ର ସମସ୍ତ ଘଟଣା ଶୁଣିଲେ, ମାତ୍ର କାହା ଆଗରେ ନ କହିବା ପାଇଁ ମାଣିତ୍ରୀର ଶାସକ ନୃଶଂସ ଭାଇ ଦୁହିଁକଠାରୁ ସୁନାମୋହର ଉପହାର ପାଇବାର ପ୍ରତିଶ୍ରୁତି ପାଇଥିଲେ । ରାଣୀ ରାଜପୁରୀରେ ଅନ୍ୟାୟ ଅନୀତିକୁ ସହ୍ୟ ନ କରିପାରି ସଦାଶିବଙ୍କରୁ ଧର୍ମ ପିତା ଭାବରେ ଗ୍ରହଣ କରି ସବୁ କଥା ସତ ସତ କହିବାକୁ ଅନୁରୋଧ କଲେ ଓ ଭବିଷ୍ୟତରେ ରାଜବଂଶର ଅସୁରକ୍ଷା ସଂପର୍କରେ ଜଣାଇଲେ । ସଦାଶିବ ସବୁ ଜାଣି ସୁନା ମୋହର ରାଜାଙ୍କ ନିକଟକୁ ଫେରସ୍ତ ଦେଲେ ଓ ମନ୍ତ୍ରୀ ଜୟୀ ରାଜଗୁରୁଙ୍କ ନିକଟକୁ ଯେଉଁ ଚିଠି ଲେଖିଥିଲେ ତାହା ରାଜାଙ୍କର ହସ୍ତଗତ ହେବାରୁ ସଦାଶିବ କାରାବରଣ କଲେ ।

ସଦାଶିବ ଜେଲ୍‌ ଯିବାର ବର୍ଷକ ପରେ ମିଥ୍ୟା ଖବର ଆସିଲା ସେ ମରିଗଲେ, ତାଙ୍କ ବଂଧୁ ସନାତନକୁ ସପାହୀମାନେ ଧରିନେଲେ । ପତ୍ନୀଙ୍କ ହେଲା ବିୟୋଗ, ମାତ୍ର ଶିଶୁ କନ୍ୟା କାଞ୍ଚନ ମଣିର ନାମ ବଦଳାଇ କମଳା ରଖାଗଲା । ଅଠର ବର୍ଷ ଜେଲରେ ରହିଲା ପରେ ସଦାଶିବଙ୍କୁ ତାଙ୍କ ଅନିଚ୍ଛାସତ୍ତ୍ୱେ ମୁକ୍ତି ଦିଆଗଲା । ସଦାଶିବ ମୁକ୍ତି ପାଇବା ପରେ ନିଜ ପୂର୍ବ ଗୃହ ପାଚକ ଦୀନବନ୍ଧୁ ପଣ୍ଡା, ବ୍ରାହ୍ମଣ କନ୍ୟା ଚମ୍ପା, ବନ୍ଧୁ ସନାତନ ଓ ବାଳକ ମଦନ ମୋହନ ଆଦି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ । ପ୍ରତ୍ୟେକ ହେଲେ ଦେଶପ୍ରେମୀ । ମରହଟ୍ଟା ଓ ଇଂରେଜମାନଙ୍କ ହାତରୁ ଦେଶକୁ ମୁକ୍ତି କରିବାପାଇଁ ନେଇଥିଲେ ବଜ୍ର ଶପଥ । ସଦାଶିବ ନିଜ କନ୍ୟା କମଳା ସହିତ ବଡ଼ମ୍ବାରେ ଥାନ୍ତି । ସେଠାର ପ୍ରଧାନ ଶିକ୍ଷକ ଗଣପତି ରାଜାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ମିଥ୍ୟା ଅଭିଯୋଗ ଅଣାହେଲା ଓ ଅଭିଯୋଗରୁ ମୁକ୍ତି ପାଇବାପରେ ସଦାଶିବ ତାଙ୍କ ବ୍ୟକ୍ତିତ୍ଵରେ ପ୍ରଭାବିତ ହୋଇ ତାଙ୍କ ସହିତ କମଳାକୁ ବିବାହ ଦେଲେ । ସଦାଶିବ କନ୍ୟା କମଳା ଓ ଜ୍ଵାଇଁ ଗଣପତି ସହିତ ବୈଦେଶ୍ଵରଠାରେ ରହୁଥିଲା ବେଳେ ପାଇକମାନେ ବିଦ୍ରୋହ କଲେ । ଇଂରେଜମାନେ ଭୟରେ ପଳାୟନ କଲେ । ଗଣପତିଙ୍କୁ ଫାଶିଦଣ୍ଡ ହୋଇଛି ବୋଲି ଶୁଣି ସେ ଚିନ୍ତିତ ହେଲେ ମାତ୍ର, ଦୀନବନ୍ଧୁ ପଣ୍ଡାଙ୍କ ବ୍ୟକ୍ତିତ୍ୱ ଓ ସହାୟତାରେ ଫାଶିରୁ ରକ୍ଷା ପାଇଲେ । ସଦାଶିବ ହେଲେ ବିଦ୍ରୋହର ମନ୍ତ୍ରଦାତା । ବକ୍ସି, ସନାତନ, ଉତ୍ତର କବାଟ, ନାରାୟଣ ପରମଗୁରୁ, ବାମଦେବ ପାଟଯୋଶୀ ଆଦି ଇଂରେଜଙ୍କ ବିରୋଧରେ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଲେ । ମାତ୍ର ଇଂରେଜମାନେ ବହୁସଂଖ୍ୟାରେ ଉପସ୍ଥିତ ରହି ଯୁଦ୍ଧ କରିବାରୁ ପାଇକ ବାହିନୀ ପରାସ୍ତ ହେଲେ। ଦୀନବନ୍ଧୁ ସ୍ତ୍ରୀ ଚମ୍ପା ସଦାଶିବ ଓ ଗଣପତିଙ୍କୁ ମାଣିତ୍ରୀ ଗଡ଼ର ଅତ୍ୟାଚାରୀ ଦାୟାଦ ଭାବେ ଗ୍ରହଣକରି ଏମାନଙ୍କୁ ମାରି ମାଣିତ୍ରୀକୁ ନିର୍ବଂଶ କରିବାକୁ ପ୍ରତିଜ୍ଞାରେ ଅଟଳ ରହିଲା । ପୂର୍ବ ପ୍ରତିଶୋଧ ତା ହୃଦୟରେ ହୁ ହୁ ହୋଇ ଜଳୁଥିଲା । କିନ୍ତୁ ଦୀନବନ୍ଧୁ ଧର୍ମ ସଙ୍କଟରୁ ରକ୍ଷା ପାଇବା ପାଇଁ ସଦାଶିବଙ୍କୁ ସମର୍ଥନ କରିଛି । ଗଣପତି ରକ୍ଷା ନପାଇ ନିଜ ପତ୍ନୀ କମଳାଙ୍କ ନିକଟକୁ ଚିଠିଟିଏ ଲେଖି ପଢ଼ିବା ସମୟରେ ପ୍ରବେଶ କରିଛନ୍ତି କେରଙ୍ଗ ଭୂଇଁ ମୂଳବଂଶର ଯୁବକ ବିପ୍ଳବୀ ଘନଶ୍ୟାମ । ସେ ବେଶ ବଦଳାଇ ଗଣପତିଙ୍କୁ ବାହାରକୁ ପଠାଇଦେଲେ ଓ ନିଜେ ଗଣପତି ବେଶରେ ଫାଶି ପାଇଲେ । ଇଂରେଜ ବିଦ୍ରୋହୀ ଯୁବକଙ୍କୁ ନପାଇ ତାଙ୍କ ସାନଭାଇ ବସନ୍ତଙ୍କୁ ବାନ୍ଧି ଆଣିଥିଲେ । ମାତ୍ର ତାଙ୍କୁ ରକ୍ଷା କରି ଜୟୀ ରାଜଗୁରୁଙ୍କ ପୁଅ ବନମାଳୀ ଆତ୍ମ ବଳିଦାନ ଦେଲେ । ଘନଶ୍ୟାମ ଓ ବନମାଳୀଙ୍କ ବଳିଦାନ ଯେତିକି ବିସ୍ମୟୋଦ୍ଦୀପକ ସେତିକି ସ୍ମରଣୀୟ ମଧ୍ୟ । ଚମ୍ପାର ପ୍ରତିହିଂସା ତଥାପି କମିନଥିଲା । ଗଣପତି ପରେ ମାଣିତ୍ରୀ ରାଜବଂଶର ଭାବୀ ସନ୍ତାନ କମଳା ଗର୍ଭରେ ଅଛି ଭାବି ସେ ତାକୁ ମାରିବା ପାଇଁ ଖୋଜିଛି, ମାତ୍ର ସଫଳ ହୋଇନାହିଁ । କମଳାକୁ ନପାଇ ସେ ପାଗଳିନୀ ହେଇଯାଇଛି । ଏଣୁ ମେଜର ପ୍ଲେଚର୍‌ଙ୍କ ଚତୁରତା ଯୋଗୁଁ ବକ୍ସି ଫାଶି ନ ପାଇ ରକ୍ଷା ପାଇଛନ୍ତି ମାତ୍ର ପାଇକମାନେ ଶକ୍ତି ଅଭାବରୁ ପରାଭୂତ ହେଲେ । ବକ୍ସିଙ୍କ ଅତ୍ମଗୋପନ ଓ ନେତୃତ୍ୱ ଅଭାବରୁ ପାଇକମାନେ ଇଂରେଜଙ୍କ ନିକଟରେ ଆମ୍ମସମର୍ପଣ କଲେ । ଇଂରେଜମାନଙ୍କ ଦମନ ନୀତିରେ ବହୁ ପାଇକଙ୍କୁ ଦ୍ଵୀପାନ୍ତର ଓ କାରାଦଣ୍ଡ ଦିଆଗଲା । ପାଇକମାନଙ୍କର ଅଭାବ, ଭୂସମ୍ପତ୍ତି ବାଜ୍ୟାପ୍ତ, ଜୟୀ ରାଜଗୁରୁଙ୍କ ପୁତ୍ରହରା ପତ୍ନୀଙ୍କୁ ବିତାଡ଼ନ ଆଦି ଘଟଣା ଏମାନଙ୍କ ମନୋବଳକୁ ଭାଙ୍ଗି ଦେବା ସହିତ ଖୋର୍ଦ୍ଧା ହେଲା ବିପର୍ଯ୍ୟସ୍ତ । ସ୍ଵାଧୀନତା ସମରର ଶେଷ ଆଶା ଟିକକ ମଉଳିଗଲା ।

‘ଅଠର ଶହ ସତର’ ଏକ ଐତିହାସିକ ଘଟଣା ଅବଲମ୍ବିତ ଉପନ୍ୟାସ ହେଲେ ହେଁ କଳ୍ପନାର ରଙ୍ଗରେ ଏହା ହୋଇଛି ରମଣୀୟ । ଇଂରେଜ ମାନଙ୍କର ବିଦ୍ରୋହ ଦମନ ଘଟଣା ଏଥିରେ ବର୍ଣ୍ଣିତ । ପ୍ରସଙ୍ଗତଃ ଗୋଦାବରୀଶ ଲୋକ ଚରିତ୍ରର ଅଧୋପତନକୁ ଦେଖାଇଛନ୍ତି ଏଥିରେ । ସାମାନ୍ୟ ସ୍ୱାର୍ଥ ପାଇଁ ଜାତୀୟ ବିଦ୍ରୋହକୁ ବିପର୍ଯ୍ୟସ୍ତ କରାଇ ଦେବାରେ ସାଧାରଣ ଜନତାଙ୍କ ଭୂମିକାକୁ ଲେଖକ ବର୍ଣ୍ଣନା କରିଛି ଅତ୍ୟନ୍ତ ମାର୍ମିକ ଭାବରେ ।

ନିର୍ବାସିତ :–

ଧନୀ ରାମଚନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ତାଙ୍କ ସମସ୍ତ ସଂପତ୍ତିର ସଦ୍‌ଉପୋଯୋଗ କରିବା ପାଇଁ ପୁତ୍ର ସଦାନନ୍ଦକୁ କହିଥିଲେ । ସଦାନନ୍ଦ ଓକିଲାତି ପଢ଼ିଥିଲେ ମଧ୍ୟ ପିତାଙ୍କ ଅନ୍ତେ ସେ ପଚାଶ ଲକ୍ଷ ଟଙ୍କା ସଂପତ୍ତିର ମାଲିକ ହୋଇ ସେଥିରେ ଚଳିଲେ ଓ ତହିଁରୁ କିଛି ଅର୍ଥ ଦେଶର ଉପକାର ପାଇଁ ଖର୍ଚ୍ଚକଲେ । ସଦାନନ୍ଦ ଉଚ୍ଚାଭିଳାଷୀ ଥିଲେ । ଏଣୁ ବାପାଙ୍କ ମୃତ୍ୟୁର ବର୍ଷକ ପରେ ସେ ଗ୍ରାମଣ୍ଡି ରାଜାଙ୍କ ସହିତ ସମକକ୍ଷ ହେବାପାଇଁ ମାନ୍ଦ୍ରାଜରୁ ମୋଟର ଗାଡ଼ି ମଗାଇଲେ। ଗାଡ଼ିଟି ଆସି ବ୍ରହ୍ମପୁରରେ ପହଁଞ୍ଚିବାମାତ୍ରେ ସେ ସେଥିରେ ଚଢ଼ି ବୁଲି ବାହାରିଲେ । ଋଷିକୂଲ୍ୟା ନଦୀ କୂଳରେ ଗାଡ଼ିଟି ଅଚଳ ହେଲା । ନିଜେ ବହୁ ଚେଷ୍ଟା କରି ମଧ୍ୟ ତାକୁ ସଚଳ କରାଇ ପାରିଲେ ନାହିଁ-। ଏହି ସମୟରେ ତେରବର୍ଷର କମାର ବାଳକ ହରିହରକୁ ଦେଖିଲେ । ହରିହର ସେଦିନ ତା’ର ବିଚକ୍ଷଣ କାରିଗରୀ ବୁଦ୍ଧିରେ ଗାଡିଟିକୁ ଠିକ୍‌କରିଦେବା ଯୋଗୁଁ ସଦାନନ୍ଦ ବାବୁଙ୍କ ସାହାଯ୍ୟ ଓ ସହାନୁଭୂତି ପାଇଲା । ତା’ର କାରିଗରୀ ବୁଦ୍ଧିରେ ମୁଗ୍ଧ ହୋଇ ସଦାନନ୍ଦ ବାବୁ ତାକୁ ପନ୍ଦରବର୍ଷ ବୟସରେ ମୋଟରଗାଡ଼ିର ବିନ୍ଧାଣୀ ଭାବରେ ଇଂରେଜ ସୈନ୍ୟଦଳରେ ମିଶାଇଦେଲେ । ହରିହର ନିଜ ରୋଗଗ୍ରସ୍ତ ବାପାଙ୍କୁ ଦେଖିବା ପାଇଁ ଆସିବାବେଳେ ସଦାନନ୍ଦ ବାବୁଙ୍କୁ ଉଡ଼ାଜାହାଜର ଛୋଟ ନମୁନାଟିଏ ଦେଇଥିଲେ । ପରେ ନିଜ ବୁଦ୍ଧି ଓ କୌଶଳ ଜ୍ଞାନରେ ଉଡ଼ାଜାହାଜ ମିସ୍ତ୍ରୀ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇ ମେଜର ଉପାଧି ପାଇଥିଲେ ।

ମେଜର ହରିହର ବେହେରା ସଦାନନ୍ଦବାବୁଙ୍କ ସାହାଯ୍ୟ ଯୋଗୁଁ ତାଙ୍କ ଗୋପାଳପୁର ଘରଟିରେ ବସି ବହୁ ଯନ୍ତ୍ରପାତି ଗଢ଼ିବା ଓ ଭାଙ୍ଗିବାରେ ଲାଗିଲେ । ତଥାପି ହତୋତ୍ସାହ ନହୋଇ ପେଟ୍ରୋଲ ସହିତ ଏକ ଧରଣର ଗୁଣ୍ଡ ମିଶାଇ ଆନନ୍ଦିତ ହେଲେ । ଉଡ଼ାଜାହାଜ ତିଆରି କରି ଆକାଶକୁ ଛାଡ଼ିଲେ । ସେଥିରେ ଲୋକମାନଙ୍କୁ ବସାଇ ମଧ୍ୟ ଉଡ଼ାଇଲେ । ଏ ସବୁକୁ ସେ ଗୋପନ ରଖୁଥିଲେ ଇଂରେଜମାନଙ୍କ ଭୟରେ । କାରଣ ପ୍ରଥମ ବିଶ୍ଵଯୁଦ୍ଧ ବେଳେ ସେ ଶତ୍ରୁପକ୍ଷ ଜର୍ମାନର ଜଣେ ସୈନ୍ୟକୁ ଧରି ଛାଡ଼ି ଦେଇଥିଲେ ଜର୍ମାନୀରେ । ଏଣୁ ଇଂରେଜମାନେ ତାଙ୍କ ଉପରେ ରାଗିଥିଲେ ପ୍ରବଳ । ଏ ପ୍ରକାର କୃତିତ୍ୱରେ ଆନନ୍ଦିତ ଥିବା ବେଳେ ଦିନେ ତାଙ୍କ ସହିତ ଚଉଗଡ଼ ରାଜାଙ୍କ ପୁଅ ଗଂଗାଧର କନ୍ୟା ବିମଳା ଦେଖାହେଲେ । ସେମାନଙ୍କୁ ସମସ୍ତ ଜିନିଷ ଗୋପନ ରଖିବାକୁ ଅନୁରୋଧ କଲେ ମେଜର । ସମୟକ୍ରମେ ଗଙ୍ଗାଧର ଓ ବିମଳାଙ୍କର ସଦାନଦଙ୍କ ସ୍ତ୍ରୀ ସୌଦାମିନୀଙ୍କ ସହିତ ସଂପର୍କ ବଢ଼ିଲା । ହଠାତ ଦିନେ ଖବର କାଗଜର ଜାଣିଲେ ଓଡ଼ିଶାର ରାଜା ଦିବ୍ୟସିଂହ ଦେବଙ୍କୁ ଇଂରେଜମାନେ ବନ୍ଦୀ କରି କଳାପାଣି ପଠାଇ ଦେଇଛନ୍ତି । ସେଠାରୁ ସେ ଦେଶକୁ ନ ଫେରି ନିକଟସ୍ଥ ଉପନିବେଶ ଦ୍ଵୀପଗୁଡ଼ିକୁ ବୁଲିବାକୁ ଯାଉଥିଲେ । ମେଜର ସଦାନନ୍ଦ ଓ ଗଙ୍ଗାଧରଙ୍କୁ ଏହା ଖୁବ୍‌ କଷ୍ଟ ଦେଲା ଓ ସେମାନେ ଦିବ୍ୟସିଂହ ଦେବଙ୍କୁ ଉଦ୍ଧାର କରିବା ପାଇଁ ଚିନ୍ତାକଲେ । ସଦାନନ୍ଦ ବାବୁ ଓ ମେଜରଙ୍କ କଥା ଅନୁସାରେ ଗୋଟିଏ ଉଡ଼ାଜାହାଜରେ ମେଜର ବଶାଖାପାଟଣା ଗଲେ । ଅନିଚ୍ଛା ସତ୍ତ୍ୱେ ଗଙ୍ଗାଧର ବାବୁଙ୍କ ପତ୍ନୀ ବିମଳାଙ୍କୁ ତାଙ୍କ ସହିତ ପଠାଇଲେ । ମେଜରଙ୍କ ଗୁଣରେ ମୁଗ୍ଧ ହୋଇ ବିମଳା ତାଙ୍କ ପ୍ରତି ଆକର୍ଷିତ ହେବାର ଗଙ୍ଗାଧର ଜାଣିଲେ । ବାପାଙ୍କ ମୃତ୍ୟୁପରେ ମେଜର ମଙ୍ଗଳପୁର ଯାଇ ସେଠାରେ ଜମିବାଡ଼ି ଗ୍ରାମବାସୀଙ୍କୁ ଦେଇ ବାପାଙ୍କ ପ୍ରଦତ୍ତ କୋଥଳିକୁ ଧରି ଫେରିଥିଲେ । କୋଥଳିଟିକୁ ବାପାଙ୍କ ମୃତ୍ୟୁର ପାଞ୍ଚ ବର୍ଷପରେ ଖୋଲିବାପାଇଁ ବାପା କହିଥିଲେ । କୋଥଳି ଭିତରେ ଏକ ଚିଠିରେ ଲେଖାଥିଲା ମେଜର ବେହେରାଙ୍କ ପୂର୍ବ ଇତିହାସ । ଏହା ଜାଣି ଗଙ୍ଗାଧର ବିମଳାଙ୍କୁ ଫେରାଇ ଆଣିବାକୁ ଚେଷ୍ଟାକଲେ ।

ସଦାନନ୍ଦବାବୁ, ମେଜର ବେହେରା ଓ ଗଙ୍ଗାଧର ତୀର୍ଥାଟନରେ ଯାଇ ରାସ୍ତାରେ ଅନ୍ୟମାନଙ୍କ ସହିତ ପରିଚିତ ହୋଇ ବିଭିନ୍ନ ଦ୍ଵୀପ ଓ ତାର ଶାସକ ତଥା ଅଧିବାସୀମାନଙ୍କ ସଂପର୍କରେ ବିବରଣୀ ସଂଗ୍ରହ କଲେ । ରାସ୍ତାରେ ଯିବାବେଳେ ମେଜର ବେହେରା ଗଙ୍ଗାଧରଙ୍କ ବିଚକ୍ଷଣ ବୁଦ୍ଧିରେ ଖୁସି ହେଉଥାନ୍ତି । ବିଶେଷ ଆନନ୍ଦିତ ହେଲେ ସେତେବେଳେ, ଯେତେବେଳେ ତାଙ୍କୁ ଗଙ୍ଗାଧର ରାଜାଘର ପୁଅ ଭାବରେ ପ୍ରମାଣିତ କଲେ । ନିଶାର୍ଦ୍ଧରେ ମେଜର ଆକାଶମାର୍ଗରୁ ଅବତରଣ କଲେ ଏକ କୋଠରୀରେ ଯେଉଁ କୋଠରୀରେ ଥିଲେ ସୀତା ରାମାୟା । ସେ ମେଜରଙ୍କୁ ସାହାଯ୍ୟ କଲେ । ଉଭୟ ରାଜାଙ୍କୁ ଉଦ୍ଧାର କରି ଜାହାଜ ପର୍ଯ୍ୟନ୍ତ ଘେନି ଆସିଲେ । ବିମଳା ବିଶାଖପାଟଣାରୁ ଆସି ସୌଦାମିନୀଙ୍କ ସହିତ ଗୋପାଳପୁରରେ ରହୁଥିଲେ । ଚଉଗଡ଼ ପୁତ୍ର ସନ୍ଧାନ ନପାଇ ଗୋପାଳପୁରର ସବୁ ଖବର ଜାଣି କଲେକ୍ଟରଙ୍କୁ ଚିଠି ଦେଲେ ଯହିଁରେ ଲେଖାଥିଲା ସୌଦାମିନୀ ଓ ବିମଳାଙ୍କୁ ଦେଶାନ୍ତର କରିବାକୁ ।

ମେଜର ଓଗେର ସ୍ଵଦେଶକୁ ଫେରିବା ରାସ୍ତାରେ ଇଂରେଜ ସିପାହୀମାନେ ଜାହାଜକୁ ଅଟକାଇଲେ । ସେଠାରେ ଶୁଣିଲେ ସୌଦାମିନୀ ଓ ବିମଳାଙ୍କର ଦେଶାନ୍ତର ଖବର । ମେଜରଙ୍କୁ ସାହାଯ୍ୟ କରିଥିବାରୁ ସେଠାରେ ଥିବା ଅଧସ୍ଥନ କର୍ମଚାରୀମାନେ ଦଣ୍ଡ ପାଇଲେ । ମେଜର ଓ ଗଙ୍ଗାଧରଙ୍କ ଫାଶି ଦଣ୍ଡାଦେଶ କଥା ରାମଣ ନାଇଡ଼ୁ ଠାରୁ ମିଳିଲା । ହେଲେ ମେଜର, ସଦାନନ୍ଦ ବାବୁ, ଗଂଗାଧର ଓ ଦିବ୍ୟସିଂହଦେବ ଶତ୍ରୁ କବଳରୁ ଦେଶକୁ ରକ୍ଷା କରିବା ପାଇଁ ନିର୍ବାସନ ଶ୍ରେୟସ୍କର ବୋଲି ବିଚାର କଲେ । କାରଣ ନିଜ ଦେଶରେ ଇଂରେଜ ଶତ୍ରୁଗଣ ଯେମିତି ଅତ୍ୟାଚାର ଚଳାଇଛନ୍ତି ତାହା ସେମାନଙ୍କ ପାଇଁ ଦୁଃଖଦ ହୋଇ ପଡ଼ିଥିଲା । ଦିବ୍ୟସିଂହ ଦେବଙ୍କ ମତାନୁସାରେ ସ୍ଵଦେଶକୁ ନଫେରି ଦ୍ୱୀପାନ୍ତରରେ ରହି ମିତ୍ର ଦେଶର ସହାୟତାରେ ଶତ୍ରୁଙ୍କୁ ଦମନ କରିବା । ଅତୀତ ଇତିହାସ ତାଙ୍କୁ ଏଥିପାଇଁ ପ୍ରେରଣା ଦେଲା । ପ୍ରଥମ କାର୍ଯ୍ୟ ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜରୁ ଆରମ୍ଭ କରିବା ପାଇଁ ସ୍ଥିର କରି ରାମଣା ନାଇଡ଼ୁ, ମେଜର, ସଦାନନ୍ଦ, ଗଂଗାଧର, ସୌଦାମିନୀ ଓ ବିମଳା ସ୍ଵଦେଶକୁ ଫେରିବାର ଆନନ୍ଦରୁ ବିରତ ହୋଇ ସ୍ଵାଧୀନ ଦେଶ ଗଢ଼ିବାର ନୂତନ କଳ୍ପନାରେ ଅନନ୍ତ ସଂଗ୍ରାମ ପଥରେ ଅଗ୍ରସର ହେଲେ । ପରଦିନ ଜନ୍ମଭୂମିକୁ ଶେଷ ପ୍ରଣାମ ଜଣାଇ ଚିରଦିନ ଲାଗି ନିର୍ବାସିତ ହୋଇଗଲେ ।

ଆହରଣରେ ସମୀକରଣ :–

ଗୋଦାବରୀଶଙ୍କ ଚାରୋଟି ଉପନ୍ୟାସରେ ବୈଶିଷ୍ଟ୍ୟ ତିନୋଟି । ପ୍ରଥମତଃ, ଆହରଣରେ ସମୀକରଣ, ଦ୍ୱିତୀୟରେ, ଇତିହ।ସର ପଦଧ୍ୱନି, ତୃତୀୟରେ, ଜାତୀୟତାବୋଧ । ଔପନ୍ୟାସିକ ଚାରୋଟି ଯାକ ଉପନ୍ୟାସକୁ ବିଦେଶୀ କଥାବସ୍ତୁର ଅବଲମ୍ବନରେ ରଚନା କରିଛନ୍ତି । ‘ଘଟାନ୍ତର’ ର କଥାବସ୍ତୁଟି ଓଡ଼ିଶାର ବିଶେଷ କରି କଟକର ଗଳି କନ୍ଦି, ବସ୍ତି ଓ ବିଭିନ୍ନ ସ୍ଥାନ ମଧ୍ୟ ଦେଇ ଗତି କରିଛି । ବକ୍ସି ବଜାର, ତେଲେଙ୍ଗା ବଜାର, ତୁଳସୀପୁର ପ୍ରଭୃତି ସ୍ଥାନର ପ୍ରତ୍ୟେକ ଘଟଣା ଏହା ସହିତ ସଂପୃକ୍ତ । ଡାକ୍ତର ନାୟକ, ସଦେଇ ଜେନା, ଓକିଲ ରାମବାବୁ ଆଦି ପ୍ରତ୍ୟେକ କଟକର ଜଣେ ଜଣେ ଅଧିବାସୀ । ଘଟଣାର ଚମତ୍କାରିତା ହେତୁ ସାଧାରଣ ଓଡ଼ିଆ ପାଠକ ଏହାର ପ୍ରଭାବକୁ ଖୋଜିନଥାଏ । କୌତୂହଳ ଉନ୍ମୋଚନ ପାଇଁ ଏକା ନିଶ୍ଵାସରେ ପାଠ କରିଥାଏ କେବଳ । କଥାବସ୍ତୁର ଗତିଶୀଳତାରୁ ଜଣାଯାଇଥାଏ, ଏହା ଯେମିତି ନିଛକ ଓଡ଼ିଆ ଘରର କାହାଣୀ । ଡାକ୍ତର ନାୟକଙ୍କ ଇଚ୍ଛା ଶକ୍ତି ଓ ବିଚକ୍ଷଣତାକୁ ପାଠକ ତାରିଫ କରିବାକୁ ଯାଇ ସଦେଇ ଜେନାର ଲୋମହର୍ଷଣକାରୀ ଚିତ୍ରକୁ ସଂପୂର୍ଣ୍ଣ ପାଶୋରି ଦିଏ ।

ଦ୍ୱିତୀୟ ଉପନ୍ୟାସ ‘ଅଭାଗିନୀ’ର କଥାବସ୍ତୁ ବିଶ୍ଵ ବିଖ୍ୟାତ ଫରାସୀ ଔପନ୍ୟାସିକ ଭିକଟର୍‌ ହ୍ୟୁଗୋଙ୍କର ‘ଲା ମିଜରେବୁଲ୍‌’ରୁ ଗୃହୀତ । ଗୋଦାବରୀଶ ଏଥିରେ ବାଙ୍କିଯୁଦ୍ଧ ଓ ବ୍ରିଟ୍ରିଶ ବିରୋଧୀ ବିପ୍ଲବ ପ୍ରସଙ୍ଗକୁ ଗ୍ରହଣ କରିଛନ୍ତି। କଟକ ଓ ଜଜାର ସିଂହର ସହରାଞ୍ଚଳ ଏଥିରେ ସୁନ୍ଦରଭାବେ ବର୍ଣ୍ଣିତ । କେବଳ ପାଣୁ ନାଏକଙ୍କର ରୋମାଞ୍ଚକର ଯାତ୍ରା ବ୍ୟତୀତ ଅନ୍ୟ ଘଟଣାଗୁଡିକ ସହରରେ ଘଟିଥିବାରୁ ଏହାର ଆହରଣକୁ ପାଠକ ଭୁଲିଯାଏ ।

‘ଅଠର ଶହ ସତର’ ଉପନ୍ୟାସ ଚାର୍ଲସ ଡିକେନସ୍‌ଙ୍କ ‘ଏ ଟେଲ୍‌ଅଫ୍‌ଟୁ ସିଟିଜ୍‌’ର ଛାୟାରେ ରଚିତ । ଔପନ୍ୟାସିକ କିନ୍ତୁ ଏହାକୁ ଖୋର୍ଦ୍ଧାର ପାଇକ ବିଦ୍ରୋହ ସହିତ ଏମିତି ସୁନ୍ଦର ଭାବରେ ସଂଯୋଗ କରିଛନ୍ତି ଯେ ତାହା ସଂପୂର୍ଣ୍ଣ ମୌଳିକ ପରି ମନେ ହୁଏ । ଇଂରେଜମାନେ ଓଡ଼ିଶାକୁ ଆସି ରାଜସ୍ଵ ନୀତି ପ୍ରଣୟନ କରି ଆର୍ଥିକ କର ଆଦାୟ କଲେ । ରାଜା ଓ ପ୍ରଜାମାନେ ଏଥିରେ ଅସନ୍ତୁଷ୍ଟ ହେଲେ । ଇଂରେଜମାନଙ୍କ ଶୋଷଣ ଫଳରେ ଓଡ଼ିଶାରେ ଅର୍ଥନୀତି, ସମାଜନୀତି ଓ ରାଜନୀତି କ୍ଷେତ୍ରରେ ଘୋର ବିଶୃଙ୍ଖଳା ଦେଖାଦେବା ସହିତ ଶହ ଶହ ଗରୀବ ନିରୀହ ଜନତା ଭୂଲୁଣ୍ଠିତ ହେଲେ । ବକ୍ସି, ସଦାଶିବ ଆଦିଙ୍କ ଦେଶପ୍ରେମ ଯୋଗୁଁ ଇଂରେଜମାନଙ୍କ ସହିତ ନାନା କୌଶଳରେ ଯୁଦ୍ଧ ହେଲା । ଓଡ଼ିଆ ଜାତିର ସଂଗ୍ରାମୀ ପଣିଆ ଏଠାରେ ପ୍ରକାଶ ପାଇଛି । ପରାସ୍ତ ହୋଇ ବକ୍ସି ଆଗାମୀ ଏକ ଶତାବ୍ଦୀ ପରେ ସ୍ୱାଧୀନତାର ସଂଭାବନା ପାଇଁ ନୂତନ ସ୍ୱପ୍ନ ଦେଖିଲେ । ଏହା ଉପନ୍ୟାସର ମୌଳିକତାକୁ ଦର୍ଶାଏ ।

‘ନିର୍ବାସିତ’ ଉପନ୍ୟାସ ଏକ ବିଦେଶୀ ଉପନ୍ୟାସର ଛାୟାରେ ରଚିତ ହେଲେ ହେଁ ଏହାର ମୌଳିକତା ସ୍ଵୀକାର୍ଯ୍ୟ । ପୁରୀ ରାଜା ଦିବ୍ୟସିଂହଦେବଙ୍କୁ କଳାପାଣିରୁ ଉଦ୍ଧାର କରିବା ପାଇଁ ମେଜର ନରହରି ବେହେରାଙ୍କ ଅକ୍ଳାନ୍ତ ଚେଷ୍ଟା ପ୍ରଶଂସନୀୟ । ମେଜରଙ୍କ କାରିଗରୀ ବିଚକ୍ଷଣ ବୁଦ୍ଧିରେ ଉଡ଼ାଜାହାଜ ନିର୍ମାଣ ହେଲା, ସେଥିରେ ରାଜାଙ୍କୁ ଉଦ୍ଧାର କରିବା ପାଇଁ ସବୁମନ୍ତେ ଚେଷ୍ଟା କରାଗଲା । ବିଭିନ୍ନ ସୂତ୍ରରୁ ତଥ୍ୟ ସନ୍ଧାନକରି ମେଜର ଯେମିତି ବହୁ ଗହନ ପଥ ଅତିକ୍ରମ କରିଛନ୍ତି ସେସବୁ ଇଂରାଜୀ ଉପନ୍ୟାସରେ ସମ୍ଭବ ହୋଇଥାଏ । ଓଡ଼ିଆ ଉପନ୍ୟାସରେ ସେ ସବୁର ସମୀକରଣ କୌଶଳ ହିଁ ଉପନ୍ୟାସଟିକୁ କରିପାରିଛି ହୃଦୟଗ୍ରାହୀ ।

ଇତିହାସର ପଦଧ୍ୱନି :–

ମୂଳତଃ ଇତିହାସର ପଦଧ୍ୱନି ‘ଅଠର ଶହ ସତର’ ଓ ‘ନିର୍ବାସିତ’ ଉପନ୍ୟାସରେ ଲକ୍ଷଣୀୟ । ‘ଅଠରସତ’ ରେ ଇଂରେଜମାନଙ୍କ ବିରୋଧରେ ପାଇକ ବିଦ୍ରୋହ ଓ ‘ନିର୍ବାସିତ’ ରେ ରାଜା ଦିବ୍ୟସିଂହଦେବଙ୍କୁ କଳାପାଣିରୁ ଉଦ୍ଧାର କରିବାର ଉପାୟ ବର୍ଣ୍ଣିତ । ଇଂରେଜମାନଙ୍କ ଆଗମନ ପରେ ଖୋର୍ଦ୍ଧାରେ ରାଜା ସେମାନଙ୍କ ବିରୁଦ୍ଧାଚରଣ କଲେ । ରାଜସ୍ୱରୁ କାଣିଚାଏ ମଧ୍ୟ ନଦେବା ପାଇଁ ଅଡ଼ିବସିଲେ । ଇଂରେଜମାନେ ପ୍ରାଥମିକ ପର୍ଯ୍ୟାୟରେ ଭୟଭୀତ ହୋଇ ଯାଇଥିଲେ । ସେମାନଙ୍କ ଚତୁର ପଣିଆରେ ପାଇକମାନେ ଇତସ୍ତତଃ ହୋଇଗଲେ ସତ, ମାତ୍ର ବିଦ୍ରୋହୀ ପାଇକ ବାହିନୀ ଗଠନକରି ଯୁଦ୍ଧକଲେ । ଏହାର ପରିଣତି ସ୍ଵରୂପ ଅଠରଶହ ସତରରେ ଯେଉଁ ମହାବିଦ୍ରୋହ ଘଟିଲା, ତାହା ଓଡ଼ିଆବାସୀଙ୍କ ନିକଟରେ ଐତିହାସିକ ଘଟଣା ହୋଇ ରହିଛି-। ‘ନିର୍ବାସିତ’ ପୁରୀରାଜା ଦିବ୍ୟସିଂହଦେବଙ୍କ ଜୀବନର ଏକ ଉଲ୍ଲେଖଯୋଗ୍ୟ ଘଟଣା । ନରହତ୍ୟା ଅପରାଧରେ ସେ ଇଂରେଜମାନଙ୍କ ଦ୍ଵାରା ଦଣ୍ଡିତ ହୋଇ କଳାପାଣିରେ ଆଜୀବନ ଜେଲ୍‌ଦଣ୍ଡ ଭୋଗ କଲେ । ଏହା ୧୮୭୮ ମସିହାର କଥା । ଏଠାରେ ଥିବା କାଳରେ ସେ ଯକ୍ଷ୍ମାରୋଗରେ ପୀଡ଼ିତ ହୋଇ ୧୮୮୭ ମସିହାରେ ମୃତ୍ୟୁବରଣ କଲେ । ଔପନ୍ୟାସିକ ୧୦ବର୍ଷର ଏହି ଘଟଣାକୁ କଳ୍ପନାର ନାନା ଉପଯୋଗରେ ଗଢ଼ିଛନ୍ତି । ରାଜାଙ୍କୁ ଉଦ୍ଧାର କରିବାପାଇଁ ଯେଉଁ ଯୋଦ୍ଧା ଓଡ଼ିଆମାନଙ୍କ ଚରିତ୍ର ଏଥିରେ ଚତ୍ରିତ ସେମାନେ ସମସ୍ତେ ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କରିଛନ୍ତି । ପ୍ରଥମ ବିଶ୍ଵଯୁଦ୍ଧ କାଳରେ ଔପନ୍ୟାସିକ ଏହାକୁ ରଚନା କରିଥିବାରୁ ଏଥିରେ କାଳଗତ ଭ୍ରମ ପରିଦୃଷ୍ଟ । ମାତ୍ର ଉପନ୍ୟାସଟିର ଐତିହାସିକ ଭିତ୍ତି ସୁଦୂଢ଼ ।

ଜାତୀୟତ।ବେ।ଧ :–

ମାତୃଭୂମି ଓ ଜାତିପ୍ରେମୀ ଗୋଦାବରୀଶ ତାଙ୍କ ‘ଅଭାଗିନୀ’, ‘ଅଠରଶହ ସତର’ ନିର୍ବାସିତ ଉପନ୍ୟାସରେ ଜୀତୀୟତାର ଚରମ ନିଦର୍ଶନ ଦେଖାଇଛନ୍ତି । ଓଡ଼ିଆ ଜାତିର ସଂସ୍କୃତି ଚେତନା, ଇତିହାସ ପ୍ରେମ ଓ ମାତୃଭୂମି ପ୍ରତି ସ୍ନେହ, ଏ ଉପନ୍ୟାସଗୁଡ଼ିକୁ କରିଛି ସମୁଜ୍ଜ୍ୱଳ । ଜାତୀୟତାର ପୃଷ୍ଠଭୂମି ଉପରେ ତ୍ୟାଗବାନ, ଆଦର୍ଶବାନ ଓ ବୀର ଚରିତ୍ର ଗୁଡ଼ିକ ଦେଶ ଓ ଜାତି ପାଇଁ ନିଜର ପ୍ରଲୋଭନକୁ ପଛରେ ପକାଇ ଯେଉଁ ଆତ୍ମୋତ୍ସର୍ଗ ଦେଖାଇଛନ୍ତି ଇତିହାସ ପୃଷ୍ଠାରେ ତାହା ସ୍ମରଣୀୟ । ବିଶେଷ କରି ‘ନିର୍ବାସିତ’ ଉପନ୍ୟାସରେ ଦେଶ ଭକ୍ତି ଓ ଜାତୀୟତାର ସ୍ଵାକ୍ଷର ଚରମ । ଦିବ୍ୟସିଂହଦେବଙ୍କୁ ଉଦ୍ଧାର କରିବା ପାଇଁ ଯେଉଁମାନେ ପ୍ରାଣବଳି ଦେବାକୁ ପ୍ରସ୍ତୁତ, ସେମାନେ ଓଡ଼ିଆ ଜାତି ପାଖରେ ଚିର ନମସ୍ୟ ହୋଇ ରହିବେ । ‘ଅଠର ଶହ ସତର’ରେ ବକ୍ସିଙ୍କ ଆହ୍ୱାନର ସ୍ଵର ‘ନିର୍ବାସିତ’ରେ ଶୁଣିବାକୁ ମିଳେ । ଆଗାମୀ ଭବିଷ୍ୟତରେ ସ୍ଵାଧୀନତା ପାଇବା ପାଇଁ ଚେଷ୍ଟା ଅବ୍ୟାହତ ରଖିବାପାଇଁ ବକ୍ସି ଯେଉଁ ପ୍ରେରଣା ଦେଇଛନ୍ତି ତାହା ଓଡ଼ିଆ ଜାତୀୟତାର ଚରମ ନିଦର୍ଶନ ।

ଗୋଦାବରୀଶ ଔପନ୍ୟାସିକ ନୁହନ୍ତି, ମାତ୍ର ସେ ରଚନା କରିଛନ୍ତି ଚାରୋଟି ଉପନ୍ୟାସ-। ବିଦେଶୀ ଉପନ୍ୟାସର ଛାୟା ସର୍ବତ୍ର ପ୍ରତିଫଳିତ । ବାହାରର ଛାୟା ଅଛି, କାୟା କନ୍ତୁ ଓଡ଼ିଶାର, ଆତ୍ମା ଓଡ଼ିଶାର ସ୍ୱାଭିମାନ ଓ ଜାତୀୟତାର । ଉପନ୍ୟାସ ଚତୁଷ୍ଟୟ କାହାଣୀ ଆଧାରିତ । ମୁଖ୍ୟକାହାଣୀକୁ ଆଧାର କରି ନାନା କାହାଣୀ ଯୋଡ଼ି ହୋଇଯାଇଛି । ମନେ ହୋଇଛି ଯେମିତି ରହସ୍ୟ-ରୋମାଞ୍ଚ କାହାଣୀ କହୁଛନ୍ତି ଲେଖକ । ସ୍ଵଦେଶ ପ୍ରେମ, ଜାତୀୟ ସ୍ଵାଭିମାନ, ଦୁଃସାହସିକତା, ଅନ୍ୟର କଲ୍ୟାଣ ପାଇଁ ଆତ୍ମୋତ୍ସର୍ଗ ଓ ଆତ୍ମଦୀପ୍ତ ଭାବନା ଏହି ଉପନ୍ୟାସଗୁଡିକୁ ସୁଖପାଠ୍ୟ କରିଛି । ଓଡ଼ିଆ ଉପନ୍ୟାସର ଆଦିଯୁଗର ସ୍ରଷ୍ଟା ଫକୀରମୋହନ । ତାଙ୍କର ସଦ୍ଧି ଗୋଦାବରୀଶଙ୍କୁ ଅନୁପ୍ରାଣିତ କରିଛି । ତେଣୁ ସେ ରଚନା କରିଛନ୍ତି ଉପନ୍ୟାସ । ଓଡ଼ିଆ ଉପନ୍ୟାସର ମଧ୍ୟଯୁଗରେ ସେ ଯେ ଅନ୍ୟତମ ସାର୍ଥକ ବିନ୍ଧାଣୀ, ଏକଥା କହିଲେ ସତ୍ୟର ଅପଳାପ ହେବ ନାହିଁ ।

Image

 

ଗୋଦାବରୀଶ ମିଶ୍ର

ସପ୍ତମ ପରିଚ୍ଛେଦ

ପ୍ରାବନ୍ଧିକ ଗେ।ଦାବରୀଶ

 

କବିତା, ନାଟକ, କଥାସାହିତ୍ୟ ଆଦି ରଚନାରେ ଗୋଦାବରୀଶ ସଫଳ ହେବା ସଂଗେ ସଂଗେ ପ୍ରବନ୍ଧ ରଚନାରେ ମଧ୍ୟ ତାଙ୍କର କୃତିତ୍ୱ ସର୍ବଜନ ବିଦିତ । ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରୁ ସେ ପ୍ରବନ୍ଧ ଲେଖାରେ ଅଭିନିବିଷ୍ଟ ହେଲେ । ଏ ସମୟ ଓଡ଼ିଆ ପ୍ରବନ୍ଧସାହିତ୍ୟର ମଧ୍ୟପର୍ବ । ସମୟର ପ୍ରାଣ ସ୍ପନ୍ଦନ ସହିତ ଆତ୍ମସଚେତନତା ଓ ଆତ୍ମଜାଗୃତି ଥିଲା ଏହାର ଅନ୍ତଃସ୍ଵର-। ପ୍ରବନ୍ଧ ଥିଲା ସମାଜସଂସ୍କ।ର ଓ ଜାତୀୟତା ମୂଳକ । ସତ୍ୟବାଦୀ ସାହିତ୍ୟ ପର୍ବର ଲେଖକଗଣଙ୍କ ଉଦ୍ୟମରେ ସତ୍ୟବାଦୀ ବନବିଦ୍ୟାଳୟ ବିକଶିତ ହେଲା । ୧୯୧୫ରେ ପ୍ରକାଶ ପାଇଲା ‘ସତ୍ୟବାଦୀ’ ଓ ୧୯୧୯ରେ ‘ସମାଜ’ ଖବର କାଗଜ । ପଣ୍ଡିତ ଗୋପବନ୍ଧୁଙ୍କ ଗଣଧର୍ମୀ ଭାଷା, ନୀଳକଂଠଙ୍କର ଅସାମାନ୍ୟ ପାଣ୍ଡିତ୍ୟ ଏ ସମୟପାଇଁ ହେଲା ଅନନ୍ୟ । ଏହି ପର୍ବର ଅନ୍ୟତମ ବଳିଷ୍ଠ ଲେଖକ ହେଲେ ଗୋଦାବରୀଶ ମିଶ୍ର । ସେ ଗୋପବନ୍ଧୁ ଓ ନୀଳକଂଠଙ୍କ ଭଳି ପ୍ରବନ୍ଧ ନ ଲେଖିଥିଲେ ହେଁ ତାଙ୍କ ପ୍ରବନ୍ଧ ମୁଖ୍ୟତଃ ଥିଲା ବହୁ ବୈଚିତ୍ର୍ୟଭରା ତତ୍କାଳୀନ ସମୟର ପତ୍ରିକା ‘ଉତ୍କଳ ସାହିତ୍ୟ’ ‘ମୁକୁର’ ଓ ‘ସତ୍ୟବାଦୀ’ ରେ ମୁଖ୍ୟତଃ ଗୋଦାବରୀଶଙ୍କ ପ୍ରବନ୍ଧଗୁଡ଼ିକ ପ୍ରକାଶିତ-। ରଚନାର ବିଚିତ୍ରତା ଦୃଷ୍ଟିରୁ ଏସବୁକୁ ବହୁଧା ବିଭକ୍ତ କରାଯାଇପାରେ । ପ୍ରାବନ୍ଧିକ ତାଙ୍କ ଜୀବଦଶାରେ ବିଭିନ୍ନ ବିଭାଗରେ ବିଭକ୍ତ କରି ସଙ୍କଳନମାନ ପ୍ରକାଶ କରାଇଥିଲେ । ଶିଶୁ ଉପଯୋଗୀ ଗ୍ରନ୍ଥ ଗୁଡ଼ିକରୁ ପ୍ରକାଶକମାନେ ଯାହା ଅର୍ଥ ଦେଉଥିଲେ ତାଙ୍କ ଘୋର ଅଭାବକାଳରେ ସେତିକିରେ ସେ ସପରିବାର ଚଳୁଥିଲେ । ଗୋଦାବରୀଶ ଗଳ୍ପ ଓ କବିତାରେ ନିଜ ଅନୁଭବକୁ କାମରେ ଲଗାଇବା ପରି ପ୍ରବନ୍ଧ ଗୁଡ଼ିକରେ ମଧ୍ୟ ତାଙ୍କ ଅଙ୍ଗେ ଲିଭା ଘଟଣା ସ୍ଥାନିତ । ପ୍ରାବନ୍ଧିକଙ୍କ ମୃତ୍ୟୁ ପରେ ଅଧିକାଂଶ ଲେଖା ସଂଗୃହୀତ ହୋଇ ଗ୍ରନ୍ଥାବଳୀରେ ସ୍ଥାନ ପାଇଛି । ସମସ୍ତ ପ୍ରବନ୍ଧକୁ ଯଥାକ୍ରମେ,

ଜାତୀୟ ଓ ରାଜନୀତିକ ସମସ୍ୟା ସମ୍ବଳିତ ପ୍ରବନ୍ଧ :–

ବିଛିନ୍ନାଞ୍ଚଳ ସମସ୍ୟା, ଗଣତନ୍ତ୍ର ଶାସନର ରୂପରେଖ, ଜନତନ୍ତ୍ର-ଶାସନ, ଭାରତର ଅଚଳ ଅବସ୍ଥା, ଜାତୀୟ ପତାକା-ଜାତିର ଦେବତା

ଜୀବନୀମୂଳକ ପ୍ରବନ୍ଧ :–

ନେପୋଲିଅନ, ଦାସତ୍ଵ ମୋଚନ, ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ସ୍ମରଣିକା

ବିଶ୍ଲେଷଣାତ୍ମକ ବା ବର୍ଣ୍ଣନାଧର୍ମୀ ପ୍ରବନ୍ଧ :–

କଙ୍କାଳର ଆର୍ତ୍ତନାଦ, ଶରୀରଭେଦ ଓ ସ୍ଵାସ୍ଥ୍ୟ ଧନ, କଲିକତା ଦାତବ୍ୟ ବିଦ୍ୟାଳୟ, ହିନ୍ଦୁ ଦେବ ମନ୍ଦିର, ଶିକ୍ଷା ଓ ତାହାର ଅର୍ଥମୂଲ୍ୟ ।

ଲେଖକ ଜୀବନର ସ୍ମୃତି ଓ ଅନୂଭୂତି ମୂଳକ ପ୍ରବନ୍ଧ :–

କୋଣାର୍କ ଦର୍ଶନ, ଖୋରଧାରେ ଦୁଇଦିନ ଅବକାଶର ଅନୁଭୂତି, ସମ୍ବଲପୁରରେ ଚାରିଦିନ

ଓଡ଼ିଶା ସଂକ୍ରାନ୍ତୀୟ ବିବୃତି ମୂଳକ ପ୍ରବନ୍ଧ :–

ଓଡ଼ିଶାରେ ଭୂନୀତି, କୋର୍ଟ ଅଫ ୱାର୍ଡ୍‌ସ୍‌-ଜମିଦାରୀ ରଖା-ନା-ଉଠା ? ଖଜଣାଛାଡ଼, ଦରିଦ୍ର କୃଷକକୁ ଖଜଣା ଦାୟରୁ ନିଷ୍କୃତି ଦିଅ, ଓଡ଼ିଶାରେ ଲୋକସଂଖ୍ୟା ଓ ସ୍ଵାସ୍ଥ୍ୟ, ଉତ୍କଳରେ ଶିଳ୍ପ ସଙ୍ଗଠନର ଭବିଷ୍ୟତ, ଉତ୍କଳରେ ଶିକ୍ଷା ଯୋଜନା, ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ୍‌, ଷଢ଼େଇକଳା-ଖରସୁଆଁ କୁ ତୁରନ୍ତ ଓଡ଼ିଶାରେ ମିଶାଇବାକୁ କାଟଜୁ ନାରାଜ, ଓଡ଼ିଶାରେ କ୍ରମାଗତ ଅନାବୃଷ୍ଟି, ବଂଗ ବିହାର ସହିତ ଓଡ଼ିଶା ମିଶ୍ରଣ ପ୍ରସ୍ତାବର ବିରୋଧ କରାଯାଉ, ଓଡ଼ିଶାରେ ଜୀବନ ବୀମାର ଭବିଷ୍ୟତ, ଓଡ଼ିଶାର ସାମରିକ ଶକ୍ତି, ଗଣତନ୍ତ୍ର ପରିଷଦରେ ଯୋଗଦେଲେ ।

ଭାଷଣ ଓ ଅଭିଭାଷଣ ଧର୍ମୀ ପ୍ରବନ୍ଧ :–

ଛାତ୍ର ଜୀବନରେ ଦାୟିତ୍ଵ, ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସମ୍ମିଳନୀ, ପ୍ରାଥମିକ ଶିକ୍ଷା ପ୍ରଣାଳୀର ଆମୂଳ ପରିବର୍ତ୍ତନ ଲୋଡ଼ା, ଆଠମଲ୍ଲିକ ରାଜ୍ୟ ଶିକ୍ଷା ସପ୍ତାହରେ ସଭାପତି ପଣ୍ଡିତଜୀଙ୍କ ଅଭିଭାଷଣ, ପ୍ରାଥମିକ ଓ ମଧ୍ୟ ବିଦ୍ୟାଳୟ ଶିକ୍ଷକ ସମ୍ମିଳନୀ, ବାରିପଦା ସାହିତ୍ୟ ସମାଜରେ ଅଭିଭାଷଣ, ପ୍ରବାସୀ ଉତ୍କଳ ସମ୍ମିଳନୀ, ନାଟକର ଗତି, ଗଣତନ୍ତ୍ର ପରିଷଦ, ଉତ୍କଳ ସମ୍ମିଳନୀ ।

ସ୍ନେହ ଓ କର୍ତ୍ତବ୍ୟ ଉପରେ ଆଧାରିତ ପ୍ରବନ୍ଧ :– ପତ୍ର।ବଳୀ

ଶିଶୁ ମନରେ ଆଦର୍ଶ, କୌତୁହଳ ଓ ଜିଜ୍ଞାସା ଉଦ୍ରେକକାରୀ ପ୍ରବନ୍ଧ :– ରାମାୟଣ କଥା, ମହାଭାରତ କଥା, ପଞ୍ଚବୀର, ପିଲାଙ୍କ କାହିଁକି ? ଚଟଣି, ଭୌଗୋଳିକ ବିଭାଗ ।

ଗୋଦାବରୀଶଙ୍କ ପ୍ରବନ୍ଧାବଳୀରେ ସ୍ଥାନ ପାଇଛି ବହୁ ବିଷୟ । ଅନେକରେ କଳାଧର୍ମ ହୁଏତ ଅସଂରକ୍ଷିତ, କିନ୍ତୁ ଜାତିର ସମସ୍ୟା ଓ ତାର ସମାଧାନ ନିର୍ଣ୍ଣୟରେ ଏଗୁଡ଼ିକର ଅବଦାନ ଅନସ୍ୱୀକାର୍ଯ୍ୟ ।

ଜାତୀୟ ଓ ରାଜନୀତିକ ସମସ୍ୟା ସମ୍ବଳିତ ପ୍ରବନ୍ଧ :–

ଏ ଧରଣର ପ୍ରବନ୍ଧଗୁଡ଼ିକରେ ମୂଳତଃ ରାଜନୀତି ଯୋଗୁଁ ଜାତୀୟ ସମସ୍ୟା କିପରି ସମାଧାନ ହୋଇପାରୁ ନାହିଁ ତାହା ଚିତ୍ରିତ । ସ୍ଵାଧୀନତା ପୂର୍ବରୁ ଯେଉଁ ରାଜନୀତିକ ନେତାମାନେ ଦେଶ ଏକ ଓ ରାଜ୍ୟ ତାର ଅଂଶ ବିଶେଷ ବୋଲି କହୁଥିଲେ ସେହିମାନେହିଁ ପରେ ରାଜ୍ୟସୀମାକୁ ସମସ୍ୟାର, କେନ୍ଦ୍ରବିନ୍ଦୁ କହି କଳହ ଆନ୍ଦୋଳନରେ ବ୍ୟସ୍ତ ଅଛନ୍ତି । ରାଜ୍ୟର ସୀମା ନିର୍ଣ୍ଣୀତ ହେବାପରେ ମାତୃଭାଷାକୁ ପ୍ରଚାର କରିବା ପାଇଁ ସହଜ ହେବ ଭାବି ଗୋଦାବରୀଶ ମଧ୍ୟ ଓଡ଼ିଶାରୁ ବିଛିନ୍ନ ହୋଇଯାଇଥିବା ଅଞ୍ଚଳ ସବୁକୁ ଓଡ଼ିଶା ମଧ୍ୟରେ ମିଶାଇ ବାକୁ ଚେଷ୍ଟା କଲେ । ବିଭିନ୍ନ ସ୍ଥାନରେ ଭାଷଣ ଓ ପତ୍ରପତ୍ରିକାରେ ଏ ସମ୍ପର୍କରେ ସେ ଯେଉଁ ଲେଖା ଛପାଇଲେ ସେସବୁ ମୂଳତଃ ଥିଲା ଯୁକ୍ତି ନିଷ୍ଟ ଓ ତଥ୍ୟ ଭିତ୍ତିକ । ‘ବିଚ୍ଛିନ୍ନାଞ୍ଚଳ ସମସ୍ୟା’ ଶୀର୍ଷକ ସଂକଳନର ପ୍ରଥମ ପ୍ରବନ୍ଧ ସିଂହଭୂମି ଓ ମେଦିନୀପୁରରେ ଗୋଦାବରୀଶ କହିଛନ୍ତି ଯେ, ସିଂହଭୂମି ଅଞ୍ଚଳରେ ଥିବା ‘ହୋ’ ଓ ‘ସାନ୍ତାଳ’ମାନେ ମୂଳତଃ ଓଡ଼ିଆ ଜାଣନ୍ତି ଓ ସେମାନଙ୍କ ଗ୍ରାମମାନଙ୍କରେ ଅନେକ ଓଡ଼ିଆ ଅଛନ୍ତି । ନିରପେକ୍ଷ ଭାବରେ କେହି ଯଦି ଏମାନଙ୍କ ମତ ନିଅନ୍ତି ତାହାହେଲେ ସେମାନେ ଜାଣିପାରିବେ ଯେ ଏମାନେ ଓଡ଼ିଶାରେ ମିଶିବାପାଇଁ ଚାହାନ୍ତି । ଏମାନଙ୍କ ଗ୍ରାମମାନଙ୍କରେ ରହୁଥିବା ଲୋକମାନେ ହେଲେ ଓଡ଼ିଆ ତନ୍ତି, ତେଲି, ଗଉଡ଼, କୁମ୍ଭାର ଓ କମାର ଆଦି ବ୍ୟବସାୟୀ ଜାତିର । ଏମାନେ ପ୍ରଥମେ ଅନାର୍ଯ୍ୟ ‘ହୋ’ ଓ ‘ସାନ୍ତାଳ’ ମାନଙ୍କ ନିକଟରେ ରହି ସେମାନଙ୍କୁ ଆର୍ଯ୍ୟ ସଭ୍ୟତା ଓ ଓଡ଼ିଆ ସଭ୍ୟତା ଶିକ୍ଷା ଦେଇଛନ୍ତି । ମାତ୍ର ବର୍ତ୍ତମାନ ଯେଉଁ କେତେଜଣ ସ୍ଵଳ୍ପଶିକ୍ଷିତ ବିହାରୀ ଏମାନଙ୍କ ନିକଟରେ ଅଛନ୍ତି ସେହିମାନେ ହିଁ ଏମାନଙ୍କୁ ଓଡ଼ିଶାରେ ନମିଶିବାପାଇଁ କହୁଛନ୍ତି । ମେଦିନୀପୁର ଅଧିକାଂଶ ଇଲାକାରେ ମଧ୍ୟ ଏହି ଅବସ୍ଥା । ବିଶେଷ କରି ଦକ୍ଷିଣ ମେଦିନୀପୁର ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ । ମେଦିନୀପୁରର ଅନ୍ୟସ୍ଥାନମାନଙ୍କରେ ଯେଉଁ ବଙ୍ଗାଳୀ ଓ ବିହାରୀମାନେ ଅଛନ୍ତି ସେମାନେ ମଧ୍ୟ ଓଡ଼ିଆ ଭାଷା କହୁଛନ୍ତି । କିନ୍ତୁ ଜାଣିନପାରି ଭାବୁଛନ୍ତି ଏ ଭାଷା ବଙ୍ଗଳା ଓ ହିନ୍ଦୀ । ବ୍ୟାକରଣର ସାମାନ୍ୟ ଫରକରେ ଓ ଉଚ୍ଚାରଣ ନିୟମର ଅସତର୍କତାହେତୁ ଏହା ବଙ୍ଗଳା ଓ ହିନ୍ଦୀ ଭଳି ଜଣାଯାଉଛି କେବଳ । ଗୋଦାବରୀଶ ସିଂହଭୂମିରେ ଦୀର୍ଘବର୍ଷ ରହି ଏହା ହୃଦୟଙ୍ଗମ କରିଥିଲେ । ୧୯୩୬ମସିହାରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବାପରେ ଗୋଦାବରୀଶଙ୍କର ଦୃଢ଼ ବିଶ୍ଵାସ ଥିଲା ଏସବୁ ଅଞ୍ଚଳ ଓଡ଼ିଶାର ହେବ । ମାତ୍ର ତାପରେ ଭାରତର ଜାତୀୟ ସରକାର ଓଡ଼ିଶାପ୍ରତି ଯେଉଁ ବୈମାତୃକ ମନୋଭାବ ସୃଷ୍ଟିକଲେ ତାହା ବାସ୍ତବ ଭାବରେ ଏଥିରେ ପ୍ରଦର୍ଶିତ । ‘ଓଡ଼ନେଲ୍‌ କମିଟିର’ ତଦନ୍ତ ରିପୋର୍ଟରେ ବଙ୍ଗାଳୀମାନଙ୍କୁ ସୁହାଇବାଭଳି ମନ୍ତବ୍ୟ ଦିଆଯାଇଥିବାରୁ ଗୋଦାବରୀଶ ମର୍ମାହତ ହେଲେ । ସିଂହଭୂମିର କ୍ଷତ୍ରିୟ, କରଣ, ବ୍ରାହ୍ମଣ ଆଦି ଉଚ୍ଚବଂଶଜଙ୍କ ଘରେ ବହୁ ଦୁର୍ମୂଲ୍ୟ ଓଡ଼ିଆ ପୋଥି ସେ ନିଜେ ଦେଖିଛନ୍ତି । ସିଂହଭୂମି ଦୀର୍ଘ ବର୍ଷ ଇଂରେଜମାନଙ୍କର ଅଧୀନରେ ରହି ମଧ୍ୟ ଓଡ଼ିଆ ଭାଷାରୁ ବିରତ ହୋଇନଥିଲା । ଗାଁ ଗାଁରେ ଓଡ଼ିଆ ସ୍କୁଲ ଓ ଘରେ ଘରେ ଓଡ଼ିଆ ପଢ଼ାଯାଉଥିଲା । ଇଂରେଜ ସରକାର ପ୍ରଜାସତ୍ତ୍ୱ‌ଆଇନ ପ୍ରଣୟନ କରି ଜମିର ମାଲିକାନା ବିଷୟରେ ଅଯଥା ବିଶୃଙ୍ଖଳା ସୃଷ୍ଟିକଲେ ଓ ସିଂହଭୂମିର ପ୍ରଜାମାନଙ୍କୁ ମାତୃଭାଷା ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ଓ ବଙ୍ଗଳା ଶିକ୍ଷା କରିବାପାଇଁ ପରୋକ୍ଷରେ ପ୍ରବର୍ତ୍ତାଇଲେ । ସିଂହଭୂମିର ଭାଷାଗତ ବିଭ୍ରାଟପାଇଁ ମୁଖ୍ୟତଃ ଇଂରେଜମାନେ ଦାୟୀହେଲେହେଁ ଜିଲ୍ଲା କଂଗ୍ରେସ କମିଟି ଓ ଓଡ଼ିଆ ପ୍ରାଦେଶିକ କଂଗ୍ରେସ କମିଟିର ତାଳମେଳ ଅଭାବରୁ ଏହା ହୋଇପାରିଲା ନାହିଁ ବୋଲି ଗୋଦାବରୀଶଙ୍କ ମତ । ଏହି ସଂକଳନରେ ବିଛିନ୍ନାଞ୍ଚଳ, ସିଂହଭୂମିର ସ୍ମୃତି, ଆମ ସୀମା ସମସ୍ୟା ଆଦି କେତୋଟି ଉତ୍କୃଷ୍ଟ ଧରଣର ପ୍ରବନ୍ଧ ସନ୍ନିବିଷ୍ଟ । ପରବର୍ତ୍ତୀ ସମୟରେ ଗୋଦାବରୀଶ ଗ୍ରନ୍ଥାବଳୀ (୧୯୭୨) ୪ର୍ଥ ଖଣ୍ଡରେ ଏଗୁଡ଼ିକ ସ୍ଥାନିତ । ମାତ୍ର ଗୋଦାବରୀଶ (୧୯୬୩) ୩ୟ ଖଣ୍ଡରେ ‘ଷଢ଼େଇକଳା ଖରସୁଆଁ’ ଶୀର୍ଷକ ପ୍ରବନ୍ଧ ଏସବୁର ସମଗୋତ୍ରୀୟ । ପ୍ରତ୍ୟେକଟି ପ୍ରବନ୍ଧରେ ସଂଗ୍ରାମଶୀଳ ଜୀବନର ଅଭିଜ୍ଞତା ସହିତ ଅଖଣ୍ଡ ଉତ୍କଳପାଇଁ ତାଙ୍କ ଦରଦୀ ପ୍ରାଣ କିପରି କାନ୍ଦିଥିଲା ଦେଖିବାକୁ ମିଳେ । ସିଂହଭୂମି ସ୍ମୃତିରେ ସେ ଲେଖିଛନ୍ତି ସମଗ୍ର ଅଞ୍ଚଳରେ ଆନ୍ଦୋଳନ କରିବାପାଇଁ ଚାଇଁବସାକୁ ନିବାସସ୍ଥଳୀ ଭାବେ ସେ ଗ୍ରହଣ କରିଥିଲେ । ହୋ ମାନଙ୍କ ବସତିରେ ଏହା ପରିପୂର୍ଣ୍ଣ ଥିଲା । ‘ହୋ’ମାନଙ୍କୁ ଶିକ୍ଷାଦେଇ କେହି ଯେମିତି ତାଙ୍କ ବିରୋଧରେ ତତେଇ ନପାରନ୍ତି ସେଥିପାଇଁ ସେ ନିଜେ ‘ହୋ’ମାନଙ୍କୁ ଆପଣାର କରିଥିଲେ । ଶହେକୋଡ଼ିଏ ଉତ୍ତାପରେ ମଧ୍ୟ ସିଂହଭୂମିର ବିଭିନ୍ନ ସ୍ଥାନ ବୁଲି ବୁଲି ସଭା କରୁଥିଲେ । କ୍ଷୁଧା ନିବାରଣ ପାଇଁ ସେ ଓଡ଼ିଆ ଘରର ପଖାଳ, ଭଜା, ଆମ୍ବଖଟାର ସ୍ଵାଦ ଅନୁଭବ କରୁଥିଲେ । ଏସବୁକୁ ସେ ତାଙ୍କ ଜୀବନର ଅବିସ୍ମରଣୀୟ ସ୍ମୃତି ଭାବରେ ଗ୍ରହଣ କରିଛନ୍ତି । ‘ଆମ ସୀମା ସମସ୍ୟା’ରେ ଗୋଦାବରୀଶ କହିଛନ୍ତି ଓଡ଼ିଶାର ସୀମାପାଇଁ ଜାତିକୁ ପୁଣିଥରେ ଭାବିବାକୁ ହେବ । ଓଡନେଲ କମିଟିର ତଦନ୍ତ ଓ ଗଣନା ଅନୁସାରେ ବଙ୍ଗ, ବିହାର ଓ ମଧ୍ୟପ୍ରଦେଶର ଯେଉଁ ଅଂଶ ସବୁ ଆମର ହୋଇ ପାରିନଥିଲା ସେଠାରେ ଅଧିବାସୀମାନେ ବୁଝିଲେଣି ସେମାନଙ୍କର ଦୁର୍ଦ୍ଦଶା । ସିଂହଭୂମିର ଆଦିବାସୀମାନେ ଓଡ଼ିଶାରେ ମିଶିଲେ ମନ୍ତ୍ରୀ ହେବାର ଆଶା ରଖିଲେଣି, ମଧ୍ୟପ୍ରଦେଶର ସ୍କୁଲରେ ଦୁଇ ଧରଣର ବେତନହାର ଯୋଗୁଁ ସୀମାନ୍ତ ଅଞ୍ଚଳ ବାସୀମାନେ ଓଡ଼ିଶାର ନୀତିକୁ ବିଶ୍ଵାସ କଲେଣି । ଠିକ୍‌ ଏହିପରି ଯେଉଁ ମେଦିନୀପୁର ଓଡ଼ିଆ ମିଶା ବଙ୍ଗାଳିମାନେ ରବୀନ୍ଦ୍ରନାଥଙ୍କୁ ହରାଇବେ ନାହିଁ ବୋଲି ଭାବୁଥିଲେ ସେମାନେ ପୂର୍ବ ପୁରୁଷର ସଂସ୍କୃତି ଓ ଚଳଣିକୁ ମନେପକାଇଲେଣି । ଏଣୁ ଏହା ହିଁ ଯଥାର୍ଥ ସମୟ ସୀମା ସମସ୍ୟାର ସମାଧାନ ନିମନ୍ତେ । ନିରପେକ୍ଷ ବିଚାର ଚାହିଁ ଆନ୍ଦୋଳନ କରିବା ଉଚିତ୍‌। ‘ଷଢ଼େଇକଳା ଓ ଖରସୁଆ ଓଡ଼ିଶାରେ ମିଶି ନପାରିବାରୁ ଓଡ଼ିଆମାନେ ହତେ।ତ୍ସାହିତ ହେଲେ । ମିଶିଥିଲେ ସିଂହଭୂମି ସମସ୍ୟା ସମାଧାନ ହୋଇପାରିଥାନ୍ତା । ପ୍ରଦେଶର ଆୟତନ, ଜନସଂଖ୍ୟା, ଜାମସେଦପୁର ଲୁହା କାରଖାନା, ସୁବର୍ଣ୍ଣରେଖା ଓ ବୈତରଣୀ ଓଡ଼ିଶାର ସଂପଦ ହୋଇପାରିଥାନ୍ତା । ୧୯୪୮ ମେ, ୧୬ତାରିଖ ‘ଜନତା’ ଖବର କାଗଜରେ ପ୍ରକାଶିତ ଜୟପାଲ ସିଂହଙ୍କ ଉକ୍ତି ଅନୁସାରେ କୌଶଳକରି ଷଢ଼େଇକଳା ଓ ଖରସୁଆଁକୁ ଓଡ଼ିଶାରୁ ନେଇ ନିଆଗଲା । ଏହି କୌଶଳକୁ ଜୋରଦାର କରି ସେମାନେ ଅନ୍ୟ ଗଡ଼ଜାତମାନଙ୍କୁ ବିହାର ସହିତ ମିଶାଇବା ପାଇଁ ଚେଷ୍ଟା କରିବେ । ଏଥିରୁ ଜଣାଯାଏ ଯେ, କୌଣସି ଦାବି ନରଖି ବିହାର ଷଢ଼େଇକଳା ଓ ଖରସୁଆଁକୁ ନେଇଗଲେ । ଓଡ଼ିଶା ସରକାର ଅପମାନ ଓ ଦୁଃଖରେ ମୁହଁମାଡ଼ି ରହିଲେ । ଏଥିପାଇଁ କେବଳ ସରକାରଙ୍କୁ ଦାୟୀ ନକରି ଓଡ଼ିଆ ଜାତିର ଅବହେଳା ଗୁଣକୁ ଗୋଦାବରୀଶ ଆକ୍ଷେପ କରିଛନ୍ତି । ବିଛିନ୍ନାଞ୍ଚଳକ ସଂକଳନସ୍ଥ ପ୍ରତ୍ୟେକଟି ପ୍ରବନ୍ଧ ରାଜନୀତିକ ସମସ୍ୟାକୁ କେନ୍ଦ୍ର କରି ରଚିତ ହୋଇଥିଲେ ହେଁ ଏ ସବୁର କେନ୍ଦ୍ରବିନ୍ଦୁ ହେଉଛି ଜାତୀୟତା । ‘ଗଣତନ୍ତ୍ର ଶାସନର ରୂପରେଖ’ ପ୍ରବନ୍ଧଟି ଭାରତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଣତ ହେବା ପରର ରଚନା । ପ୍ରାବନ୍ଧିକ ଗଣତନ୍ତ୍ର ପୂର୍ବରୁ ଥିବା ରାଜତନ୍ତ୍ର ଓ ଗଣତନ୍ତ୍ରର ଇତିହାସ ସଂପର୍କରେ ଆଲୋଚନା କରିବାକୁ ଯାଇ ଆଦିମ ସଭ୍ୟତାକୁ ଆଲୋଚନା କରିଛନ୍ତି । ଆଦିମ ଯୁଗରେ ଗଣତନ୍ତ୍ର ଥିଲା ବୋଲି କହିବା ସହିତ ସଭ୍ୟ ରାଷ୍ଟ୍ରରେ ପ୍ରଥମେ ଗ୍ରୀସ୍‌ ଦେଶରେ ଏହାର ପ୍ରଚଳନ ଥିଲା ବୋଲି କହିଛନ୍ତି । ଏଥେନସ୍‌ ହେଉଛି ଏହାର ପ୍ରଥମ ଉଦ୍‌ବର୍ତ୍ତକ । ପରେ ରୋମରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇଛି । ସୁସ୍ଥ ଶାସନ ପ୍ରଣାଳୀ ଓ ସମସ୍ତଙ୍କୁ ଯଥାର୍ଥ ସୁବିଧା ଯୋଗାଇଦେବା ଗଣତନ୍ତ୍ରର ନିୟମ ହେବା ଉଚିତ୍‌। ପ୍ରାଚୀନ ଋଷ ଓ ଫ୍ରାନ୍‌ସରେ ରାଜାଥିଲେ, ସେହିମାନେ ହିଁ ପରବର୍ତ୍ତୀ ସମୟରେ ଗଣତନ୍ତ୍ର ଶାସନର ଉପାୟ ଶିଖିବା ଯୋଗୁଁ, ଋଷ ଓ ଫ୍ରାନ୍‌ସରେ ଗଣତନ୍ତ୍ରର ସୁସ୍ଥ ବାତାବରଣ ରହିଆସିଛି । ଗଣତନ୍ତ୍ରରେ ସରକାର ଜନ ପ୍ରତିନିଧି । ସେମାନେ ନିଜେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଚିନ୍ତା କରିବା ଦରକାର ଆମେ ଯାହା କରୁଛୁ ତାହା ଜନତାଙ୍କ ହିତରେ ଆସିବ କି ନାହିଁ । ଯେଉଁ ମୁହୂର୍ତ୍ତରେ ଏ ବିଚାରଠାରୁ ଦୂରେଇ ଯିବେ ସେଇ ମୁହୂର୍ତ୍ତରୁ ଭୋଟ୍‌ର ବ୍ୟବସ୍ଥା ରହିବା ଉଚିତ୍‌ । କିନ୍ତୁ ଭୋଟ୍‌ରେ ଜିତିବା ପାଇଁ ଅର୍ଥବ୍ୟୟର ବ୍ୟବସ୍ଥା ରହିଲେ ତାହା ଅନର୍ଥ ସୃଷ୍ଟି କରିବ । ଏଣୁ ଗୋଦାବରୀଶ ଗଣତନ୍ତ୍ରର ସପକ୍ଷରେ କହିବା ସହିତ ଗଣତନ୍ତ୍ରର ଦୋଷ ସମ୍ବନ୍ଧରେ ମଧ୍ୟ ଯୁକ୍ତି ଉପସ୍ଥାପନ କରିଛନ୍ତି । ନିର୍ବାଚିତ ପ୍ରତିନିଧି ନହୋଇ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଦଳ ସମର୍ଥିତ ବ୍ୟକ୍ତିଙ୍କୁ ଉଚ୍ଚପଦବୀ ଦିଆଯାଉଛି ଓ ପରେ ସେମାନଙ୍କୁ ଜିତାଇ ଦିଆଯିବା ବ୍ୟବସ୍ଥାକୁ ଗୋଦାବରୀଶ ନାପସନ୍ଦ ଜଗିଛନ୍ତି । ଏଥିପାଇଁ ମନ୍ତ୍ରୀମାନେ ଦୁର୍ନୀତି କରିବାକୁ ବାଧ୍ୟ ହୁଅନି ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ତେବେ ଏଭଳି କୁପ୍ରଥାକୁ ବଳିଦେବା ନିତାନ୍ତ ଜରୁରୀ, ନହେଲେ, ଭବିଷ୍ୟତରେ ଭାରତବର୍ଷ ଗଣତନ୍ତ୍ର ଶାସନର ରୂପରେଖ ଅନ୍ଧକାର ଦିଗକୁ ଗତି କରିବ, ଏହା ନିଶ୍ଚିନ୍ତ । ‘ଜନତନ୍ତ୍ର-ଶାସନ’ ପ୍ରବନ୍ଧଟି ୧୯୩୯ ଜୁଲାଇ ‘ନବଭାରତ’ ପତ୍ରିକାରେ ସ୍ଥାନ ପାଇଥିଲା । ୧୯୩୬ ମସିହା ନିର୍ବାଚନ ପରେ ଓଡ଼ିଶା ସମେତ ଭାରତର ତତ୍କାଳୀନ ଛଅଟି ପ୍ରଦେଶରେ କଂଗ୍ରେସୀ ମନ୍ତ୍ରୀମଣ୍ଡଳ ଗଢ଼ା ଯାଇଥିଲା । ଉକ୍ତ ପ୍ରଦେଶଗୁଡ଼ିକର ଶାସନ ଦାୟିତ୍ୱ ପଡ଼ିଲା ସେହି ସେହି ପ୍ରଦେଶର ଲୋକ ପ୍ରତିନିଧି ସରକାରଙ୍କ ହାତରେ । ଭାରତ ସ୍ଵାଧୀନ ନ ହୋଇଥିଲେ ମଧ୍ୟ ଏହି ନିର୍ବାଚନ ଥିଲା ସ୍ଵାଧୀନତା ପଥରେ ଏକ ପଦକ୍ଷେପ । ଲୋକ-ପ୍ରତିନିଧି ସରକାର ଏପରି ଶାସନ ଦାୟିତ୍ୱ ନେବା ପରେ କେତେକ ବିଶୃଙ୍ଖଳା ଦେଖାଯାଇଥିଲା । ତାହା ସତ୍ତ୍ୱେ ଜନତନ୍ତ୍ର ଶାସନ କପରି ଓ କାହିଁକି ଦରକାର ତାହା ଏ ପ୍ରବନ୍ଧରେ ପରିସ୍ଫୁଟ । ‘ଭାରତର ଅଚଳ ଅବସ୍ଥା’ ଏହିପରି ନିର୍ବାଚନ ପରବର୍ତ୍ତୀ ଏକ ପ୍ରବନ୍ଧ । ୧୯୩୭ ମସିହା ସାଧାରଣ ନିର୍ବାଚନ ପରେ ଭାରତୀୟ ଜାତୀୟ କଂଗ୍ରେସ ସେ ସମୟରେ ପ୍ରଦେଶମାନଙ୍କରୁ ସାତୋଟିରେ ଓ ମୁସିଲିମ୍‌ଲିଗ ଚାରୋଟି ପ୍ରଦେଶରେ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । କିନ୍ତୁ ୧୯୩୯ ମସିହାରେ ଜାତୀୟ କଂଗ୍ରେସର ନିର୍ଦ୍ଦେଶରେ ସାତୋଟି ପ୍ରଦେଶର ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲେ । ତତ୍କାଳରେ ଯେଉଁ ଅଚଳ ଅବସ୍ଥା ସୃଷ୍ଟି ହୋଇଥିଲା ସେ ପରିସ୍ଥିତିରେ ଦଳ ଓ ନେତାମାନଙ୍କ ପଦକ୍ଷେପ କ’ଣ ହେବା ଦରକାର ତାହା ଏଥିରେ ସୂଚିତ । ‘ଜାତୀୟ ପତାକା-ଜାତିର ଦେବତା’ ପ୍ରବଂଧରେ ପତାକାକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା କନ୍ଦଳ ଓ ତାର ଅପକାରିତା ସଂପର୍କରେ ଆଲୋଚିତ । ଗୋଟିଏ ଜାତିର ଆଦଶ-ସୂଚକ-ସଙ୍କେତ ଭାବରେ ପତାକା ପୂଜାପାଇବା ଦରକାର । ଜାତୀୟ ପତାକାର ମହତ୍ତ୍ୱକୁ ମାନ୍ୟତା ଦେଇ ଗୋଦାବରୀଶ ଲେଖିଛନ୍ତି ‘ଭାରତର ଏହି ଜାତୀୟ ପତାକା ଖଣ୍ଡିକ କନା କହିଲେ ଚଳେ । ଏହି କନା ଖଣ୍ଡିକରେ ଅଛି କଣ ? ଜାତି ହୃଦୟରେ ଆଶା, ଉତ୍ସାହ ଓ ଉତ୍ତେଜନା ଜଗାଇବା ପତାକାର ଲକ୍ଷ୍ୟ । ସେଥିରେ ଯେ ରଙ୍ଗ ଥାଉ, ଯେ ଚିହ୍ନ ଥାଉ, ତାହା ଜାତିର ଦେବତା ।’ (ଗୋଦାବରୀଶ ଗ୍ରନ୍ଥାବଳୀ, ୪ର୍ଥ ଖଣ୍ଡ, ପୃଷ୍ଠା-୩୭୪) ଜାତୀୟ ଓ ରାଜନୀତିକ ସମସ୍ୟା ସଂବଳିତ ପ୍ରବନ୍ଧ ସବୁ ଗୋଦାବରୀଶଙ୍କ ଜାତୀୟତାବୋଧ ଓ ରାଜନୀତି ସଚେତନତାର ପରିଚୟ ଦିଏ । ପ୍ରତ୍ୟେକଟିର ଭାବ ହୃଦୟ ସଞ୍ଚାରୀ, ଭାଷା ସରଳ ଓ ବୋଧଗମ୍ୟ ।

ଜୀବନୀମୂଳକ ପ୍ରବନ୍ଧ :–

ଓଡ଼ିଆ ସାହିତ୍ୟରେ ପ୍ରାଥମିକ ପର୍ଯ୍ୟାୟର ଜୀବନୀ ଥିଲା ଧର୍ମମୂଳକ । ପରବର୍ତ୍ତୀ ସମୟର ଜୀବନୀରେ ଲକ୍ଷ୍ୟ କରାଗଲା ନୀତିବୋଧ ବା ଆଦର୍ଶ କଥା । ଗୋଦାବରୀଶ ମଧ୍ୟ ପର୍ବର ଜୀବନୀ ଲେଖକ । ତାଙ୍କରଚିତ ‘ନେପୋଲିୟନ’ ଓ ‘ଦାସତ୍ୱ ମୋଚନ’ ଦୁଇଟି ଉଲ୍ଲେଖଯୋଗ୍ୟ ଜୀବନୀ ଗ୍ରନ୍ଥ । ପୁସ୍ତକ ଆକାରରେ ଦୁଇଟି ଯାକ ପ୍ରକାଶ ପାଇଛି ୧୯୩୦ ଓ ୧୯୩୧ ମସିହାରେ । ପ୍ରଖ୍ୟାତ ଲେଖକ ଏମିଲ୍‌ଲୁଡ ଉଇରାଙ୍କ ‘ନେପୋଲିୟନ’ ଗ୍ରନ୍ଥର ଇଂରାଜୀ ଅନୁବାଦର ଅବଲମ୍ବନରେ ନୋପୋଲିଅନ ଲିଖିତ । ଏହିଭଳି ଦାସତ୍ୱ-ମୋଚନ 'Up from slavery' ପୁସ୍ତକର ଅବଲମ୍ବନରେ ସୃଷ୍ଟି । ବୁକର ଟାଲିଆ ଫେରୋ ଉଆସିଙ୍ଗଟନ୍‌ଙ୍କ ଦାରିଦ୍ର୍ୟ ଜୀବନ ଓ ନେପୋଲିଅନଙ୍କ ସଂଗ୍ରାମ ବହୁଳ ଜୀବନ ଗୋଦାବରୀଶଙ୍କ ଜୀବନଯାତ୍ରା ଓ ରାଜନୀତିକ ଜୀବନକୁ ପ୍ରଭାବିତ କରିଥିବାରୁ ଉକ୍ତ ଗ୍ରନ୍ଥ ଦୁଇଟି ରଚିତ ବୋଲି ଅନୁମାନ କରାଯାଏ-। ନେପୋଲିଅନ ଗ୍ରନ୍ଥରେ ତାଙ୍କ ବାଲ୍ୟକାଳ ଓ ଯୌବନଠାରୁ ସମାଧି ପର୍ଯ୍ୟନ୍ତ ଘଟଣା ବର୍ଣ୍ଣିତ । ନଅ ବର୍ଷ ବୟସରେ ନେପୋଲିଅନ ବାପାଙ୍କୁ ହରାଇ ମାଆଙ୍କ କଷ୍ଟ ଅର୍ଜିତ ସଂପତ୍ତିରେ ମଣିଷ ହେଲେ ମାତ୍ର ନିଜର ସାଧନା ଓ ସଞ୍ଜମ ଯୋଗୁଁ ସବୁକୁ ଆୟତ୍ତ କରିପାରିଲେ । ତ୍ୟାଗ ଓ ମାନବିକତା ଯୋଗୁଁ ସେ ଫରାସୀ ବାସୀଙ୍କ ହୃଦୟ ଜୟ କରିପାରିଥିଲେ । ଫ୍ରାନ୍‌ସର ସମ୍ରାଟ ହେବାପରେ ସେ ବୀରତ୍ୱର ପରାକାଷ୍ଠା ଦେଖାଇଥିଲେ । ଏଥିପାଇଁ ଅବଶ୍ୟ ତାଙ୍କୁ ବହୁ ବର୍ଷଧରି ଯୁଦ୍ଧ ବିଦ୍ୟା ଶିକ୍ଷା କରିବାକୁ ପଡ଼ିଥିଲା । ଭୀରୁତାକୁ ସେ ଘୃଣା କରୁଥିଲେ । ତେଣୁ ଅଜ୍ଵାନଦୀ କୂଳର କାଠ ପୋଲରେ ପାର ହେବାବେଳେ ସୈନ୍ୟମାନଙ୍କ ଅସମ୍ଭବ ଶବ୍ଦଶୁଣି ସେ କହିଥିଲେ ‘ଅସମ୍ଭବ, ଶବ୍ଦ ଫରାସୀ ଭାଷାରେ ନାହିଁ । (ଗୋଦାବରୀଶ ଗ୍ରନ୍ଥାବଳୀ, ତୃତୀୟ ଖଣ୍ଡ, ପୃଷ୍ଠା-୩୦) ବୀରଭାବରେ ପ୍ରସିଦ୍ଧ ହେବାପରେ ମଧ୍ୟ ସେ କେବେ ପ୍ରଶଂସା ଲାଳସୀ ନଥିଲେ । ଲୋଦି ଯୁଦ୍ଧରେ ଲିଖିତ ବିବରଣୀ ପାଠକଲା ସମୟରେ ସେଥିରେ ଲେଖାଥିଲା ଯେ ଆଗେ ନେପୋଲିଅନ ଓ ତାଙ୍କ ପଛକୁ ଲୋକେ ପୋଲ ପାରହେଲେ । ଏହା ଶୁଣି ନେପୋଲିଅନ କହିଲେ, ‘ନୀ, ସେ ମୋ ଆଗରୁ । ଲୋକେ ପ୍ରଥମେ, ମୁଁ ତାଙ୍କ ପଛକୁ ଗଲି । ତୁମେ ଲେଖା ସଂଶୋଧନ କରିନିଅ ।’ (ପୃଷ୍ଠା-୩୦) ନେପୋଲିଅନ ସମ୍ରାଟ ହେବାପରେ କେବଳ ରାଜ୍ୟଜୟରେ ମଗ୍ନ ହୋଇନଥିଲେ । ସେ ଥିଲେ ଜଣେ ପ୍ରଜାବତ୍ସଳ ଶାସକ । ଫ୍ରାନ୍ସର ଉନ୍ନତି ଲାଗି ନାନା ସ୍ଥାନରେ ବ୍ୟାଙ୍କ, ରାଜଧାନୀରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାପାଇଁ ପାଞ୍ଚଟି ସୁନ୍ଦର ରାସ୍ତା, ଦସ୍ୟୁ ଦମନ, ଚାଷବାସର ସୁବିଧା, ନଦୀ, ପର୍ବତ ଦେଶରେ ତିରିଶ ହଜାର ଗୀର୍ଜା ନିର୍ମାଣ, ସ୍ତ୍ରୀ ଶିକ୍ଷା ପ୍ରଭୃତି ଲୋକହିତକର କାର୍ଯ୍ୟ କରିଥିଲେ । ନିପୋଲିୟନ ନିଜ କୃତିତ୍ୱ ବଳରେ ଫ୍ରାନ୍‍ସ, ଇଂଲଣ୍ଡ, ତୁଲୋଁ, ଅଷ୍ଟ୍ରିୟା, ପ୍ରାଚ୍ୟ ଦେଶ ଇତ୍ୟାଦି ଜୟକରି ସେନାପତିରୁ ପ୍ରଥମ କନ୍‌ସଲ୍‌ପଦ ଅଧିକାର କରିଥିଲେ । ପଚିଶ ବର୍ଷ ବୟସରେ ଉପାର୍ଜନ କରିନପାରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକ କର୍ମ ଓ ଭଗବାନଙ୍କ ଉପରେ ଆସ୍ଥାରଖି ଶ୍ରେଷ୍ଠ ସମ୍ରାଟ ହୋଇପାରିଥିଲେ । ବାସ୍ତବିକ ନେପୋଲିୟନଙ୍କ ଜୀବନୀ ପାଠକକୁ ଧୈର୍ଯ୍ୟ, ସାହସ ଓ କର୍ମତତ୍ପରତା ଶିକ୍ଷାଦିଏ । ଗୋଦୀବରୀଶଙ୍କ କାହାଣୀଧର୍ମୀ ଶୈଳୀ ପ୍ରବନ୍ଧକୁ ଚମକାରିତା ପ୍ରଦାନ କରିଛି । ପରିଚ୍ଛେଦର ସଂଯୋଜନା ପାଠକର ଉତ୍କଣ୍ଠା ବଢ଼ାଏ ।

‘ଦାସତ୍ୱ ମୋଚନ’ ଗୋଦାବରୀଶଙ୍କ ଅନ୍ୟ ଏକ ସାର୍ଥକ ଜୀବନ ଚରିତ । ଅଷ୍ଟାଦଶ ଶତାବ୍ଦୀରେ ଭର୍ଜିନିୟାରେ ପ୍ରଚଳିତ ଦାସ ପ୍ରଥାର କରୁଣ ଚିତ୍ର ଏଥିରେ ବର୍ଣ୍ଣିତ । ବିଶେଷତଃ, ବୁକର୍‌ ଉଆସିଙ୍ଗଟନଙ୍କ ଲାଞ୍ଛିତ, ଦାରିଦ୍ର୍ୟ ଜୀବନ ଏହାର ବିଷୟବସ୍ତୁ । ନିଗ୍ରୋ ଜାତିର ଉନ୍ନତି ଓ ଶିକ୍ଷା ବ୍ୟବସ୍ଥା ପାଇଁ ବୁକର୍‌ ଯେଉଁ ଭଳି ଚେଷ୍ଟା କରିଥିଲେ ତାହା ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ବିରଳ । ଗୋଲାମ ଘରର ପିଲା ବୁକର୍‌ କେଳା ବଂଶର ଥିଲେ । କେଳାମାନଙ୍କୁ ମଣିଷଭାବରେ ନଗଣି ସେମାନଙ୍କ ଜନ୍ମ ବିବରଣୀ ସରକାର ସଂଗ୍ରହ କରୁନଥିଲେ । ଏଣୁ ନିର୍ଦ୍ଦିଷ୍ଟ ମସିହା ନଜାଣିଥିଲେ ମଧ୍ୟ ସେ ଲେଖିଛନ୍ତି ତାଙ୍କ ଜନ୍ମ ୧୮୫୮ କିମ୍ବା ୧୮୫୯ ହେବ । ହେଲସ୍ଫୋର୍ଡ ଟୌକ ସହରର ଡାକଘର ପାଖ ବଗିଚାରେ ସେ ଜନ୍ମିଥିଲେ । ଏହା ଭର୍ଜିନିୟା ପ୍ରଦେଶର ଫ୍ରାଙ୍କଲିନ ଜିଲ୍ଲାରେ ଅବସ୍ଥିତ । ବୁକ୍‌ର୍‌ ଲେଖିଛନ୍ତି ‘ଦାସତ୍ୱ ପ୍ରଥାର ଦାସ ହୋଇ ତାଙ୍କୁ କାର୍ଯ୍ୟ କରିବାକୁ ପଡ଼ୁଥିଲା । ଆମ କୁଟୁମ୍ୱ ସ୍ୱାଧୀନତା ପାଇବା ଯାଏ ମୁଁ କେବେ ଶେଯରେ ଶୋଇଥିଲି ବୋଲି ମୋର ମନେ ପଡ଼ୁନାହିଁ । ମୋର ବଡ଼ ଭାଇ ଜନ୍‌, ଭଉଣୀ ଆମଣ୍ଡା ଓ ମୁଁ ତିନୋଟି ଯାକ ପିଲା ଭୂଇଁରେ ନଡ଼ା, ଛିଣ୍ଡାକନା ମେଞ୍ଚାଏ ପକାଇ ତା ଉପରେ ଶୋଉ (ଗୋଦାବରୀଶ ଗ୍ରନ୍ଥାବଳୀ, ତୃତୀୟ ଖଣ୍ଡ, ପୃଷ୍ଠା-୧୮୩) ଦାସ ଥିବାରୁ ବୁକର୍‌ ପଢ଼ିବାର ସୁଯୋଗ ପାଉନଥିଲେ । ପଢ଼ିବା ପାଇଁ ପ୍ରବଳ ଆଗ୍ରହ ଯୋଗୁଁ ହେଉ କିମ୍ବା ଈଶ୍ଵରଙ୍କ ଆଶୀର୍ବାଦରୁ ହେଉ ସେ ଘର ଝାଡ଼ୁକରି ବିଦ୍ୟାଳୟକୁ ପ୍ରବେଶ କରିବା ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ହେପଟନ୍‌ ବିଦ୍ୟାଳୟରେ ପ୍ରବେଶ ଓ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ଆଦର୍ଶ ତାଙ୍କୁ ଜୀବନର ସର୍ବୋଚ୍ଚ ସ୍ତରକୁ ନେଇ ଯାଇଥିଲା-। ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ସେ ହେପଟନ୍‌, ଟସ୍କେଗିର ନୈଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହିତ ପଶ୍ଚିମ ଭାରତୀୟ ଛାତ୍ରମାନଙ୍କ ଭାର ନେଇ ସେମାନଙ୍କୁ ଚମତ୍କୃତ କରିଥିଲେ । ସ୍ଵଭାବରେ ବୁକର୍‌ଥିଲେ ନମ୍ର ଓ ବିନୟୀ । ଗୋଟିଏ ଜାତିର ଉତ୍‌ଥାନ ପାଇଁ ସେ ଯେଉଁଭଳି ସ୍ଥାନ ସ୍ଥାନ ବୁଲି ଭିକ୍ଷା ଆଦାୟ କରୁଥିଲେ, ଭାଷଣ ଦେଉଥିଲେ, କର୍ତ୍ତବ୍ୟବୋଧକୁ ଆଗକରି ଜୀବନକୁ ଜଳାଞ୍ଜଳି ଦେଉଥିଲେ ତାହା ଦାସମାନଙ୍କ ଇତିହାସରେ ଅବିସ୍ମରଣୀୟ ହୋଇରହିବ । ଦାସତ୍ଵରୁ ସ୍ୱାଧୀନତା, ପରିବାରରୁ ସମାଜ-ଗୋଷ୍ଠୀ ଅନ୍ତର୍ଜାତୀୟତା ମଧ୍ୟରେ ସେ ହେଲେ ପରିବ୍ୟାପ୍ତ । ଏଣୁ ଏ ମହାପୁରୁଷ ହେଲେ ଜାତି ଓ ଦେଶପାଇଁ ବରେଣ୍ୟ, ନମସ୍ୟ ଚରିତ୍ର । ଗୋଦାବରୀଶଙ୍କ ଅନ୍ୟ ଜୀବନ ଚରିତ ଦୁଇଟି ‘ମହାତ୍ମାଗାନ୍ଧୀ’ ଓ ‘ଗୋପବନ୍ଧୁ ସ୍ମରଣିକା’ । ‘ମହାତ୍ମାଗାନ୍ଧୀ’ରେ ତାଙ୍କ ଜନ୍ମ, ପରିବାର, ନିୟମନିଷ୍ଠ ଜୀବନ, ବାଲ୍ୟ ଶିକ୍ଷା ବାରିଷ୍ଟରୀ ପଢ଼ିବା ପାଇଁ ବିଲାତ ଯିବା ବିଷୟ ଅତ୍ୟନ୍ତ ସଂକ୍ଷେପରେ ବର୍ଣ୍ଣିତ । ମହାତ୍ମାଗାନ୍ଧୀ ଚିନ୍ତାବିଦ୍‌ ଓ ଦାର୍ଶନିକ ଭାବରେ ସମଗ୍ର ପୃଥିବୀରେ ପ୍ରସିଦ୍ଧିଲାଭ କରିଛନ୍ତି । ୧୯୨୧ ମସିହାରେ ଏ ପ୍ରବନ୍ଧ ଲେଖା ବେଳକୁ ମଧ୍ୟ ତାଙ୍କର ବ୍ୟକ୍ତିତ୍ୱ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚିଥିଲା । ଏଣୁ ଗୋଦାବରୀଶ ଲେଖିଛନ୍ତି, ‘ଲୋକେ କହନ୍ତି ବର୍ତ୍ତମାନ ଗାନ୍ଧୀଙ୍କ ନାମ ଯେତେ ପ୍ରଚାର ହେଉଅଛି, ପୃଥିବୀର ଅନ୍ୟ କୌଣସି ନେତାଙ୍କ ନାମରେ ସେପରି ପ୍ରଚାର କେବେ କେଉଁଠାରେ ହୋଇନାହିଁ । ତାଙ୍କୁ ଏବେ ଯେତେ ଲୋକ ମାନୁଛନ୍ତି, ଆଉ କାହାକୁ କୌଣସି ଯୁଗରେ ମାନି ନାହାନ୍ତି । ଗାନ୍ଧୀ ବର୍ତ୍ତମାନ ଜନ ସାଧାରଣଙ୍କର ଉପାସ୍ୟ, ଯେଉଁମାନେ ତାଙ୍କ ମତର ପ୍ରତିବାଦ କରନ୍ତି ସେମାନେ ମଧ୍ୟ ତାଙ୍କୁ ସମ୍ମାନ କରିବାରେ ତ୍ରୁଟି କରନ୍ତି ନାହିଁ । (ଗୋଦାବରୀଶ ଗ୍ରନ୍ଥାବଳୀ, ୪ର୍ଥ ଖଣ୍ଡ, ପୃଷ୍ଠା-୨୨୪) ‘ଗୋପବନ୍ଧୁ ସ୍ମରଣିକା’ ପ୍ରବଂଧଗୁଡ଼ିକ ସାତଟି ଶୀର୍ଷକରେ ପ୍ରକାଶ ପାଇଥିଲା । ସେଗୁଡ଼ିକ ୧. କ୍ଷଣଜନ୍ମା ୨. ଦିନକର ଘଟଣା ୩. ଗୋପବନ୍ଧୁ ବାବୁଙ୍କ ବ୍ୟକ୍ତିତ୍ୱ ୪. ବ୍ୟବସ୍ଥାପକ ଗୋପବନ୍ଧୁ ୫. ପ୍ରଥମ ସଂଗ ୬. ସତ୍ୟବାଦୀ ବନବିଦ୍ୟାଳୟର ସ୍ମୃତି ୭. ମନୁଷ୍ୟତାର ମାପକାଠି । ଏଗୁଡ଼ିକ ମଧ୍ୟରୁ କେବଳ ତୃତୀୟ ଲେଖାଟିକୁ ଛାଡ଼ିଦେଲେ ଅନ୍ୟସବୁ ‘ସମାଜ’ ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା ୧୯୩୧-୧୯୫୫ ମଧ୍ୟରେ ପ୍ରକାଶିତ-। ତୃତୀୟ ଲେଖାଟି ସପ୍ତାହିକ ‘ଜନତା’ ଜୁନ୍‌୩୦, ୧୯୪୬ ରବିବାରରେ ମୁଦ୍ରିତ । ଏଇ ସାତୋଟି ଲେଖାରୁ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନ ଚିତ୍ର ମିଳୁ ନଥିଲେ ହେଁ ମୁଖ୍ୟ ଅଂଶ ସବୁ ଉଲ୍ଲେଖନୀୟ । ପ୍ରତ୍ୟେକଟି ଅଂଶ ଯେପରି ଶିକ୍ଷା ଉପଯୋଗୀ ସେହିପରି ମଧ୍ୟ ସାହିତ୍ୟିକ ରସଯୁକ୍ତ-। ଗୋଦାବରୀଶଙ୍କ ରଚ଼ିତ ପ୍ରତ୍ୟେକ ଜୀବନୀରେ ବ୍ୟକ୍ତିତ୍ୱର ମହତ୍ତ୍ୱ ଦର୍ଶିତ । ଜାତି ଓ ଦେଶ ପାଇଁ ବ୍ୟକ୍ତିର ଅବଦାନ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ନା ନା ବାଧା ବିଘ୍ନ ସତ୍ତ୍ଵେ ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରିଥିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଲେଖକ ।

ବିଶ୍ଲେ‌ଷଣାତ୍ମକ ବା ବର୍ଣ୍ଣନାଧର୍ମୀ ପ୍ରବନ୍ଧ :–

ଏହି ଧରଣର ପ୍ରବନ୍ଧ ସବୁରେ ଗୋଦାବରୀଶଙ୍କ ପ୍ରତ୍ୟକ୍ଷ ଅନୁଭୂତି, ବିଚକ୍ଷଣତା ଓ କଳ୍ପନାବିଳାସିତା ବର୍ଣ୍ଣିତ । ବସ୍ତୁନିଷ୍ଠ ଶୈଳୀରେ କେତୋଟି ନିର୍ଦ୍ଦିଷ୍ଟ ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିବାରୁ ଏଗୁଡ଼ିକ ଯୁକ୍ତିଗ୍ରାହୀ ହୋଇପାରିଛି । ‘କଂକାଳର ଆର୍ତ୍ତନାଦ’ ପ୍ରବନ୍ଧଟି ଏହି ଶ୍ରେଣୀୟ । ଏହାକୁ ଦୁଇଭାଗରେ ବିଭକ୍ତ କରି ଗୋଦାବରୀଶ ପୂର୍ବ ଭାଗରେ ଭବିଷ୍ୟତ ଓଡ଼ିଆ ଓ ପର ଭାଗରେ ଅତୀତ ଖୋର୍ଦ୍ଧା ସଂପର୍କରେ ଆଲୋଚନା କରିଛନ୍ତି । ଇୱେର ସାହେବଙ୍କ ଚିଠି, ଖୋର୍ଦ୍ଧା ଓ ତତ୍କାଳୀନ ଓଡ଼ିଶା ପ୍ରଦେଶର ସମସ୍ତ ତଥ୍ୟ ଏଥିରେ ସନ୍ନିବେଶିତ । ଇଂରେଜ ସରକାରଙ୍କ ଅମଳରୁ ଜମିଦାରୀ ପ୍ରଥାର ସୃଷ୍ଟି, ଚିରସ୍ଥାୟୀ ବନ୍ଦୋବସ୍ତ ସାମାଜିକ ଓ ଆର୍ଥନୀତିକ ବିଭ୍ରାଟ, ଜମିଦାରୀ ଯୋଗେ ଖାସମାହାଲର କ୍ଷତି, ଜମିଦାରୀ ପ୍ରଥାର ମୂଳଭିତ୍ତି କ’ଣ, ଜମିଦାରୀ ପ୍ରତି ସରକାରୀ ନୀତିର ସ୍ପଷ୍ଟ ନୀତି କାହିଁକି ନାହିଁ ବୋଲି ଗୋଦାବରୀଶ ପ୍ରଶ୍ନ କରିଛନ୍ତି । ଗଣତନ୍ତ୍ର ଆସିବାପରେ ଜମିଦାରୀକୁ ଉଠାଇବା ପାଇଁ ସରକାର ଚେଷ୍ଟା କଲେ । ଅନେକ ସମୟରେ ଏହା କାଳକ୍ଷେପଣ ନୀତିରେ ଅଗ୍ରସର ହେବାରୁ ସରକାର ଅପହସିତ ହେଲେ । ଗୋଦାବରୀଶ ଏହି ସବୁକୁ ଚିନ୍ତାକରି ଜମିଦବାରମାନଂକ ଅବସ୍ଥାକୁ ମୂଳତଃ ଏଥିରେ ଆଲୋଚନା କରିଛନ୍ତି । ଗଣତନ୍ତ୍ର ଶାସନରେ ଜମିଦାରୀ ପ୍ରଥା ନରଖି ରାଜାମାନଙ୍କୁ ସ୍ଵତନ୍ତ୍ର ମର୍ଯ୍ୟାଦା ଦିଆ ନଯାଉ ବୋଲି ଲେଖକ ମତବ୍ୟକ୍ତ କରିଛନ୍ତି । ତାଂକ ମତରେ ଯୁଗୋପଯୋଗୀ ବ୍ୟବସ୍ଥା କରାଯାଇ ଧନବଳ ଓ ଜନବଳ ମାଧ୍ୟମରେ ଶାସନ ନୀତି ଚାଲିଲେ ଦେଶ ବା ରାଜ୍ୟର ଉନ୍ନତି ସମ୍ଭବ । ପର ଭାଗରେ, ଖୋର୍ଦ୍ଧାର ପାଇକ ବିଦ୍ରୋହ/ଯୁଦ୍ଧର କାରଣ, ଗଡ଼ଜାତ ରାଜା ଓ ପାଇକମାନଙ୍କ ସମ୍ପର୍କ, ଇଂରେଜମାନଙ୍କ ଶାସନ ପ୍ରଣାଳୀ ବିରୋଧରେ ପାଇକ ଏକଜୁଟ୍‌ ଓ ସେମାନଙ୍କ ପ୍ରତି କୂଟନୀତି ଯୋଗୁଁ ପାଇକମାନେ ନିଜକୁ ଶୋଷିତ ବର୍ଗର ବୋଲି ଧରିନେଲେ । ଏଥିସହିତ ଖଜଣା ଆଦାୟରେ କୋହଳ ନୀତି ନଥିବାରୁ ଅନେକ ଅସୁବିଧାରେ ପ୍ରଜାକୁଳ ଅତିଷ୍ଠ ହେଲେ । ଏହି ଭଳି ବହୁ ତତ୍ତ୍ୱ ଓ ତଥ୍ୟ ମାଧ୍ୟମରେ ଏ ପ୍ରବନ୍ଧଟି ରୁଚିପୂର୍ଣ୍ଣ ହୋଇପାରିଛି । ‘ଶରୀରଭେଦ ଓ ସ୍ୱାସ୍ଥ୍ୟ’ ସଂପର୍କରେ ପର୍ଯ୍ୟାୟକ୍ରମେ ଛଅଟି ପ୍ରବନ୍ଧ ପ୍ରକାଶିତ । ଏଗୁଡ଼ିକ ସବୁ ‘ସତ୍ୟବାଦୀ’ ପତ୍ରିକାରେ ସ୍ଥାନ ପାଇ ତତ୍‌କାଳରେ ଖୁବ୍‌ ଜନାଦୃତ ହୋଇପାରିଥିଲା । ଉଭୟଭୋଜୀ, ମାଂସଭୋଜୀ ଓ ଭଦ୍ଭିଦରୋଜୀ ପ୍ରାଣୀଜଗତ ସହିତ ଖାଦ୍ୟ ଓ ତାର ଉପକାରିତା, ରନ୍ଧନକ୍ରିୟା ଓ ସ୍ଵାସ୍ଥ୍ୟରକ୍ଷା ପାଇଁ ଶୁକ୍ର ଓ ରକ୍ତର ରକ୍ଷା ସଂପର୍କରେ ଏ ପ୍ରବନ୍ଧରେ ଆଲୋଚିତ । ପ୍ରାଣୀର ଶିକ୍ଷା, ଚିନ୍ତା, ଶାରୀରିକ ପୀଡ଼ା, ଖାଦ୍ୟପେୟ ଅନୁସାରେ ହୋଇଥାଏ ବୋଲି ଲେଖକ ଦର୍ଶାଇଛନ୍ତି । ସୂକ୍ଷ୍ମ ଭାବରେ ଦେଖିଲେ ମାଂସ ସଂଗେ ବର୍ବରତାର ଓ ଶସ୍ୟ ସଂଗେ ସଭ୍ୟତାର ସଂପର୍କ ରହିଛି । ପ୍ରବନ୍ଧଟି ବିଜ୍ଞାନ ସମ୍ମତ ଯୁକ୍ତିଚିନ୍ତାରେ ପରିପୂର୍ଣ୍ଣ ଏକ ସାରଗର୍ଭକ ରଚନା । ‘ଧନ’ ଶୀର୍ଷକ ପ୍ରବଂଧାବଳୀ ଆର୍ଥନୀତିକ ସମସ୍ୟା ଉପରେ ଆଧାରିତ । ଏଥିରେ ବ୍ୟକ୍ତିଗତ ଧର୍ମ, ଜାତୀୟଧର୍ମ, ପୃଥିବୀର ଧର୍ମ ଏବଂ ଏଗୁଡ଼ିକର ରକ୍ଷଣାବେକ୍ଷଣ ଓ ମିତବ୍ୟୟତା ସଂପର୍କରେ ଉଲ୍ଲେଖ କରାଯାଇଛି । ଆହୁରି ମଧ୍ୟ ଧନ କ’ଣ, ତାର ଆବଶ୍ୟକତା, ଧନର ଉପାଦାନ, ସଞ୍ଚୟ ଲୋକସଂଖ୍ୟା, ଶ୍ରମର ଉପକରଣ ଓ କ୍ରମବିଭାଗ ବିଷୟରେ ଆଲୋକପାତ କରାଯାଇଛି । ‘କଲିକତା ଦାତବ୍ୟ ବିଦ୍ୟାଳୟ’ ଏକ ଆଦର୍ଶ ବିଦ୍ୟାଳୟ ଓ ଏହା କେବଳ ଦରିଦ୍ର ପିଲାମାନଙ୍କ ଇଂରାଜୀ ପଢ଼ିବା ନିମନ୍ତେ ଉଦ୍ଦିଷ୍ଟ । ଆଧୁନିକ ଯୁଗରେ ସୁବିଧାରେ ଇଂରାଜୀ ପଢ଼ିବା ପାଇଁ ଗରିବ ପିଲାମାନେ ଏଠାକୁ ଆସନ୍ତି । ଗୋଦାବରୀଶ ସ୍କୁଲ୍‌ର ଉଦ୍ଦେଶ୍ୟ, ଶିକ୍ଷାପ୍ରଣାଳୀ, ଶିକ୍ଷକ ମଣ୍ଡଳୀ, ବିଦ୍ୟାଳୟ ପରିବେଶ ଆଦି ସଂପର୍କରେ ଅତି ସହଜ ଓ ସରଳ ଭାବରେ ବ୍ୟାଖ୍ୟା କରିଥିବାରୁ ପ୍ରବନ୍ଧଟି ପାଠକୀୟ ଆବେଦନ ବଜାୟ ରଖେ । ବିଦ୍ୟାଳୟର ଗୁଣଗାନ କରି ଲେଖକ ଲେଖିଛନ୍ତି ‘ଅର୍ଥ ଅଭାବରେ ଯେଉଁ ପିଲାମାନେ ମୂର୍ଖ ହୋଇ ବୁଲୁଥାନ୍ତେ, ସେମାନେ ଶକ୍ଷାପାଇଁ ମନୁଷ୍ୟ ହେଉଅଛନ୍ତି । ଦେଶର ଗୌରବ ବଢ଼ାଉଅଛନ୍ତି । ଜଗତର ମଙ୍ଗଳ ସାଧନାରେ ସାହାଯ୍ୟ କରୁଛନ୍ତି-। ଏ ଭଳି ଅନୁଷ୍ଠାନ ଭାରତରେ ସର୍ବଥା ଅନୁକରଣୀୟ ।’ (ଗୋଦାବରୀଶ ଗ୍ରଂଥାବଳୀ, ୪ର୍ଥ ଖଣ୍ଡ, ପୃଷ୍ଠା-୨୩୨ ) ‘ହିନ୍ଦୁ ଦେବମନ୍ଦିର’, ‘ଶିକ୍ଷା ଓ ତାହାର ଅର୍ଥମୂଲ୍ୟ’ ସତ୍ୟବାଦୀ ଯୁବକଙ୍କ ସଂସ୍କାରବାଦୀ ଚେତନା ଓ ଆଦର୍ଶ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ । ପ୍ରଥମଟିରେ ସେ ହିନ୍ଦୁ ଦେବତା ବା ମନ୍ଦିର ପ୍ରତି ଅନାସ୍ଥାଭାବ ନଦେଖାଇ ବିଶ୍ଵାସ କର୍ମ ବଳରେ ଭଗବତ୍ ପ୍ରାପ୍ତି ପାଇଁ ଇଚ୍ଛା ରଖିବା ଦରକାର ବୋଲି କହିବାସ୍ଥଳେ ଦ୍ୱିତୀୟଟିରେ କୁସଂସ୍କାର ଓ ଅନ୍ଧବିଶ୍ଵାସଠାରୁ ଯଥାର୍ଥ ଶିକ୍ଷା ଦୂରେଇ ରଖେ ବୋଲି କହିଛନ୍ତି । ଏଣୁ ଉଭୟର ଆବଶ୍ୟକତା ସଂପର୍କରେ ତାଙ୍କ ଯୁକ୍ତି ଅକାଟ୍ୟ ପରି ମନେହୁଏ । ‘ହିନ୍ଦୁ ଦେବ ମନ୍ଦିର’ ରଚନାର ଏକମାସ ପରେ ‘ଶିକ୍ଷା ଓ ତାହାର ଅର୍ଥମୂଲ୍ୟ’ ଲିଖିତ ଓ ତା’ର ଏକ ମାସ ପରେ ଉତ୍କଳ ସାହିତ୍ୟରେ ପ୍ରକାଶିତ । ପ୍ରବନ୍ଧ ଦୁଇଟିର ଭାବ କାଳଗତ ସାମ୍ୟ ହେତୁ ପର୍ଯ୍ୟାୟକ୍ରମିକ ଧାରାର ବୋଲି ଗ୍ରହଣ କରାଯାଇ ପାରେ । ‘ମନୁଷ୍ୟର କ୍ରମବିକାଶ ପ୍ରବନ୍ଧରେ ଗୋଦାବରୀଶ ବିଜ୍ଞାନ ସମ୍ମତ ଯୁକ୍ତି ଦେଇ ପ୍ରମାଣ କରିଛନ୍ତି ଯେ ମନୁଷ୍ୟଜାତିର ଜନ୍ମ ଇତିହାସରେ ମାଙ୍କଡ଼ ପ୍ରଥମ ପିତା ନୁହେଁ । ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ସବୁଠାରୁ ଉତ୍କୃଷ୍ଟ, ତା’ଠାରୁ ବଳି ସୁନ୍ଦର, ଉନ୍ନତ ଓ ପୂର୍ଣ୍ଣ ଜୀବ ଏ ପର୍ଯ୍ୟନ୍ତ ପୃଥିବୀରେ ଦେଖାଯାଇ ନାହାନ୍ତି । କିନ୍ତୁ ପୃଥିବୀରେ ସବୁଠାରୁ ନିକୃଷ୍ଟ ଜୀବ ସମୁଦ୍ରର ରାବଣଛତୁ । ଉଦ୍ଭିଦ ସୃଷ୍ଟି ପରେ ଯେତେବେଳେ ସୃଷ୍ଟିଆଡ଼କୁ ପୃଥିବୀ ଗତିକରେ ସେତେବେଳେ ରାବଣଛତୁର ଉତ୍ପତ୍ତି ହୁଏ । ସୁତରାଂ ରାବଣଛତୁ ହିଁ ପୃଥିବୀର ପ୍ରଥମ ପ୍ରାଣୀ ଏବଂ ସେହି ହେତୁରୁ ମନୁଷ୍ୟର ତଥା ଅନ୍ୟାନ୍ୟ ସକଳ ପ୍ରାଣୀଙ୍କର ଆଦିମ ପିତା । (ଗୋଦାବରୀଶ ଗ୍ରନ୍ଥାବଳୀ, ଚତୁର୍ଥ ଖଣ୍ଡ, ପୃଷ୍ଠା-୧୬୯)

ଗୋଦାବରୀଶଙ୍କ ପ୍ରବନ୍ଧଗୁଡ଼ିକ ଦାର୍ଶନିକ ଚିନ୍ତା, ଐତିହାସିକ ଅନୁଶୀଳନ ଓ ଜୀବନ ସଂପର୍କିତ ନାନା ଭାବ ଭାବନାକୁ ନେଇ ସୃଷ୍ଟି । ଅନେକ ପ୍ରବନ୍ଧ ବିଜ୍ଞାନ ସମ୍ମତ ସୃଷ୍ଟି । ଅନେକ ପ୍ରବନ୍ଧ ବିଜ୍ଞାନ ସମ୍ମତ ଦୃଷ୍ଟି ଓ ଦର୍ଶନର ପରିଚୟ ମଧ୍ୟ ଦେଇଥାଏ । ଏଗୁଡ଼ିକର ଭାବ ସ୍ଵଚ୍ଛ, ସରଳ ଓ ସ୍ପଷ୍ଟ । ବୌଦ୍ଧିକ ଛଳନା ନାହିଁ, ଅଛି ହୃଦୟର ଉଚ୍ଛ୍ୱାସ । ଯୁକ୍ତି ଅଛି, କିନ୍ତୁ କେବେ ହେଲେ ତାହା ବିତଣ୍ଡା ମତ ପ୍ରଦାନ କରୁନାହିଁ । ସମସ୍ୟା ସମାଧାନର ପନ୍ଥା ଆବିଷ୍କାର ପାଇଁ ଏସବୁ ପ୍ରବନ୍ଧରେ ଅଛି ପ୍ରଚ୍ଛନ୍ନ ଇଙ୍ଗିତ ।

ଲେଖକ ଜୀବନର ସ୍ମୃତି ଓ ଅନୁଭୂତିମୂଳକ ପ୍ରବନ୍ଧ :–

ଗୋଦାବରୀଶଙ୍କ ବ୍ୟକ୍ତି ଗତ ଅନୁଭୂତି ଓ ସ୍ମୃତି ବିଜଡ଼ିତ ଚିତ୍ର ଏ ଧରଣର ପ୍ରବଂଧରେ ବର୍ଣ୍ଣିତ । ବ୍ୟକ୍ତିନିଷ୍ଟ ଶୈଳୀ ଅନୁସୃତ ହୋଇଥିଲେ ହେଁ ସ୍ଥଳେ ସ୍ଥଳେ ବସ୍ତୁନିଷ୍ଠ ଶୈଳୀ ମଧ୍ୟ ‘କୋଣାର୍କ ଦର୍ଶନ’ରେ ଗୋଦାବରୀଶ ଐତିହାସିକ ସତ୍ୟତାକୁ ଗ୍ରହଣ କରିବା ସହିତ ଅନୁମାନକୁ ଭିତ୍ତିକରି ଯେଉଁସବୁ କଥା ବଖାଣିଛନ୍ତି ତାହା ଅମ୍ଲାନ ହୋଇରହିବ । ଲାଙ୍ଗୁଳା ନରସିଂହ ଦେବଙ୍କ ଅଭିଳାଷ, ବାରଶହ ବଢ଼େଇଙ୍କ ଉଦ୍ୟମ ଓ ବାରବର୍ଷର ଶ୍ରମ ଯୋଗୁଁ ଯେଉଁ କୋଣାର୍କ ସମଗ୍ର ପୃଥିବୀର ସ୍ଥାପତ୍ୟ କଳା ମଧ୍ୟରେ ଏକ ଉଚ୍ଚ ଆସନ ଗ୍ରହଣ କରିଛି ତା’ର କଳନା ଏତେ ସହଜ ନୁହେଁ । ଏଣୁ ଅନୁମାନକୁ ଆଶ୍ରୟ କଲେ ଅସୁବିଧା ନାହିଁ କହି ଗୋଦାବରୀଶ ଲେଖିଛନ୍ତି ‘ଅନୁମାନ ଅନେକ ସମୟରେ ଭ୍ରାନ୍ତ ହେବା ସମ୍ଭବପର । ସେଥିପାଇଁ ଅନୁମାନକୁ ଇତିହାସର ଶାନ୍ତିମୟୀ ବାଣୀ ସଙ୍ଗେ ଏକ ଆସନ ଦେବା ଉଚିତ ନୁହେଁ ।’ (ଗୋଦାବରୀଶ ଗ୍ରନ୍ଥାବଳୀ, ଚତୁର୍ଥ ଖଣ୍ଡ, ପୃଷ୍ଠା-୨୮୧) ‘ଖୋରଧାରେ ଦୁଇଦିନ’ ଲେଖକଙ୍କ ସ୍ମୃତିଚାରଣଧର୍ମୀ ପ୍ରବନ୍ଧ । ଏହାର ରଚନାକାଳରେ ଗୋଦାବରୀଶ ଅନେକ ସମୟରେ ଭାବପ୍ରବଣ ହୋଇଯାଇଛନ୍ତି । ଏଣୁ କେତୋଟି ଯାଗାରେ ସେ ଲେଖିଛନ୍ତି କ’ଣ ଲେଖୁ ଲେଖୁ କଣ ଗୁଡ଼ାଏ ଲେଖି ପକାଇଲି । ବାସ୍ତବିକ ଅତୀତର କୀର୍ତ୍ତିପୂତ ଖୋର୍ଦ୍ଧା, ପରିଚିତ ବରୁଣେଇ, ସ୍ନେହମୟୀ ମାଆ ଓ ବାଲ୍ୟସ୍ମୃତି ସହିତ ପ୍ରାକୃତିକ ପରିବେଶ, ହଟକେଶ୍ୱରଙ୍କ ପ୍ରଭାବପୁଷ୍ଟ ଉଷ୍ଣ ପ୍ରସ୍ରବଣ ପ୍ରବନ୍ଧକୁ ବେଶ ଉପଭୋଗ୍ୟ କରିପାରିଛି । ‘ଅବକାଶର ଅନୁଭୂତି’ ଓଡ଼ିଶା ଭ୍ରମଣରେ ବାହାରିଥିବା ଗୋଦାବରୀଶ ନିଜଘରେ ଦଶଦିନ କଟାଇଥିବା କଥାକୁ ବର୍ଣ୍ଣନା କରିଛନ୍ତି । ଦାରିଦ୍ର୍ୟ ଓ ଅଭାବ ମଧ୍ୟରେ କୁମାରପୂର୍ଣ୍ଣିମା ଦିନ ଅବୋଧ ଭଉଣୀର ଅନୁରୋଧରେ ନୂଆ ଲୁଗା ପିନ୍ଧିଥିଲେହେଁ ଅନନ୍ତର ସେ ପୁରୁଣା କନା ଖଣ୍ଡିକ ବଦଳାଇ ପାରିନଥିଲେ । ଏହି ଭ୍ରମଣ ଅନୁଭୂତି ମଧ୍ୟରେ ପୁରୀର ଆକର୍ଷଣ, ଗଞ୍ଜାମ, ପାରଳାଖେମୁଣ୍ଡିର ସଙ୍ଗୀତ ସାହିତ୍ୟ ଚର୍ଚ୍ଚା, ମହେନ୍ଦ୍ରଗିରି, ଖୋରଧା, ବାଘମାରୀ, କଳାପଥର, ଖଣ୍ଡପଡ଼ା, ବଡ଼ମ୍ବା ପ୍ରଭୃତି ସ୍ଥାନର ପ୍ରାକୃତିକ ଦୃଶ୍ୟରେ ବିମୋହିତ ଲେଖକ ଓଡ଼ିଶା ଓ ଓଡ଼ିଶା ସଂସ୍କୃତିର ଜୟଗାନ କରିଛନ୍ତି । ‘ଅବକାଶର ଅନୁଭୂତି’ ଛଦ୍ମନାମ (ଅବକାଶ ପ୍ରାପ୍ତ ଯୁବକ)ରେ ଚାରୋଟି କ୍ରମରେ ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଥିଲା । ସମ୍ଭବତଃ ଏହାଥିଲା ଲେଖକଙ୍କର ଛଦ୍ମନାମରେ ପ୍ରକାଶ ପାଇଥିବା ପ୍ରଥମ ଲେଖା । ସମ୍ବଲପୁରରେ ଚାରିଦିନ ଗୋଦାବରୀଶଙ୍କ ଅନୁଭୂତି ପ୍ରସ୍ତୁତ ଏକ ରଚନା । ସମ୍ବଲପୁରରେ ଚାରିଦିନ ରହି ବନ୍ଧୁମାନଙ୍କଠାରୁ ଯେଉଁ ଆତିଥ୍ୟ ପାଇଥିଲେ ତାହା ଗୋଦାବରୀଶଙ୍କ ପାଇଁ ସ୍ମରଣୀୟ ହୋଇଥିଲା । ଡାକବଙ୍ଗଳାରେ ରହିବା ଓ ସେଠାରେ ବନ୍ଧୁମାନଙ୍କ ସହିତ ସାମାଜିକ, ରାଜନୈତିକ, ଶାସନ ସଂପର୍କୀୟ ଅନେକ ବିଷୟରେ ଆଲୋଚାନା ତାଙ୍କୁ ମୁଗ୍ଧ କରିଥିଲା । ସମ୍ବଲପୁର ଖାଦ୍ୟ ଓ ଅଭିନନ୍ଦନ ମଧ୍ୟରେ ସମ୍ବଲପୁର ଜିଲ୍ଲା ସରକାରଙ୍କ ହସ୍ତମୁଦି ମାହାଲ ତାଙ୍କ ପାଇଁ ଉଲ୍ଲେଖଯୋଗ୍ୟ ଥିଲା । ସ୍ନେହର ଅଭିନନ୍ଦନ ପତ୍ରଟିକୁ ସେ ଆନ୍ତରିକତାର ସହିତ ଗ୍ରହଣ କରିଥିଲେ । ସେତେବେଳର ଓଡ଼ିଶାର ପ୍ରଥମ ଲାଟ ହବାକ୍‌ ସମ୍ବଲପୁରର ନ୍ୟାଯ୍ୟ ଦ।ବି ବିରେ।ଧରେ କରିଥିବା ଆପତ୍ତିକୁ ସେ ମାନି ନେଇ ପାରିନଥିଲେ-। ସମ୍ବଲପୁର ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଓ କଟକ, ପୁରୀ, ବାଲେଶ୍ଵରଠାରୁ ଏହା ଦୂରରେ ଥିବାରୁ ଏହାର ଆଇନ କାନୁନ୍‌ଓ ଶାସନ ପ୍ରଣାଳୀରେ ସାମାନ୍ୟ ପାର୍ଥକ୍ୟ ରହିବା ସ୍ଵାଭାବିକ । ଗୋଦାବରୀଶ ବିହାର ଓଡ଼ିଶା ବ୍ୟବସ୍ଥା ସଭାରେ ସମ୍ବଲପୁର ସଂପର୍କରେ ନାନା ମତ ଦେଇଥିଲେ-। ସମ୍ବଲପୁର ସ୍ମୃତିରେ ଗଙ୍ଗାଧରଙ୍କ ଗୃହଭ୍ରମଣ ବିଶେଷତଃ, ସେଠାକାର ସତ୍ୟାଗ୍ରହ ଆନ୍ଦୋଳନର ନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କର ଫୁଲମାଳର ଉପହାର ଅଭୁଲା ହୋଇ ରହିଥିଲା ।

ଓଡ଼ିଶା ସଂକ୍ରାନ୍ତୀୟ ବିବୃତ୍ତି ମୂଳକ ପ୍ରବନ୍ଧ :–

ଏ ପ୍ରବନ୍ଧଗୁଡ଼ିକ ବିଷୟର ଏକମୁଖୀନତା ହେତୁ ପାଠକ ପ୍ରାଣକୁ ବିଦ୍ଧକରେ । ମୁଖ୍ୟତଃ ସମ୍ବାଦଧର୍ମୀ ଶୈଳୀରେ ପ୍ରକାଶ ପାଇଥିବାରୁ ସମସ୍ୟା ଓ ତାର ସମାଧାନର ପଥ ନିର୍ଦ୍ଦେଶ କରାଯାଇଚି ଅନେକରେ । ସମକାଳୀନ ନାନାବିଧ ସମସ୍ୟା ଏହାର ବିଷୟ । ଗୋଦାବରୀଶ ଓଡ଼ିଶାର ବହୁ ସମସ୍ୟା ସହିତ ଜଡ଼ିତ ଥିବାରୁ ସେ ସଂପର୍କରେ ଖବର କାଗଜ ଓ ପତ୍ର ପତ୍ରିକା ମାନଙ୍କରେ ବିବୃତ୍ତି ମୂଳକ ଲେଖା ସବୁ ଲେଖୁଥିଲେ । ଆଲୋଚିତ ପ୍ରତ୍ୟେକଟି ରଚନା ଏହାର ପ୍ରକୃଷ୍ଟ ଉଦାହରଣ । ଓଡ଼ିଶାରେ ଭୂ-ନୀତି, କୋର୍ଟ ଅଫ୍‌ ୱାର୍ଡସ୍‌ ଜମିଦାରୀ ରଖା ନା ଉଠା, ରାଜସ୍ୱ ମନ୍ତ୍ରୀ ନବକୃଷ୍ଟ ଚୌଧୁରୀଙ୍କ ସମୟରେ ଏସବୁ ନୀତି ପ୍ରଣୟନ କରାଯାଇଥିଲା । ମାତ୍ର ସରକାରଙ୍କୁ ସେ କଠୋର ଭାବରେ ସମାଲୋଚନା କରୁଥିଲେ । ସରକାର ଯେଉଁ ରାଜସ୍ଵ ଆଦାୟ କରୁଛନ୍ତି ତାକୁ ଯଥାର୍ଥ ଭାବରେ ଖର୍ଚ୍ଚ କରୁନାହାନ୍ତି ବୋଲି ଗୋଦାବରୀଶ ଲେଖିଥିଲେ ଦରିଦ୍ର କୃଷକକୁ ଖଜଣା ଦାୟରୁ ନିଷ୍କୃତି ଦିଅ । ସରକାରଙ୍କର ଆମଦାନୀ ଓ ରପ୍ତାନୀ ନୀତି ଠିକ୍‌ ନଥିବାରୁ କୃଷକ ଫସଲର ନ୍ୟାର୍ଯ୍ୟ ମୂଲ୍ୟ ପାଉନାହିଁ । ଜନସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଫସଲ କମି କମି ଯାଉଥିବା କଥା ବାରମ୍ବାର ଗୋଦାବରୀଶ ଲେଖୁଥିଲେ । ସ୍ଵାସ୍ଥ୍ୟ ବିଭାଗର ସଚେତନ ଦୃଷ୍ଟି ନରହିଲେ ଜନ୍ମ ସହିତ ମୃତ୍ୟୁହାର ସମାନହେବ ଓ ସବୁବେଳେ ରାଜ୍ୟରେ ନା ନା ରୋଗ ଲାଗିରହିଥିବ । ଓଡ଼ିଶାର ଲୋକସଂଖ୍ୟା ଓ ସ୍ଵାସ୍ଥ୍ୟ ଏହି ଉଦ୍ଦେଶ୍ୟରେ ଲିଖିତ । ଉତ୍କଳରେ ଶିଳ୍ପ ସଙ୍ଗଠନର ଭବିଷ୍ୟତ ପ୍ରବନ୍ଧରେ ଲେଖକ ସନ୍ଦେହ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ କଂଚାମାଲ ଭର୍ତ୍ତିଥିବା ସତ୍ତ୍ୱେ ମାନସିକତାର ଅଭାବରୁ ଏହା ସମ୍ଭବ ହେଉନି । ଜଙ୍ଗଲରେ କାଠ ଓ ବାଉଁଶ ମୂଳତଃ ଜାଳେଣି ଓ ଘର ତିଆରିରେ ଲାଗୁଛି । ଏସବୁରୁ ଦିଆସିଲି, କାଗଜ, ଜାହାଜ ପ୍ରଭୃତି ମୂଲ୍ୟବାନ ଜିନିଷ ତିଆରି କରାଯାଇ ପାରନ୍ତା । ଓଡ଼ିଶାରେ ବନ୍ଦର ଓ ସମୁଦ୍ରତଟ ଯୋଗୁଁ ଜାହାଜର ଆବଶ୍ୟକତା ଯଥେଷ୍ଟ । କିନ୍ତୁ ଏ ଦିଗରେ ଚେଷ୍ଟାର ଅଭାବ ରହିଛି । ଉତ୍କଳରେ ଶିକ୍ଷା ଯୋଜନା ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ୍‌ ଆଦିରେ ଲେଖକ ଖୁବ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ମତରେ ଶିକ୍ଷା ହେଉଛି ଦେଶର ମାନଦଣ୍ଡ । ଅଥଚ ପ୍ରାଥମିକ ଶିକ୍ଷାପ୍ରତି ସରକାରଙ୍କର ଘୋର କ୍ଷତି ଘଟୁଛି । ଶିକ୍ଷାନୁରାଗୀ ଗୋଦାବରୀଶ ଏ ସମ୍ପର୍କରେ ସଚେତନ ରହି ବିବୃତ୍ତି ଦେଉଥିଲେ । ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ୍‌ ଆଦିରେ ଲେଖକ ଖୁବ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ମତରେ ଶିକ୍ଷା ହେଉଛି ଦେଶର ମାନଦଣ୍ଡ । ଅଥଚ ପ୍ରାଥମିକ ଶିକ୍ଷାପ୍ରତି ସରକାରଙ୍କର ଘୋର ଅବହେଳା ଯୋଗୁଁ ସଂଘବଦ୍ଧ ଆନ୍ଦୋଳନ ହେଉଛି । ଏହାଦ୍ୱାରା ଶିକ୍ଷକ ଓ ଛାତ୍ରମାନଙ୍କର ଘୋର କ୍ଷତି ଘଟୁଛି । ଶିକ୍ଷାନୁରାଗୀ ଗୋଦାବରୀଶ ଏ ସମ୍ପର୍କରେ ସଚେତନ ରହି ବିବୃତ୍ତି ଦେଉଥିଲେ । ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ ବଳରେ ସରକାର ଯେମିତି ପରୋକ୍ଷରେ କୁଳପତି ନିର୍ବାଚନ କରୁଛନ୍ତି ତାହା ରାଜ୍ୟର ଶିକ୍ଷିତ ସମାଜ ବା ସଂ ସ୍କୃତିଚେତାମାନଙ୍କୁ ଅପମାନ ହେବ । ଏଣୁ ସରକାରଙ୍କ କୌଣସି ଉଦ୍ଦେଶ୍ୟ ଏଥିରେ ନରହୁ ଓ ବିଶ୍ଵବିଦ୍ୟାଳୟ ସୁଚାରୁରୂପେ ପରିଚାଳିତ ହେଉ । ଷଢ଼େରକଳା, ଖରସୁଆଁକୁ ଓଡ଼ିଶାରେ ନମିଶାଇବାପାଇଁ ଭାରତ ସରକାରଙ୍କ ଘରୋଇମନ୍ତ୍ରୀ କୈଳାଶ ନାଥ କାଟଜୁଙ୍କ ବିରୋଧ ମତ, ଯୋଗୁଁ ଭବିଷ୍ୟତରେ ଆନ୍ଧ୍ର ଭଳି ବେଆଇନ୍‌ କାର୍ଯ୍ୟ ଯେପରି ଏଠାରେ ନଘଟେ ତାହାକୁ ଆଖି ଆଗରେ ରଖି ଗୋଦାବରୀଶ ସାଧାରଣଙ୍କୁ ଏଇ ବିବୃତ୍ତିରେ ଜଣାଇଥିଲେ । ଓଡ଼ଶାରେ କ୍ରମାଗତ ଅନାବୃଷ୍ଟି ପ୍ରବନ୍ଧରେ ଗୋଦାବରୀଶ ଦୃଢ଼ ଭାବରେ ଲେଖିଛନ୍ତି ଆଖିବୁଜା ଜଙ୍ଗଲ କଟାର ପରିଣାମ ସ୍ଵରୂପ ପ୍ରାୟ ପ୍ରତିବର୍ଷ ଏଭଳି ଦୁର୍ବିପାକ ଭୋଗିବାକୁ ପଡିବ । ବିହାର, ଆସାମ ଓ ବଙ୍ଗ ପ୍ରଭୃତି ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣର ଉତ୍ତମ ବ୍ୟବସ୍ଥା ଥିବାରୁ ଏଭଳି ବିପଦ ସେଠାରେ ପ୍ରାୟତଃ ନାହିଁ । ଦୈନିକ ପ୍ରଜାତନ୍ତ୍ରର ସମ୍ପାଦକଙ୍କୁ ଲିଖିତ ଏକ ପତ୍ରରେ ସେ ଲେଖିଥିଲେ ବଙ୍ଗ ବିହାର ସହିତ ଓଡ଼ିଶାର ମିଶ୍ରଣ ପ୍ରସ୍ଥାବରେ ବିରୋଧ କରାଯାଉ । ଏହା ୨୯.୦୧.୧୯୫୬ ରେ ଲିଖିତ ଓ ୦୪.୦୨.୧୯୫୬ରେ ପକାଶିତ । ମୃତ୍ୟୁର ପୂର୍ବ ମୁହୂର୍ତ୍ତରେ ମଧ୍ୟଲେଖକ ଓଡ଼ିଶା ପାଇଁ ଚିନ୍ତା କରୁଥିଲେ । ବଂଗ ଓ ବିହାର ସହିତ ଓଡ଼ିଶା ରହିଲେ ବଡ଼ ଗଛ ତଳେ ଛୋଟ ଗଛ ନଉଧେଇଲା ଭଳି ବଞ୍ଚି ରହିବ କେବଳ, ଉନ୍ନତି ଓ ପ୍ରଗତି କରିପାରିବାର ସମ୍ଭାବନା ରଖିପାରିବନି । ଏଣୁ ଓଡ଼ିଶାବାସୀ ଉତ୍କଳ ସମ୍ମିଳନୀ ଅଧୀନରେ ଏହାକୁ ବିରୋଧ କରନ୍ତୁ ବୋଲି ସେ ଚାହିଁଥିଲେ । ଓଡ଼ିଶାରେ ଜୀବନ ବୀମାର ଭବିଷ୍ୟତ ଓ ଓଡ଼ିଶାର ସାମରିକ ଶକ୍ତି ପ୍ରବନ୍ଧ ଦୁଇଟି ଠିକ୍‌ ବିବୃତ୍ତିମୂଳକ ନୁହେଁ, କିନ୍ତୁ ଓଡ଼ିଶାର ଉନ୍ନତି ପାଇଁ ବୀମାର ଯେ ପ୍ରୟୋଜନ ଅଛି ତାହା ଗୋଦାବରୀଶ ହୃଦୟଙ୍ଗମ କରିଥିଲେ । ୧୯୪୮ ମସିହା ସରକାରୀ ବିବରଣୀରୁ ସେ ଜାଣିଥିଲେ ଯେ ଓଡ଼ିଶାରେ ଗୋଟିଏ ବୋଲି ବୀମା କମ୍ପାନୀ ନାହିଁ । ଯେଉଁ ଯେଉଁ ରାଜ୍ୟରେ ଯେତେ ଅଧିକ ବୀମା କମ୍ପାନୀ ଅଛି ସେ ରାଜ୍ୟ ସେତେ ଆତ୍ମନର୍ଭରଶୀଳ । ଓଡ଼ିଶା ସମ୍ପର୍କରେ କହିବାକୁ ଯାଇ ସେ ଲେଖିଥିଲେ-ଓଡ଼ିଶାରେ ଜୀବନ ବୀମା ଯଥାର୍ଥ ଉନ୍ନତି ଲାଭ କଲେ ବୀମା କରିପାରିବା ବୟସର ଲୋକଙ୍କ ମଧ୍ୟରୁ ଅନ୍ତତଃ ଶତକଡ଼ା ପଚିଶିଜଣ ବ୍ୟକ୍ତିଗତ ଭାବରେ ବୀମା କରିପାରିବେ । ଜଣ ପିଛା ହାରାହାରି ବୀମାର ପରିମାଣ ଦେଢ଼ହଜାର ଟଙ୍କା ଧରିଲେ, ବାର୍ଷିକ ପ୍ରିମିୟମ ବାବଦରେ କମ୍ପାନୀ ହାତକୁ ମୋଟ ଚଉଦ କୋଟି ଟଙ୍କା ଆସିବ । ଭାରତ ସରକାରଙ୍କ ଜୀବନ ବୀମା ଆଇନ ଅନୁସାରେ ଏଥିରୁ ସାତକୋଟି ଟଙ୍କା ସରକାରଙ୍କ ପାଖରେ ଗଛିତ ରହିଲେ, ବାକି ସାତକୋଟି ଟଙ୍କା କମ୍ପାନୀ ହାତରେ ରହି ଓଡ଼ିଶାର ଜାତୀୟ ସମ୍ପଦ ବୃଦ୍ଧି କରିବାରେ ଲଗାଯାଇ ପାରିବ । ତାହେଲେ ରାଜ୍ୟର କୃଷି, ବ୍ୟବସାୟ, ଉତ୍ପାଦନ ଓ ବାଣିଜ୍ୟର ଯଥେଷ୍ଟ ଶ୍ରୀବୃଦ୍ଧି ସାଧିତ ହେବ । ତା ଫଳରେ ଓଡ଼ିଆ ଜାତି ଆଉ ଦରିଦ୍ର ହୋଇ ପଡ଼ି ରହିବ ନାହିଁ । (ଗୋଦାବରୀଶ ଗ୍ରନ୍ଥାବଳୀ, ଚତୁର୍ଥ ଖଣ୍ଡ, ପୃଷ୍ଠା-୩୬୮-୩୬୯) ଓଡ଼ିଶାର ସାମରିକ ଶକ୍ତି ପ୍ରାଚୀନ ଯୁଗରେ ସମୃଦ୍ଧ ଥିଲା । ଏମିତିକି ଇଂରେଜ ଆଗମନ କାଳରେ ମଧ୍ୟ ଯୋଦ୍ଧୃଜାତିର ପରିଚୟ ମିଳିଛି, କିନ୍ତୁ ସ୍ୱାଧୀନ ଭାରତରେ ଅନ୍ୟ କେତେକ ରାଜ୍ୟର ସୈନ୍ୟଙ୍କୁ ନେଇ ଯେଭଳି ରେଜିମେଣ୍ଟ ରହିଛି ସେଭଳି ଓଡ଼ିଶା ପାଇଁ ନାହିଁ । ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ରାଜ୍ୟର ସୈନ୍ୟଙ୍କୁ ଅଧିକ ନେଇ ଏହା ପ୍ରାୟତଃ ଗଠନ କରାଯାଉଥିବାରୁ ଓଡ଼ିଶା ପାଇଁ ଏହା ଦୁର୍ଭାଗ୍ୟର କଥା । ‘ଗଣତନ୍ତ୍ର ପରିଷଦରେ ଯୋଗଦେଲେ’ ଗୋଦାବରୀଶଙ୍କ ଏକ ସ୍ପଷ୍ଟୋକ୍ତି । ଏହା ୦୫/୦୫/୧୯୫୫ ମସିହା ‘ଦୈନିକ ପ୍ରଜାତନ୍ତ୍ର’ରେ ପ୍ରକାଶ ପାଇଥିଲା । ଗୋଦାବରୀଶ ବିରୋଧୀ ପକ୍ଷରେ ଥିଲେ । କଂଗ୍ରେସ ଦଳ ତାଙ୍କୁ ଚେଷ୍ଟା କରି ମଧ୍ୟ ନିଜ ଆଡ଼କୁ ନେଇ ପାରିନଥିଲା । ବିଭିନ୍ନ ଛୋଟଛୋଟ ଦଳ କଂଗ୍ରେସରେ ମିଶିଯିବା ବେଳେ ଓ ଗୋଦାବରୀଶ ଯେଉଁ ସ୍ଵାଧୀନ ଜନସଂଘ ଦଳରେ ଥିଲେ ତାର ସଭାପତି ନୀଳକଂଠ ଦାସ କଂଗ୍ରେସରେ ମିଶିବାରୁ ସେ ବୁଝିବିଚାରି ପ୍ରଗତିଶୀଳ ରୀଜନୀତିକ ଦଳ ‘ଗଣତନ୍ତ୍ର ପରିଷଦ’ରେ ଯୋଗଦେଇଥିଲେ ।

ଗୋଦାବରୀଶଙ୍କ ଏହି ବିବୃତ୍ତିମୂଳକ ପ୍ରବନ୍ଧରୁ ବ୍ୟକ୍ତିତ୍ଵର ମହତ୍ୱ, ଚରିତ୍ରର ସଚ୍ଚୋଟତା, ନିର୍ଭୀକତା ଓ ସର୍ବୋପରି ରାଜ୍ୟର ସୁରକ୍ଷା ପ୍ରଚେଷ୍ଟା ସହଜରେ ଜଣାଯାଇଥାଏ । ଏଗୁଡ଼ିକର ସାରସ୍ୱତ ମୂଲ୍ୟ ହୁଏତ ସେତିକି ନାହିଁ, କିନ୍ତୁ ଯେଉଁ ନିର୍ଦ୍ଦିଷ୍ଟ ସମୟରେ ଏସବୁ ବିବୃତି ସେ ଦେଇଥିଲେ ସେ ସମୟ ପାଇଁ ଓ କେତେକାଂଶରେ ବର୍ତ୍ତମାନ ମଧ୍ୟ ଗୋଟିଏ ଗୋଟିଏ ଐତିହାସିକ ଦଲିଲ୍‌ ସ୍ଵରୂପ ଗ୍ରହଣୀୟ ।

ଭାଷଣ ଓ ଅଭିଭାଷଣଧର୍ମି ପ୍ରବନ୍ଧ :–

ପ୍ରବନ୍ଧ ସାହିତ୍ୟରେ ଅଭିଭାଷଣ ହେଉଛି ଏକ ବିଭାଗ । ତତ୍ତ୍ଵ ଓ ସିଦ୍ଧାନ୍ତର ଏହା ସାହିତ୍ୟିକ ରୂପଚିତ୍ର । ପ୍ରବନ୍ଧ ପରି ବିଶେଷ ଚିନ୍ତା ଚେତନା, ଯୁକ୍ତିତତ୍ତ୍ୱର ସଂଷ୍ଲେଷକ । ଲେଖକ ଜଣେ ବକ୍ତା ଭାବରେ ଶ୍ରୋତାଙ୍କୁ ଶୁଣାନ୍ତି ତାଂକର ନିଜସ୍ଵ ମତ । ଏଥିରେ ବ୍ୟକ୍ତିସତ୍ତା ତଲ୍ଲୀନ ହୋଇ ଆତ୍ମପ୍ରକାଶ କରେ । ବକ୍ତୃତା ଓ ଲିଖିତ ପାଠକୁ ଭାଷଣ ତଥା ଅଭିଭାଷଣ କୁହାଯାଏ । ଗୋଦାବରୀଶଙ୍କ ଭାଷଣ ତଥା ଅଭିଭାଷଣ ଗୁଡ଼ିକ ବହୁବିଧ । ଏଗୁଡ଼ିକରେ ପ୍ରକାଶ ପାଇଛି ଓଡ଼ିଆ ଜାତୀୟତା, ସଂସ୍କୃତି, ଇତିହାସ, ରାଜନୀତି, ସାହିତ୍ୟ ପ୍ରଭୃତି ବିଷୟ । ଛାତ୍ର ଜୀବନରେ ଦାୟିତ୍ଵ ପ୍ରବନ୍ଧରେ ସେ ବହୁ ଉପଦେଶ ପ୍ରଦାନ କରିଛନ୍ତି । ଉତ୍ତମ ନାଗରିକ ହେବାକୁ ହେଲେ ଛାତ୍ର ଜୀବନରୁ ହିଁ ଚରିତ୍ର, ଆଚରଣ ଓ ମାନବିକତାକୁ ଶିକ୍ଷା କରିବା ଉଚିତ୍‌। କୁମ୍ଭାର ହାଣ୍ଡି ଗଢ଼ିଲା ଭଳି ଶିକ୍ଷକମାନେ ମଧ୍ୟ ଦେଶପାଇଁ ଉତ୍ତମ ଛାତ୍ର ଗଢ଼ିବା ଉପରେ ଗୁରୁତ୍ଵ ଦେଇଥିଲେ । ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସମ୍ମିଳନୀ, ପ୍ରାଥମିକ ଶିକ୍ଷା ପ୍ରଣାଳୀର ଆମୂଳ ପରିବର୍ତ୍ତନ ଲୋଡ଼ା, ଭାଷଣ ଦୁଇଟି ଯେପରି ଚିନ୍ତାମୂଳକ ସେହିପରି ଆବେଗମୟ । ଆଠମଲ୍ଲିକ ରାଜ୍ୟ-ଶିକ୍ଷା ସପ୍ତାହରେ ସଭାପତି ପଣ୍ଡିତଜୀଙ୍କ ଅଭିଭାଷଣରେ ଶିକ୍ଷାର ପ୍ରଚାର କୁଠାରାଘାତ, ବାଧ୍ୟତାମୂଳ ଶିକ୍ଷା, ପାଶ୍ଚାତ୍ୟ ପ୍ରଭାବ, କି ପରିବର୍ତ୍ତନ ଦରକାର, ପାଠଶାଳାର ସମୟ, ଆପଣଙ୍କର ସମସ୍ୟା, ପରୀକ୍ଷା, ନୂତନ ପରିସ୍ଥିତି, ଶିକ୍ଷକଙ୍କ ବେତନ, ଭାରତର ଜାତୀୟତା ଓ ଓଡ଼ିଶାର ଅସ୍ଥିତ୍ୱ, କାର୍ଯ୍ୟର ମହତ୍ତ୍ୱ ଉପରେ ଗୁରୁତ୍ଵ ଆରୋପିତ । ପ୍ରତ୍ୟେକଟି ଶିକ୍ଷା ସମ୍ବନ୍ଧୀୟ ଭାଷଣ ଓ ଅଭିଭାଷଣରେ ନୂଆ ଦୃଷ୍ଟିକୋଣ ପ୍ରକାଶ ପାଇଥିବାରୁ ତାଙ୍କୁ ଯଥାର୍ଥ ଶିକ୍ଷାପ୍ରେମୀ ଗୋଦାବରୀଶ ବୋଲି କୁହାଯାଇପାରେ । ସାହିତ୍ୟ ସମ୍ପର୍କରେ ଗୋଦାବରୀଶଙ୍କର ଗୋଟିଏ ଅଭିଭାଷଣ ଓ ଦୁଇଟି ଭାଷଣ ବେଶ୍‌ ଉତ୍କୃଷ୍ଟମାନର । ବାରିପଦା ସାହିତ୍ୟ ସମାଜରେ ଅଭିଭାଷଣରେ ସେ କହିଥିଲେ ଗୋଟିଏ ବୁଭୁକ୍ଷୁ ମୁମୂର୍ଷୁ ଜାତି ଖାଇବା ପାଇଁ ବଞ୍ଚେ ନାହିଁ, ସଙ୍ଗୀତ କଳା ପାଇଁ ମଧ୍ୟ ବଞ୍ଚେ । ଭାରତର ଅନ୍ୟାନ୍ୟ ସ୍ଥାନରେ ଓଡ଼ିଶାର କଳା ଓ ସ୍ଥାପତ୍ୟ ନିଜର ତିଣ୍ଡିମ ପିଟୁଛି, ମାତ୍ର ଆଞ୍ଚଳିକ ସାହିତ୍ୟ କ୍ଷେତ୍ରରେ ଅନ୍ୟାନ୍ୟ ପ୍ରାଦେଶିକ ସାହିତ୍ୟଠାରୁ ଆମେ ପଛରେ ରହିଛେ । ଓଡ଼ିଶାର ପ୍ରାଚୀନ ସାହିତ୍ୟ ଭାରତରେ ଶ୍ରେଷ୍ଠତା ଲାଭ କରିଥିବା ସ୍ଥଳେ ବର୍ତ୍ତମାନ ଏ ଦୁର୍ଗତି ଏ ଜାତି ପାଇଁ ଦାରୁଣ ଦୁଃଖଦ । ‘ପ୍ରବାସୀ ଉତ୍କଳ ସମ୍ମିଳନୀ’ ସାହିତ୍ୟ ଶାଖାରେ ପ୍ରଦତ୍ତ ପଣ୍ଡିତଜୀଙ୍କ ଭାଷଣରେ ଓଡ଼ିଆ ପ୍ରାଚୀନ ସାହିତ୍ୟର ଉତ୍କର୍ଷ ପ୍ରତିପାଦିତ । ଜଗନ୍ନାଥ ଦାସଙ୍କ ଭାଗବତ ଜାତୀୟ ଚରିତ୍ର ଗଠନର ସହାୟକ ଥିଲା । ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ, କବିସୂର୍ଯ୍ୟ, ଗୋପାଳ କୃଷ୍ଣ ପ୍ରମୁଖ ତାଙ୍କର ଦାୟାଦ । ଉପଯୁକ୍ତ ସାହିତ୍ୟ ସୃଷ୍ଟିକରି ଓଡ଼ିଆ ଜାତିକୁ ଏମାନେ ବଳିଷ୍ଠ କରିଛନ୍ତି । ସାହିତ୍ୟ ସପ୍ତାହରେ ପ୍ରଦତ୍ତ ଭାଷଣ ଥିଲା ‘ନାଟକର ଗତି ଓ ରଙ୍ଗମଞ୍ଚ ଅଭାବ’ ବିଷୟକୁ ଆଲୋଚନା କରିଛନ୍ତି । ରଙ୍ଗମଞ୍ଚ ଅଭାବ ଯୋଗୁ ତାଂକ ନାଟକ ଦୁଇଟି ଅଭିନୀତ ହେଇପାରି ନଥିଲା । ଏଥିପାଇଁ ବହୁ ପରିମାଣରେ ଦାୟୀ ଓଡ଼ିଆ ଜାତିର ଅନଗ୍ରସରତା । ଗୋଦାବରୀଶ ମୃତ୍ୟୁର ପୂର୍ବବର୍ଷ ଗଣତନ୍ତ୍ର ପରିଷଦ ଚତୁର୍ଥ ବାର୍ଷିକ ଅଧିବେଶନ ଓ ଉତ୍କଳ ସମ୍ମିଳନୀ ବିଶେଷ ଅଧିବେଶନରେ ସଭାପତି ଭାବରେ ଦୁଇଟି ସାରଗର୍ଭକ ରାଜନୀତିକ ଅଭିଭାଷଣ ପ୍ରଦାନ କରିଥିଲେ । ଏ ଦୁଇଟିରେ ଓଡ଼ିଆ ଜାତିର ବ୍ୟକ୍ତି ଚରିତ୍ର, ମହାନତା, ପ୍ରାଚୀନତା ଆଦିର ଆଲୋଚନା କରି ବର୍ତ୍ତମାନର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପରମୁଖାପେକ୍ଷୀ ନୀତି ରାଜ୍ୟର ଅନଗ୍ରସତାର କାରଣ ହୋଇଛି ବୋଲି ଗଣତନ୍ତ୍ର ପରିଷଦରେ କହିଥିଲେ । ଉତ୍କଳ ସମ୍ମିଳନୀର ଅଭିଭାଷଣ ଥିଲା ମଧୁସୂଦନ ଦାସଙ୍କ ଭଳି ଉଦ୍‌ବୋଧକ ଓ ପ୍ରାଣ ସଂଚାରକଙ୍କ ସମ୍ପର୍କରେ ଅତ୍ୟନ୍ତ ଭାବଗର୍ଭକ । ବିଶେଷ କରି ସୀମା ସମସ୍ୟା ଓ ବିଚ୍ଛିନ୍ନାଞ୍ଚଳର ମିଶ୍ରଣ ପାଇଁ ତାଙ୍କର ଯେଉଁ ଆନ୍ତରିକ ଇଚ୍ଛାଥିଲା, ତାହାକୁ ସେ ପୁଣି ପ୍ରଜ୍ଜ୍ୱଳିତ ଦୀପଶିକ୍ଷାରେ ପରିଣତ କଲେ । ଏଣୁ ତାଙ୍କର ସୁହୃଦଗଣ କହିଥିଲେ, ଦୀପ ଲିଭିବା ପୂର୍ବରୁ ନିଜର ପ୍ରକୋପ ପୁନଃରାୟ ପ୍ରକାଶିଲା ।

ଗୋଦାବରୀଶଙ୍କ ପ୍ରଦତ୍ତ ଭାଷଣ ଓ ଅଭିଭାଷଣ ସମୂହ ସାହିତ୍ୟିକ ରସବୋଧରେ ପ୍ରାଣବନ୍ତ ଓ ସେ ସବୁ ତତ୍କାଳୀନ ସମସ୍ୟା ଆଧାରିତ ହୋଇଥିଲେ ହେଁ ଏବେ ମଧ୍ୟ ଓଡ଼ିଆ ଜାତି ପାଇଁ ହୋଇରହିଛି ଅମୂଲ୍ୟ ସମ୍ପଦ ।

ସ୍ନେହ ଓ କର୍ତ୍ତବ୍ୟ ଉପରେ ଆଧାରିତ ପ୍ରବନ୍ଧ :–

କବିତା, ଗଳ୍ପ, ନାଟକ, ଉପନ୍ୟାସ ଓ ପ୍ରବନ୍ଧ ଆଦି ଭଳି ଗୋଦାବରୀଶଙ୍କ ପତ୍ରାବଳୀ ଥିଲା ଗୋଟିଏ ଗୋଟିଏ ଉନ୍ନତ ସାରସ୍ୱତ କର୍ମର ପ୍ରତିଭୂ । ଗୋଦାବରୀଶ ଗ୍ରନ୍ଥାବଳୀ ଚତୁର୍ଥ ଖଣ୍ତର ପତ୍ରାବଳୀ ଅଂଶରେ ରଘୁନାଥ ମିଶ୍ର ଲେଖିଛନ୍ତି ସ୍ଵର୍ଗତ ପଣ୍ଡିତଜୀ ଚିଠି ଖଣ୍ଡିଏ ପାଉଥିଲେ, ତାର ଉତ୍ତର ନିଶ୍ଚୟ ଦେଉଥିଲେ । ସେ ବର୍ଷକୁ ପନ୍ଦର ଶହରୁ ସତର ଶହ ଚିଠି ଲେଖୁଥିଲେ । (ପୃଷ୍ଠା-୪୮୯) ସୁତରାଂ, ତାଙ୍କ ଜୀବଦ୍ଦଶାରେ ଗୋଦାବରୀଶ ହଜାର ହଜାର ଚିଠି ଲେଖିଛି । କିନ୍ତୁ ଗ୍ରନ୍ଥାବଳୀରେ ମାତ୍ର ଛୟାଅଶୀଟି ପତ୍ର ସ୍ଥାନିତ । ପ୍ରତ୍ୟେକଟି ପତ୍ରରେ ସ୍ଥାନ ପାଇଛି ଲେଖକଙ୍କ ସ୍ନେହ ଓ ଦରଦଭରା ହୃଦୟର ଅଭିବ୍ୟକ୍ତି । ସାହିତ୍ୟିକମାନଙ୍କୁ ସାହିତ୍ୟ ସମ୍ପର୍କରେ ଗୋଦାବରୀଶ ଦେଇଛନ୍ତି ପ୍ରେରଣା । ବିଶେଷତଃ କର୍ତ୍ତବ୍ୟଜ୍ଞାନ ଗୁଣଯୋଗୁଁ ଅଧିକାଂଶ ଚିଠିରେ ଦେଖାଯାଏ କର୍ତ୍ତବ୍ୟ ସଚେତନ ଗୋଦାବରୀଶଙ୍କ ଛାୟା । ତାଙ୍କ କର୍ମଭୂମି ଓ ତୀର୍ଥଭୂମି ସତ୍ୟବାଦୀ । ଛାତ୍ରମାନଙ୍କର ସ୍ନେହ, ପଣ୍ଡିତ ଗୋପବନ୍ଧୁ, ପଣ୍ତିତ ନୀଳକଂଠ, ପଣ୍ଡିତ କୃପାସିନ୍ଧୁ ଓ ଆଚାର୍ଯ୍ୟ ହରିହରଙ୍କ ସହିତ ବନ୍ଧୁତା ତାଙ୍କ ଜୀବନରେ ହୋଇ ରହିଥିଲା ଚିରସ୍ମରଣୀୟ । ଏମାନଙ୍କ ସମ୍ପର୍କରେ ଭାଇ ଶ୍ରୀ ମଦନ ମୋହନ ରଥ, ଚକ୍ରପାଣି ବେବର୍ତ୍ତାଙ୍କୁ ଲେଖିଛନ୍ତି ‘ଉତ୍କଳ ସମ୍ମିଳନୀ’, ସିଂହଭୂମିରେ ଓଡ଼ିଆ ଭାଷା, ବିଦ୍ୟାଳୟ, କୃପାସିନ୍ଧୁ ବାବୁଙ୍କ ‘କୋଣାର୍କ’ର ଆଶୁ ପକାଶନ ଏବଂ ସତ୍ୟବାଦୀରୁ ସମାଜ ପ୍ରକାଶିତ ହେବାର ମତାମତ ମଧ୍ୟ ଅନେକ ପତ୍ରରେ ଲିଖିତ । ସାହିତ୍ୟ ସମ୍ପର୍କିତ ପତ୍ରଗୁଡ଼ିକରେ ଦେଖିବାକୁ ମିଳେ ଉତ୍ସାହ ଓ ପ୍ରେରଣା ପ୍ରଦାନ । ‘ତୁଠ ପଥର’ର ଗଳ୍ପଗୁଡ଼ିକ ପଢ଼ି ଗୋଦାବରୀଶ ରାଜକିଶୋର ପଟ୍ଟନାୟକଂକୁ ଲେଖିଥିଲେ ପ୍ରତ୍ୟେକ ଗଳ୍ପରେ ଯେ ଏକ ସହାନୁଭୂତିର ଧାରା ପ୍ରବାହିତ ହୋଇଛି, ତାହା ବେଶ୍‌ ଅନୁଭବ କଲି । ପୃଥିବୀଟାତ ବନ୍ଧା ହୋଇଛି ସହାନୁଭୂତିର ଡୋରିରେ । ତାକୁ ଛିଣ୍ଡାଇବା ପାଇଁ କିଏ କେତେ ପ୍ରକାରର ଚେଷ୍ଟା କରୁଛନ୍ତି, କିନ୍ତୁ ଜଣେ ଜଣେ ‘ପ୍ରଭାକର’ ହୁଏତ ଶତକଡ଼ା ବା ସହସ୍ରକରେ ଏକ ବାହାରି ଛିଣ୍ଡାଟାକୁ ପୁଣି ଗଣ୍ଠିପକାଇବାରେ ଲାଗୁଛନ୍ତି, ସାମାନ୍ୟ ଘାସକୁ ମନୁଷ୍ୟ କରୁଛନ୍ତି । (ଗୋଦାବରୀଶ ଗ୍ରନ୍ଥାବଳୀ, ଚତୁର୍ଥ ଖଣ୍ଡ, ପୃଷ୍ଠା-୧୯୬) ‘ମୂର୍ଖ ଶତକ’ର ବୃନ୍ଦାବନ ଶତପଥୀ ଓ କବି ମାୟାଧର ମାନସିଂହଙ୍କ ଉଦ୍ଦେଶ୍ୟରେ ଲିଖିତ ପତ୍ର ଦୁଇଟିରେ ଅଛି ଯଥାର୍ଥ ମତ ଓ ମନ୍ତବ୍ୟ ସହିତ ଜାତୀୟ କର୍ମସାଧନ ପାଇଁ ପ୍ରେରଣା । ଗୋଦାବରୀଶଙ୍କ ପତ୍ର ମଧ୍ୟରେ ରାଜନୀତିକ ସମସ୍ୟା ରହିଛି । ଏ ସମ୍ପର୍କରେ ଶ୍ରୀମତୀ ସରଳା ଦେବୀ, ଚିନ୍ତାମଣି ମହାପାତ୍ର, ରାଧାଚରଣ ପଣ୍ଡା, ସୁଦର୍ଶନ ଷଡ଼ଂଗୀ, ଶ୍ରୀମତୀ ସୁମିତ୍ରା ଦେବୀ ପ୍ରମୁଖଙ୍କ ପାଖକୁ ସେ ପତ୍ର ଲେଖିଛନ୍ତି । କଂଗ୍ରେସ ଦଳର କର୍ମ ପନ୍ଥାକୁ ସେ ତତ୍କାଳରେ ସମ୍ମାନ ଦେଉଥିଲେ ହେଁ ପରବର୍ତ୍ତୀ ସମୟରେ ଏହାର ବିଫଳତା ଅନେକ କ୍ଷତିକରିଛି ବୋଲି ମତ ବାଢ଼ିଛନ୍ତି । ପାରିବାରିକ ଜଞ୍ଜାଳ, ବ୍ୟକ୍ତିଗତ ସମସ୍ୟା ଓ ବ୍ୟାଧିଗ୍ରସ୍ତ ଜୀବନ ସମ୍ପର୍କରେ ମଧ୍ୟ ଅଛି ତାଙ୍କର କେତୋଟି ପତ୍ର । ଆଚାର୍ଯ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ଶଙ୍କର ସଚ୍ଚିଦାନନ୍ଦ ସରସ୍ଵତୀ, ଆୟୁର୍ବେଦ ଶାସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଓ ଗୋଦାବରୀଶ ମହାପାତ୍ରଙ୍କୁ ଲିଖିତ ପତ୍ର ଗୁଡ଼ିକ ମଧ୍ୟ ପ୍ରଣିଧାନ ଯୋଗ୍ୟ । ଏ ସବୁ ବ୍ୟତୀତ ଅନେକପତ୍ର ଶିକ୍ଷା, ଖଜଣା, ଗ୍ରାମ ମଂଗଳ, ନାସ୍ତିକତାବାଦ ଓ କୁସଂସ୍କାର ଉପରେ ଲିଖିତ । ପ୍ରତ୍ୟେକଟି ପତ୍ରର ଆରମ୍ଭ ଯେପରି ସ୍ନେହ, ଶ୍ରଦ୍ଧା ଓ ସମ୍ମାନସୂଚକ, ଶେଷ ସେହିପରି ମଙ୍ଗଳ ଦ୍ୟୈାତକ । ପତ୍ର ଲିଖନ ଶୈଳୀ ଯେଭଳି ସରଳ, ସେହିଭଳି ଆନ୍ତରିକତାପୂର୍ଣ୍ଣ, ପତ୍ରଗୁଡ଼ିକରୁ ତାଙ୍କ ଗଦ୍ୟଶୈଳୀର ଯଥାର୍ଥ ପରିଚୟ ମିଳିଥାଏ ।

ଶିଶୁ ମନରେ ଆଦର୍ଶ, କୌତୂହଳ ଓ ଜିଜ୍ଞାସା ଉଦ୍ରେକକାରୀ ପ୍ରବନ୍ଧ :–

ଏଗୁଡ଼ିକୁ ପିଲାଙ୍କ ପ୍ରବନ୍ଧ କୁହାଯାଇପାରେ । ମାତ୍ର କାହାଣୀଧର୍ମୀ ହୋଇଥିବାରୁ ଠିକ୍‌ତାତ୍ତ୍ୱିକ ପ୍ରବନ୍ଧ ନୁହେଁ । ତେବେ ଗଦ୍ୟ ବିଭାଗରେ ସ୍ଥାନିତ କାହାଣୀ ଓ ପ୍ରବନ୍ଧର ଏକ ମିଶ୍ରିତରୂପ । ଏହାର ଭାଷା ସରଳ, ସହଜ ଓ ସାବଲୀଳ । କୋମଳମତି କିଶୋରଙ୍କ ହୃଦୟକୁ ସ୍ପର୍ଶ କଲାଭଳି ଶୈଳୀରେ ଏ ସବୁ ଲିଖିତ । କଥା ଭାଗରେ ‘ରାମାୟଣ କଥା’, ‘ମହାଭାରତ କଥା’ ଓ ‘ପଞ୍ଚବୀର’ ଉଲ୍ଲେଖଯୋଗ୍ୟ । ସେହିଭଳି କୌତୁକ ଓ ଜିଜ୍ଞାସା ଉଦ୍ରେକକାରୀ ବିଭାଗରେ ଅଛି ‘ଚଟଣି’ ଓ ‘ପିଲାଙ୍କ କାହିଁକି’ ? ରାମାୟଣ କଥାରେ ରାମ କିଏ ? ରାମଙ୍କ କାମ ଆରମ୍ଭ ହେଲା, ରାମଙ୍କ ପ୍ରଥମ ଲଢେଇ, ଅସଲ କାମ କଲେ, ଗଙ୍ଗାନଦୀର ପରିଚୟ, ବାଟରେ ଅହଲ୍ୟାଙ୍କୁ ବଞ୍ଚାଇଲେ, ନୋହିବା କାମ କଲେ, ରାମ ଏବଂ ପରଶୁରାମ, ରାମଙ୍କ ରାଜା ହେବା କଥା, ବିନା ମେଘରେ ଚଡ଼କ, ରାମ ବନକୁ ଗଲେ, ବନରେ କିପରି ଚଳିଲେ, ତେଣେ ଦଶରଥଙ୍କ ଦଶା କ’ଣ ହେଲା, ଦଶରଥ ଋଷିକୁମାରଙ୍କ ବାପାଙ୍କୁ ଭେଟିଲେ, ଭରତ କ’ଣ କଲେ, ଏଣେ ରାମ କ’ଣ କଲେ, ପଞ୍ଚବଟୀରେ କି’ କାଣ୍ଡ ନହେଲା, ସୀତା କେତେଦୂରକୁ ଗଲେ, ପୁଣି ଏକ ରାକ୍ଷସ, ସୁଗ୍ରୀବ କିପରି ମିତ୍ର ହେଲେ, ବାଳୀ ସୁଗ୍ରୀବ କଳି କ’ଣ ହେଲା, ମାଙ୍କଡ଼ ପଲ ସୀତାଙ୍କୁ ଖୋଜି ବୁଲିଲେ, ସୀତା ମିଳିଲେ, ହନୁମାନ ଲଙ୍କାରେ କ’ଣ କଲେ, ଲଙ୍କାରୁ ଫେରି ପୁଣି ଲଙ୍କା, ରାବଣ କ’ଣ କ’ଣ କଲା, ଯୁଦ୍ଧ ଘମାଘୋଟ ଲାଗିଲା, ଯୁଦ୍ଧ ସରି ଆସିଲା, ସୀତାଙ୍କ ଅଗ୍ନିପରୀକ୍ଷା, ଅଯୋଧ୍ୟା ଫେରିଲେ, ସୀତାଙ୍କର ପୁଣି ବନବାସ, ଅଶ୍ଵମେଧ ଯଜ୍ଞରେ କ’ଣ ହେଲା ଇତ୍ୟାଦି ସମସ୍ତ ଘଟଣା ବର୍ଣ୍ଣିତ । ମହାଭାରତ କଥାରେ କୌରବ ଓ ପାଣ୍ଡବମାନେ କିଏ, କୌରବ ପାଣ୍ଡବମାନଙ୍କର କି ଦଶା ଘଟିଲା; ପାଣ୍ଡବଙ୍କ ଭାଗ୍ୟ ଲେଉଟିଲା, ଅର୍ଜୁନଙ୍କ ବନବାସ, ପାଣ୍ଡବମାନଙ୍କର ଆହୁରି ବଡ଼ତି, ବଡ଼ତିରୁ ରସାତଳ, ବନବାସରେ କ’ଣ ହେଲା, ଅଜ୍ଞାତ ବନବାସ, ବନବାସ ବୃଥା ଗଲା, ଯୁଦ୍ଧ ଆରମ୍ଭ ହେଲା, ଭୀଷ୍ମଙ୍କର ଶରଶଯ୍ୟା, ଯୁଦ୍ଧ ପୁଣି ଚାଲିଲା, କ୍ରମେ ଯୁଦ୍ଧ ଘନେଇଲା, ଶେଷ ଦିନର କାଣ୍ଡ, ଯୁଦ୍ଧ ପରେ ଘଟଣାମାନ ପଞ୍ଚବୀରରେ ଯୁଧିଷ୍ଠିର, ଅର୍ଜୁନ, ଭୀଷ୍ମ ଦ୍ରୋଣ, କର୍ଣ୍ଣ ପ୍ରସଙ୍ଗ ସ୍ଥାନିତ-। ଗୋଦାବରୀଶ ପୁରାଣର ସମ୍ପୂର୍ଣ୍ଣ କାହାଣୀକୁ ସୀମିତ ପରିସରରେ ପିଲାଙ୍କୁ ସ୍ପର୍ଶକଲାଭଳି କଥାକୁହା ଶୈଳୀରେ ବର୍ଣ୍ଣନା କରିଛନ୍ତି । ପୁରାଣର ଶ୍ରେଷ୍ଠ ଯୋଦ୍ଧାମାନଙ୍କର ବୀରତ୍ୱ, ସାହସ, ଧୈର୍ଯ୍ୟ ଓ ସଦ୍‌ଗୁଣ ଗୁଡ଼ିକ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ଦେଇଥାଏ । ପିଲାମାନଙ୍କ ଭବିଷ୍ୟତ ଗଠନରେ ଏ ସବୁ ସହାୟକ ହେଉଥିବାରୁ ଗୋଦାବରୀଶ ଅତ୍ୟନ୍ତ ସରଳ ଭାଷାରେ ନୀତି ଓ ଦର୍ଶନକୁ ସ୍ଥାନ ଦେଇଛନ୍ତି ଏଥିରେ । ‘ପିଲାଙ୍କ କାହିଁକି’ ରେ ଅନେକ ଜାଣିବା କଥା ଉପସ୍ଥାପିତ । ଏହାକୁ ପଢ଼ିବାପରେ ପିଲାମାନଙ୍କ ମନରେ ବହୁ କଥା ଜାଣିବାପାଇଁ ଆଗ୍ରହ ସୃଷ୍ଟି ହେବ । ଅନ୍ଧାରରେ କାହିଁକି ଦେଖାଯାଏ ନାହିଁ, ଶୀତବେଳେ ପାଟିରୁ କାହିଁକି ଧୂଆଁ ବାହାରେ, ପାଣିରେ ନିଆଁ କାହିଁକି ଲିଭିଯାଏ, କାଠ କାହିଁକି ଜଳେ, ଆମ ଦେହରେ ହାଡ଼ କାହିଁକି ଅଛି, ଦୁଧରେ ସର କାହିଁକି ପଡ଼େ, ଗଛ ଉପରକୁ କାହିଁକି ବଢ଼େ, ନିଜ ବିଷରେ ସାପ କାହିଁକି ନ ମରେ, ପିଲାଙ୍କୁ କାହିଁକି ଚାଲି ଶିଖାଇବା ଦରକାର ପଡ଼େ, ସମୁଦ୍ର ପାଣି କାହିଁକି ଲୁଣିଆ ଲାଗେ, କଳଙ୍କି କାହିଁକି ଲାଗେ ଭଳି ବହୁ ପ୍ରସଂଗର ବିଜ୍ଞାନ ସମ୍ମତ ବିଶ୍ଲେଷଣ କରାଯାଇଛି । ଏହା ଶିଶୁ ମନରେ ଯୁକ୍ତିନିଷ୍ଠତା ଓ ଜିଜ୍ଞାସାବୋଧ ଜନ୍ମାଏ । ପ୍ରତ୍ୟେକ ଜିନିଷକୁ ଯୁକ୍ତି ସମ୍ମତ ଭାବରେ ବିଚାର କରିବା ପାଇଁ ପ୍ରେରଣା ଦିଏ । ‘ଚଟଣି’ ସଂକ୍ଷିପ୍ତ ଗଦ୍ୟରଚନା । ଇଂରୀଜୀରେ ଯାହାକୁ jokes କୁହାଯାଏ ସେହିଭଳି ଦୁଇଶତାଧିକ ମଜାକଥାର ସମାହାର ଏଥିରେ ସ୍ଥାନିତ । ପ୍ରତ୍ୟେକଟିର ସ୍ଵତନ୍ତ୍ର ନାମ ଅଛି-। ଅନେକ ଶିକ୍ଷାପ୍ରଦ ହୋଇଥିବା ବେଳେ ଅଧିକାଂଶ କେବଳ ବିମଳ ହାସ୍ୟରସ ପାଇଁ ଉଦ୍ଦିଷ୍ଟ-। ନାଟକୀୟ ସଂଳାପ ମାଧ୍ୟମରେ ପରିବେଷିତ ହୋଇଥିବାରୁ ଏଗୁଡ଼ିକର ଆକର୍ଷଣୀ ଶକ୍ତି ଅଧିକ । ‘ଭୌଗୋଳିକ ବିଭାଗ’ରେ ସ୍ଥାନିତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଗ୍ରେଟ୍‌ବିଟେନ, ପଶ୍ଚିମ ଗୋଲାର୍ଦ୍ଧ, ମଧ୍ୟ ଆମେରିକା ଆଦି ପ୍ରବନ୍ଧ ଗୁଡ଼ିକ ମଧ୍ୟ ପିଲାଙ୍କ ବୁଦ୍ଧି ଓ ଜ୍ଞାନବର୍ଦ୍ଧକ ହୋଇ ପାରିଛି-। ଗୋଦାବରୀଶ ମୁଖ୍ୟତଃ କବି ଓ ଶିକ୍ଷକ ଥିବାରୁ ଶିଶୁ ଓ କିଶୋର ମନର ସୁପ୍ତ ଭାବନାକୁ ଜାଗ୍ରତ କରିବା ପାଇଁ ଲେଖନୀକୁ କାଉଁରୀ କାଠିରେ ପରିଣତ କରିଛନ୍ତି । ଭୌଗୋଳିକ ବିଭାଗରେ ସ୍ଥାନିତ ଦେଶ, ମହାଦେଶ ଓ ସ୍ଥାନମାନଙ୍କର ଅବସ୍ଥିତ, ପ୍ରାକୃତିକ ପରିବେଶ, ଜନଜୀବନ ଓ ଲୋକ ଚରିତ୍ର, କୃଷି ବ୍ୟବସାୟ, ପଶୁପକ୍ଷୀ, ଜଳବାୟୁ, ଖଣିଜ ସମ୍ପଦ, ଉତ୍ପନ୍ନ ଦ୍ରବ୍ୟ ଇତ୍ୟାଦି ବିଷୟ । ପ୍ରତ୍ୟେକଟି ବିଭାଗର ବିଷୟ ପରିପାଟୀ ଶିଶୁ ଓ କିଶୋର ମନରେ କଳ୍ପନା ଶକ୍ତିକୁ ବିସ୍ତାର କରିବା ପାଇଁ ଯଥାର୍ଥତଃ ଉଦ୍ଦିଷ୍ଟ ।

 

 

 

ଆତ୍ମଜୀବନୀ :–

ଗୋଦାବରୀଶଙ୍କ ଆତ୍ମଜୀବନୀ ପ୍ରବନ୍ଧ ନୁହେଁ, ମାତ୍ର କାହାଣୀନିଷ୍ଠ ପ୍ରବନ୍ଧ । ଏଥିରେ ଅଛି ଓଡ଼ିଶାର ଐତିହାସିକ, ସାମାଜିକ ତଥା, ରାଜନୀତିକ ଚିତ୍ର । ବ୍ୟକ୍ତିଗତ (ଜୀବନର ସୁଖ ଓ ଦୁଃଖକୁ ସେ ଯଥାର୍ଥ ଭାବେ କରିଛନ୍ତି ଚିତ୍ରଣ । ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଗୋଦାବରୀଶଙ୍କ ଜୀବନୀର ପ୍ରଥମ ଭାଗ ମାତ୍ର । ଦ୍ୱିତୀୟ ଭାଗର ସୂଚିପତ୍ର ନିର୍ମାଣ କରାଯାଇଥିଲା, କିନ୍ତୁ ଲେଖକ ଜୀବିତ ନରହିବାରୁ ତାହା ଆଉ ସମ୍ଭବ ହୋଇପାରିନାହିଁ । ପ୍ରଥମଖଣ୍ଡର ପରିକଳ୍ପିତ ୪୫ଟି ଅଧ୍ୟାୟରୁ ମାତ୍ର ୩୪ଟି ଲିଖିତ । ପୁସ୍ତକଟିର ରଚନାକାଳ ୧୯୫୧ ମସିହା ଏବଂ ପ୍ରକାଶନ କାଳ ୧୯୫୮ । ପରେ ପରେ ଏହାର ହୋଇଛି ବହୁ ସଂସ୍କରଣ-। ଏହା ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦ୍ଵାରା ସମ୍ମାନିତ ମଧ୍ୟ ।

କେତେଜଣ ବନ୍ଧୁଙ୍କ ଅନୁରୋଧରେ ଗୋଦାବରୀଶ ଆତ୍ମଚରିତ ରଚନା ପାଇଁ ଇଚ୍ଛୁକ ହେଲେ । କିନ୍ତୁ ‘କ’ଣ ଲେଖିବି’ ଶୀର୍ଷକରେ କହନ୍ତି ୧୮୮୬ରୁ ୧୯୩୬ ମସିହା ପର୍ଯ୍ୟନ୍ତ ପଚାଶବର୍ଷ ଅର୍ଥାତ୍‌ଅର୍ଦ୍ଧଶତାବ୍ଦୀର ଘଟଣାମାନଙ୍କରୁ ଯାହା ମୋର ମନେଅଛି ତାହାହିଁ ଏ ଲେଖାରେ ଲିପିବଦ୍ଧ କରିବି । ସେହି ପଚାଶ ବର୍ଷ ମୋର ଦେଶ ସେବା ନିମନ୍ତେ ନିଜ ଜୀବନ ଗଢ଼ିବାର କାଳ-। ୧୯୩୬ ମସିହାର ପର ଘଟଣାମାନ ମୁଁ ପରେ ସ୍ଵତନ୍ତ୍ର ଭାବରେ ଲେଖିବି ଭାବିଛି । (ଗୋଦାବରୀଶ ଗ୍ରନ୍ଥାବଳୀ, ପ୍ରଥମ ଖଣ୍ଡ, ପୃଷ୍ଠା-୦୩) ଗୋଦାବରୀଶଙ୍କ ନିଜ ହିସାବରେ ଜନ୍ମ ମସିହା ୧୮୮୬ ଓ ୧୯୩୬ ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠିତ ହେଲା । ବନ୍ଧୁମାନଙ୍କ ଅନୁରୋଧରେ ‘ଆତ୍ମଜୀବନୀ ଲେଖା ଆରମ୍ଭ କରିଥିଲେ ହେଁ ଜୀବନୀ ଲେଖାର ଦାୟିତ୍ୱ, ବିଶେଷତ୍ଵ ଓ ସତର୍କତା ସମ୍ପର୍କରେ ସେ କିପରି ସଚେତନ ଥିଲେ ସେ ବିଷୟରେ କୁହନ୍ତି, ଆତ୍ମଜୀବନୀ ଲେଖିବାରେ ଦାୟିତ୍ୱ ବଡ଼ ବେଶୀ । ସେ ଦାୟିତ୍ୱ ଅପର ବ୍ୟକ୍ତିଙ୍କ ଜୀବନୀ ଲେଖିବା ଲେଖକଙ୍କର ନାହିଁ । ଅପର ବ୍ୟକ୍ତିଙ୍କ ଜୀବନର ନାନା ଘଟଣା ଲେଖକ ନିଜର ବା ପାଠକଙ୍କ ରୁଚି ଅନୁସାରେ ବାଦ୍‌ଦେଇପାରନ୍ତି । ମୋର ମନେହୁଏ, ଅନେକ ଜୀବନୀରେ ଏହିପରି ଅଳ୍ପାଧିକ ଘଟଣାବାଦ୍‌ ପଡ଼ିଥିବ ଜୀବନୀ ଲେଖିବାରେ ମଧ୍ୟ ପରିପାଟୀ ଦେଖାଇବାର ସୁଯୋଗ ମିଳିଥାଏ । ଅନେକ ବଡ଼ବଡ଼ ଜୀବନୀରେ ବେଶି ଲେଖା ପରିପାଟୀ ରହିଛି । ସେଥିପାଇଁ ସାହିତ୍ୟ ଭଣ୍ଡାରରେ ତାକୁ ବିଶିଷ୍ଟ ସ୍ଥାନ ମିଳିଛି । ଆତ୍ମଜୀବନୀ ଲେଖକ ଏ ସୁବିଧାରୁ ବହୁ ପରିମାଣରେ ବଞ୍ଚିତ । ସୁତରାଂ ଆତ୍ମଜୀବନୀର ବିଷୟ ସବୁ ଖୁବ୍‌ ମୂଲ୍ୟବାନ ଓ ମର୍ମସ୍ପର୍ଶୀ ନହେଲେ ଅପାଠ୍ୟ ହୋଇପଡ଼େ-। ମୋ ଲେଖା ପରିପାଟୀ ଖୁବ୍‌ବେଶୀ ନଥିଲେ ମଧ୍ୟ ସାମାନ୍ୟ ମାତ୍ର ଯେ ନାହିଁ ତା ନୁହେଁ, କିନ୍ତୁ ତା ବଳରେ ଲେଖିବସିଲେ ମୁଁ ଉପନ୍ୟାସ ସିନା ଲେଖିବି, ଆତ୍ମଜୀବନୀ ଲେଖିବି ନାହିଁ-। ସୁତରାଂ ପରିପାଟୀ ଛାଡ଼ି ମୋତେ କେବଳ ମୋର ସାଧାରଣ ଦୁଃଖୀ ଜୀବନର ଘଟଣାବଳୀ ବର୍ଣ୍ଣନା କରିବାକୁ ହେବ । ମୋଭଳି ଅନେକ ଦୀନ ଦରିଦ୍ର ଲୋକ, ସମାଜର ନିମ୍ନସ୍ତରରେ ଅହରହ ଜୀବନ ସଂଗ୍ରାମରେ ଲାଗିଛନ୍ତି । ସେହିମାନଙ୍କ ପକ୍ଷେ ଏ ଲେଖାରୁ ହୁଏତ ଉପାଦାନ ମିଳିବ । ବିଭବଶାଳୀ ଓ ସୁବିଧାଭୋଗୀଙ୍କ ପାଇଁ ଏହା ନୁହେଁ । (ପୃଷ୍ଠା -୦୨)

ଗୋଦାବରୀଶ ସ୍ପଷ୍ଟଭାଷାରେ କହିଛନ୍ତି,-‘ମୁଁ ଯାହା ଲେଖିବି ତାକୁ ପଢ଼ି, କେହି ଯେ ଆନନ୍ଦ ବା ଦୁଃଖ ଅନୁଭବ କରିବେ ସେଥିପାଇଁ ଲେଖିବି ନାହିଁ, ମନୁଷ୍ୟ କିପରି ନିଜ ଦୁର୍ବଳତାର ଦାସ, ତାହା ଚେତାଇବାକୁ ଲେଖିବି ମାତ୍ର ।’ ସେ ଦେଶପ୍ରେମୀ, ଜାତିପ୍ରେମୀ, ଦରଦୀ, ମାନବତାବାଦୀ ସାହିତ୍ୟିକ ଥିଲେ । ଅଙ୍ଗେଲିଭା କାହାଣୀ ସତ ସତ ଲେଖିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ ଲେଖି ପାରିନାହାନ୍ତି ବୋଲି ଜଣାଇଛନ୍ତି । ସତ୍ୟପୂର୍ଣ୍ଣ ଅନେକ ଘଟଣା ବହି ପାଇଁ ଦରକାର ହୋଇନପାରେ, ପାଠକ ନାସିକା କୁଞ୍ଚନ କରିପାରନ୍ତି, ପୁଣି ଲେଖକଙ୍କ ଆତ୍ମ ପ୍ରୋଢ଼ ପ୍ରକାଶ ପାଇଯିବାର ଭୟ ମଧ୍ୟ ଥାଏ । ଏଣୁ ସଚେତନ ଭାବରେ ସେ ଉଲ୍ଲେଖଯୋଗ୍ୟ ଘଟଣାଗୁଡ଼ିକୁ ନିର୍ବାଚନ କରି ଏଥିରେ କରିଛନ୍ତି ସଂଯୋଜିତ । ତଥାପି ଉପଯୁକ୍ତ ତଥ୍ୟର ଅଭାବଯୋଗୁଁ ଏହା ଉଚ୍ଚକୋଟିର ନହୋଇପାରେ ବୋଲି ଭାବିଛନ୍ତି । କିନ୍ତୁ ଯଥାର୍ଥ ଘଟଣା ଓ ତଥ୍ୟ ତଥା ବର୍ଣ୍ଣନାଶୈଳୀର ଚମତ୍କାରିତା ଫଳରେ ଏହା ନିଶ୍ଚିତଭାବେ ଉଚ୍ଚକୋଟିର ହୋଇଛି । ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଆତ୍ମଜୀବନୀଟିକୁ ତିନି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ଏକ ରୁ ବାର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ତେର ଠାରୁ ବାଇଶି ଦ୍ୱିତୀୟ ପର୍ଯ୍ୟାୟ ଓ ତେଇଶଠାରୁ ଚଉତିରିଶ ତୃତୀୟ ପର୍ଯ୍ୟାୟ । ପ୍ରଥମ ପର୍ଯ୍ୟାୟରେ ଅଛି ବାଲ୍ୟକାଳର ସ୍ମୃତି, ଦ୍ଵିତୀୟରେ ଅଛି ଛାତ୍ର ଜୀବନର ଭୂମିକା, ତୃତୀୟଟି ଦର୍ଶାଏ ଯୁବକ ଓ ପୌଢ଼ ଜୀବନର କାହାଣୀ ।

ଗୋଦାବରୀଶଙ୍କ ଜୀବନ ସଂଘର୍ଷ ଓ ସଂକଟର ଜୀବନ । ଦାରିଦ୍ର୍ୟ ଓ ଅଭାବ ମଧ୍ୟରେ ତାଙ୍କର ବାଲ୍ୟ ଜୀବନ ଓ ଛାତ୍ର ଜୀବନ ବିତିଥିଲେହେଁ ସେ ଆଦର୍ଶପଥରୁ ବିଚ୍ୟୁତ ହୋଇନଥିଲେ । ଆର୍ଥିକ ଅବସ୍ଥା ଥିଲା ସମ୍ପୂର୍ଣ୍ଣ ଅସ୍ଵଚ୍ଛଳ । ପ୍ରତିଦିନ ଘରେ ଖାଦ୍ୟ ରନ୍ଧାଯାଇ ପାରୁନଥିଲା । ଯେଉଁ ଭାତ ରନ୍ଧା ଥାଏ ତାକୁ ବାପା ଓ ସେ ଖାଆନ୍ତି । ମାଆ ଓ ବୁଢ଼ୀ ମା’ ଖାଆନ୍ତି ମାଣ୍ଡିଆ ଜାଉ, ନଚେତ୍‌ ପାଣି । ଅର୍ଥ ଅଭାବରୁ ସେ ପାଠ ପଢ଼ିପାରିବେ ନାହିଁ ଜାଣି ଦୁଃଖ କରୁଥିବାବେଳେ ବାପା ପୈତୃକ ଜମିକୁ ବିକ୍ରି କରି ଯେଉଁ ବ୍ୟବସ୍ଥା କଲେ ତାହା ସମୁଦ୍ରକୁ ଶଙ୍ଖେ । ପୋଷାକ ଅଭାବରୁ ସେ ଖଣ୍ଡିଏ ଲୁଗାକୁ ଧୋଇ ସାତଦିନ ପିନ୍ଧନ୍ତି । ଧୋବାକୁ ଦେଇଥିବା ବେଳେ ଘରଭିତରେ କବାଟ ଝରକା ବନ୍ଦକରି ରହନ୍ତି । ପଢ଼ା ପାଇଁ ତାଙ୍କୁ ପୂଜାରୀ କାର୍ଯ୍ୟ କରିବାକୁ ହୋଇଥିଲା ଓ ଟିଉସନ୍‌ କରିବାକୁ ପଡ଼ିଥିଲା । ଛାତ୍ର ଜୀବନର ଦୟନୀୟ କଥା ଆତ୍ମ ଜୀବନୀରେ ଲିପିବଦ୍ଧ । ଦାରିଦ୍ର୍ୟ ମଧ୍ୟରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଲା ଯେତେବେଳେ, ସେତେବେଳେ ବାପା, ବୋଉ, ବୁଢ଼ୀମା ଚାଲିଗଲେ । ଯେଉଁ ଅଭାବୀ ଘରେ ସେ ସ୍ନେହ ଆଦରରେ ବଢ଼ିଥିଲେ, ସେହି ଆଦରର ଡ଼ୋରି ଛିଡ଼ିଗଲା ଅକାଳରେ । ରୁଗ୍‌ଣା ସାନ ଉଉଣୀର ଭରଣ ପୋଷଣ ପାଇଁ ଟିଉସନ୍‌ ଓ ବୃତ୍ତିରୁ ପାଉଥିବା ସାମାନ୍ୟ ଟଂକା ଦେଉଥିଲେ । ୧୯୦୭ ମସିହାରେ କଲେଜରେ ପଢ଼ୁଥିବା ବର୍ଷ ନଦୀବଢ଼ିରେ ଧୋୟା ଅଞ୍ଚଳରେ ପ୍ରଭୂତ କ୍ଷତି ହେଲା । ଅନ୍ୟ କେତେଜଣ ଛାତ୍ରଙ୍କ ସହିତ ଗୋଦାବରୀଶ ଗଲେ ସେବା କରିବା ପାଇଁ । ସେବକ କାର୍ଯ୍ୟ କରୁଥିବାବେଳେ ଚିକିତ୍ସା ଅଭାବରୁ ସାନ ଭଉଣୀ ଚାଲିଗଲା । ପରିବାରର ଏଇ ସର୍ବହରା ଛାତ୍ରଟି କେବଳ ଲୁହ ଗଡ଼ାଇ ବଞ୍ଚି ରହିଲା । ତଥାପି ସେ କେବେହେଲେ ଭଗ୍ନ ମନୋରଥ ହୁଅନ୍ତି ନାହିଁ । ଜୀବନର ବହୁ ଦୁର୍ଦ୍ଦିନରେ ସେ ଗୋପବନ୍ଧୁଙ୍କୁ ସ୍ମରଣ କରି ସବୁ ଭୁଲିଯାଆନ୍ତି । ଦୁର୍ଦ୍ଦିନ ଓ ସଙ୍କଟର ନୌକାରେ ଚଢ଼ି ସେ ଜୀବନ ଅତିବାହିତ କରିଛନ୍ତି । ଆପଣାର ବ୍ୟକ୍ତିଗଣ ସ୍ଵର୍ଗବାସୀ ହୋଇଛନ୍ତି । ସେ ଲେଖିଛନ୍ତି ଜୀବନର ଏଇ ଦୁର୍ଦ୍ଦିନରେ ସେ ଯେଉଁମାନଙ୍କ ଲାଗି ଚକ୍ଷୁରୁ ଲୋତକ ଗଡ଼ାଇଥିଲେ ସେମାନେ ହେଲେ, ତାଙ୍କ ସାନ ଭଉଣୀ, ବୁଢ଼ୀମା, ବୋଉ, ଗତିକୃଷ୍ଣ ଷଢଙ୍ଗୀ ଓ ଗୋପବନ୍ଧୁ ବାବୁ । ପ୍ରଥମ ଚାରିଜଣ ଅମାନୁଷିକ ଦୁଃଖ ଯନ୍ତ୍ରଣା ଭୋଗିଛନ୍ତି । ଗୋପବନ୍ଧୁ ବାବୁ ତାଙ୍କ ଦୀନ ଜୀବନ ତରୀର କର୍ଣ୍ଣଧାର । (ପୃଷ୍ଠା-୫୩) ଜୀବନରେ ସେ ଉଚ୍ଚ ଆସନକୁ ଯାଇ ପାରିଛି । ଶିକ୍ଷକ, ରାଜନୀତିକ ନେତା ଓ ମନ୍ତ୍ରୀ ହେବା ପରେ ମଧ୍ୟ ତାଙ୍କ ଅଭାବ ଘୁଞ୍ଚିନଥିଲା । ଆତ୍ମ ଜୀବନୀର ଅଧିକାଂଶ ପୃଷ୍ଠାରେ ସେ ତାଙ୍କ ଅଭାବ ସଂପର୍କରେ ସ୍ପଷ୍ଟଭାବରେ ସୂଚାଇଛନ୍ତି । ଗୋପବନ୍ଧୁଙ୍କ ଯୋଗୁଁ ସେ ବୈଷୟିକ ମୋହକୁ ଏଡ଼ାଇ ସତ୍ୟବାଦୀରେ ଶିକ୍ଷକ ହେଲେ । ନହେଲେ ହୁଏତ ଓକିଲାତି ପଢ଼ି ବଡ଼ ଓକିଲ ହୋଇପାରିଥାନ୍ତେ; କଲିକତାର ମୂକବଧିର ବିଦ୍ୟାଳୟରେ ଶିକ୍ଷକତା କରି ପାରିଥାନ୍ତେ । ନଚେତ୍‌ ବିଲାତ ଯାଇ କୃଷି ଟ୍ରେନିଂ ପାଇ ଆସିବା ପରେ ଉନ୍ନତ ବେତନରେ କୃଷି ଅଫିସର ହୋଇ ପାରିଥାନ୍ତେ, କିନ୍ତୁ ସବୁକୁ ସେ ଛାଡ଼ିଥିଲେ । ସତ୍ୟବାଦୀ ପରେ ସିଂହଭୂମି ବିଦ୍ୟାଳୟରେ ଶିକ୍ଷକ ହେଲେ ଓ ସେଠାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶାରେ ମିଶ୍ରଣ ପାଇଁ ଲାଗି ପଡ଼ିଲେ କେବଳ ଗୋପବନ୍ଧୁଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ । ସଚ୍ଚୋଟ ରାଜନୀତିକ ନେତା ଭାବରେ କର୍ମମୟ ଜୀବନ ଆରମ୍ଭ କରିଛନ୍ତି । ଚାଉଳ ମୁଠାଏ ନପାଇ ଅଚ୍ଛବ ପିଲାଠାରୁ ପୋଡ଼ା ତାଳଟିଏ ଆଣି ବୋଉର ଶ୍ରାଦ୍ଧ ଦେଇଛନ୍ତି ଓ ନିଜେ ମଧ୍ୟ ସେଥିରେ ଅନେକ ସମୟରେ କ୍ଷୁଧା ନିବାରଣ କରିଛନ୍ତି । ଆତ୍ମଜୀବନୀ ରଚନା କାଳରେ ଗୋଦାବରୀଶ ଦୁଃଖ ଓ ଅଭାବର କଥା ବୟାନ କଲାବେଳେ ତାଙ୍କର ଦ୍ୱନ୍ଦ୍ୱ ଓ ଶୋଚନା କଥା ସ୍ଥାନେ ସ୍ଥାନେ ଉଲ୍ଲେ‌ଖ କରି କହିଛନ୍ତି, ଆଜି ୧୯୫୧ ମସିହାରେ ଏସବୁ ଲେଖିଲା ବେଳେ, ଚଉଷଠି ବର୍ଷ ବୟସରେ ସୁଦ୍ଧା ଦିନେ ଦିନେ ମୋତେ ନିତାନ୍ତ ଅର୍ଥାଭାବରେ ପଡ଼ିବାକୁ ହେଉଛି । ସାମାନ୍ୟ ପେଟ ପୋଷିବା ପାଇଁ ଯେଉଁ ଡାଳ ଧରୁଛି, ସେ ଡାଳ ଛିଡ଼ିଯିବାର ଦେଖୁଛି । ଅର୍ଥାଗମର ଏସବୁ ସୁବିଧା ଛାଡ଼ି ଦେଉଥିବା ଯୋଗେ ସେପରି ଦୁର୍ବଳ ମୁହୂର୍ତ୍ତମାନଙ୍କରେ ବେଳେ ବେଳେ ମନକୁ ଅନୁତାପ ଆସେ । ମୋ ନିଷ୍ପତ୍ତି ପୁରାପୁରି ମୋ ନିଜର ନୁହେଁ । ତା ସକାଶେ ଗୋପବନ୍ଧୁ ବାବୁ ବହୁ ପରିମାଣରେ ଦାୟୀ । (ପୃଷ୍ଠା-୦୩) ଅଭାବ ସତ୍ତ୍ୱେ, ସ୍ଵକୀୟ ପ୍ରତିଭା ବଳରେ ଛାତ୍ର ଜୀବନରେ ସେ ଅନେକଙ୍କର ଅନୁରାଗ ଭାଜନ ହୋଇ ଜୀବନ ଗଢ଼ିଛନ୍ତି । ତାଙ୍କର ଭବିଷ୍ୟତ ଗଢ଼ିବା ଆଶାକୁ ‘ବାମନର ହାତ ଓ ଆକାଶର ଚାନ୍ଦ’ ଶୀର୍ଷକ ପରିଚ୍ଛେଦରେ ଚମତ୍କାର କଳାତ୍ମକ ଭାବେ ଦର୍ଶାଇଛନ୍ତି । ପରବର୍ତ୍ତି ସମୟରେ ପରିସ୍ଥିତିର ସମୁଖୀନ ହେବାକୁ ଯାଇ ସେ ଯେଉଁମାନଙ୍କର ଆଶୀର୍ବାଦ, ସହାୟତା ଓ ପ୍ରେରଣା ପାଇଥିଲେ ସେମାନଙ୍କୁ ନିଜ ପରିବାରର ବୋଲି ଗଣ୍ୟ କରିଛନ୍ତି । ମଧୁସୂଦନ ଦାସ, ରାଧାନାଥ ରାୟ, ଶଶିଦା’, ଗୋପବଂଧୁ ଦାସ, ଚନ୍ଦ୍ରମୋହନ ମହାରଣା, ରାମକୃଷ୍ଣ ବୋଷ, ମଧୁସୂଦନ ରାଓ, ମୁକ୍ତାର ରାମଚନ୍ଦ୍ର ଦାସ, ଗତିକୃଷ୍ଣ ଷଢ଼ଙ୍ଗୀ ଓ ସୁଦର୍ଶନ ପ୍ରମୁଖ ତାଙ୍କ ଆତ୍ମଜୀବନୀର ପୃଷ୍ଠାରେ ଜୀବନ୍ତ ଓ ସ୍ମରଣୀୟ ।

ଐତିହାସିକ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦେବାପରେ ଗୋଦାବରୀଶ ଯେମିତି ବିଦ୍ୟାଳୟର ନିର୍ମାଣ କଳ୍ପେ ଲାଗି ପଡ଼ିଥିଲେ ସେମିତି ଅନ୍ୟମାନଙ୍କ ସହିତ ମିଶି ଇଟା ବୋହି ଘର ତିଆରି କଲେ । ସମାଜ ସଂସ୍କାରର ବାର୍ତ୍ତା ପ୍ରଚାର କଲେ । ଏସବୁ ଜାଣି ଦେଶବିଦେଶରୁ ଅନେକ ଆକୃଷ୍ଟ ହୋଇ ଆସିଲେ । ମାତ୍ର ସୃଷ୍ଟିର ନିୟମ, ଯାହାର ବିକାଶ ଅଛି ତାହାର ମଧ୍ୟ ବିଲୟ ଅବଶ୍ୟମ୍ଭାବୀ । ସତ୍ୟବାଦୀ ବିଦ୍ୟାଳୟର ଜୀବନ ସଂଧ୍ୟାରେ ନଇଁ ଆସିଲା । ଶିକ୍ଷକମାନଙ୍କ ମଧ୍ୟରେ ମନାନ୍ତର, ପାରସ୍ପରିକ ଈର୍ଷା ଓ ଦ୍ଵନ୍ଦ୍ୱ ଦେଖାଗଲା । ଗୋପବଂଧୁ ବାବୁଙ୍କ ନିର୍ଦ୍ଦେଶରେ ଗୋଦାବରୀଶ ଗଲେ ଜୀବନର ନୂତନ କର୍ମକ୍ଷେତ୍ର ଚକ୍ରଧରପୁରକୁ । ଏହା କେବଳ ଜୀବନର କର୍ମ ନଥିଲା, ଥିଲା ତାଙ୍କ ରାଜନୀତିକ ଯାତ୍ରାପଥରେ ପ୍ରଥମ ପାହାଚ ମଧ୍ୟ ।

ଗୋଦାବରୀଶ ଦଶମ ଶ୍ରେଣୀରେ ପଢ଼ିବାବେଳେ ଶଶିଦା’ଙ୍କ ନିକଟ ସଂସ୍ପର୍ଶରେ ଆସନ୍ତି-। ସେ ଥିଲେ ସନ୍ତ୍ରାସବାଦୀ ଦଳର ରାଜନୀତିକ ନେତା । ଅଷ୍ଟମ, ନବମ ଶ୍ରେଣୀରେ ପଢ଼ିବାବେଳେ ସେ ସାଙ୍ଗମାନଙ୍କ ପ୍ରଭାବରେ କୁପଥକୁ ଯାଉଥିବାବେଳେ ଶଶିଦା’ ତାଙ୍କୁ ସୁପଥକୁ ଆଣିଥିଲେ । ଏଣୁ ସେ ଥିଲେ ତାଙ୍କର ହିତାକାଂକ୍ଷୀ ପଥ ପ୍ରଦର୍ଶକ । ଗୋପବନ୍ଧୁଙ୍କ ସହିତ ଶଶିଦାଙ୍କ ସମ୍ପର୍କ ଥିଲା ନିବିଡ଼ । ଏଇ ନିବିଡ଼ତାରୁ ସତ୍ୟବାଦୀ ବନବିଦ୍ୟାଳୟ ଓ ସିଂହଭୂମିରେ ଓଡ଼ିଆ ଜାଗରଣ ଆଣିଥିଲେ ସେ । ଗୋଦାବରୀଶ କଲିକତାରେ ଥିବାବେଳେ ଜାତୀୟ ଆନ୍ଦୋଳନ ପାଇଁ ମାନସିକ ପ୍ରସ୍ତୁତ ହୋଇ ସାରିଥିଲେ । ଗୋପବଂଧୂ ଓ ଶଶିଦା’ଙ୍କ ସହ ସମ୍ପର୍କ, ଦେଶର ରାଜନୀତିକ ଘଟଣା, ମହାତ୍ମାଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ, ବିପ୍ଲବୀ ଅରବିନ୍ଦ ଘୋଷଙ୍କ ଚିନ୍ତାଧାରା, ନେତାଜୀ ସୁବାସ ବୋଷଙ୍କ ବ୍ୟକ୍ତିତ୍ୱ ଖୁଦିରାମଙ୍କ ଫାଶି, କଂଗ୍ରେସ ପକ୍ଷରୁ ଜେଲ୍‌ ବରଣ ଆଦି ଘଟଣା ତାଙ୍କୁ ରାଜନୀତି ପ୍ରତି ଆକର୍ଷିତ କଲା । ସିଂହଭୂମିରେ ପହଞ୍ଚି ସେ ଜାତୀୟ ଜାଗରଣରେ ମାତି ଗଲେ । ଅସହଯୋଗ ଆନ୍ଦୋଳନରେ ଯୋଗଦେଇ କାରାବରଣ କଲେ । ପ୍ରାକ୍‌- ସ୍ଵାଧୀନତାକାଳରେ ଓଡ଼ିଶାର ମନ୍ତ୍ରୀ ହେଲେ । ସ୍ୱାଧୀନତା ପରେ ସେ କଂଗ୍ରେସକୁ ତ୍ୟାଗକରି ଗଣ ପରିଷଦରେ ଯୋଗଦେଲେ । ରାଜନୀତିକ ଭାବରେ ନାନା ଛକାପଞ୍ଝା ଜୀବନ ବିତାଇ ମାତୃଭୂମି ଓ ମାତୃଭାଷା ପାଇଁ ଜଣେ ସଚ୍ଚୋଟ ଓ ନିଷ୍ଠାପର କର୍ମୀ ଭାବରେ କାର୍ଯ୍ୟ କଲେ ଗୋଦାବରୀଶ । ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାର ସତ୍ୟ, ଓଡ଼ିଶା ବିଧାନ ସଭାର ନିର୍ବାଚିତ ସଦସ୍ୟ ଭାବରେ ସେ ଓଡ଼ିଶାର ସୀମା, ଶିକ୍ଷା, ଶିଳ୍ପ, ରାଜସ୍ଵ, ସମ୍ପର୍କରେ ବିବୃତ୍ତିମାନ ଦେଇଛନ୍ତି । ନାନା କ୍ରିୟା ଓ ପ୍ରତିକ୍ରିୟାର ସୁନ୍ଦର ଚିତ୍ର ଆତ୍ମଜୀବନୀରେ ରୂପାୟିତ । ସରଳ ଓ ସାବଲୀଳତା ହେତୁ ଗୋଦାବରୀଶଙ୍କ ଆତ୍ମଜୀବନୀ ଉପନ୍ୟାସ ନହେଲେ ମଧ୍ୟ ଉପନ୍ୟାସ ପରି ସୁଖପାଠ୍ୟ । ସାହିତ୍ୟ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା । କେତେଜଣ ବିଶିଷ୍ଟ ସାହିତ୍ୟିକଙ୍କ ସାନିଧ୍ୟ ଯୋଗୁଁ-। ବିଶ୍ୱନାଥ କର ଓ ନୀଳକଂଠ ଦାସ ତନ୍ମଧ୍ୟରେ ମୁଖ୍ୟ । କଲିକତାରେ ଛାତ୍ର ଥିବାବେଳେ ସେ ନାଟକ ଲେଖି ବିଶ୍ଵନାଥ କରଙ୍କୁ ଉତ୍ସର୍ଗ କରିଥିଲେ । ତୁଳନାତ୍ମକ ଦୃଷ୍ଟିରୁ ବିଚାରକଲେ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଫକୀରମୋହନଙ୍କ ଆତ୍ମଚରିତର ସମଗୋତ୍ରୀୟ । ଆତ୍ମଚରିତରେ ପ୍ରକାଶ ପାଇଛି ବ୍ୟକ୍ତିଗତ ଜୀବନର ଦୁଃଖ ଓ ଅଭାବ, ଆତ୍ମୀୟସ୍ଵଜନଙ୍କ ମୃତ୍ୟୁ, ଊନବିଂଶ ଶତାବ୍ଦୀର ଜୀବନଚିତ୍ର, ନ’ଅଙ୍କ ଦୁର୍ଭିକ୍ଷ ଓ ଭାଷା ବିଲୋପ ଆନ୍ଦୋଳନର ବିବରଣୀ । ସେହି ଭଳି ଗୋଦାବରୀଶଙ୍କ ଆତ୍ମଜୀବନୀରେ ବ୍ୟକ୍ତିଗତ ଜୀବନର ଘଟଣା ସହିତ ଓଡ଼ିଶାର ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ଚିତ୍ର ଅଙ୍କିତ ।

ସର୍ବଜନବୋଧ୍ୟ ଶୈଳୀ ହେତୁ ଆତ୍ମଜୀବନୀ ଉପନ୍ୟାସ ପରି ମନେହୁଏ । ରାଜନୀତି ଓ ସମାଜ ପ୍ରତି ଗୋଦାବରୀଶଙ୍କ ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ ସମୟେ ସମୟେ କୌତୁକ ଓ ହାସ୍ୟ ଉଦ୍ରେକ କରେ । ବିଷୟ ସବୁ ଛୋଟ ଛୋଟ ପରିଚ୍ଛେଦରେ ବିଭକ୍ତ ହୋଇଥିଲେହେଁ ପ୍ରତ୍ୟେକଟିରେ ଅଛି ବ୍ୟକ୍ତିଗତ ଅନୁଭୂତିର ନିବିଡ଼ ସ୍ପର୍ଶ ବିଷୟ ମଧ୍ୟରେ ଲେଖକଙ୍କ ଛୋଟ ଛୋଟ ଶବ୍ଦର ତାତ୍ପର୍ଯ୍ୟପୂର୍ଣ୍ଣ ବ୍ୟାଖ୍ୟା, ବାସ୍ତବବାଦୀ ଦୃଷ୍ଟିକୋଣ, ତୁଳନାତ୍ମକ ଅନୁଶୀଳନ, ପୁଙ୍ଖାନୁପୁଙ୍ଖ ବିଚାରଧାରା । ସ୍ଥଳ ବିଶେଷରେ ସଂସ୍କୃତ ଶ୍ଳୋକର ଉଦ୍ଧୃତି ଯୋଗୁଁ ଗଦ୍ୟ ଶୈଳୀ ବଳିଷ୍ଠ ହେବା ସହିତ ଅନେକ ପରିଚ୍ଛେଦକୁ ପ୍ରବନ୍ଧର ମାନ୍ୟତା ଦିଏ । ଆତ୍ମଜୀବନୀର ବିଷୟ ଗ୍ରନ୍ଥନ କଳା ଓ ଭାଷା ପ୍ରୟୋଗ ଅତ୍ୟନ୍ତ ଚମତ୍କାର । ଗଳ୍ପ ସୁଲଭ ଦୃଷ୍ଟିକୋଣରେ ଏହା ବିସ୍ତୃତ । ଅଧ ଶହ ବର୍ଷତଳେ, ବାମନର ହାତ ଓ ଆକାଶର ଚନ୍ଦ୍ର, ଗୋଡ଼ କିପରି ଖସେ, କଣ କେତେବେଳେ ଘଟେ, ସୁନା ନା ଗୋବର, କିଏ କ’ଣ, ଅସ୍ତପଥେ, ପୁନର୍ମୂଷିକ ଇତ୍ୟାଦି ନାମକରଣରୁ କଳାପାଟବତା ବାରି ହୋଇପଡ଼େ । ଲୋକ ଜୀବନର ପ୍ରବଚନ ଓ ଢଗଢମାଳି ରହିଛି ଅନେକ । ବିସ୍ମୃତପ୍ରାୟ ଓଡ଼ିଆ ଶବ୍ଦର ପ୍ରୟୋଗ ଯଥାକ୍ରମେ, ସିଠୁଆ, ନାତରା, ଖେଣ୍ଟ, ହୁରୁଡ଼ା, ଅଇଚଳା, ଖଡ଼ା ଇତ୍ୟାଦି ଏହାକୁ ସମୃଦ୍ଧ କରାଏ ।

ଗୋଦାବରୀଶ ଆତ୍ମଜୀବନୀର କୌଣସି ସ୍ଥଳରେ ବିନୟୋକ୍ତି ପ୍ରକାଶ କରିନାହାନ୍ତି । ସ୍ଵାଭାବିକ ମାନବୀୟ ପ୍ରବୃତ୍ତିର ସେ ଜୀବନର ଦ୍ୱନ୍ଦ୍ୱ ପାପପୂଣ୍ୟ, ବିରୋଧାଭାସ, ସଂସ୍କାର-କୁସଂସ୍କାର ଆଦିର ଉତ୍‌ଥାନ ପତନକୁ ଚିତ୍ରିଛନ୍ତି ମାତ୍ର । ଦେଶ ଓ ଜାତି ପ୍ରତି ଥିବା ମମତ୍ୱବୋଧର ଏକ ଜ୍ୱଳନ୍ତ ନିଦର୍ଶନ ଭାବରେ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଏକ ସ୍ଵତନ୍ତ୍ର ଆସନର ଅଧିକାରୀ, ଏହା ନିଃସନ୍ଦେହ । ଓଡ଼ିଆ ସାହିତ୍ୟରେ ହୁଏତ ଏଯାବତ୍‌ ଅନେକ ଆତ୍ମଚରିତ ଲେଖାଯାଇଛି, ମାତ୍ର ଫକୀରମୋହନଙ୍କ ଆତ୍ମଚରିତ ଓ ଗୋଦାବରୀଶଙ୍କ ଆତ୍ମଚରିତ ସତେ ଯେପରି ପରସ୍ପରର ପରିପୂରକ ହୋଇ ଉଭୟ ଶୈଳୀ ଓ ଥିମ୍‌ ଦୃଷ୍ଟିରୁ ଅନ୍ୟାନ୍ୟ ଆତ୍ମଚରିତଠାରୁ ସ୍ଵତନ୍ତ୍ର ଗୌରବ ଲାଭ କରିଛି । ଗୋଦାବରୀଶଙ୍କ ଆତ୍ମଚରିତଟି ଯଥାର୍ଥରେ ଅର୍ଦ୍ଧଶତାବ୍ଦୀ ଓଡ଼ିଶାର ଦୁଃଖ-ଦୁର୍ଦଶା, ଉତ୍‌ଥାନପତନ, କୃଷି, ଶିକ୍ଷା, ସଂସ୍କୃତି, ରାଜନୀତି, ନବଜାଗରଣର ଏକ ମାର୍ମିକ ଇତିହାସ । ଏଥିରେ ବ୍ୟକ୍ତି-ଜୀବନ ଜାତୀୟ ଜୀବନ ସହିତ ମିଶି ଏକାକାର ହୋଇଯାଇଛି । ବ୍ୟକ୍ତି- ଜୀବନ ଉପରେ ବିକଶି ଉଠିଛି ଜାତୀୟ ଜୀବନ । ଉପନ୍ୟାସ ରସରେ ଜାରିତ ଏହି ଆତ୍ମଚରିତଟି ଯେ ଓଡ଼ିଆ ସାହିତ୍ୟରେ ଏକ ଅପୂର୍ବ ସାରସ୍ଵତ ସୃଷ୍ଟି, ଏକଥା କହିଲେ ସତ୍ୟର ଅପଳାପ ହେବ ନାହିଁ ।

 

ଉପସଂହାର

ଗୋଦାବରୀଶ ସତ୍ୟବାଦୀର ଜଣେ ବିଶିଷ୍ଟ ସାଧକ । ଗୋପବନ୍ଧୁ, ନୀଳକଂଠଙ୍କ ସେ ବନ୍ଧୁ ଓ ସହକର୍ମୀ । ସତ୍ୟବାଦୀ ବନ ବିଦ୍ୟାଳୟର ଅନ୍ୟତମ ନିର୍ମାତାଭାବେ ମଧ୍ୟ ସେ ଖ୍ୟାତ । ସତ୍ୟବୀଦୀର ପ୍ରାକୃତିକ ପରିବେଶ, ଛାତ୍ର ମଣ୍ତଳୀ, ଶିକ୍ଷକ ଗଣଙ୍କ ସାହଚର୍ଯ୍ୟରେ ଆସି ସେ ନିଜକୁ ନୀତିନିଷ୍ଠ ତ ଆଦର୍ଶବାନ୍‌ କରିପାରି ଥିଲେ । ସଚ୍ଚୋଟତା ତାଙ୍କ ଜୀବନର ପଣ ଥିଲା । ଶିକ୍ଷକ ଭାବରେ ଛାତ୍ରମାନଙ୍କ ପ୍ରତି ଗଭୀର ସ୍ନେହ ହିଁ ତାଙ୍କୁ ମାନବପ୍ରେମରେ ଉଦ୍‌ବୁଦ୍ଧ କରାଇଥିଲା । ସେହି ମାନବ ପ୍ରେମ ପରବର୍ତ୍ତୀ ସମୟରେ ସ୍ରଷ୍ଟା ହୃଦୟରେ ସୃଷ୍ଟି କରିଥିଲା ପ୍ରକୃତିକୁ ଭଲପାଇବା, ଜୀବନକୁ ଭଲପାଇବା, ଜାତୀୟ ଇତିହାସ ଓ ସଂସ୍କୃତିକୁ ଭଲ ପାଇବା । ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟର ଇତିହାସରେ ସେ ଜଣେ ସ୍ମରଣୀୟ ପ୍ରତିଭା । ପରିମାଣ ଓ ଗୁଣାତ୍ମକ ଦୃଷ୍ଟିରୁ ତାଂକ କବିତା, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ, ଭାଷଣ, ଅଭିଭାଷଣ, ଶିଶୁ ଓ କିଶୋର ଉପଯୋଗୀ ସାହିତ୍ୟ ଓ ଆତ୍ମଜୀବନୀ ଓଡ଼ିଶାର ଅଗଣିତ ପାଠକଙ୍କର କର୍ମସ୍ଥଳକୁ ଗଭୀର ଭାବରେ ଅଭିଭୂତ କରିଛି । ସାହିତ୍ୟ ରଚନା କ୍ଷେତ୍ରରେ ସେ ପ୍ରଭାବକୁ ସମାଦର ସହକାରେ ଗ୍ରହଣ କରିଛନ୍ତି । ଗ୍ରହଣ କରିଛନ୍ତି ଓଡ଼ିଶାର କିମ୍ବଦନ୍ତୀ । ମାଦଳା ପାଞ୍ଜି ଇତିହାସ ଓ ପୂର୍ବବର୍ତ୍ତୀ ସାହିତ୍ୟିକଙ୍କ କୃତି ଓ କୃତିତ୍ଵକୁ ।

ସତ୍ୟବାଦୀରୁ ବିଦାୟ ନେଇ ସେ ସିଂହଭୂମିରେ ଜନ ଆନ୍ଦେଳନରେ ବ୍ରତୀ ହେଲେ । ଚ୍ଛିନ୍ନମସ୍ତା ଉତ୍କଳ ପ୍ରତି ତାଙ୍କ ପ୍ରାଣ ଆନ୍ଦୋଳିତ ହେବା ସହିତ ଓଡ଼ିଆ ସଂସ୍କୃତି, ଭାଷା ଓ ପରମ୍ପରା ପ୍ରଚଳିତ ଅଞ୍ଚଳସବୁକୁ ଓଡ଼ିଶାରେ ମିଶାଇଦେବା ପାଇଁ ଚେଷ୍ଟାକଲେ । ରାଜନୀତିକ ଜୀବନର ଆଦ୍ୟ ପାଦରେ ବହୁ କଷ୍ଟ ସ୍ଵୀକାର କରି ଚକ୍ରଧରପୁରର ବିଭିନ୍ନ ସ୍ଥାନରେ ଚାଲି ଚାଲି ଘୂରି ବୁଲିଲେ ଉତ୍କଳୀୟ ଜାତୀୟତାକୁ ଜାଗ୍ରତ କରିବା ପାଇଁ । ବିଚ୍ଛିନ୍ନାଞ୍ଚଳର ସଂଗ୍ରାମୀ କର୍ମୀ ଭାବରେ ଜାତୀୟ ବିପର୍ଯ୍ୟୟର କାରଣ ଅନୁସନ୍ଧାନ କରି, ଜାତିକୁ ତାର ଐତିହ୍ୟ ଚେତେଇ ଦେଇ ତାକୁ ମର୍ଯ୍ୟାଦା ସମ୍ପନ୍ନ କରିବା ଥିଲା ତାଙ୍କର ଲକ୍ଷ୍ୟ । ସିଂହଭୂମି ଜନ ଆନ୍ଦୋଳନର କର୍ମୀରୁ ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ରଥୀ ହେଲେ । ଓଡ଼ିଶାକୁ ସେ ନିଜର କର୍ମଭୂମି ଭାବରେ ଗ୍ରହଣ କରିଥିଲେ । ରାଜନୀତିର ଦ୍ୱିତୀୟ ପର୍ଯ୍ୟାୟରେ ସେ ମନ୍ତ୍ରୀ ଥିଲେ ମଧ୍ୟ ନିଃସ୍ଵ ଭାବରେ ଜୀବନ ଯାପନ କରୁଥିଲେ। ସ୍ଵାଧୀନତା ପରେ ରାଜନୀତିକ ଦଳର କର୍ମୀ ଓ ନେତାଙ୍କର ନୈତିକ ଅଧଃପତନରେ ମିୟମାଣ ହୋଇ କଂଗ୍ରେସରୁ ବିଦାୟ ନେଇ ଗଣତନ୍ତ୍ର ପରିଷଦରେ ଯୋଗଦେଲେ । ୧୯୧୩ରେ ସତ୍ୟବାଦୀ ବିଦ୍ୟାଳୟରେ ଯୋଗଦେବା ପରଠାରୁ ମୁତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ତେୟାଳିଶ ବର୍ଷ ସେ ନିଜକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ସମୟକାଳ ମଧ୍ୟରେ ଜାତିର ବିପର୍ଯ୍ୟୟ, ଜାତୀୟତାର ନବଜାଗରଣ, ଦରିଦ୍ର ଅସହାୟ ମଣିଷ ପ୍ରତି ସହାନୁଭୂତି, ମାନବ ବନ୍ଦନା, ପ୍ରକୃତି ପ୍ରୀତି ମଧ୍ୟଦେଇ ତାଙ୍କ ସାହିତ୍ୟର ହେଲା ଜୈଳ ଯାତ୍ରା । ସତ୍ୟବାଦୀ ଆଭିମୁଖ୍ୟ ଥିଲା ଏହାର ମୂଳାଧାର ।

ଗୋଦାବରୀଶଙ୍କ ସାହିତ୍ୟରେ ପୂର୍ବସୂରୀ ଯଥା ରାଧାନାଥ ରାୟ, ମଧୁସୂଦନ ରାଓ, ଫକୀରମୋହନ ସେନାପତି, ନନ୍ଦ କିଶୋର ବଳ ଓ ଗଙ୍ଗାଧର ମେହେର ପ୍ରମୁଖ ସାହିତ୍ୟ ଶିଳ୍ପୀଙ୍କ ପ୍ରେରଣା ଥିଲା ଅପ୍ରତିହତ । ରାଧାନାଥଙ୍କ କାବ୍ୟରେ ଓଡ଼ିଶାର ଇତିହାସ ମାଟି ପାଣି ପବନ ଯେମିତି ନବଜନ୍ମ ଲଭିଥିଲା । ଗୋଦାବରୀଶଙ୍କ ଗାଥା ଓ ଗୀତିକବିତା ଗୁଡ଼ିକରେ ସେମିତି ହୋଇଥିଲା ଏହାର ବିକାଶ । ନାଟକ ରଚନା କ୍ଷେତ୍ରରେ ଗୋଦାବରୀଶ ରାମଶଙ୍କର ରାୟଙ୍କ କାଞ୍ଚି କାବେରୀ ନାଟକକୁ ଗ୍ରହଣ କରିଛନ୍ତି । ମାଦଳା ପାଞ୍ଜି, ହଣ୍ଟର, ଷ୍ଟର୍ଲିଙ୍କ ଇତିହାସ ସହିତ ପ୍ୟାରୀମୋହନଙ୍କ ଇତିହାସରୁ ତଥ୍ୟ ସଂଗ୍ରହ କରି ରଚନା କରିଛନ୍ତି ପୁରୁଷୋତ୍ତମ ଦେବ ଓ ମୁକୁନ୍ଦ ଦେବ ନାଟକ । ରାଧାନାଥ ଓ ଗଙ୍ଗାଧରକ ଛନ୍ଦ ଯୋଜନା ଗୋଦାବରୀଶଙ୍କ ଅନେକ କବିତାରେ ଦେଖିବାକୁ ମିଳେ । ଫକୀରମୋହନଙ୍କ ଉପହାର ଓ ପୁଷ୍ପମାଳାର ଶୋକଗୀତିକା ସବୁ ଗୋଦାବରୀଶଙ୍କୁ ଶୋକଗୀତିକା ଲେଖିବା ପାଇଁ ହୁଏତ ପ୍ରେରଣା ଦେଇଛି । ଗଳ୍ପ ଓ ଉପନ୍ୟାସ ରଚନାରେ ଫକୀରମୋହନ ଥିଲେ ତାଙ୍କର ଆଦର୍ଶ । ‘ଲଚ୍ଛମା’ର ଐତିହାସିକତା ଗୋଦାବରୀଶଙ୍କୁ ଅଠରଶହ ସତର ଭଳି ଉପନ୍ୟାସ ରଚନା ପାଇଁ ଅନୁପ୍ରେରିତ କରିଥିଲା । ଫକୀରମୋହନଙ୍କ ‘ଆତ୍ମଚରିତ ପରି ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ ଅର୍ଥନୀତିକ ଜୀବନର ଏକ କଳାତ୍ମକ ରୂପ । ଆତ୍ମଚରିତର ଗଠନ ଶୈଳୀ ଗୋଦାବରୀଶଙ୍କୁ ପ୍ରଭାବିତ କରିଥିବ ନିଶ୍ଚୟ । କବି ମଧୁସୂଦନ, ନନ୍ଦ କିଶୋର ଓ ଗଙ୍ଗାଧରକ ଅନୁସରଣରେ ଗୋଦାବରୀଶ ‘ସନେଟ୍‌’ ବା ଚତୁର୍ଦ୍ଦଶ ପଦୀ କବିତା ରଚନା କରିଥିଲେ । ଗାଥା କବିତା, ଗୀତିକବିତା, ଶୋକଗୀତି, ସମ୍ବୋଧ ଗୀତି ମଧ୍ୟ ଏହି ସମୟ-ଖଣ୍ଡ ପ୍ରଭାବର ସୃଷ୍ଟି । ମାତ୍ର ସାହିତ୍ୟିକ ସୌଷ୍ଠବରୁ ଜଣାଯାଏ ଯେ ଗୋଦାବରୀଶ ଅତିକ୍ରମ କରିଛନ୍ତି ପୂର୍ବସୂରୀମାନଙ୍କୁ । ବିଶେଷ କରି ଶୋକଗୀତିକାରେ ତାଙ୍କର କବିତ୍ୱ ପ୍ରତିଫଳିତ । ପ୍ରବନ୍ଧ ସାହିତ୍ୟରେ ଗୋଦାବରୀଶ, ମଧୁସୂଦନ ରାଓ, ବିଶ୍ୱନାଥ କର, ମୃତ୍ୟୁଜୟ ରଥ, ଗୋପବନ୍ଧୁ ଓ ନୀଳକଂଠଙ୍କ ଦ୍ୱାର ଅନୁପ୍ରେରିତ । ବହୁ ଇଂରାଜୀ ଲେଖକଙ୍କୁ ମଧ୍ୟ ଗୋଦାବରୀଶ କରିଥିଲେ ସ୍ୱୀକାର । ଅତଏବ, ବହୁ ପୂର୍ବସୂରୀଙ୍କ ପ୍ରଭାବରେ ପ୍ରଭାବିତ ହେଲେ ମଧ୍ୟ ନିଜର ପ୍ରତିଭା ବଳରେ ଆହରଣକୁ ନିଜର କରିଦେଇଥିଲେ । ରାଧାନାଥଂକ ପରି ସେ ପ୍ରାଚୀନରେ ନୂତନତା ଓ ଆହରଣରେ ମୌଳିକତା ପ୍ରଦର୍ଶନ କରି ଓଡ଼ିଆ ସାହିତ୍ୟରେ ନିଜର ସ୍ଵାତନ୍ତ୍ର୍ୟ ରକ୍ଷା କରିପାରିଛନ୍ତି ।

ଗୋଦାବରୀଶଙ୍କ ସାରସ୍ଵତ ସୃଷ୍ଟିର ସମୟ କାଳ ୧୯୧୩ରୁ ୧୯୫୬ ମସିହା । ୧୯୧୩-୧୯୨୫ ତାଙ୍କ ସାରସ୍ଵତ ପ୍ରତିଭାର ଉନ୍ମେଷ କାଳ । ପରବର୍ତ୍ତୀ ସମୟରେ ତାଙ୍କ ସୃଷ୍ଟି ରହିଛି ଅପ୍ରତିହତ । ଗୋଦାବରୀଶଙ୍କ ସମସାମୟିକ ଓ ପରବର୍ତ୍ତୀ କାଳରେ କେତେକ ସ୍ରଷ୍ଟା ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ଜଣାଯାଏ । ଐତିହାସିକ କୃପାସିନ୍ଧୁ ଗୋଦାବରୀଶଙ୍କ କୋଣାର୍କ ଦର୍ଶନ ପଢ଼ିଥିଲେ । ଆପାତତଃ ଦୃଷ୍ଟିରୁ ଭ୍ରମଣ ବୃତ୍ତାନ୍ତ ପରି ମନେ ହେଲେ ହେଁ ଏହାର ଐତିହାସିକ ତଥ୍ୟ ପ୍ରମାଣସିଦ୍ଧ । ପରବର୍ତ୍ତୀ କାଳରେ ସତ୍ୟବାଦୀ ପରମ୍ପରାର କବି ପଦ୍ମଚରଣ ଏବଂ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କବିତାରେ ଗୋଦାବରୀଶଙ୍କ ଅନ୍ତର୍ଜଗତର ମର୍ମବାଣୀ ପ୍ରତିଫଳିତ । ଜାତୀୟତାବାଦୀ କବି ବୀରକିଶୋର ଓ ବାଞ୍ଛାନିଧିଙ୍କ ବିପ୍ଳବାତ୍ମକ କବିତା ମଧ୍ୟରେ ସତ୍ୟବାଦୀ ଉଗ୍ରଚେତାନାର ଯେଉଁ ନମୁନା ନିହିତ ତାହା ମୂଳତଃ ଗୋଦାବରୀଶଙ୍କର ବୋଲି ଗ୍ରହଣ କରାଯାଇପାରେ । ସତ୍ୟବାଦୀ ପ୍ରେରଣାର ଅନ୍ୟତମ ରୂପକାର କୁନ୍ତଳାକୁମାରୀଙ୍କ କବିତାରେ ଗୋପବନ୍ଧୁ ଓ ଗୋଦାବରୀଶଙ୍କ କବିତାର ସ୍ଵଦେଶାତ୍ମକବୋଧର ଚିନ୍ତାଧାରା ଅନୁରଣିତ । ନାରୀ କବିଙ୍କ ଦେଶପ୍ରେମ ଓ ମାନବପ୍ରୀତି ମୂଳରେ ରହିଛି ଗାନ୍ଧିବାଦୀ ଆହ୍ୱାନ ଓ ସତ୍ୟବାଦୀର ଆଦର୍ଶ । ଭଗବାନଙ୍କୁ ମାନବ ଭାବରେ ଗ୍ରହଣକରି ସେ ଯେଉଁ ମାନବପ୍ରୀତି ମୂଳକ କବିତା ଲେଖିଲେ ବସ୍ତୁତଃ ସେ ଚିନ୍ତାଧାରା ଗୋଦାବରୀଶଙ୍କଠାରୁ ଆହୃତ । ସବୁଜ ପନ୍ଥୀଙ୍କ ପରେ ଯେଉଁମାନେ କୌଣସି ଗୋଷ୍ଠୀଭୁକ୍ତ ନହୋଇ ନିଜ ନିଜ ଅନ୍ତର୍ନିହିତ ପ୍ରେରଣାରେ କବିତା ଲେଖିଲେ ସେମାନେ ହେଲେ, ଗୋଦାବରୀଶ ମହାପାତ୍ର, ମାୟାଧର ମାନ ସିଂହ, ର।ଧାମେୋହନ ଗଡ଼ନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ କୁଞ୍ଜବିହାରୀ ଦାଶ । ଗୋଦାବରୀଶ ମହାପାତ୍ର ଥିଲେ ସତ୍ୟବାଦୀର ଛାତ୍ର ଓ ତାଙ୍କ ସାହିତ୍ୟିକ ପ୍ରତିଭାର ସ୍ଫୁରଣ ସତ୍ୟବାଦୀରେ ହୋଇଥିଲା । ଗୋପବନ୍ଧୁ, ନୀଳକଂଠ, ଗୋଦାବରୀଶଙ୍କ ପ୍ରତ୍ୟକ୍ଷ ସାନିଧ୍ୟରେ ଆସି ତାଙ୍କର ଗଭୀର ଦେଶପ୍ରେମ, ନିର୍ଭୀକ ଭାବନା ସୃଷ୍ଟି ହୋଇଥିବା ସ୍ଵାଭାବିକ । ମାୟାଧରଙ୍କ ଚତୁର୍ଦ୍ଦଶପଦୀ କବିତା, ରାଧାମୋହନଙ୍କ ଗାଥାକବିତା, କୃଷ୍ଣଚନ୍ଦ୍ରଙ୍କ କାବ୍ୟିକ ସୌନ୍ଦର୍ଯ୍ୟ ଓ କୁଞ୍ଜବିହାରୀଙ୍କ ଚାରଣ କବିଦୃଷ୍ଟି ଗୋଦାବରୀଶଙ୍କ ପ୍ରଭାବପୁଷ୍ଟ-। ସୁତରା, ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପଣ୍ତିତ ଗୋଦାବରୀଶ ମିଶ୍ର ବାସ୍ତବିକ ଜଣେ କ୍ରାନ୍ତିକାରୀ ପ୍ରତିଭା, ଯାହା ଏବେ ମଧ୍ୟ ଅମ୍ଲାନ ରହିଛି ।

ଗୋଦାବରୀଶଙ୍କ ତିରୋଧାନ ଅର୍ଦ୍ଧଶତାବ୍ଦୀ ଅତିକ୍ରମ କଲାଣି । ତାଙ୍କର ମର କଳେବର ନାହିଁ, ରହିଯାଇଛି ତାଙ୍କର ମହିମାମୟ ସାରସ୍ଵତ ବ୍ୟକ୍ତିତ୍ଵ । ଏହା ସତ୍ୟ ଯେ ତାଙ୍କର ରାଜନୀତିକ ଜୀବନକୁ ଆଉ କେହି ମନେ ରଖି ନାହାନ୍ତି, ରଖିବେ ନାହିଁ ମଧ୍ୟ । ମାତ୍ର ତାଙ୍କର ସାରସ୍ଵତ କୃତି ଓ କୃତିତ୍ଵ ଭାସ୍ଵର ହୋଇ ରହିବ । ଓଡ଼ିଆ ଜାତିକୁ, ଜାତିର ସଂସ୍କୃତିକୁ, ମାଟି, ପାଣି, ପବନ ଓ ସର୍ବୋପରି ମଣିଷକୁ ଭଲ ପାଇ ସୃଷ୍ଟି କରିଯାଇଥିବା ଅଜସ୍ର ସାରସ୍ଵତ କୃତିକୁ ଓଡ଼ିଆ ଜାତି ଭୁଲିପାରିବ ନାହିଁ । ତାରି ଭିତରେ ଗୋଦାବରୀଶଙ୍କ ବିମଳ ବ୍ୟକ୍ତିତ୍ଵ ଦୀପ୍ତ ହେଉଥିବ ଓ ପ୍ରେରଣା ଦେଉଥିବ ଭବିଷ୍ୟତ ବଂଶଧରମାନଙ୍କୁ । ଜଞ୍ଜାଳ ଜ୍ୱାଳାରେ ସେ ଜଳିଛନ୍ତି, ଅଭାବ ଅନଟନରେ ବିଦ୍ଧ ହୋଇଛନ୍ତି ତଥାପି ସେ ଭାଙ୍ଗି ପଡ଼ି ନାହାନ୍ତି, ନଇଁ ଯାଇ ନାହାନ୍ତି । ତାଙ୍କ ଭିତରେ ବଜ୍ର ଶପଥ ପ୍ରକାଶ ପାଇଛି, ଜାତି ପାଇଁ କିଛି କରିବେ । ଏହି ସଂକଳ୍ପ ହିଁ ତାଙ୍କୁ ନିର୍ଭିକ କରିଛି, ତ୍ୟାଗୀ କରିଛି, ସାହିତ୍ୟିକ କରିଛି । ସେ ରାଜନୀତି କରିଛନ୍ତି, ମାତ୍ର ରାଜନୀତି ତାଙ୍କୁ ଗ୍ରାସ କରି ପାରି ନାହିଁ। ରାଜନୀତି ଭିତରେ ଥାଇ ଦେଶ-କଲ୍ୟାଣ ଓ ମାନବ-ମଙ୍ଗଳ ହୋଇଛି ତାଙ୍କର ଲକ୍ଷ୍ୟ । ରାଜନୀତିକୁ କଳଙ୍କମୁକ୍ତ କରିବା ହୋଇଛି ତାଙ୍କର ଉଦ୍ଦେଶ୍ୟ । ଉତ୍କଳ-ଜନନୀହିଁ ଗୋଟାପଣେ ତାଙ୍କ ସାରସ୍ୱତ ବ୍ୟକ୍ତିତ୍ଵକୁ ଆଚ୍ଛନ୍ନ କରି ରଖିଛି । ଏହି ସ୍ଵାଭିମାନୀ, ସାରସ୍ଵତ ପୁରୁଷ ଓ ମାନବତାବାଦୀ ସ୍ରଷ୍ଟା ଓଡ଼ିଶା ଓ ଓଡ଼ିଆ ସାହିତ୍ୟ ପାଇଁ ଯେ କେତେ ମହିମାମୟ ତାହା ବୁଝାଇ କହିବାର ଆଉ ଆବଶ୍ୟକତା ନାହିଁ ।

Image